Latest Odisha News

BREAKING NEWS

ମୋତେ ପ୍ରଭାବିତ କରୁଥିବା ପ୍ରତ୍ୟେକ ଚରିତ୍ର ମୋର ପ୍ରେରଣାର ଉତ୍ସ : ସୁସ୍ମିତା ପଟେଲ

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ସୁସ୍ମିତା ପଟେଲ। ଅତି ସାଧାରଣ ଘଟଣାଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ ପୁଣି କବିତାର ତତ୍ତ୍ୱ ଏବଂ ଉପନ୍ୟାସର ଆରମ୍ଭ । ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ଶାଣିତ ଶବ୍ଦର ପ୍ରୟୋଗ ସହ ସାବଲୀଳ ଭାବର ମଧୁରପଣରେ ଅତି ନିଖୁଣ ଭାବରେ ସେ ସଜାଇ ପାରନ୍ତି ତାଙ୍କ ସର୍ଜନାର ଧାରା ।

ଆଞ୍ଜୁଳାଏ ସ୍ମୃତି, ଦୀପ ଯଦି ବହ୍ନି ହୁଏ , ଡାଏରୀ, ଝର୍କା ଆରପାଖ ପ୍ରଭୃତି ପୁସ୍ତକ ସହ ଆହୁରି ଅନେକ ଗଳ୍ପ ଓ କବିତାର ସେ କାଳଜୟୀ ସ୍ରଷ୍ଟା।। ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତା ଏବଂ ସମ୍ବର୍ଦ୍ଧିତା।

ଲେଖିକା ସୁସ୍ମିତା ପଟେଲଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ଆଳାପ

ସାହିତ୍ୟ ପ୍ରତି ଆକୃଷ୍ଟ ହେବାର ମୂଖ୍ୟ ଉତ୍ସ କ’ଣ ଥିଲା ?

ପିଲାବେଳରୁ ହିଁ ସାହିତ୍ୟ ପ୍ରତି ଆକୃଷ୍ଟ । ସେସମୟରୁ ହିଁ ଆମଘରକୁ ବାପା ଆଣୁଥିବା ନାନା ପ୍ରକାରର ଗପବହି, ଗାଁ ରେ ଥିବା ଲାଇବ୍ରେରୀ ଆଉ ମୋ ମାଁ, ଗାଁ ପରିବେଶ, ସମସ୍ତେ ଏହାର ଉତ୍ସ କହିଲେ ଭୁଲ୍ ହେବନାହିଁ । ଏପରିକି ମୁଁ ପଢୁଥିବା ବା ମୋତେ ପ୍ରଭାବିତ କରୁଥିବା ପ୍ରତ୍ୟେକ ଚରିତ୍ର ମୋର ଗୋଟିଏ ଗୋଟିଏ ଉତ୍ସ କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରଥମେ ପ୍ରଥମେ ମୁଁ ସେଇ ଛୋଟ ସମୟରେ ଗୀତ ବା ଗପ ଛାୟାରେ କିଛି କିଛି ଲେଖୁଥିଲି,ଆଉ ସେ ଲେଖା ପାଇଁ ମା’ ର ପ୍ରଶଂସା ଦୀପରେ ଘିଅ ପରି କାମ କରୁଥିଲା ଏବଂ ମୋତେ ଦି ପାଦ ଆଗକୁ ଠେଲି ଦେଉଥିଲା ଆଉ କିଛି ଲେଖିବାପାଇଁ। ତାପରେ ପରେ ମା’ର ଆକସ୍ମିକ ବିୟୋଗରେ (ଷଷ୍ଠ ଶ୍ରେଣୀରୁ)ଭାଙ୍ଗି ପଡିଥିବା ମୁଁ ମୋ ଲୁହକୁ କାଳିର ରୂପଦେଇ ତା ପାଇଁ ଚୁପ୍ ଚାପ୍ ଲେଖିଚାଲିଲି ଅସଂଖ୍ୟ କବିତା । ହଁ ଗପ ବି ଲେଖୁଥିଲି ମାତ୍ର ତା ସଂଖ୍ୟା ବହୁତ କମ୍ । ମା ପାଇଁ କିଛି ଲେଖିବାର ଅଭ୍ୟାସ ପରେପରେ ମୋତେ ପ୍ରବର୍ତ୍ତେଇଥିଲା ଆଉ କିଛି ଲେଖିବାକୁ । ସମାଜରେ ଘଟୁଥିବା ବିଭିନ୍ନ ଘଟଣାବଳୀକୁ ଆୟୂଧ କରି ମୋ ଲେଖି ଚାଲିଲି ଅନେକ କିଛି ।ଆଉ ଏ ଅଭ୍ୟାସ ଏବେ ଯାଏ ଅବ୍ୟାହତ ରହିଛି । ଏହା ସାହିତ୍ୟ ନା କ’ଣ ତା ମୁଁ ଜାଣିନି ।

ଆପଣ ଗଳ୍ପ, କବିତା , ଉପନ୍ୟାସ ସହ ସାହିତ୍ୟର ସବୁ ବିଭାଗ ଉପରେ ଆପଣଙ୍କ ସର୍ଜନାର କ୍ଷେତ୍ର ବ୍ୟାପ୍ତ । ତେବେ ଆତ୍ମତୃପ୍ତି କେଉଁଠି ?

ମୋତେ କବିତା, ଗୀତିକବିତା, ଶିଶୁ ଉପଯୋଗୀ ଗୀତିକବିତା, ଗପ, ଉପନ୍ୟାସ ଲେଖିବାକୁ ଭଲଲାଗେ ହେଲେ ମୋତେ ଏଯାଏ କୌଣସିଠାରେ ଆତ୍ମତୃପ୍ତି ମିଳିପାରିନି। ହଁ କବିତାଟିଏ ଲେଖି ସାରିଲେ କିଛି କ୍ଷଣ ପାଇଁ ମାନସିକ ଶାନ୍ତି ମିଳିଥାଏ।

ସାହିତ୍ୟ ସୃଷ୍ଟିରେ ଅନୁଭୂତିକୁ ରୂପ ଦେବା ସହଜ କି କଳ୍ପନାରେ ରଙ୍ଗ ଭରିବା ସହଜ ବୋଲି ଆପଣ କହିବେ ?

ମୋତେ ଲାଗେ କଳ୍ପନାଠୁ ଅନୁଭୂତିକୁ ରୂପ ଦେବା ଅଧିକ ସହଜ । ଲେଖକଟିଏ ଲେଖୁଥିବା ଲେଖାଟିଏ କେବଳ ଯେ କଳ୍ପନା ତା ନୁହେଁ ସେଠି କିଛି ଅନୁଭୂତି ବି ଫେଣ୍ଟାଫେଣ୍ଟି ହୋଇ ରହିଥାଏ। ମୋ ମତରେ କଳ୍ପନା ଓ ଅନୁଭୂତି ଉଭୟ ହେଲେ ଯାଇ ଭଲ ଭାବରେ ଲେଖାଟେ ହୋଇପାରିବ । ସହଜ ତ କୌଣସିଟା ନୁହେଁ।

ନାରୀଟିଏ ଲେଖିକା ହିସାବରେ ଅନେକ ଅସୁବିଧାର ସାମ୍ନା କରେ ବୋଲି ଅନେକ ମତ ଦିଅନ୍ତି। ସେ ବିଷୟରେ ଆପଣ କ’ଣ କହିବେ ?

ହଁ ସତକଥା । ଏଥିରେ ମୁଁ ସହମତ । ମୁଁ ଜଣେ ଗୃହିଣୀ। ଘରର ଯାବତୀୟ କାମ ସହିତ ଲେଖିବା ଏତେ ସହଜ ନୁହେଁ। ଏକରେ ଲେଖିବା ପାଇଁ ନିଜପାଇଁ କିଛି ସମୟ ଦରକାର ଯାହା ଏକ ନାରୀ ପକ୍ଷରେ ଅସମ୍ଭବ। ନିରୋଳାରେ ଲେଖିଲା ବେଳେ ଶବ୍ଦ ସବୁ ଆପେଆପେ ଧରାଦିଅନ୍ତି। ମାତ୍ର ଗୋଟିଏ କବିତା ବା ଗପ ଲେଖିବା ବେଳେ ଆପଣଙ୍କୁ ବାରମ୍ୱାର ଉଠିବାକୁ ପଡୁଛି , ନିଜର ଦାୟିତ୍ଵ ତୁଳେଇସାରି ପୁଣି ବସିବାକୁ ପଡୁଛି ତା’ହେଲେ ତ ଆପଣ ବୁଝୁଥିବେ । ଏମିତି କି ଦିନ ଦିନ ଧରି ସମୟ ବାହାରକରି ହୁଏନି କିଛି ଲେଖିବାପାଇଁ। ମୁଁ କିଛି କାମ କରୁଛି ବା କିଛି ଲେଖୁଛି ଏକଥା କାହାକୁ ବୁଝେଇବେ ଯେ ଲେଖିବା ବା ପଢ଼ିବା ଏ ବି ମୋ ଜରୁରୀ କାମ ଭିତରୁ ଗୋଟିଏ ବୋଲି ।

ସ୍ରଷ୍ଟାର ସୃଷ୍ଟିକୁ ପାଠକୀୟ ମତ କେତେଦୂର ମାର୍ଜିତ କରେ ବୋଲି ଆପଣ ଭାବନ୍ତି ?

ବହୁ ମାତ୍ରାରେ ମାର୍ଜିତ କରେ । ଆତ୍ମବିଶ୍ବାସ କୁ ଆହୁରି ଦୃଢ଼ କରେ ।ପାଠକୀୟ ମତ ଆପଣଙ୍କ ସପକ୍ଷରେ ହେଉ ବା ବିପକ୍ଷରେ କିଛି ପରବାୟ ନାହିଁ।ସପକ୍ଷରେ ହେଲେ ଆହୁରି ଲେଖିବାକୁ ପ୍ରେରଣା ଦିଏ ଆଉ ବିପକ୍ଷରେ ହେଲେ ନିଜ ଲେଖାକୁ ଆହୁରି ମାର୍ଜିତ କରିବାକୁ ପ୍ରେରଣା ଦେଇ ବହୁତ୍ କିଛି ଲେଖେଇ,ପଢେଇ ଦିଏ । ଏଠାରେ କହି ରଖୁଛି ମୁଁ ଛୋଟବେଳୁ ଲେଖୁଥିଲେ ବି କେବେ କୌଣସି ପତ୍ର, ପତ୍ରିକା କୁ ଲେଖା ଦେଇ ନ ଥିଲି କି ବହିଟିଏ ବି ମୋର ପ୍ରକାଶ ପାଇନଥିଲା ।ଏଇ ଛଅ,ସାତ ବର୍ଷ ହୋଇଛି ପତ୍ର, ପତ୍ରିକା କୁ ଦେବା ।ପତ୍ର ପତ୍ରିକାର ସ୍ଵୀକୃତି ପରେ ପାଠକୀୟ ମତ ମୋତେ ବହୁତ ମାତ୍ରାରେ ପ୍ରଭାବିତ କରିଥିଲା ଆହୁରି ଲେଖେଇ ନେଇଥିଲା ।

ସାରସ୍ୱତ ସାଧନାରେ ସମ୍ମାନ ଓ ସ୍ୱୀକୃତି ଜଣେ ଲେଖକଙ୍କୁ କିପରି ଭାବରେ ପ୍ରଭାବିତ କରେ ? ଏହାଦ୍ୱାରା ଲେଖକଙ୍କର ଦାୟିତ୍ୱବୋଧ ବଢିଯାଏ କି ?

ମୋ ମତରେ ନିଶ୍ଚୟ ଦାୟିତ୍ଵବୋଧ ବଢିଯାଏ। ପ୍ରଥମେ ଲେଖୁଥିବା ସମୟରେ ବୋଧେ ଏ ଦାୟିତ୍ଵବୋଧ ନ ଥିଲା ।ଯେପରି ଝିଅଟିଏ ମା ଘରେ ଥାଇ ଇଚ୍ଛା ମୁତାବକ କାମ କଲେବି ଚଳିଯାଏ ଅଥଚ ସେଇ ଝିଅଟି ବୋହୂଟିଏ ହେଲା ପରେ ସେଇ କାମପାଇଁ ତାର ଦାୟିତ୍ବବୋଧ ବଢ଼ି ଯାଇଥାଏ ଠିକ୍ ସମ୍ମାନ ଓ ସ୍ଵୀକୃତି ଦ୍ଵାରା ଲେଖକର ଦାୟିତ୍ଵ ବୋଧ ବଢି ଯାଇଥାଏ ।ପାଠକ ତା’ଠାରୁ ଅଧିକ ଆଶା କରନ୍ତି ।

ନାରୀବାଦୀ ତତ୍ତ୍ବଟି ପୁରୁଷକୁ ଅତିକ୍ରମ କରିବା ନା ନିଜକୁ ଉନ୍ମୁକ୍ତ କରିବା ନା ପାରମ୍ପରିକତା ଭାଙ୍ଗି ସମାନ ପ୍ରତିଷ୍ଠା ପାଇବାରେ ଅପେକ୍ଷା ରଖେ ?

ନାରୀବାଦୀ ତତ୍ତ୍ଵଟି ପୁରୁଷକୁ ଅତିକ୍ରମ କରି ନିଜକୁ ଉନ୍ମୁକ୍ତ କରିବା ନୁହେଁ। ପୁରୁଷ ସହିତ କାନ୍ଧରେ କାନ୍ଧ ମିଳେଇ ଚାଲିବାର ଅର୍ଥ ଏହା ନୁହେଁ ଯେ ନିଜର ପାରମ୍ପରିକତା ଭାଙ୍ଗି ପ୍ରତିଷ୍ଠା ପାଇବାର ଅପେକ୍ଷା ରଖିବା । ଆଜି ନାରୀଟିଏ ସବୁ କ୍ଷେତ୍ରରେ ପାରଙ୍ଗମ । ହେଲେ ସମାଜ ପ୍ରତି ବି ତାର କିଛି କର୍ତ୍ତବ୍ୟ ଅଛି । ଆଜି ସେ ଯେଉଁ ପଥ ଆପଣେଇବ ତାର ପରବର୍ତ୍ତୀ ପୀଢ଼ି ବି ସେଇ ରାସ୍ତାରେ ଚାଲିବେ । ଏଣୁ ନିଜକୁ ହିଁ ସଚେତନ ହେବାକୁ ପଡ଼ିବ। ଜୋର୍ ଜବରଦସ୍ତିର ଜୀବନ କାହାକୁ ଭଲ ଲାଗେନି ,ସେ ନାରୀ ହେଉ ବା ପୁରୁଷ । କଥାରେ ଅଛି ଯଦି ସୀତା ପରି ନାରୀଟିଏ ଦରକାର ପ୍ରଥମେ ନିଜେ ରାମଚନ୍ଦ୍ର ହୁଅ । ଆପଣ ଦେଖିଥିବେ ଶସ୍ତା ଲୋକପ୍ରିୟତା ପାଇଁ ନାରୀର ଚରିତ୍ର ଚିତ୍ରଣ କିପରି ଢଙ୍ଗରେ କରାଯାଇଥାଏ। ଏପରିକି ତାର କର୍ତ୍ତବ୍ୟ ବେଶ ପୋଷାକ, ଚାଲିଚଲଣକୁ ବହୁତ୍ ବ୍ୟଙ୍ଗାତ୍ମକ ଭାବରେ ପରିବେଷଣ କରାଯାଇଥାଏ ।ଯାହା ଉଚିତ୍ ନୁହେଁ। ସମାଜ ବଦଳୁଛି,ନାରୀମାନଙ୍କର ଜୀବନଶୈଳୀରେ ନିଶ୍ଚୟ ପରିବର୍ତ୍ତନ ହୋଇଛି । ଉଭୟ ନାରୀର ପୁରୁଷ ସମାଜର ଗୋଟିଏ ଗୋଟିଏ ଅଂଶ ।ଆଜି ନାରୀଟିଏ ବି ବିନା ଦ୍ବିଧାରେ ତା ମତ ରଖିପାରୁଛି। ପାରିପାର୍ଶ୍ବିକ ସ୍ଥିତିରେ ସେ ବି ନିଜକୁ ଖାପଖୁଆଇ ଠିଆହୋଇ ପାରୁଛି । ଏହାର ମାନେ ନୁହେଁ ଯେ ସେ ଉଶୃଙ୍ଗଳିତ ହେବା । ମୋ ମତରେ ଘରର ସଂସ୍କାର ହିଁ ନାରୀଟିଏକୁ ନାରୀଟିଏ ହୋଇ ରହିବାକୁ ପ୍ରେରଣା ଯୋଗାଏ । ମୁଁ ଯଦି ମୋ ପରମ୍ପରାକୁ ବଜାୟ ରଖି ଚାଲିଥିବି ମୋ ପରେ ମୋ ବୋହୂ, ଝିଅ କିଛି ମାତ୍ରାରେ ହେଲେବି ସେ ପରମ୍ପରାକୁ ବଜାୟ ରଖିବାରେ ସକ୍ଷମ ହେବେ ।

ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟମ କେତେ ମାତ୍ରାରେ ସହାୟକ ହୋଇଛି ?

ସାହିତ୍ୟର ପ୍ରଚାର,ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟମ ବହୁତ୍ ମାତ୍ରାରେ ସହାୟକ ହୋଇଛି । ପ୍ରଥମେ ଲେଖାଟିଏ ଲେଖିଲେ ତାହା ପାଠକ ନିକଟରେ ପହଞ୍ଚିବାରୁ ନ ଥିଲା । ମାତ୍ର ଆଜି ତାହା କିଛି ସମୟ ଭିତରେ ସମସ୍ତଙ୍କ ନିକଟକୁ ପହଞ୍ଚି ପାରୁଛି । ପାଠକୀୟ ମତ ଅଚିରେ ମିଳିପାରୁଛି । ବହୁତ୍ ଭଲ ଭଲ ଲେଖକ ଲେଖିକାଙ୍କ ସୃଷ୍ଟି ଅତି ସହଜର ପଢି ହେଉଛି ।

 

ଏତେ ବର୍ଷର ସାହିତ୍ୟ ସାଧନା ଭିତରେ ଆପଣଙ୍କ ଇପ୍ସିତ ସୃଷ୍ଟିକୁ ରୂପ ଦେଇ ପାରିଛନ୍ତି କି ?

ନା , ଏଯାଏଁ ଦେଇ‌ପାରିନି । ଦେବା ପାଇଁ ଚେଷ୍ଟା କରୁଛି। ଦେଖାଯାଉ ଏ ଚେଷ୍ଟା କେବେ ସଫଳ ହେଉଛି । ମୁଁ ଭାବେ ମୁଁ ଯେଉଁ ଦିନ ମୋ ଇପ୍ସିତ ସୃଷ୍ଟିକୁ ରୂପ ଦେବାରେ ସକ୍ଷମ ହୋଇ ପାରିବି ବୋଧ ହୁଏ ସେଦିନ ମୋ ଭିତରେ ଥିବା ଲେଖକଟି ମରିଯାଇପାରେ ।

ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣ କି ସ୍ୱପ୍ନ ଦେଖନ୍ତି ?

କିଛି ନାହିଁ । ମୋ ବଞ୍ଚିଥିବା ଯାଏଁ ଏ‌ ନିଶା ଏମିତି ରହିଥାଉ। ମୋ କଲମ ଏମିତି ଚାଲୁଥାଉ ଆଜୀବନ । ସମାଜର ହିତ ପାଇଁ ସାହିତ୍ୟ। ମୋ ଲେଖା ମାଧ୍ୟମରେ ଯଦି ସମାଜର କିଛି ହିତ ସାଧନ ହୋଇପାରେ ତା ହେଲେ ମୁଁ ନିଜକୁ ଧନ୍ୟ ମନେ କରିବି ।

 

Leave A Reply

Your email address will not be published.