ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ କାର୍ତ୍ତିକ ମାସ ପବିତ୍ର ପଞ୍ଚକର ଆଜି ତୃତୀୟ ଦିବସ। ଅର୍ଥାତ ଆଜି କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ। କାଲି ଶ୍ରୀଜୀଉମାନଙ୍କର ହୋଇଥିଲା ବାଙ୍କଚୂଡ଼ ବେଶ ବା ବାମନ ବେଶ ଓ ପ୍ରଭୁ ଆରମ୍ଭି ଥିଲେ “ଶରତ ରାହାସ “। କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଏହି ଶରତ ରାହାସ ବା ରାସ ନୀତି ଅନୁଷ୍ଠିତ ହୋଇଥାଏ। ସାଧାରଣତଃ ରାସ କହିଲେ ଆମେ କୃଷ୍ଣଙ୍କ ସହ ଗୋପୀମାନଙ୍କର ମିଳନକୁ ବୁଝିଥାଉ। କିନ୍ତୁ ଏହି ଶରତ ରାହାସ ସହ ପ୍ରଭୁ ରାମଚନ୍ଦ୍ରଙ୍କ କାହାଣୀ ଯୋଡି ହୋଇଛି। ସଂକ୍ଷେପରେ ତାହା ଏହି ପରି :- ଶ୍ରୀରାମ ବନବାସ ସମୟରେ ଭାରତର ବିଭିନ୍ନ ବଣ ଜଙ୍ଗଲରେ ଭ୍ରମଣ କରିବା ସହ ବସବାସ କଲେ। ପୁରାତନ ଯୁଗରେ ଜଙ୍ଗଲ ମଧ୍ୟରେ ମୁନି ଋଷିମାନେ ମଧ୍ୟ ବାସ କରୁଥିଲେ। ପ୍ରଭୁ ରାମଚନ୍ଦ୍ରଙ୍କ ଶ୍ୟାମଦୃବାଦଳ ଶରୀର ସାଙ୍ଗକୁ ଅପୂର୍ବ ରୂପ କାନ୍ତି ଦର୍ଶନ କରି ମୁନି ଋଷିମାନେ ମୋହିତ ହେବା ସହ ଶ୍ରୀରାମଙ୍କ ସଙ୍ଗଲାଭର ଇଚ୍ଛା ପ୍ରକଟ କଲେ। ମୁନି ଋଷିମାନଙ୍କ ମନୋବାଞ୍ଛା ଜାଣିପାରି ପ୍ରଭୁ ଶ୍ରୀରାମ କହିଲେ :-
“ବଲ୍ଳଭୀ ତୁମ୍ଭେ ହୋଇବ ଦ୍ୱାପରେ
ବ୍ରଜେ ରହିବୁ ଆମ୍ଭେ କଂସ ଡରେ
ବୃନ୍ଦାବନେ ହେବ ରାସ କେଳି
ବଲ୍ଲଭୀ ଏକା ଏ ଦେହେ ମୈଥେଲୀ ।”
ତାହା ହିଁ ହେଲା । ଦ୍ୱାପରରେ ସମସ୍ତ ମୁନି ଋଷିମାନେ ଗୋପୀ ହୋଇ ଜନ୍ମ ନେଲେ ଓ ଶ୍ରୀରାମଙ୍କ ଶ୍ରୀକୃଷ୍ଣ ରୂପେ ଲୀଳା ଆରମ୍ଭ ହେଲା। ପୁଣି ଏ କଳି ଯୁଗରେ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ମଧ୍ୟ ଶ୍ରୀକୃଷ୍ଣ ରୂପରେ ଅବର୍ତ୍ତୀନ୍ନ ହୋଇ କାର୍ତ୍ତିକ ମାସରେ ଶରତ ରାସ କଲେ। ଏଠାରେ ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତମାନେ ହେଲେ ଗୋପୀ। ଯେଭଳି ବୃନ୍ଦାବନରେ ପ୍ରତ୍ୟେକ ଗୋପୀ ନିଜ ପାଖରେ ଜଣେ ଜଣେ କୃଷ୍ଣ ଥିବାର ଅନୁଭବ କରୁଥିଲେ, ସେହିପରି ଏହି ଶରତ ରାହାସରେ ପ୍ରତ୍ୟେକ ଭକ୍ତ ଅନୁଭବ କରେ ଯେ ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ପାଖରେ ଅଛନ୍ତି। ଆଗକୁ ଜାଣିବା କିଆ ବେଶ କଥା,ଆଜି କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀରେ ଶ୍ରୀଜୀଉମାନେ ହେବେ ଆଡ଼କିଆ ବେଶ ବା ତ୍ରିବିକ୍ରମ ବେଶ। ଏକାଦଶୀରେ ହୋଇଥିଲେ ଠିଆକିଆ ବେଶ ଓ ଆସନ୍ତା ଚତୁର୍ଦ୍ଦଶୀରେ ହେବେ ଡାଳିକିଆ ବେଶ। ତେବେ ଏ କିଆ କଣ? ଏହା ହେଉଛି ସୁବର୍ଣ୍ଣରେ ନିର୍ମିତ୍ତ କିଆଫୁଲ ଆକୃତିର ସୁବର୍ଣ୍ଣ ଅଳଙ୍କାର । ଯାହାକୁ ଭିନ୍ନ ଭିନ୍ନ ଶୈଳୀରେ ସଜ୍ଜା ଯାଇ ଏହି ତିନୋଟି ବେଶ କରାଯାଏ। ଆଡ଼କିଆ ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଲଭଦ୍ରଙ୍କ ମସ୍ତକରେ ଚୁଳ ଲଗାଯାଏ ଓ ଏହି ଚୁଳରେ ସ୍ୱର୍ଣ୍ଣ ନିର୍ମିତ୍ତ କିଆଫୁଲ ଅଳଙ୍କାରଙ୍କୁ ଆଡ଼ ବାଗରେ ଖଞ୍ଜା ଯାଏ। ଏହା ସହିତ ବାମନ ଅବତାରରେ ହୋଇଥିବା ତ୍ରିବିକ୍ରମ ରୁପରେ ମହାପ୍ରଭୁମାନଙ୍କୁ ସଜ୍ଜା ଯାଏ। ଆଗାମୀ ଅଧ୍ୟାୟରେ ଜାଣିବା ଡାଳିକିଆ ବେଶ ଓ ଲଷ୍ମୀ ନୃସିଂହ ବେଶ ସମ୍ପର୍କରେ। ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ ।
“ଯେ ପ୍ରାଣୀ ଲୋକତତ୍ତ୍ୱ ଜାଣେ
ମୋର ମହିମା ପରିମାଣେ ।
ବିଷୟା ଭ୍ରମରୁ ସଂସାରେ
ଆତ୍ମାକୁ ଆପଣେ ଉଦ୍ଧରେ।
ଆତ୍ମାକୁ ବୁଝାଇ ଆପଣେ
ସୁମତି ଆତ୍ମା ଗୁରୁପଣେ ।
ପ୍ରତ୍ୟକ୍ଷ କରେ ଆତ୍ମଜ୍ଞାନ
କି ଅବା କରେ ଅନୁମାନ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.