Judicial Service: ଜଜ୍ ହେବାକୁ ଆଶାୟୀଙ୍କ ପାଇଁ ଖୁସି ଖବର, ନ୍ୟାୟିକ ସେବା ପରୀକ୍ଷା ପାଇଁ ଏଣିକି ୩ ନୁହେଁ, ଦରକାର ୧ ବର୍ଷର ଓକିଲାତି ଅନୁଭବ
ନୂଆଦିଲ୍ଲୀ: ଜଜ୍ ହେବାକୁ ସ୍ୱପ୍ନ ଦେଖୁଥିବା ଆଇନ ଛାତ୍ରଛାତ୍ରୀ ଓ ଯୁବ ଆଇନଜୀବୀଙ୍କ ପାଇଁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ନ୍ୟାୟିକ ସେବାର ପ୍ରବେଶ ସ୍ତରୀୟ ପରୀକ୍ଷାରେ ବସିବା ପାଇଁ ଥିବା ୩ ବର୍ଷର ଓକିଲାତି ଅନୁଭବର ଅନିବାର୍ଯ୍ୟ ସର୍ତ୍ତକୁ ସୁପ୍ରିମକୋର୍ଟ ୧ ବର୍ଷକୁ କମାଇଛନ୍ତି। ଏଣିକି ୧ ବର୍ଷ ଧରି ଆଇନଜୀବୀ ଭାବେ କାମ କରିବାର ଅଭିଜ୍ଞତା ଥିଲେ ଆପଣ ନ୍ୟାହିକା ସେବା ପରୀକ୍ଷା ପାଇଁ ଯୋଗ୍ୟ ହୋଇପାରିବେ ।
ଶୁକ୍ରବାର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଏ.ଜି. ମସିହ ଓ ବିଚାରପତି କେ. ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ୨:୧ ଅନୁପାତରେ ଏହି ରାୟ ଦେଇଛନ୍ତି। ଏହା ସହିତ ୨୦୨୫ ମସିହାରେ ସୁପ୍ରିମକୋର୍ଟ ଦେଇଥିବା ୩ ବର୍ଷର ଅଭିଜ୍ଞତା ସମ୍ପର୍କିତ ନିଷ୍ପତ୍ତିରେ ପରିବର୍ତ୍ତନ ଆସିଛି। ଗତବର୍ଷ ମେ ୨୦, ୨୦୨୫ରେ ତତ୍କାଳୀନ ସିଜେଆଇ ବି.ଆର. ଗଭାଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ନ୍ୟାୟିକ ସେବାର ପ୍ରବେଶ ସ୍ତରୀୟ ପରୀକ୍ଷା ପାଇଁ ନୂଆ ଆଇନ ସ୍ନାତକମାନଙ୍କ ଉପରେ ୩ ବର୍ଷର ଓକିଲାତି ଅନୁଭବର ସର୍ତ୍ତ ଲାଗୁ କରିଥିଲେ। ଏହାର ଅର୍ଥ ହେଲା, ଆଇନ ପାଠ୍ୟକ୍ରମ ଶେଷ କରିବା ପରେ ତୁରନ୍ତ ନ୍ୟାୟିକ ସେବା ପରୀକ୍ଷାରେ ବସିବାର ସୁଯୋଗ ରହୁନଥିଲା। ପ୍ରଥମେ ୩ ବର୍ଷ ଓକିଲାତି କରିବା ପରେ ପରୀକ୍ଷା ଦେବାକୁ ପଡ଼ୁଥିଲା। ଏବେ ସୁପ୍ରିମକୋର୍ଟ ଏହି ସର୍ତ୍ତକୁ କୋହଳ କରି ୧ ବର୍ଷର ସକ୍ରିୟ ଓକିଲାତି ଅନୁଭବକୁ ଯଥେଷ୍ଟ ବୋଲି କହିଛନ୍ତି।
ଖଣ୍ଡପୀଠ କହିଛନ୍ତି, ଆଇନ ସ୍ନାତକମାନେ ଆବେଦନ କରିବାକୁ ଯୋଗ୍ୟ ହେବେ। ୨୦୨୫ର ପୂର୍ବ ରାୟ ପରେ ଏକ ବର୍ଷରୁ ଅଧିକ ସମୟ ବିତିଯାଇଥିବାରୁ, ଆବେଦନ ସମୟରେ ସମ୍ପୃକ୍ତ ପ୍ରାର୍ଥୀମାନେ ୧ ବର୍ଷର ସକ୍ରିୟ ଓକିଲାତି ପୂରଣ କରିଥିବେ ବୋଲି ଧରାଯିବ। ଏଥିପାଇଁ ଏହି ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ଧରାଯାଇଥିବା ଅବଧିର ସମର୍ଥନରେ ପ୍ରାର୍ଥୀଙ୍କୁ ଅଲଗା ଭାବେ ଓକିଲାତିର ପ୍ରମାଣପତ୍ର ଦେବା ଆବଶ୍ୟକ ହେବ ନାହିଁ।
ସୁପ୍ରିମକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପରୀକ୍ଷାରେ ସଫଳ ହେଲେ ମଧ୍ୟ ଚୟନ ହେଉଥିବା ପ୍ରାର୍ଥୀଙ୍କୁ ତୁରନ୍ତ ପୂର୍ଣ୍ଣ ନ୍ୟାୟିକ ଅଧିକାରୀ ବବା ଜଜ୍ ଭାବେ ଦାୟିତ୍ୱ ଦିଆଯିବ ନାହିଁ। ଚୟନ ପରେ ସେମାନଙ୍କୁ ୧ ବର୍ଷ ପାଇଁ ପ୍ରଶିକ୍ଷୁ ନ୍ୟାୟିକ ଅଧିକାରୀ ଭାବେ ନିଯୁକ୍ତ କରାଯିବ। ଏହି ସମୟରେ ସେମାନେ ନ୍ୟାୟିକ ଏକାଡେମୀରେ ଆବଶ୍ୟକ ପ୍ରଶିକ୍ଷଣ ନେବେ। ଏହି ପ୍ରଶିକ୍ଷଣ ସମୟରେ ପ୍ରଶିକ୍ଷୁ ନ୍ୟାୟିକ ଅଧିକାରୀଙ୍କୁ ମାନଦେୟ ମଧ୍ୟ ମିଳିବ। ଏହା ସମ୍ପୃକ୍ତ ରାଜ୍ୟର ପ୍ରଥମ ଶ୍ରେଣୀ ନ୍ୟାୟିକ ମାଜିଷ୍ଟ୍ରେଟ୍ଙ୍କୁ ମିଳୁଥିବା ପାରିଶ୍ରମିକର ପ୍ରାୟ ଅଧା ହେବ। ଏଥିସହ ରାଜ୍ୟ ଜୁଡିସିଆଲ୍ ଏକାଡେମୀରେ ପ୍ରଶିକ୍ଷୁମାନଙ୍କୁ ମିଳୁଥିବା ଅନ୍ୟାନ୍ୟ ସୁବିଧା ଓ ଲାଭ ମଧ୍ୟ ସେମାନେ ପାଇପାରିବେ।
ପ୍ରଶିକ୍ଷଣ ପରେ ମଧ୍ୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ରହିବ। ପ୍ରଶିକ୍ଷୁ ନ୍ୟାୟିକ ଅଧିକାରୀଙ୍କୁ ୧ ବର୍ଷର ‘ଲ’ କ୍ଲର୍କଶିପ୍ କରିବାକୁ ପଡ଼ିବ। ଏହି ଏକ ବର୍ଷକୁ ଦୁଇ ଭାଗରେ ବିଭକ୍ତ କରାଯିବ:- ପ୍ରଥମ ୬ ମାସ ପ୍ରଧାନ ଜିଲ୍ଲା ଜଜ୍, ଜିଲ୍ଲା ଓ ଦୌରା ଜଜ୍ କିମ୍ବା ଉଚ୍ଚ ନ୍ୟାୟିକ ସେବାର ସଦସ୍ୟଙ୍କ ତତ୍ତ୍ୱାବଧାନରେ ଲ’ କ୍ଲର୍କ ଭାବେ କାମ କରିବାକୁ ପଡ଼ିବ। ପରବର୍ତ୍ତୀ ୬ ମାସ ସମ୍ପୃକ୍ତ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ୱାବଧାନରେ କାମ କରିବାକୁ ହେବ। ଅର୍ଥାତ୍, ଆଇନ ପଢ଼ି ସାରିବା ପରେ ନ୍ୟାୟିକ ସେବା ପରୀକ୍ଷାର ରାସ୍ତା ଏବେ ଯୁବ ଆଇନ ସ୍ନାତକଙ୍କ ପାଇଁ ତୁଳନାମୂଳକ ଭାବେ ସହଜ ହୋଇଛି। ତେବେ ପରୀକ୍ଷାରେ ସଫଳତା ପରେ ନ୍ୟାୟିକ ଦାୟିତ୍ୱ ନେବା ପୂର୍ବରୁ ପ୍ରଶିକ୍ଷଣ ଓ କ୍ଲର୍କଶିପ୍ର ବ୍ୟବସ୍ଥା ରହିବ।
ଏହି ରାୟ ଦେଶର ଅନେକ ଆଇନ ଛାତ୍ରଛାତ୍ରୀ ଓ ଯୁବ ଆଇନଜୀବୀଙ୍କ ପାଇଁ ବଡ଼ ସୁଯୋଗ ଖୋଲିଦେଇଛି। ଜଜ୍ ହେବାର ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କୁ ଏଣିକି ୩ ବର୍ଷ ଅପେକ୍ଷା କରିବା ପରିବର୍ତ୍ତେ ୧ ବର୍ଷର ଓକିଲାତି ଅନୁଭବ ପରେ ନ୍ୟାୟିକ ସେବାର ପ୍ରବେଶ ସ୍ତରୀୟ ପରୀକ୍ଷା ପାଇଁ ସୁଯୋଗ ମିଳିବ।

