Latest Odisha News

ଆସୁଛି ରଜ ହୋଇ ସଜବାଜ…

ଆସୁଛି ରଜ ହୋଇ ସଜବାଜ…

ସୁଶାନ୍ତ କୁମାର ନନ୍ଦ

ମେଘ ରାଇଜରୁ ବରଷା ଆସିବ
ଡାକ ଆଜି ଦେଖ ଦେଲାଣି
ଗିରିଷିମ ଏବେ ବାହୁଡ଼ିବ ବୋଲି
ସଜବାଜ ପରା ହେଲାଣି ।

ଏତିକି ବେଳକୁ ଓଡ଼ିଆ ଘରକୁ
ଆସିଗଲା ଦେଖ କିଏରେ,
ଘରେ ଘରେ ବାସେ କେତେ
ପିଠା ପଣା
ବଡ଼ ପରବଟେ ସିଏରେ ।

ଗାଁ ଆମ୍ବ ତୋଟା ହସିଲାଣି ପରା
ଛୁଆ ଠାରୁ ବଡ଼ ମେଳରେ,
ସଜବାଜ ହୋଇ ସଭିଏଁ ଖୁସିରେ
ମାତିଲେଣି ଦୋଳି ଖେଳରେ ।

ଅଳତା ସାଥିରେ ମେହେନ୍ଦି ରଙ୍ଗେଇ
ବେଣୀରେ ଗଜରା ଝୁଲେଇ,
କୁଆଁରୀ ଯେତକ ଗୀତ ଗାଇ ଦେଖ
ହେଉଛନ୍ତି କେତେ ଫୁଲେଇ ।

ବୁଢି ମାଉସୀ ମୋ ସବୁରି ହାତରେ
ସରାଗରେ ପାନ ଦଉଛି,
ପାନ ନୁହେଁ ଇଏ ପରମ୍ପରା ଆମ
ହସ ତା ଝରାଇ କହୁଛି ।

ବରଷକ ପରେ ଫେରି ଆସି ଯିଏ
ସଭିଙ୍କର ମନ ନେଇଛି,
ରଜ ପରବ ସେ ପରବରେ ବଡ଼
ପସରା ମେଲେଇ ଦେଇଛି ।

——————–
ନିୟୁ ଏଜି କଲୋନୀ, ଜୟଦେବ ବିହାର, ଭୁବନେଶ୍ୱର, ମୋ-୯୪୩୯୮୭୯୩୮୫
ଇମେଲ୍ – susantananda008@gmail.com

Leave A Reply

Your email address will not be published.