Latest Odisha News

ଅବାଂଛିତାର ହାତ

ଅବାଂଛିତାର ହାତ
ସୁବଳ ମହାପାତ୍ର

ଆଃ…ଭିତରୁ ଭିତରୁ ହୃଦୟଟା କୋରି ହେଇଯାଉଥିଲା ତାର। ମଲାବେଳେ ହନୁ ବି ସତ କହେ, କିନ୍ତୁ କେମିତି କହିବ ସେ? ଏତେ ବର୍ଷରୁ ପାଳିଥିବା ଝିଅଟି ତାର ନୁହେଁ ବୋଲି। କେବେବି ତ ସେ ତାକୁ ଅନ୍ୟର ଛୁଆ ବୋଲି ଭାବିନି। ନିଜର ପରିଚୟ ଦେଇ ଦୁଇ ମାସରୁ ବତିଶ ବର୍ଷର କଲା ସେ। କୋଳେଇ କାଖେଇ ମଣିଷ କରି ଭଲ ଶିକ୍ଷା ଦୀକ୍ଷା ଦେଇ ଇଂଜିନିଅର କଲା। ଭଲ ଘରେ ବାହା ଦେଇ ହାତକୁ ଦି ହାତ କଲା। କିନ୍ତୁ ମରିବା ପୂର୍ବରୁ ତ ତାକୁ କହିବାକୁ ପଡିବ।

ଶାନ୍ତି ହେଲେ ଥାଆନ୍ତା, ଏ ଦୁର୍ଦିନରେ କିଛି ବୁଦ୍ଧି ଦେଇ ପାରନ୍ତା। କିନ୍ତୁ ସେ ତ ଅସଲ, ଏକା ଛାଡି ଦୁଇ ବର୍ଷ ତଳୁ ଚାଲିଗଲାଣି ଆର ପୁରକୁ। ଏବେ ସେ ଝିଅ ପାଖରେ ଆଶ୍ରିତ। କୌଣସିଥିରେ ଉଣା ରଖିନି ସେ। ନିଜର ପୁଅଟିଏ ହୋଇଥିଲେ ବି ଏତିକି କରିଥାନ୍ତା କି ନାହିଁ ସନ୍ଦେହ। ଶାନ୍ତି ଗଲାବେଳେ କହି ଦେଇଗଲା, “ନକହି ପାରିବ ଯଦି କାଗଜ ଖଣ୍ଡକରେ ଲେଖି ଦେଇଥିବ, ପରେ ହେଲେବି ସେ ପଢିକି ଜାଣିବ।” ହରିଆ ଦାଶ ସେତିକି ବି କରିଥିଲା, କାଗଜରେ ଲେଖି ତକିଆ ତଳେ ରଖିଥିଲା। କିନ୍ତୁ ଶେଜ, ବଦଳୁ ବଦଳୁ ସେ ଖଣ୍ଡକ ବି କୁଆଡେ ଗଲା ଯେ ଆଉ ମିଳିଲାନି। ଆଃ….କି କଷ୍ଟ…କେମିତି କହିବ କେମିତି କହିବ ଭାବୁ ଭାବୁ ଢୋଳେଇ ପଡିଥିଲା ହରିଆ ଦାଶ।

ହରେକୃଷ୍ଣ ଦାଶ, ଡାକ ନାଁ ହରିଆ। ଯେବେ ଡାକ୍ତରଙ୍କ ପାଖରୁ ଶୁଣିଲା ସେ ଆଉ ଶାନ୍ତି, ଜୀବନରେ କେବେ ବାପା ମା ହେଇ ପାରିବେନି, ଗୋଡ଼ତଳୁ ମାଟି ଖସି ଯାଇଥିଲା ତାଙ୍କର। ବାହାଘରର ତିନିବର୍ଷ ପରେ ବି ଛୁଆ ନ ହେବାରୁ ଯାଇଥିଲେ ଡାକ୍ତରଙ୍କୁ ଦେଖେଇବାକୁ। ଡାକ୍ତର ବାବୁ କଣ କଣ ସବୁ ପରୀକ୍ଷା କରି କହିଲେ, “ବାପା ମା ହେବା ତୁମ ଭାଗ୍ୟ ରେ ନାହିଁ”। ଶାନ୍ତିର ଗର୍ଭ ଧାରଣ କ୍ଷମତା ନଥିଲା । ବହୁତ କରି ବୁଝଇଲା ଶାନ୍ତି, “ତୁମକୁ ମୋ ରାଣ, ଆଉ ଥରେ ବାହା ହେଇ ଯାଅ। କିଛି ନହେଲେ ତୁମ ଛୁଆ ବୋଲି ତ ତାକୁ କାଖେଇ କୋଳେଇ ପାରିବି”। କିଛି ଶୁଣି ନଥିଲା ହରିଆ। କଣ ପାଇଁ ଶୁଣିବ ସେ? ଆଜି ଯଦି ଦୋଷ ହରିଆର ଥାଆନ୍ତା, ତେବେ କଣ ସେ ଏତିକି କଥା କହି ପାରିଥାନ୍ତା ଶାନ୍ତି କୁ? ନା….ତେବେ ସେ କାହିଁକି ଶୁଣିବ? ନହେଉ ଛୁଆ। ବୁଢାବୁଢ଼ୀ ଦି ଜଣ କଣ ସେମିତି ଚଳି ପାରିବେନି? ଏବେ ତ ଛୁଆ ମାନେ ପର ଲାଗିଲା ପରଠୁ ଦେଶ ବାହାରେ। ସବୁ ବୁଢାବୁଢ଼ୀ ପୁଣି ଚଳୁଛନ୍ତି ନା ନାହିଁ?? ତେବେ ସେମାନେ ବି ବୁଢ଼ାବୁଢ଼ୀ ହେଲେ ଚଳିଯିବେ ସେମିତି।

କିନ୍ତୁ ଭାଗ୍ୟରେ ବୋଧେ କିଛି ଅଲଗା ଲେଖାଥିଲା। ସବୁ ବିବାହ ବାର୍ଷିକୀରେ ଅନାଥାଶ୍ରମ ଯାଆନ୍ତି ସେମାନେ। ସେଥର ବି ଯାଇଥିଲେ। ମାସେ ପୂର୍ବରୁ କେହିଜଣେ ସଦ୍ୟ ଜନ୍ମିତ ଝିଅଟିଏକୁ ଆଣି ରଖିଦେଇ ଯାଇଥିଲା। ବାପା ମା କିଏ ଜଣାନାହିଁ, କିଏ ଆଣି ଛାଡିଲା ଜଣାନାହିଁ, ତଥାପି ଅନାଥାଶ୍ରମର ମାଲିକ, ସେ ଝିଅଟିକୁ ଆଶ୍ରା ଦେଲେ। ହରିଆ ଓ ଶାନ୍ତି ସେଦିନ ତାଙ୍କ ବିବାହ ବାର୍ଷିକୀରେ ଅନାଥାଶ୍ରମରେ ଥିବାବେଳେ, ଅନେକ ଦିନରୁ ବନ୍ଧୁ ହୋଇଯାଇଥିବା କୃପାସିନ୍ଧୁ ବାବୁ ଝିଅଟିକୁ ଆଣି ଟେକିଦେଲେ ଶାନ୍ତି ଦେବୀଙ୍କ ହାତରେ। କୋଟିନିଧି ମିଳି ଯାଇଥିଲା ଏ ଦି ଜଣଙ୍କୁ। କିଛି ମାସ ପରେ ସେ ସହରରୁ ବଦଳି ହୋଇଯାଇଥିଲା ହରେକୃଷ୍ଣ ବାବୁଙ୍କର। ଝିଅଟିକୁ କେବେ ବି ସେ ଅନ୍ୟର ଝିଅ ଭାବି ନାହାନ୍ତି, କୋଳେଇ କାଖେଇ ଛୋଟରୁ ବଡ କରିଛନ୍ତି, କିନ୍ତୁ ଆଜି ଏ ବୟସରେ ଝିଅକୁ କହିବାକୁ ପଡିବ, ସେ ତାଙ୍କ ଝିଅ ନୁହେଁ ବୋଲି। ତା ବାପା ମା କିଏ ଜଣା ନାହିଁ। କେମିତି କହିବେ ତାକୁ?

ଏବେ ଆଉ ବଞ୍ଚିବ ବୋଲି ଆଶା ନାହିଁ। ଦୁଇଦିନ ହେଲା ଶାନ୍ତି ଆସି ଡାକୁଛି, ତଥାପି ଜୀବ ଛାଡ଼ୁନି ହରିଆର, କି ସେ ଯାଇ ପାରୁନି। ନିଜେ ଜାଣି ସାରିଲାଣି ସେ, ଆଉ ଅଳ୍ପ ଦିନ। ବେଶିରେ ବେଶି ଦୁଇଦିନ କି ଚାରିଦିନ ବଞ୍ଚିବ ସେ। କେତେବେଳେ କେଉଁକଥା, ନକହି ଯଦି ମରିଯାଏ, ମୁଣ୍ଡରେ ବୋଝ ଧରି ମରିବ। ତେଣୁ…

ବାପା, ବାପା, ଡାକରେ ନିଦ ଭାଙ୍ଗିଲା ହରିଆର। ଝିଅ ଖାଇବା ଧରିକି ଆସିଥିଲା। ଝିଅ ହାତରେ ଭରା ଦେଇ ଉଠିଲା ସେ।ଖଟରେ ପିଠିପଟେ ତକିଆ ଦେଇ ଆଉଜି ବସି, ଝିଅର ହାତକୁ ଧରି କଣ କହିବ କହିବ ବୋଲି ଥରିଗଲା ତା ଓଠ। କୋହଉଠା ଥରିଲା କଣ୍ଠରେ କହିଲା ଝିଅକୁ, “ବସ, ତୋତେ ଆଜି ଗୋଟେ କଥା କହିବି। କହି ସାରିଲେ ଯାଇ ଖାଇବି।”

ମୁହଁରେ ପ୍ରଶ୍ନବାଚକ ଚିହ୍ନ ଲଗେଇ ଚାହିଁ ରହିଲା ଝିଅ। କଣ କହିବ ବାପା? ଆଗ ଖାଇଦିଅ ତାପରେ କଥା ହେବା। “ନା, କହିସାରେ ତା ପରେ ଖାଇବି” ଜୋର ଦେଇ କହିଲା ହରିଆ। “ହଉ ତେବେ,” କହି ମୁହଁକୁ ଚାହିଁ ରହିଲା ଝିଅ।

ହରିଆ ଆରମ୍ଭ କଲା,”ତୁ ଜାଣିଛୁ? ତୁ ଆମ ନିଜ ଝିଅ ନୁହଁ। ଆମେ ତୋତେ ଗୋଟେ ଅନାଥାଶ୍ରମରୁ ଆଣିଥିଲୁ। ତୁ ସେତେବେଳେ ମାତ୍ର ମାସକର ଛୁଆ, ଆମର ଛୁଆପିଲା ହେବେନି ବୋଲି ଡାକ୍ତର କହିଲା। ଗୋଟେ ଅନାଥାଶ୍ରମକୁ ଆମେ ଯାଇଥାଉ, ସେଠି କୃପାସିନ୍ଧୁ ବାବୁ ତୋତେ ଆମ ହାତରେ ଟେକି ଦେଲେ, ଆଉ ସେବେଠୁ ତୁ ଆମ ଝିଅ ହୋଇ ରହିଲୁ। ମୁଁ ଜାଣିନିରେ ମା, ତୋ ବାପା କିଏ, ମା କିଏ, କିଏ ତୋତେ ଆଣି ଛାଡିଥିଲା ସେ ଅନାଥାଶ୍ରମରେ। ଜାଣିନି କି ଜାଣିବାକୁ ଚେଷ୍ଟା କରିନି। ସେ ସହରରୁ ବଦଳି ହୋଇ ଆସିବା ପରେ କେବେ ବି ସେ ସହର ଆଡେ ଆଉ ଯାଇନି। କାଳେ ତୋ ପ୍ରକୃତ ବାପମା ଆସି ସେଠି ଖୋଜିଥିବେ, କାଳେ ତୁ ଆମ ପାଖରେ ଅଛୁ ବୋଲି ଜାଣି ତୋତେ ନେବାକୁ ଆସିବେ, କାଳେ ତୁ ଆମ ପାଖରୁ ଚାଲିଯିବୁ, ସେ ଦ୍ୱନ୍ଦ୍ୱ ଆଉ ଭୟରେ ମୁଁ କେବେବି ଆଉ ଯାଇନି ସେ ସହରକୁ। ଆଜି ଯାଏଁ ତୋତେ ଏକଥା କହିନି ବୋଲି ମୋତେ କ୍ଷମା କରିଦେରେ ମା, କହି ହରିଆ ଦାଶ କଇଁକଇଁ ହୋଇ କାନ୍ଦି ଉଠିଲେ।

ଲୁହ ହାବୁକା ମାରି ବାହାରି ଆସୁଥିଲା ସୁନୟନା ଆଖିରୁ। କେତେବଡ କଥାଟିଏ ଆଜି କହିଲେ ବାପା। ହେତୁ ହେବାପରଠୁ ସେ ଜାଣେ ହରେକୃଷ୍ଣ ଦାଶ ତା ବାପା ଓ ଶାନ୍ତି ଦାଶ ତା ମା। ହେଲେ ବତିଶ ବର୍ଷ ପରେ ଆଜି କହୁଛନ୍ତି ସେ ମୋ ବାପା ନୁହନ୍ତି ବୋଲି? ଛୋଟରୁ ସେ ଦେଖି ଆସିଛି ବାପାଙ୍କ ଭଲ ପାଇବା, ମା’ର ସ୍ନେହ। ଯେତେବଡ଼ ଭୁଲ କଲେ ବି କେବେ କେହି ତା ଉପରକୁ ହାତ ଉଠେଇବା ତ ଦୂରର କଥା, କଡ଼ାକରି ପଦେ କହି ନାହାନ୍ତି। କେତେ ଝିଅଙ୍କ ସହ ସେ କଳି ନ କରିଛି ସ୍କୁଲରେ। କେତେ ଜଣଙ୍କ ସହ ମାଡ଼ ନ ହୋଇଛି, କେତେ ଥର ସ୍କୁଲରୁ କଂପ୍ଲେନ ଆସିଛି, କିନ୍ତୁ ସବୁଥର ବାପା ବୁଝାନ୍ତି, ଆଉ ନ କରିବା ପାଇଁ ଅନୁରୋଧ କରନ୍ତି। କେତେକେତେ ଦୁଷ୍ଟାମୀ ସେ କରେ, କିନ୍ତୁ ନା ବାପା, ନା ମା କେହି କେବେ ତାକୁ ଗାଳି ବି ଦିଅନ୍ତିନି। ଇଂଜିନିଅରିଂ ପଢି ସାରି ଚାକିରି କଲା ପରେ ଦିନେ ଘରେ ଆସି କହିଲା, “ଏଇ ପିଲାକୁ ବାହା ହେବି”। ଭାବିଥିଲା ଆଜି ହେଲେ ବାପା ମା ଗାଳି କରିବେ, କିନ୍ତୁ ଖୁସି ଖୁସିରେ ରାଜି ହୋଇଯାଇଥିଲେ ବାପା ମା। ମୋ ଖୁସି ପାଇଁ ଗାଁର ଘର ଜମି ବିକ୍ରି କରି ମୋତେ ପାଠ ପଢେଇଲେ, ବାହା କଲେ, ଆଉ ଆଜି ମୋତେ କହୁଛନ୍ତି ମୁଁ ତାଙ୍କ ଝିଅ ନୁହେଁ ବୋଲି? କେମିତି ରିଆକ୍ଟ କରିବ, କଣ ରିଆକ୍ଟ କରିବ, କଣ କହିବ ବାପାଙ୍କୁ ବୋଲି ଭାବି ପାରୁନଥିଲା ସେ। ଥରେ ତାଙ୍କ ଉପରେ ମିଛିମିଛିକା ରାଗିବ କି? ଏତେ ବଡ କଥାକୁ ଜୀବନ ସାରା ମନ ଭିତରେ ରଖି ଏତେ ସ୍ନେହ କେମିତି ଦେଇପାରୁଥିଲେ ବୋଲି ପଚାରିବ କି? ମା ଗଲା ପଛେ ମୋତେ କାହିଁକି କହିକି ଗଲାନି ବୋଲି ବାପାଙ୍କୁ ପଚାରିବ କି? କିଛି ଭାବି ପାରୁନଥିଲା ସୁନୟନା।

ବେଶ କିଛି ସମୟ ଚୁପ ରହିଲା ପରେ କହିଲା ସେ, “ବାପା, ମୁଁ କେବଳ ଏତିକି ଜାଣେ, ତୁମେ ଦି ଜଣ ମୋ ବାପା ମା। ତମେ ଯାହା କହିଲେ ବି ମୁଁ ଏତିକି ଜାଣେ, ସ୍ନେହ ମମତା ଦେଇ ତୁମେ ମୋତେ ପାଳିଛ। କୃଷ୍ଣ ତ ପୁଣି ନନ୍ଦ ଦେବକୀଙ୍କ ପାଖେ ସବୁଦିନ ପୁଅ ହୋଇ ରହିଲେ। ତେଣୁ ମୁଁ ସବୁଦିନ ତୁମ ଝିଅ ଥିଲି, ଅଛି, ରହିବି। ତୁମେ ଦି ଜଣ ମୋ ବାପା ମା, ମୁଁ ଏତିକି ଜାଣେ” ଏତିକି କହି ହରିଆ ଦାଶ କୋଳରେ ମୁଣ୍ଡ ରଖି ଶୋଇଗଲା ସେ।

ସୁନୟନାର ମୁଣ୍ଡକୁ ସ୍ନେହରେ ଆଉଁସି ଦେଉଦେଉ ଆଖିରୁ ଠପ ଠପ ଲୁହ ବୋହି ଯାଉଥିଲା ହରେକୃଷ୍ଣ ବାବୁଙ୍କର। ବାପାଙ୍କ ଆଖିରୁ ଲୁହ ପୋଛୁ ପୋଛୁ ଆହୁରି କହି ଚାଲିଥିଲା ସୁନୟନା, “ତୁମ ମୁହଁରୁ ଏକଥା ଶୁଣିବାକୁ ଅପେକ୍ଷା କରିଥିଲି ବାପା; ହେଲେ ବହୁତ ଆଗରୁ ଏକଥା ମୁଁ ଜାଣିସାରିଥିଲି । ସେଦିନ ତୁମ ତକିଆ ତଳୁ ଚିଠି ପାଇଲା ପରେ ମୋର ବିଶ୍ୱାସ ହେଉ ନଥିଲା ଏ କଥା। ସାଙ୍ଗେ ସାଙ୍ଗେ ତୁମ ଡାଇରି ଖୋଜି ଚାଲିଲି, ଗୋଟେ ଜାଗାରେ ପାଇଲି ସେ ଅନାଥାଶ୍ରମର ଠିକଣା ଓ ମୋତେ ଘରକୁ ଆଣିଥିବା ତାରିଖ। ସତ୍ୟାସତ୍ୟ ଜାଣିବା ପାଇଁ ଫୋନ କରି ବୁଝିଲି ଏ ବିଷୟରେ, କିନ୍ତୁ ସେମାନେ କୌଣସି ତଥ୍ୟ ଦେବାକୁ ମନାକଲେ । ନିଜେ ଯାଇ ତୁମର ଆଉ ମାର ଫୋଟୋ ଦେଖେଇଲା ପରେ କୃପାସିନ୍ଧୁ ବାବୁ ସବୁ କହିଲେ। ଆହୁରି ବି କହିଲେ ଯେ, ମୋ ପ୍ରକୃତ ବାପା ମା ଆସିଥିଲେ ମୋତେ ଖୋଜିବା ପାଇଁ । ବିବାହ ପୂର୍ବରୁ ଜନ୍ମିତ ସନ୍ତାନ ବୋଲି ମୋତେ ଛାଡ଼ିଦେଇ ଯାଇଥିଲେ ଅନାଥାଶ୍ରମରେ ଆଉ ବିବାହ ପରେ କୌଣସି ଛୁଆପିଲା ନ ହେବାରୁ ସେମାନେ ଆସିଥିଲେ ମୋତେ ନେବାପାଇଁ। ଏ ଘରର ଠିକଣା ଜାଣି ନଥିଲେ ବି ଗାଁର ଠିକଣା ରଖିଥିଲେ କୃପାସିନ୍ଧୁ ବାବୁ, କିନ୍ତୁ ସେ ଜଣେଇ ନଥିଲେ ଆମ ଠିକଣା ମୋ ପ୍ରକୃତ ବାପା ମାଙ୍କୁ। ମୁଁ ବହୁତ ପଚାରିବା ପରେ ସେ ମୋ ପ୍ରକୃତ ବାପା ମାଙ୍କ ଠିକଣା କହିଲେ ମୋତେ। ମୁଁ ସେଠିକି ବି ଯାଇଥିଲି, କିନ୍ତୁ ସେମାନେ ରହୁନଥିଲେ ସେଠି। ଖବର ନେଇ ଜାଣିଲି ଏବେ ସେମାନେ ରହୁଛନ୍ତି ବୃଦ୍ଧାଶ୍ରମରେ। ମୁଁ ତାଙ୍କୁ ଏଠିକି ଆଣିବା ବ୍ୟବସ୍ଥା ବି କରିଛି। ଦିନେ ଦୁଇଦିନ ଭିତରେ ସେମାନେ ଆସିଯିବେ ଏଠିକି। ଆଜି ମୁଁ ବହୁତ ଖୁସି ଯେ ମୋର ଚାରିଜଣ ବାପା ମା…

ସୁନୟନାର କଥାସବୁ ଶୁଣି ହରିଆର ଆଖି ଲୁହରେ ଟଳମଳ ହେଉଥିଲା । ସେ ଭାବୁଥିଲା, ଆହାଃ ଯେଉଁ ବାପ ମା ୟାକୁ ଅବାଂଛିତା ବୋଲି ଭାବି ହାତ ଛାଡ଼ି ଦେଇଥିଲେ, ଆଜି ସେ ଅବାଂଛିତା ସେଇମାନଙ୍କ ହାତ ଧରି ଭିଡ଼ିଆଣୁଛି ଠା’ ଦେବାକୁ ।… ଅପୂର୍ବ ଶାନ୍ତିରେ ହରିଆର ଆଖି ଏଥର ବୁଜି ହେଇ ଆସୁଥିଲା ।

…………………………
ଖଲାରୀ, ଅନୁଗୋଳ, ଓଡିଶା
9376012500
subal.mohapatra@gmail.com

Leave A Reply

Your email address will not be published.