ନ ଲେଖିଲା ଭଳି ବହୁତ କିଛି
ଶ୍ର୍ରୁତିଶିଖା ମହାପାତ୍ର
ଏଠି ସେଠି ସବୁଠି
ଦେଖ ସମ୍ପର୍କର ଗତିକୁ
ନ ଦେଖିଲା, ନ ଜାଣିଲା ଭଳି
ମର୍ମେ ମର୍ମେ ସମ୍ପର୍କ କେମିତି ବଂଚିଛି
ଏଠି ମାଟି ଅଛି, ଆକାଶ ବି ଅଛି
ମନର ଯନ୍ତ୍ରଣା ବି ଅଛି
ନିରବଚ୍ଛିନ୍ନ ବିଦ୍ରୋହ ବି ଅଛି
ଭୋଗିବାରେ ବି ଆନନ୍ଦ ଅଛି
ଋତୁଚକ୍ରରେ ଋତୁର ପରିବର୍ତ୍ତନ ତ ହୁଏ
ନିରବତାର ଭାଷା ଛୁଇଁପାରିନି ପରିବର୍ତ୍ତନକୁ
ଶୁଣ
ତମ ରାସ୍ତାରେ ନିଜକୁ ଢାଳି ସାରିଛି
ପ୍ରତି ମୁହୂର୍ତ୍ତକୁ ନିଜର କରିଛି
ଚାରୋଟି ଆଖିର ମିଳନ ପରେ
ତମ ଭିତରେ
ଗୋଟାପଣେ ନିଜକୁ ଗଢିସାରିଛି
ମୋର ବୋଲି ଏ ଯେଉଁ ପୃଥିବୀ
ତମେ କୁହ, ଏଠି କିଛି ବି କାଳେ ମୋର ନୁହଁ
ସବୁକିଛି କଣ ସରିଆସୁଛି,
ତମକୁ ମୋର ପ୍ରଶ୍ନ
ଏକ ନିର୍ଜନ ଗ୍ରହର ତଲାସରେ
ଆମର ଯିବାର ସମୟ
ସେଠି ବି ଆମର ଦେଖାକୁ
ଜହ୍ନ ବି କାଳେ ଈର୍ଷା କରିବ
ସେଠି ବି ମରଣ ଆଗରୁ
ଚାଲ୍ ପୁଣି ଥରେ ମୃତ୍ୟୁର ଉପତ୍ୟକାରେ
ଏକାକାର ହେବା
ମୃତ୍ୟୁକୁ ବି ଜୀଇଁବା…
ସତରେ ବଡ ଭୀଷଣ
କିଛି ସମ୍ପର୍କ ବିଷୟରେ ଲେଖିବା!