Latest Odisha News

ଅନ୍ତରିତ ଅତୀତ

ଅନ୍ତରିତ ଅତୀତ

ଚିତ୍ତରଞ୍ଜନ ଚିରଞ୍ଜିତ

“ସତରେ ମୁଁ କ’ଣ ତାଙ୍କ ସୁଠାମ ଦେହ ଉପରେ ପାଦ ଥୋଇବି? କାହିଁକି ତୁମେ ମୋତେ ଦ୍ୱନ୍ଦ୍ୱରେ ପକାଇ ଦେଲ କାହ୍ନା? ମୁଁ ତ ଗୋଟାପଣ ନିଜକୁ ତୁମ ନିକଟରେ ସମର୍ପି ଦେଇଛି । ଆଉ କି ପରୀକ୍ଷା ଦେବି? ହେଇ ଦେଖ, ପାଦ ଉଠାଇ ସାରିଛି । ଆଉ କିଛି କ୍ଷଣ । ଆଉ କିଛିକ୍ଷଣ କଳାକାହ୍ନୁ! ତୁମ ଦେହପଲ୍ଲବକୁ ମୋର ଚରଣ ସ୍ପର୍ଶ କରିବ । ତମେ କ’ଣ ଏ ଦାସାନୁଦାସଠାରୁ ଠିକ ଏଇଆ କାମନା କରୁଛ?’

ରାଧାଙ୍କ ମନରେ ଏହି ଦ୍ୱନ୍ଦ୍ୱ! ଭଗବାନ ଶ୍ରୀକୃଷ୍ଣ ଶୋଇଥିବେ ନିଶ୍ଚଳ ମହାମେରୁ ଭଳି । ଯିଏ ଜଗତକର୍ତ୍ତା, ସିଏ ପୁଣି ପୀଡନରେ ଜର୍ଜରିତ? ହୋଇପାରେ ପ୍ରଭୁଙ୍କର ଏହା ଏକ ଲୀଳା । ତଥାପି, ରାଧାଙ୍କୁ ଥୋଇବାକୁ ହେବ ପାଦ- ଅନ୍ତଦ୍ୱର୍ନ୍ଦ୍ୱ, ଅବସନ୍ନ ଆଉ ଅଭିମାନରେ!

କେହି ଥରୁଟିଏ ବି ଭାବି ନାହାନ୍ତି ରାଧାଙ୍କ ମନର ଏହି ଦ୍ୱନ୍ଦ୍ୱକୁ- ଯାହା ଗୋପନ, ଯାହା ଗହନ! ସମସ୍ତେ ଧରି ନେଇଛନ୍ତି ଏହି ରାଧାଙ୍କ ପ୍ରେମ, ଭକ୍ତି ଆଉ ସମର୍ପଣର ନିଦର୍ଶନ । କେହି ହିସାବ ରଖିନାହାନ୍ତି ରାଧାଙ୍କ ସେହି କିଛିକ୍ଷଣର ଆନମନା!

ସେହି କିଛିକ୍ଷଣ ପାଇଁ ଆନମନା ହୋଇ ଉଠୁଥିଲା ଶ୍ରୁତି ।

ତତ୍ତ୍ୱମସି ଶୋଇଥିବେ ହସ୍ପିଟାଲ ବେଡ ଉପରେ… । ଅଥଚ, ସେ ଏଯାଏ ବେଡ ଛାଡିନି । ଘଣ୍ଟାକୁ ଚାହିଁଲା । ଆଠଟା ବାଜିବାକୁ ଦଶ ମିନିଟ ବାକି । ଦଶଟାରେ ସେ ହସ୍ପିଟାଲରେ ପହଞ୍ଚିବା କଥା।

ଝରକାକୁ ଖୋଲି ଦେଲା ଶ୍ରୁତି । ବାହାରର ଶୀତୁଆ ପବନ ଘର ଭିତରକୁ ପଶି ଆସିଲା । ଟିକେ ଥଣ୍ଡାଥଣ୍ଡା ଲାଗିଲା । ବେଡସିଟଟାକୁ ଦେହ ଉପରକୁ ଟାଣି ଆଣି ଆଉ ଟିକେ ଗଡି ପଡିଲା ।

ତା’ ଆଖି ସାମନାକୁ ଚାଲି ଆସୁଥିଲେ ତତ୍ତ୍ୱମସି । ଆଜି ତାଙ୍କର ଅପରେସନ । ବାର ଘଣ୍ଟା ହେଲାଣି ଏଥିପାଇଁ ଚିନ୍ତାଗ୍ରସ୍ତ ହୋଇପଡିଛି ଶ୍ରୁତି । କାଲି ତ ଏଥିପାଇଁ ସେ ଠିକ ଭାବେ ଶୋଇ ପାରିନି। କେମିତି କରିବ ସେ ଅପରେସନ? ପୁଣି ତତ୍ତ୍ୱମସିଙ୍କର? ତା’ ହାତ ଥରି ଉଠିବନି? ସମସ୍ତେ କୁହନ୍ତି ଡାକ୍ତରମାନେ ସବୁ ସମ୍ବେଦନଶୀଳତାର ଊର୍ଦ୍ଧ୍ୱରେ । ସେମାନଙ୍କ ନିକଟରେ କେବଳ ରୋଗୀ ଓ ରୋଗକୁ ନେଇ ପେଶାଗତ ସମ୍ପର୍କ । ଶ୍ରୁତି କୁହେ ଏସବୁ ଫାଲତୁ କଥା । ଜୀବନର ଏକ ଅଦଭୂତ ଖିଆଲରେ ବାନ୍ଧି ହୋଇଥା’ନ୍ତି ଡାକ୍ତରମାନେ । ରୋଗୀଙ୍କ ଯନ୍ତ୍ରଣାକୁ ଖୁବ ନିକଟରୁ ଦେଖିଲା ପରେ ସେମାନଙ୍କ ପାଇଁ ପୃଥିବୀଟା ସବୁବେଳେ ସ୍ଥିର । ଡାକ୍ତରର ଖୋଳପା ଭିତରୁ ବାହାରି ସାଧାରଣ ମଣିଷଟିଏ ହୋଇଗଲେ ସେହି ଯନ୍ତ୍ରଣାରେ ଛଟପଟ ହୋଇଥା’ନ୍ତି, ଠିକ ଅନ୍ୟମାନଙ୍କ ଭଳି ।

ତତ୍ତ୍ୱମସିଙ୍କୁ ଶ୍ରୁତି ଭଲପାଏ । ଖୁବ ନିବିଡ ଭାବେ । କେମିତି ସେ କରିବ ତାଙ୍କ ଅପରେସନ? ହାତ ଥରି ଉଠିବନି? କାର୍ଡିଆକ କାଥୋଲାବରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହେବ । ବ୍ଲକେଜକୁ ଦୂର କରିବା ପାଇଁ ତାଙ୍କ ଶିରବାଟେ ନଳୀଟା ପୂରେଇବାକୁ ପଡିବ? ସେତେବେଳେ ରକ୍ତମୟ ହୋଇ ଉଠୁଥିବ ତତ୍ତ୍ୱମସିଙ୍କ ଦେହ । କେମିତି ସହିବ? ସେ ମୁଣ୍ଡା ବରଫ ପାଲଟିଯିବ ନାହିଁ ତ?

ଠିକ ଏହି କଥା ହିଁ ଭାବି ଚାଲିଛି ଶ୍ରୁତି । ଯେଉଁଥିପାଇଁ ଆଜି ନିଦ ଭାଙ୍ଗି ଯାଇଥିଲେ ବି ସହଜରେ ବିଛଣା ଛାଡି ପାରୁନି ।

ସେ ଘରେ ଧଡଧାଡ ଶୁଭିଥିଲା । ମଲ୍ଲୀ ବୋଧେ ଆସି ସାରିଲାଣି । ଆଉ କିଛି ସମୟ ପରେ ସେ କବାଟ ବାଡେଇବ । କହିବ, ଦିଦି କ’ଣ ଦେହ ଭଲ ନାହିଁକି? ହସ୍ପିଟାଲକୁ ଯିବ ନା ନାହିଁ ମ? ଆଜି ତମ ପାଇଁ ରୋଷେଇ କରିବି ନା ବାହାରେ ଖାଇବ?

ଶ୍ରୁତି ଭାବୁଥିଲା- ମଲ୍ଲୀ ଆଜି ଆସି ନଥା’ନ୍ତା କି? ନଚେତ ତାକୁ ନଡାକି ନୀରବରେ ରହିବା ପାଇଁ ଛାଡି ଦିଅନ୍ତା କି?? ଅନ୍ତତଃ କିଛି ସମୟ ପାଇଁ ସେ ଆଉ ଟିକେ ଭାବନ୍ତା- ସେ ହସ୍ପିଟାଲ ଯିବ କି ନାହିଁ? ଭାବିଲା- ମଲ୍ଲୀକୁ ଡାକି ତା’ର ପରାମର୍ଶ ନେବ କି? ଦ୍ୱନ୍ଦ୍ୱରେ ପଡିଲେ ମଣିଷ ସୂତ୍ର ଖୋଜେ । ବୁଡି ଗଲାବେଳେ କୁଟାଖିଅକୁ ସାହାରା ବୋଲି ଭାବେ । ପୁଣି ଭାବିଲା- ନା ଥାଉ, ମଲ୍ଲୀକୁ ତା’ ପୃଥିବୀ ଭିତରକୁ ଡିଆଁଇ ଆଣିବା ଠିକ ହେବ ନାହିଁ ।

“ଏବେ କ’ଣ ଭାବୁଥିବେ ତତ୍ତ୍ୱମସି! ନା କିଛି ବି ଭାବୁନଥିବେ । କେତେ ନିର୍ବିକାର ସେ? କି ନିରୁଦବେଗ ଚାହାଣି? ତାଙ୍କ ନିର୍ବିକାର ଭାବ ଦେଖିଲେ ବୁଦ୍ଧତ୍ୱ ପ୍ରାପ୍ତି ହେବା ଭଳି ଲାଗେ । ତାଙ୍କ ଚାହାଣିରେ ତ ମରିଯିବାକୁ ଇଚ୍ଛାହୁଏ’, ଭାବୁଥିଲା ଶ୍ରୁତି ।

କାଲି ଆସିଲାବେଳେ ତାଙ୍କ ବେଡ ପାଖରେ କିଛି ସମୟ ଠିଆ ହୋଇଥିଲା ଶ୍ରୁତି । ଅର୍ଦ୍ଧମୁଦ୍ରିତ ଆଖି । ଅଣ୍ଟାଯାଏ ପଡିଛି ଏକ ଗେରୁଆ ରଙ୍ଗର ଚାଦର । ବେକରେ ଗୋଟେ ରୁଦ୍ରାକ୍ଷ ମାଳି । ଅଳ୍ପ କିଛି ଚୁନାଚୁନା ଦାଢି । ମୁକୁଳା କେଶ । ନିସ୍ତେଜ ଜଣାପଡୁଥିଲେ ବି ତାଙ୍କର ଗୋରା ତକତକ ଦେହରୁ ଏକ ଆଭା ଉକୁଟି ଉଠୁଥିଲା ।

ଶ୍ରୁତି ଅପେକ୍ଷା କରିଥିଲା, କାଳେ ତତ୍ତ୍ୱମସି କିଛି କହିବେ କି କ’ଣ? କିଛି କହିଲେନି । ତା’ ଉପସ୍ଥିତିକୁ ଅନୁଭବ କରି ଆଖି ଟିକିଏ ବିସ୍ତାର କରିଦେଲେ । ପୁଣି ଧିରେଧିରେ ସଙ୍କୁଚିତ କରିଦେଲେ ଆଖିଯୋଡାକ ।

ଶ୍ରୁତି ଫେରି ଆସିଲା ସତ ଭାରି କଷ୍ଟ ଲାଗୁଥିଲା । ତତ୍ତ୍ୱମସି ଥରୁଟିଏ ତାଙ୍କ ସହିତ କଥା ହୋଇନଥା’ନ୍ତେ! କଲେଜ ଜୀବନର କିଛି ଅଭୁଲା କାହାଣୀକୁ ପୁଣିଥରେ ରୋମନ୍ଥନ କରି ନଥାନ୍ତେ!

ଶ୍ରୁତି ଏଥରକ ସମ୍ପୂର୍ଣ୍ଣ ଭାବେ ଘୋଡିପୋଡି ହୋଇପଡିଲା ।

କଲେଜ ଜୀବନର କିଛି ଚପଳ ଛନ୍ଦ ତା’ ସାମନାରେ ସଙ୍ଗୀତ ପାଲଟି ଯାଉଥିଲା । ମ୍ୟାଟ୍ରିକ ପାଶ କରିବା ପରେ ଛାତ୍ର ଜୀବନର ଦ୍ୱିତୀୟ ପର୍ବ ଆରମ୍ଭ ହୋଇଥାଏ । ନୂଆନୂଆ ବେଶଭୂଷା ଆଉ ନୂଆନୂଆ ସ୍ୱପ୍ନ । ତା’ ଭିତରେ ରହି ଭବିଷ୍ୟତକୁ ଗଢିବାର ଏକ ନୂଆ ସଂକଳ୍ପବଦ୍ଧତା । ତା’ପରେ ବିଜ୍ଞାନର ଛାତ୍ରୀ ହୋଇଥିବାରୁ ଅଧିକ ଟିକେ ସଂଯତ ହୋଇ ପଡିବା ସ୍ୱାଭାବିକ ।

କଲେଜରେ ପଢିଲାବେଳେ ତତ୍ତ୍ୱମସିଙ୍କୁ ନେଇ ଅଧିକ ଚର୍ଚ୍ଚା । ସଦ୍ୟ ଶିକ୍ଷା ସମାପ୍ତ କରି କଲେଜରେ ଯୋଗ ଦେଇଥିଲେ ସେ । ସୌମଦର୍ଶୀ ଥିଲେ, ତାହା ସହିତ ତାଙ୍କର ପ୍ରତିପନ୍ନମତିତା । ଶ୍ରୁତି ପାଇଁ ତତ୍ତ୍ୱମସି ସାର କେମିତି ତତ୍ତ୍ୱମସି ହେଲେ ତାହା ଆଉ ଗୋଟିଏ କାହାଣୀ । ଏହାପୂର୍ବରୁ କିନ୍ତୁ ଦୁଇଟି କାହାଣୀ ଗଢି ଉଠିଥିଲା । ସେଥିମ୍ମରୁ ଗୋଟିଏ ହେଉଛି “ଲେ ଚେଟିଲିୟର୍ସ ପ୍ରିନ୍ସପିଲ’ ।

ସେଦିନ ଲାଇବ୍ରେରୀରୁ ବାହାରି ଆସୁଥା’ନ୍ତି ତତ୍ତ୍ୱମସି ସାର । ହାତରେ ଧରିଥା’ନ୍ତି ଦୁଇଟି ମୋଟାମୋଟା ବହି । ତାଙ୍କ ବ୍ୟକ୍ତିତ୍ୱକୁ ବଢାଇବା ପାଇଁ ସେ ପିନ୍ଧିଥାନ୍ତି ସରୁ ଫ୍ରେମର ଏକ ଗଗଲେସ । ଏପଟେ ଶ୍ରୁତି ଯାଉଥାଏ ଲାଇବ୍ରେରୀ । ସାରଙ୍କୁ ପାଖାପାଖି ପାଇବାକୁ ତା’ ପାଇଁ ଥିଲା ଏକ ସୁଯୋଗ । ଅନେକ ଦିନରୁ ଭାବିଥିଲା କିଛି ଜଟିଳ ବିଷୟ ରହିଛି, ଯାହାକୁ କି ବୁଝିନେବା ପାଇଁ ସାରଙ୍କୁ ଅନୁରୋଧ କରିବ । ସାର କେମେଷ୍ଟ୍ରି ଅ୍ମାପକ । ଏବଂ ଶ୍ରୁତି ପାଇଁ ଏହା ଭାରି ଦୁର୍ବୋ୍ମ ପାଠ୍ୟ । ସାଇନ୍ସ ପଢୁଛି ତ ଅନେକ ସ୍ୱପ୍ନ ଦେଖି ସାରିଛି ସେ । ପାଠ ଦୁର୍ବୋ୍ମ ହେଲେ ଭବିଷ୍ୟତଟା ଏତେ ସହଜରେ ଧରାଦେବନି । ଏକଥା ଭଲ ଭାବେ ଜାଣିଛି । ସେଇଥିପାଇଁ ତ ସାରଙ୍କୁ ସିଧାସଳଖ ପାଠ ବୁଝିବା ପାଇଁ କହିବାରେ ତା’ର କେବେ ଦ୍ୱିଧା ନଥାଏ । ଏବଂ ଏହା ହିଁ ଥିଲା ଶ୍ରୁତି ପାଇଁ ଏକ ସୁବର୍ଣ୍ଣ ସୁଯୋଗ! ଆଉ କହିଲା ବି- ।

ତତ୍ତ୍ୱମସି ସାର କିଛି ସମୟ ଧରି ତାକୁ ଚାହିଁ ଠିଆ ହେଲେ । ଆଉ କହିଲେ- “ ମୋତେ କାହିଁକି…? କଲେଜରେ ଆଉ କ’ଣ ସାର ନାହାନ୍ତି? ତାଙ୍କଠାରୁ ତ ବୁଝିପାରିବ??’

ଭାରି କଷ୍ଟ ଲାଗିଲା ଶ୍ରୁତିକୁ ।

ଏହି ସମୟରେ ତତ୍ତ୍ୱମସି ସାର ପଚାରିଲେ, “ ଚୁପ ରହିଲ କାହିଁକି, କୁହ?’

ଶ୍ରୁତି ମନରେ ଟିକେ ରାଗ ଉଠିଲା । ତଥାପି, ଅତି ନମ୍ର ଭାବରେ କହିଲା- “ ଏଇଥିପାଇଁ ଯେ ଆପଣ ହେଉଛନ୍ତି ୟୁନିଭର୍ସିଟି ଟପ୍ପର । ପିଏଚଡି ହୋଲଡର । କେମେଷ୍ଟ୍ରିରେ ଆପଣଙ୍କ ଅସାଧାରଣ ଦକ୍ଷତା ରହିଛି ବୋଲି ଅନ୍ୟ ସାରମାନେ ମ୍ମ କୁହନ୍ତି ।’

ଶ୍ରୁତି ଭାବିଲା, ତା’ମୁହଁରୁ ଏଇ କଥା ପଦକ ଶୁଣିବା ପାଇଁ ସାର ଏତେ େ‘ର କାଢୁଥିଲେ କି?

ମାତ୍ର, ତତ୍ତ୍ୱମସି ଟିକେ ଉତକ୍ଷିପ୍ତ ହୋଇ ପଡିଥଲେ । କହିଲେ, “ ଲେ ଚାଟେଲିୟର୍ସ ପ୍ରିନ୍ସିପଲ କ’ଣ ଜାଣ? ଯାହାକୁ କୁହନ୍ତି ସିଷ୍ଟମ ଅଫ ଇକ୍ୱିଲିବ୍ରିୟମ ।’

ତଳକୁ ମୁହଁ ପୋତି ଠିଆ ହେଲା ଶ୍ରୁତି ।

“ ଦେଖ…ଏହି ଥିଓରୀକୁ ଯଦି ସୂକ୍ଷ୍ମ ଭାବେ ତୁମେ ଜାଣିବାକୁ ଚେଷ୍ଟା କରିବ, ଦେଖିବ ଏଥିରେ କେମିତି ଜୀବନର ଏକ ଗୂଢ ତତ୍ତ୍ୱ ସନ୍ନିବେଶିତ ହୋଇ ରହିଛି! ଏହା ହିଁ ସୂଚେଇ ଦେଉଛି କାହା ପାଇଁ କିଛି ଅଟକି ଯିବନାହିଁ । ଯେତେବେଳେ ଗୋଟେ ବ୍ୟବସ୍ଥାର ପରିବର୍ତ୍ତନ ହେଉଛି- ତାହା କ’ଣ ଭାଙ୍ଗି ଯାଉଛି? କାରଣ ସବୁର ସ୍ଥିରତା ଥାଏ । ବ୍ୟବସ୍ଥାମାନ ଏମିତି ସୁସଂଗଠିତ ହୋଇ ରହିଛି ଯେ କାହାର ପ୍ରଭାବ ମାଲୁମ ପଡେ ନାହିଁ । ତମେ ସାଇନ୍ସ ଛାତ୍ରୀ ହୋଇ ଏତିକି ବୁଝି ପାରୁନାହଁ?’ କହିଲେ ତତ୍ତ୍ୱମସି ସାର ।

ତଥାପି ଚୁପ ରହିଥିଲା ଶ୍ରୁତି । ଆଉ ଗଲାବେଳେ ସାର କହିଗଲେ, “ କିଛି ବୁଝିଲ, ଷ୍ଟୁପିଡ!’

ଶ୍ରୁତି ଟିକିଏ ବି ଘୁଞ୍ଚି ପାରୁନଥିଲା ନିଜ ଜାଗାରୁ । କିଛି ସମୟ ଧରି ଏକ ଅଜଣା ତନ୍ତ୍ରୀର ଗୁଞ୍ଜରଣ ତାକୁ ବିବଶ କରି ଦେଉଥିଲା । ପରେ ଜଣେ ସାଙ୍ଗ ତାକୁ ହାଲକା କରିବାକୁ ଯାଇ କହିଲା, “ଏଥିରେ ମନଦୁଃଖ କରିବାର କ’ଣ ଅଛି । ତୁ ବୋଧେ ଜାଣିନୁ ସାର ହ୍ୟାଣ୍ଡସମ ବୋଲି କଲେଜର ବହୁ ସୁନ୍ଦରୀ ଝିଅ ପାଠ ବୁଝିବା ନାଁରେ ତାଙ୍କ କବାଟ ଫାଟକ ଯାଏ ପହଞ୍ଚି ଯାଆନ୍ତି!!! ସେଇଥିପାଇଁ ସାରଙ୍କଠାରେ ଏହି ବିରକ୍ତି ଭାବ । ‘

ଏ ଘଟଣାକୁ ଭୁଲି ଯାଇଥିଲା ଶ୍ରୁତି । ଏହାର କିଛି ଦିନ ପରେ ତତ୍ତ୍ୱମସି ସାର ତାକୁ ଡକାଇ ପଠାଇଲେ ଷ୍ଟା‘ କମନରୁମକୁ । ଶ୍ରୁତି ମନରେ ଭୟ ଥାଏ । କମନରୁମକୁ ଗଲାବେଳକୁ ସେ ଏକା ବସିଥା’ନ୍ତି ଏକ ଚେୟାର ଉପରେ । ଏକ ମାଗାଜିନର ପୃଷ୍ଠା ଓଲଟାଇ ଚାଲିଥା’ନ୍ତି ।

ତା’ ମୁହଁକୁ ନଚାହିଁ ସାର କହିଲେ , “ସେଦିନ ମନଦୁଃଖ କଲ ବୋଧେ । ଦେଖ, ଆମ କେମେଷ୍ଟ୍ରି ପାଠରେ କେମିକାଲ ବଣ୍ଡ କଥା ତୁମେ ନିଶ୍ଚୟ ପଢିଥିବ । ତା’ ଅର୍ଥ କ’ଣ? ତୁମେ କେମେଷ୍ଟ୍ରି ଛାତ୍ରୀ ଭାବେ ନୁହେଁ, ଏକ ପୃଥକ ଦୃଷ୍ଟିଭଙ୍ଗୀ ନେଇ ଏହାର ବାଖ୍ୟା କରିପାରିବ । ଆମେ ସମସ୍ତେ ଗୋଟିଏ ଗୋଟିଏ ଇଲେକ୍ଟ୍ରନ । ଜୀବନର ଯେକୌଣସି ପରିସ୍ଥିିତିରେ ଆମ ଭିତରେ ସହଭାଜନ ହେବା ଆଶ୍ଚର୍ଯ୍ୟଜନକ ନୁହେଁ । ସେହି ପ୍ରତିକ୍ରିୟାରୁ ଆମ୍ଭମାନଙ୍କ ମନରେ ଏକ ବନ୍ଧନ ସୃଷ୍ଟି ହୁଏ । ତେଣୁ, ତମେ ମୋତେ କହିଲ ମୋତେ ହୁଏତ କଷ୍ଟ ଲାଗି ଥାଇପାରେ । ମୋ କଥା ବି ତମକୁ ଅନୁରୂପ ଭାବେ କଷ୍ଟ ଦେଇଥାଏ ପାରେ । ଏସବୁ ଘଟେ କେବଳ ବନ୍ଧନ ଯୋଗୁ ।’

ଏହି ବାଖ୍ୟାର କୌଣସି ଆଦିଅନ୍ତ ପାଉନଥିଲା ଶ୍ରୁତି । ସାର କିଛି ସମୟ ଧରି ତୁନି ରହିବା ଦେଖି ସେ ସେଠୁ ଖସି ପଳାଇ ଆସିବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ସାର କହିଲେ, “ବୁଝିଲ ଶ୍ରୁତି, ତମ ମନରେ କାଳେ କଷ୍ଟ ହୋଇଥିବ ସେହି କଥା ଭାବି ହିଁ ତମକୁ ଡାକିଥିଲି । କିଛି ଭୁଲ ବୁଝିବନି ।’

କେମେଷ୍ଟ୍ରି ସହିତ ଜୀବନର ସୂକ୍ଷ୍ମଚିତ୍ରକୁ କାହିଁକି ସଂଲଗ୍ନ କରନ୍ତି ତତ୍ତ୍ୱମସି ସାର? ତାଙ୍କର କଥାଗୁଡା ସତରେ କେତେ ଦୁର୍ବୋଧ୍ୟ ନୁହେଁ? ସେ ଯେଉଁ ଜୀବନର ତତ୍ତ୍ୱ କଥା ବଖାଣି ବସନ୍ତି ତାହା ଯେକୌଣସି ପାଠଠାରୁ ଆହୁରି ଜଟିଳ ।

ତତ୍ତ୍ୱମସି ସାରଙ୍କୁ ନେଇ ତା’ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ପରେ ଜାଣିଲା, ସାର କେମେଷ୍ଟ୍ରି ନୁହେଁ ଜୀବନର ନିରୁତା ସତ୍ୟକୁ ଉନ୍ମୋଚନ କରିବା ପାଇଁ ହିଁ ଗବେଷଣା ଚଳାଇଛନ୍ତି। ଯେଉଁଥିପାଇଁ ତାକୁ ପାଠ ବୁଝାଇବା ପାଇଁ ଅସମର୍ଥତା ପ୍ରକାଶ କରିଥିଲେ ।

ଏହା ଭିତରେ ଯୁକ୍ତ ଦୁଇ ସରି ଯାଇଥିଲା । ଭଲ ପର୍ସେଣ୍ଟେଜ ରଖି ପାଶ କଲା ଶ୍ରୁତି । ପ୍ଲସ ଥ୍ରୀ ବି ଆଡମିଶନ କରିନେଲା । ତେବେ, ପ୍ରାକ୍ଟିକାଲ କ୍ଲାସ ଆରମ୍ଭ ହୋଇନଥିବାରୁ କଲେଜ ନଯାଇ ଘରେ ମେଡିକାଲ ପାଇଁ ପ୍ରସ୍ତୁତ ହେଲା । ବେଳେବେଳେ ମନେ ପଡନ୍ତି ତତ୍ତ୍ୱମସି ସାର । ହେଲେ, ତାଙ୍କ ପାଇଁ ଶ୍ରୁତି ମନ ଭିତରେ ଏମିତି ଜାଗାଟିଏ ରଖିନଥାଏ ଯେ, ଯାହାକଥା ସେ ଯତ୍ନର ସହିତ ଭାବିବସିବ । ପୁଣି ତ ସବୁ କାମକୁ ଛାଡି ଦେଇ! ତା’ ଭିତରେ ଏତେ ବେଶି ଭାବପ୍ରବଣତା ବି ନଥିଲା ।

କିନ୍ତୁ ଅପ୍ରତ୍ୟାଶିତ ଭାବେ ଘଟିଲା ଏକ ଘଟଣା । ହଠାତ ଖବର ପାଇଲା ଯେ ତତ୍ତ୍ୱମସି ସାର ସନ୍ୟାସତ୍ୱ ପାଇଁ କେଉଁ ଆଡକୁ ଚାଲି ଯାଇଛନ୍ତି । ଗଲାବେଳେ ତା’ ନାମରେ ଏକ ଲଫାପା ହଷ୍ଟେଲର ଅଟେଣ୍ଡାଣ୍ଟଙ୍କ ପାଖରେ ଦେଇ ଯାଇଛନ୍ତି । ଏହି ଖବରର ଏମିତି ଏକ ଅଦ୍ଭୁତ ଆକର୍ଷଣ ଏବଂ ଅନୁହୁତି ଉଦବେଗ ଥିଲା ଯେ ତା’ପରଦିନ ହଷ୍ଟେଲରେ ହାଜର ହୋଇଗଲା ଶ୍ରୁତି ।

ଅତ୍ୟନ୍ତ ଆଗ୍ରହର ସହିତ ଳଫାଫାକୁ ଖୋଲିଲା । ଲେଖାଥିଲା- “ ଜାଣେନା ତମେ ଏକଥାକୁ କିଭଳି ଭାବେ ଗ୍ରହଣ କରିବ । ଜୀବନକୁ ନେଇ ମୁଁ ଅହରହ ଅନ୍ୱେଷଣ କରୁଥିଲା ବେଳେ ଏବଂ ମଣିଷ କାହିଁକି ଏକ ମଝାମଝି ଅନ୍ତର୍ଚେତନା ଓ ଅନ୍ତର୍ବେଦନା ଭିତରେ ଗତି କରେ ତାହାକୁ ଜାଣିବା ପାଇଁ ପ୍ରୟାସ କରୁଥିଲାବେଳେ ତମେ ମୋ ଜୀବନ ପରିଧିକୁ ପଶିଆସ । ତମେ ହୁଏତ ବୁଝି ପାରିବନି, ମୋ ଭିତରେ ସେତେବେଳେ କି ପ୍ରତିକ୍ରିୟା ସୃଷ୍ଟି ହୁଏ । ଭାବିଲି, ତମେ ମୋତେ ଅଟକାଇ ଦେବ ଏବଂ ମୋ ସ୍ୱପ୍ନ ଅଧୁରା ହୋଇଯିବ । ମୁଁ ଚାଲିଲି ଅନ୍ୱେଷଣରେ ଯଦିଓ ଜାଣିନି ତା’ର ସ୍ୱରୂପ କ’ଣ? ଇତି…ତତ୍ତ୍ୱମସି ।’

ସେ ଯେ ଜାଣିଜାଣି ଶେଷରେ ତତ୍ତ୍ୱମସି ସାର ବୋଲି ଲେଖି ନାହାନ୍ତି , ଏହି ଚିଠିରୁ ଶ୍ରୁତି ଭଲ ଭାବେ ଅନୁଭବ କରି ପାରିଥିଲା । ତା’ପରଠାରୁ ତା ନିକଟରେ ସେ କେବଳ ତତ୍ତ୍ୱମସି । ତା’ପରେ ଶ୍ରୁତି ଗୋଟିଏ ପରେ ଗୋଟିଏ ଭବିଷ୍ୟତର ସିଡି ଚଢୁଥିଲାବେଳେ ତତ୍ତ୍ୱମସି ଖୁବ ମନେ ପଡନ୍ତି ବେଶିବେଶି । ବ୍ୟସ୍ତମୟ ଜୀବନ, ପ୍ରତିଶ୍ରୁତିବଦ୍ଧ ପେଶା ଏବଂ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା କେବେ ଏଥିରେ ବ୍ୟତିକ୍ରମ ଘଟାଇନାହିଁ ।

“ସତରେ, ତତ୍ତ୍ୱମସି! ତମକୁ ନେଇ ମୋର ଭାବନା ଏତେ ଜୋର ଯେ ଯେକୌଣସି ପରିସ୍ଥିିତିରେ ହେଉ ପଛକେ ତମେ ମୋ ନିକଟରେ ଆସି ହାଜର ହୋଇଗଲ ।”

କାନ୍ଥରେ ଟଙ୍ଗା ହୋଇଥିବା ସ୍ୱାମୀ ବିବେକାନନ୍ଦଙ୍କ ‘ଟୋକୁ ଅତି ତନ୍ମୟତାର ସହିତ ଚାହିଁଲା ଶ୍ରୁତି । ଚାରି ବର୍ଷ ତଳେ କଲିକତାରୁ ଆଣି ଥିଲା ଏହି ଫଟୋ । ସାଙ୍ଗମାନଙ୍କ ସହିତ ବୁଲି ଯାଇଥିଲା । ସମସ୍ତେ କେତେ କ’ଣ କିଣିଲେ । ସେ କେବଳ ଏହି ଫଟୋଟାକୁ ହିଁ ଆଣିଥିଲା । ଏ ‘ଟୋଟା ଦେଖିଲେ ତତ୍ତ୍ୱମସି ଆପଣାଛାଏଁ ମନେ ପଡି ଯାଆନ୍ତି ।

ବିଛଣାରୁ ଉଠି ଅତି ସନ୍ତର୍ପଣରେ ଫଟୋଟାକୁ କାଢିଲା ଶ୍ରୁତି । ବେଡସିଟରେ ପୋଛି ଦେଇ ବେଶ କିଛି ସମୟ ନିରେଖି ଦେଖିଲା।

ସତକୁ ସତ ମଲ୍ଲୀ କବାଟ ଧଡଧଡ କଲା । ସେପଟୁ ସେ କହୁଥାଏ, “ ଦିଦି…ଗାଧାଗାଧି କରିବନି କି? ଆଜି କ’ଣ ହସ୍ପିଟାଲ ଯିବନିକି ଦିଦି ?’

ଚମକି ପଡିଲା ଶ୍ରୁତି । ଦଶଟା ବେଳେ ତା’ର ହସ୍ପିଟାଲରେ ପହଞ୍ଚିବା କଥା । ଆସି ନଅଟା ବାଜିଲାଣି । ଏପର୍ଯ୍ୟନ୍ତ ବି ଦ୍ୱନ୍ଦ୍ୱରେ ରହିଛି । ସେ ଯିବ କି ଯିବନି? ତତ୍ତ୍ୱମସିଙ୍କ ଉଜ୍ଜ୍ୱଳ ମୁହଁକୁ ଅପଲକ ନୟନରେ ଚାହିଁ ରହିବା ଭାରି ସହଜ ମାତ୍ର ତାଙ୍କ ଚମଡାର ଆବରଣକୁ ଫିଟାଇବା ଭାରି କଷ୍ଟ । କେମିତି ସେ ପାରିବ? ଯାହାଙ୍କ ସେ ନିବିଡ ଭାବେ ଭଲ ପାଏ, ଯାହାଙ୍କ କଥା ମନରେ ଧରି ରଖି ସେ ନିଜ ବିବାହ ବୟସ ବି ଗଡାଇବାକୁ ବସିଲାଣି- ନିଜ ହାତରେ ତାଙ୍କର ଅପରେସନ କରିବା କ’ଣ ଏତେ ସହଜ??

ଆଞ୍ଜିଓପ୍ଲାଷ୍ଟି ପାଇଁ ତା’ ହାତ ଭଲ ବୋଲି ତା’ ପାଖକୁ ହିଁ ରେ‘ର କରିଦେଲେ ଡକ୍ଟର ସୁବ୍ରତ । ସେ ବା କେମିତି ଜାଣିବେ ଏହି ରୋଗୀ ଜଣଙ୍କ ହିଁ ତା’ର ଅତୀତଟାକୁ ଏମିତି ଜାବୁଡି ଧରିଛନ୍ତି ଯେ ସେ ନା ବର୍ତ୍ତମାନକୁ ଫେରି ପାରୁଛି ନା ଭବିଷ୍ୟତକୁ ଗୋଡ କାଢି ପାରୁଛି ।

ଗତକାଲି ସେ ଆସିଲେ ।

ସେତେବେଳକୁ ତାଙ୍କ ମୁହଁ ଦେଖିନଥାଏ ଶ୍ରୁତି ।

ପଚାରିଲା- “ ନାଁ କ’ଣ?’

– ନିର୍ବାଣ..?

– “ ହଁ… ନିର୍ବାଣ… ଆଉ …?’

-”କିଛିନାହିଁ-’

– “କିଛିନାହିଁ??’

ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ମୁହଁକୁ ଚାହିଁଲା ଶ୍ରୁତି ।

“ ଏ ଯେ ତତ୍ତ୍ୱମସି!’

ନିଜ ଭିତରେ ଏକ ଅଦଭୁତ ଶିହରଣ ଅନୁଭବ କରୁଥିଲା ଶ୍ରୁତି । ତଥାପି, ନିଜକୁ ଏକ ସଂଭ୍ରମ ପରିଧିରେ ରଖି ଥାଏ । ତତକ୍ଷଣାତ କହି ଦେଇଥା’ନ୍ତି – “ ଆପଣ ତତ୍ତ୍ୱମସି…ତତ୍ତ୍ୱମସି ସାର ।’ ସେହି ଶବ୍ଦ ଭିତରେ ସେ ଏମିତି ତଲ୍ଲୀନ ହୋଇ ଯାଇଥା’ନ୍ତା ଯେ ଅନେକ ନିସ୍ତବ୍ଧ ରାତିମାନ ଗୀତ ଗାଇବାକୁ ଆରମ୍ଭ କରିଥା’ନ୍ତେ । ସେ ତାହା କଲାନି । ବରଂ, ତତ୍ତ୍ୱମସିଙ୍କୁ ସ୍ୱାସ୍ଥ୍ୟାବସ୍ଥାକୁ ଭଲଭାବେ ଯାଞ୍ଚ କଲା ।

ପରୀକ୍ଷା ପରେ ଜାଣିଲା ଯେ ତତ୍ତ୍ୱମସିଙ୍କ କୋରୋନାରୀ ଆର୍ଟେରୀରେ ଚର୍ବିର ଆସ୍ତରଣ ଜମି ଯାଇ ରକ୍ତ ସଞ୍ଚାଳନ ଅବରୋଧ ହୋଇ ଯାଇଛି । ଆଶ୍ଚର୍ଯ୍ୟ ଲାଗିଲା ଶ୍ରୁତିକୁ । ତାଙ୍କର ଗୈରିକ ପରିପାଟୀ କହି ଦେଉଛି ସେ ଏତେକାଳ ସନ୍ୟାସ ଜୀବନ ହିଁ ବିତାଉଥିଲେ । ଦେହର ଉଜ୍ଜ୍ୱଳତା, ମନର ପ୍ରଫୁଲ୍ଲତା ଆଉ ଆଖିର ପ୍ରଶାନ୍ତିକୁ ଦେଖିଲେ କେହି ବି କହିପାରିବେ ନାହିଁ ତତ୍ତ୍ୱମସି ଜଣେ ହୃଦରୋଗୀ । ତା’ଛଡା ସେ ତ ଆଧୁନିକ ଜୀବନଶୈଳୀ ବିତାଉ ନଥିବେ କିମ୍ବା ଖାଦ୍ୟ ଓ ଦୈନନ୍ଦିନ ଚଳଣିରେ ସନ୍ତୁଳନ ରଖୁଥିବେ- ତାଙ୍କର ହୃଦରୋଗ ହେବ ବା କେମିତି?? ମନରେ ସୃଷ୍ଟି ହୋଇଥିବା ଏହି ପ୍ରଶ୍ନର ସମାଧାନ ହୋଇଗଲା ଏହିଭାବେ- ହସ୍ପିଟାଲକୁ ହୃଦରୋଗରେ ପୀଡିତ ଏକ ଶିଶୁଟିଏ ଯେତେବେଳେ ଚିକତ୍ସା ପାଇଁ ଆସିଥିଲା, ତତ୍ତ୍ୱମସିଙ୍କ ହୃଦରୋଗ ହେବା ଆଶ୍ଚର୍ଯ୍ୟ କ’ଣ?’

ତତ୍ତ୍ୱମସି ପାଇଁ କ୍ୟାବିନ ବ୍ୟବସ୍ଥା କରିଦେଲା ଶ୍ରୁତି । କାଲିକି ଅପରେସନ ସମୟ ଧାର୍ଯ୍ୟ କରି ନର୍ସକୁ ଭଲଭାବେ ବୁଝାଇ ଦେଲା ଯେ କେତେବେଳେ କି ଔଷଧ ଖାଇବାକୁ ପଡିବ ।

ଦିନରେ ଟିକେ ବ୍ୟସ୍ତ ଥିବାରୁ ତତ୍ତ୍ୱମସିଙ୍କୁ ଦେଖା କରିନଥିଲା ଶ୍ରୁତି । ସନ୍ଧ୍ୟାବେଳେ ଘରକୁ ଯିବା ସମୟରେ ତାଙ୍କ ନିକଟକୁ ଗଲା । ସେଠି ଯାଇ ବୁଝିଲା, ଏପର୍ଯ୍ୟନ୍ତ ସେ କିଛି ଖାଇ ନାହାନ୍ତି । ବାହାର ଖାଦ୍ୟ ରୋଗୀଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବ ବୋଲି ନର୍ସିଂହୋମରେ ଖାଇବାର ବ୍ୟବସ୍ଥା ରହିଛି । ଶ୍ରୁତି ଏପର୍ଯ୍ୟନ୍ତ ପାଶୋରି ଯାଇଥିଲା ଯେ ତତ୍ତ୍ୱମସି ହେଉଛନ୍ତି ସନ୍ୟାସୀ । ତାଙ୍କ ଖାଦ୍ୟପାନୀୟ, ରୀତିନୀତି ସମ୍ପୂର୍ଣ୍ଣ ଭାବେ ଅଲଗା । ପିଅନକୁ ପଠାଇ କିଛି ‘ଳ ମଗାଇଲା ।

ସେହି ‘ଳ କାଟିକି ରଖୁଥିବା ସମୟରେ ପଚାରିଲା, “ ତତ୍ତ୍ୱମସି ସାର… ତତ୍ତ୍ୱମସି- ଆପଣ ମୋତେ କ’ଣ ଚିହ୍ନି ପାରୁନାହାନ୍ତି । ନା, ଚିହ୍ନିକି ନଜାଣିଲା ଭଳି ଅଭିନୟ କରୁଛନ୍ତି ।’

ତତ୍ତ୍ୱମସି କିଛି ବି କହିନଥିଲେ । ବରଂ, ଶ୍ରୁତି ଆଡକୁ ନଚାହିଁ ଏକ ନିର୍ଲିପ୍ତ ନୟନରେ ସେ ଚାହିଁ ରହିଥିଲେ ସାମନାକୁ । ଯେମିତି କୌଣସି ପ୍ରତିକ୍ରିୟା ନାହିଁ, କୌଣସି ଅନୁଶୋଚନା ନାହିଁ ଏବଂ ଜୀବନକୁ ନେଇ ଆଦୌ ବ୍ୟତିବ୍ୟସ୍ତତା ନାହିଁ ।

ଅଧିକ କିଛି କହିବା ପାଇଁ ତତ୍ପର ହୋଇ ଉଠୁନଥିଲା ଶ୍ରୁତି । ଭାବିଲା, ଅପରେସନ ପରେ ସେ ତ କିଛିଦିନ ପର୍ଯ୍ୟନ୍ତ ଏହି ହସ୍ପିଟାଲରେ ରହିବେ! ସେତେବେଳେ କ’ଣ କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ ଅତୀତକୁ ଫେରି ଆସିବେନି ତତ୍ତ୍ୱମସି! କଥାରେ ଅଛି ପରା, ଯେତେବେଳେ ଗୋଟିଏ ସ୍ଥାନ ପରିତ୍ୟାଗ କରୁଛ କେବେହେଲେ ଭୁଲି ପାରିବ ନାହିଁ ଯେ ଏଠାକୁ କାହିଁକି ଆସିଥିଲ?’

ସେ ସେଠୁ ଫେରୁଥିଲାବେଳେ ତତ୍ତ୍ୱମସିଙ୍କ ଆଖି ଅର୍ଦ୍ଧମୁଦ୍ରିତ ପ୍ରାୟ ହୋଇ ଆସୁଥିଲା । ତାଙ୍କ ବାହ୍ୟ ଶରୀରରେ ସକଳ ଉନ୍ମଜ୍ଜନ ସତ୍ତ୍ୱେ ସେ ଥିଲେ କ୍ଲାନ୍ତ । ଜୀବନର ଏକ ନିଆରା ରୂପରେଖ ଭିତରେ ସେ କେତେ ଆତ୍ମସଂଯତ ତାହାକୁ କଳିବା ପାଇଁ ଶ୍ରୁତିର ସାମର୍ଥ୍ୟ ନଥିଲା । ତେଣୁ ସେ ଫେରି ଆସିଲା, ସୁଖ ଆଉ ଦୁଃଖର ଏକ ଅମିଶ୍ରିତ ଅନୁପାତକୁ ସାଙ୍ଗରେ ଧରି ।

ଘରେ ପହଞ୍ଚି ପ୍ରଥମେ ସେ ଭାବିଲା, ତତ୍ତ୍ୱମସିଙ୍କୁ ଅପରେସନ କରିବା ତା’ ପାଇଁ ସୌଭାଗ୍ୟର ବିଷୟ ନିଶ୍ଚୟ । ସେ ତା’ର ପ୍ରାଣପୁରୁଷ । ଅନିର୍ବଚନୀୟ ପୁଲକର ପ୍ରଥମ ସ୍ପନ୍ଦନ । ଅବଧାରିତ ସମୟର ଅନ୍ତିମ ନିଷ୍ପତ୍ତି । ତେଣୁ ତତ୍ତ୍ୱମସିଙ୍କ ଆରୋଗ୍ୟ ଏବଂ ଜୀବନ କାମନା କରିବା ତା’ ପାଇଁ ଏକମାତ୍ର ଧ୍ୟେୟ !

ପରେ ଭାବିଲା- ସତରେ, ଏହା ତା’ ପାଇଁ ଦୁଶ୍ଚର ନୁହେଁ ତ?

ଅପରେସନ ସମୟରେ କ’ଣ ବୈଚିତ୍ର୍ୟ ପରିସ୍ଥିତି ସୃଷ୍ଟି ହେବନାହିଁ? କିଏ ଜାଣେ, ଅପରେସନ ସମୟରେ ଶ୍ରୁତି କାର୍ଡିଓଲୋଜିଷ୍ଟ ଶ୍ରୁତି ମହାପାତ୍ର ହୋଇ ରହିଥିବେ କି ନାହିଁ!

“ହେ ତତ୍ତ୍ୱମସି ସାର! ତତ୍ତ୍ୱମସି!! କେମେଷ୍ଟ୍ରି ପାଠରେ କ’ଣ ଥିଲା ତାହା ଏବେ ମୁଁ ଭୁଲି ଗଲିଣି । ଆମ ମେଡିକାଲ ସାଇନ୍ସ କହୁଛି, ଭାବପ୍ରବଣତା ରଖି ଅପରେସନ ଥିଏଟରକୁ ଗଲେ ରୋଗୀର ଅମଙ୍ଗଳ ହେବାର ସମ୍ଭାବନା ବେଶି ।’

“ ତତ୍ତ୍ୱମସିଙ୍କ ପାର୍ଥିବ ଚଳତଶକ୍ତିହୀନ ଶରୀର ଅପେକ୍ଷା ତାଙ୍କ ଅନ୍ତରିତ ଅତୀତ ଅଧିକ ବେଦନାସିକ୍ତ ନୁହେଁକି !’- ଭାବୁଥିଲା ଶ୍ରୁତି।

ସ୍ୱାମୀ ବିବେକାନନ୍ଦଙ୍କ ଫଟୋ ସାମନାରେ ଶୁଭୁଥିଲା ଶ୍ରୁତିର କୋହମିଶା ଅସ୍ପଷ୍ଟ ଉଚ୍ଚାରଣ, “ ହେ ସଖା! ହେ ସାଥି!! ହେ ତତ୍ତ୍ୱମସି!!! ଆପଣ ଅପେକ୍ଷା କରିଥା’ନ୍ତୁ । ମୁଁ ନିଶ୍ଚୟ ପହଞ୍ଚିବି ତୁମର ପାର୍ଥିବ ସତ୍ତା ନିକଟରେ- ।’

ତା’ପରେ ବିବେକାନନ୍ଦଙ୍କ ଫଟୋକୁ କାନ୍ଥରେ ଟଙ୍ଗାଇବାକୁ ଯାଉଥିଲା ଶ୍ରୁତି । ସେଯାଏ ଅସୁସ୍ଥତାରେ ଶୋଇଥିଲେ ସେ । ରାଧାଙ୍କ ପାଦ ତଥାପି ସ୍ପର୍ଶ କରିନଥିଲା ଦେହଭୃତ ଶ୍ରୀକୃଷ୍ଟଙ୍କୁ!!!

…………………………………..
ଦେଉଳପଡ଼ା, କେନ୍ଦ୍ରାପଡ଼ା
ଫୋନ:୯୪୩୭୪୪୯୬୪୪

Leave A Reply

Your email address will not be published.