Latest Odisha News

BREAKING NEWS

ପୁସ୍ତକ ପରିଚୟ : ସଫଳତା, ଆନନ୍ଦ ଓ ପୂର୍ଣ୍ଣତାର ସାତଟି ମାନସିକ ସୂତ୍ର

ସଫଳତା, ଆନନ୍ଦ ଓ ପୂର୍ଣ୍ଣତାର ସାତଟି ମାନସିକ ସୂତ୍ର
ମୂଳ ଇଂରାଜୀ: ସ୍ୱାମୀ ମୁକୁନ୍ଦାନନ୍ଦ
ଓଡ଼ିଆ : ସୁଭାଷ ଶତପଥୀ, ସନ୍ଦୀପ ମିଶ୍ର
ସମ୍ପାଦନା : ମନୀଷା ମିଶ୍ର
ପ୍ରକାଶକ: ମଞ୍ଜୁଳ ପବ୍ଲିଶିଂ ହାଉସ୍‌, ମାଲବ୍ୟ
ନଗର, ଭୋପାଳ
ପ୍ରକାଶକାଳ: ୨୦୨୨
ପୃଷ୍ଠା: ୨୧୮
ମୂଲ୍ୟ: ୩୫୦ ଟଙ୍କା

ବର୍ତ୍ତମାନର କର୍ମବହୁଳ ଜୀବନରେ ପ୍ରତ୍ୟେକ ମଣିଷ କର୍ମବ୍ୟସ୍ତ । ଆଧୁନିକ ଯୁଗର ପ୍ରଗତି ଆମ ଜୀବନକୁ ସରଳ କରିବା ସହିତ ମନକୁ ଅଧିକ ଭାରାକ୍ରାନ୍ତ କରିପକାଇଛି । ପ୍ରତି ଦିନ ପ୍ରତି ମୁହୂର୍ତ୍ତରେ ମଣିଷ ଜୀବନ ଦୌଡ଼ରେ ଧଇଁସଇଁ ହୋଇପଡ଼ୁଛି । ସେଥିରୁ ତା’ର ନିସ୍ତାର ନାହିଁ । ସେହି କାର୍ଯ୍ୟବ୍ୟସ୍ତ ଜୀବନ ଏବଂ ଅଶାନ୍ତ ମନ ମଣିଷଠାରୁ ସବୁ ସୁଖ ଶାନ୍ତି ଛଡ଼ାଇ ନେଉଛି । ସେଥିରୁ ନିସ୍ତାର ପାଇବାକୁ ସଭିଏଁ ସଦାବେଳେ ପ୍ରୟାସୀ । କିନ୍ତୁ ସେହି ସରଳ ସୂତ୍ରଟିକୁ ଖୋଜି ପାଇବାରେ ସମସ୍ତେ ସକ୍ଷମ ହୋଇ ନଥାନ୍ତି । ଏଥିପାଇଁ କିଏ ଭାଗ୍ୟକୁ ଦୋଷ ଦିଏ ତ ଆଉ କିଏ ଦୋଷ ଦିଏ ସମୟକୁ, ପୁଣି କିଏ ପରିବେଶ ଓ ପରିସ୍ଥିତିକୁ ଆକ୍ଷେପ କରିଥାଏ । ତେବେ ଏହା କ’ଣ ଏଭଳି ଏକ ଯୁଗ ଯନ୍ତ୍ରଣା ଯେ ସେଥିରୁ ମଣିଷ ମୁକ୍ତି ପାଇ ପାରିବ ନାହିଁ?

ଏହି ଜଟିଳ ପ୍ରଶ୍ନର ସରଳ ଉତ୍ତର ଆଲୋଚିତ ପୁସ୍ତକରେ ଦେଇଛନ୍ତି ସ୍ୱାମୀ ମୁକୁନ୍ଦାନନ୍ଦଜୀ । ଆଇଆଇଟି ଏବଂ ଆଇଆଇଏମ୍ ଭଳି ପ୍ରଯୁକ୍ତି ଓ ପରିଚାଳନା ଶିକ୍ଷାନୁଷ୍ଠାନରୁ ଉଚ୍ଚତର ଡିଗ୍ରୀପ୍ରାପ୍ତ ସ୍ୱାମୀଜୀ ଆଧ୍ୟାତ୍ମିକ ପଥରେ ଜଣେ ସଫଳ ଯାତ୍ରୀ । ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜଙ୍କ ଶିଷ୍ୟତ୍ୱ ଗ୍ରହଣ କରି ସେ ପ୍ରାଚୀନ ବେଦ ଉପନିଷଦ, ପୁରାଣାଦି ଅଧ୍ୟୟନ କରି ଏହାର ନିର୍ଯ୍ୟାସକୁ ଜଗତ କଲ୍ୟାଣ ନିମନ୍ତେ ବାଣ୍ଟିବାରେ
ନିଜକୁ ସମର୍ପିତ କରିଛନ୍ତି । ଯୋଗ ବିଜ୍ଞାନର ଜଣେ ଅଧ୍ୟେତା ଓ ଶାସ୍ତ୍ରୀ ଭାବରେ ସେ ମନ ସଂଚାଳନ ଏବଂ ଏହାର ନିୟନ୍ତ୍ରଣର ଗୂଢ଼ ସୂତ୍ରକୁ ସମସ୍ତଙ୍କ ନିକଟରେ ବାଣ୍ଟି ଚାଲିଛନ୍ତି । ଅଶାନ୍ତ ମନକୁ କିପରି ଭାବେ ନିୟନ୍ତ୍ରଣ କରାଯାଇପାରିବ, କର୍ମରେ ମନୋନିବେଶ କରାଯାଇପାରିବ, କ୍ରୁଦ୍ଧ ମନକୁ ଶାନ୍ତ କରିହେବ, ଈର୍ଷ, ଅସୂୟାଠାରୁ ନିଜକୁ ଦୂରେଇ ରଖାଯାଇପାରିବ ଏବଂ ସର୍ବୋପରି ନିଜର କର୍ମରେ କିପରି ସଫଳତା ହାସଲ କରିହେବ ଓ ମନକୁ ଆନନ୍ଦ ଓ ପୂର୍ଣ୍ଣତାରେ ଭରିଦେଇହେବ ସେ ସମ୍ପର୍କରେ ସ୍ୱାମୀଜୀ ବିଶଦ୍ ଭାବେ ଆଲୋଚନା କରିଛନ୍ତି । ତେଣୁ ପାଠକମାନେ ନିଜର ଚିନ୍ତନ ପ୍ରକ୍ରିୟାକୁ ବଦଳାଇ ନିଜ ଭିତରେ ଥିବା ଅସୀମ ସାମର୍ଥ୍ୟର ଦ୍ୱାରକୁ କିପରି ଭାବେ ଉନ୍ମୁକ୍ତ କରିପାରିବେ ଏହି ଗ୍ରନ୍ଥଟି ତାହାର ଏକ ସଫଳ ଚାବିକାଠି କହିଲେ ଅତ୍ୟୁକ୍ତି ହେବନାହିଁ ।

ସମଗ୍ର ପୁସ୍ତକଟିକୁ ଉପକ୍ରମଣିକା, ସଂକ୍ଷେପସାର ଓ ଉପସଂହାରକୁ ଛାଡ଼ି ସାତଗୋଟି ଅଧ୍ୟାୟରେ ବିଭକ୍ତ କରାଯାଇଛି । ଉପସଂହାରରେ ପାଠକମାନଙ୍କୁ ଏହି ପୁସ୍ତକର ଉପାଦେୟତା ଏବଂ ସେଥିରେ ପ୍ରବେଶ ନିମନ୍ତେ କେତେଗୋଟି ଉପାଦେୟ ପରାମର୍ଶ ଦିଆଯାଇଛି । ଏହା ପରେ ଯେଉଁ ସାତଗୋଟି ଅଧ୍ୟାୟରେ
ସାତଗୋଟି ମାନସିକତା ସଂପର୍କରେ ଆଲୋଚନା କରାଯାଇଛି ସେଗୁଡ଼ିକ ହେଲା: ସକାରାତ୍ମକତା, ଭାବାବେଗକୁ ନିୟନ୍ତ୍ରଣ କରିବାର ଦାୟିତ୍ୱବୋଧ, ପ୍ରେରଣା, ଚିନ୍ତନର ଶୁଦ୍ଧତା, ଜ୍ଞାନ ଅର୍ଜନ, ଶୃଙ୍ଖଳା ଏବଂ ସକଳ ପ୍ରକାର ସମସ୍ୟା ସତ୍ତ୍ୱେ ଆଗକୁ ଅଗ୍ରସର ହେବାର ମାନସିକତା ।

ସକଳ ପ୍ରକାର ସାଂସାରିକ ସମସ୍ୟା ଭିତରେ ଡୁବି ରହିଲେ ସୁଦ୍ଧା ଈଶ୍ୱର ପ୍ରତିଟି ମଣିଷ ଭିତରେ ଅସୀମ ଧୈର୍ଯ୍ୟ ଓ ଇଚ୍ଛାଶକ୍ତିର ଭଣ୍ଡାର ଭରି ଦେଇଛନ୍ତି । ମୃଗନାଭୀ କସ୍ତୁରୀ ଭଳି ଏହାକୁ ଖୋଜି ପାଇବା ହେଉଛି ମଣିଷର କର୍ତ୍ତବ୍ୟ । ତାହାକୁ ପାଇବା ପରେ ଜୀବନ ଶୃଙ୍ଖଳା କିପରି ଜଟିଳ ଓ ଅସମ୍ଭବ କାର୍ଯ୍ୟକୁ ସୁଦ୍ଧା ସରଳ ଏବଂ ଆୟାସସାଧ୍ୟ କରିପାରେ ତାହାର ସୁନ୍ଦର ବର୍ଣ୍ଣନାମାନ ରହିଛି । ସଙ୍କଟ ସମୟରେ ଧୈର୍ଯ୍ୟହରା ନହୋଇ ମଣିଷ କିପରି ମନକୁ ପ୍ରଶାନ୍ତ ରଖିପାରିବ ଏବଂ ତାହାକୁ ଶକ୍ତି ରୂପେ ବ୍ୟବହାର କରିପାରିବ ତାହାର ଅନେକ ଉଦାହରଣ ଏଥିରେ ରହିଛି । ବେଦଠାରୁ ଉପନିଷଦ ପର୍ଯ୍ୟନ୍ତ, ପୁରାଣ ଠାରୁ ନେଇ ବାଇବେଲ ଓ ଆଧୁନିକ ମନୋବିଜ୍ଞାନ ପର୍ଯ୍ୟନ୍ତ ସବୁ ଶାସ୍ତ୍ରରୁ ସମାନ ଭାବେ ସୁନ୍ଦର ଉଦାହରଣମାନ ଦେଇ ନିଜର ଉପଦେଶକୁ ଯୁକ୍ତିସିଦ୍ଧ କରିଛନ୍ତି  ସ୍ୱାମୀଜୀ । ଏପରିକି ନିଜ ଜୀବନର କେତେଗୋଟି ମନୋଜ୍ଞ ଉଦାହରଣ ଏହାକୁ ପୁଷ୍ଟ କରିଛି । ବ୍ୟସ୍ତ ବିବ୍ରତ ମନକୁ ଶୁଦ୍ଧ ରଖିବାର ସରଳ ସୂତ୍ରମାନ ପାଠକଙ୍କ ପାଇଁ ଖୁବ୍ ଉପାଦେୟ ମନେହୁଏ ।

ସମସାମୟିକ ବିଶ୍ୱରେ ମଣିଷ ପ୍ରଚୁର୍ଯ୍ୟ, କ୍ଷମତା ଏବଂ ପ୍ରଶଂସା ପଛରେ ଧାଇଁ ଧାଇଁ ନିଜର ମାନସିକ ଶାନ୍ତକୁ ବିପର୍ଯ୍ୟସ୍ତ କରିଚାଲିଛି । ତାହା ସେମାନଙ୍କୁ ସଫଳତା ଠାରୁ ଦୂରେଇ ଦେଉଛି ।
ମନକୁ ଅଶାନ୍ତ କରୁଛି ଏବଂ ସେଥିରୁ ମଣିଷ ତ୍ରାହି ପାଇନାହିଁ । ଜୀବନକୁ ସରଳ ସୁନ୍ଦର କରିବା ସକାଶେ ବଜାରରେ ଅନେକ ପୁସ୍ତକ ଉପଲବ୍ଧ । କିନ୍ତୁ ଜଣେ ସ୍ୱାମୀ ମୁକୁନ୍ଦାନନ୍ଦଜୀଙ୍କ ଭଳି
ଜଣେ ଶାସ୍ତ୍ରଜ୍ଞ ଓ ଯୋଗୀଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକଟି ସେସବୁଠାରୁ ଭିନ୍ନ । ଏହାର ପ୍ରତିଟି ବାକ୍ୟ ଓ ଶବ୍ଦ ଅଶାନ୍ତ ମନକୁ ପ୍ରଶାନ୍ତ କରିବା ଉଦ୍ଦେଶ୍ୟରେ ଅଭିପ୍ରେତ ।

ମନୀଷା ମିଶ୍ରଙ୍କ ନିଖୁଣ ସଂପାଦନାରେ ବେଶ୍ ସରଳ ଭାଷାରେ ଓଡ଼ିଆରେ ଅନୂଦିତ ଏହି ପୁସ୍ତକଟି ପାଠକମାନଙ୍କ ନିକଟରେ ଆଦୃତ ହେବାର ସକଳ ମାନ୍ୟତା ବହନ କରେ । ଏହାକୁ
ଥରେ ପଢ଼ିଲେ ବାରମ୍ବାର ପଢ଼ିବାକୁ ମନରେ ସ୍ୱତଃ ଆଗ୍ରହ ଜନ୍ମେ । ଜୀବନ ସମ୍ପର୍କରେ ଭାବନା ଓ ଆଭିମୁଖ୍ୟ ବଦଳେଇଦେବା ପରି ମନେହୁଏ ।

Leave A Reply

Your email address will not be published.