ପ୍ରତିଯୋଗିତା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ 

ଟୋକିଓ ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ହାଇ ଜମ୍ପ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ପାଇଁ ଯେଉଁ ରୋମାଞ୍ଚକର ପରିସ୍ଥିତି ସୃଷ୍ଟି ହେଲା ଏବଂ ଏଥିରେ ନିଜ ଖେଳୁଆଡ ମନୋଭାବକୁ ଯେଭଳି ଭାବେ ପ୍ରଦର୍ଶନ କଲେ କତାରର ମୁତାଜ୍ ଏସା ବାରଶିମ୍ ତାହା ସମସ୍ତଙ୍କ ପାଇଁ ପାଲଟିଗଲା ଏକ ଉଦାହରଣ । ନିଜ ପ୍ରତିଯୋଗୀଙ୍କୁ ସମ୍ମାନ ଦେବାର ବୋଧ ହୁଏ ଏହାଠୁ ବଳି ବଡ଼ ଉଦାହରଣ ଦେଖିବା ଆମ ଜୀବଦ୍ଦଶାରେ ବିରଳ । ତାଙ୍କ ଉଦାର ଭାବ, ସେ ଓ ତାଙ୍କ ପ୍ରତିଯୋଗୀ ଇଟାଲିର ଗିଆନମାର୍କୋ ତାମ୍ବେରିଙ୍କୁ ମିଳିତ ଭାବେ ସ୍ୱର୍ଣ୍ଣପଦକ ବିଜୟୀ ହେବାରେ ସହାୟକ ହେଲା । ନ୍ୟୁୟର୍କରେ ନିଜ ଅଫିସର ଭିଜିଟର୍ସ ଲାଉଁଜରେ ଟେଲିଭିଜନ୍ ପରଦାରେ ଅତି ଉତ୍କଣ୍ଠାର ସହ ଏହି ଦୃଶ୍ୟକୁ ଦେଖିଲା ବେଳେ ଶିବାଶିଷ ଆଖିରୁ ଅଜାଣତରେ ଝରିଆସୁଥିଲା ଲୁହ । ଏହି ଦୃଶ୍ୟ ସଙ୍ଗେ ସଙ୍ଗେ ନେଇ ଯାଇଥିଲା ତାକୁ ତା ଗାଁକୁ । ପାଖାପାଖି ତିରିଶ ବର୍ଷ ତଳେ ଘଟିଥିବା ଏକ ଘଟଣା, ନାଚି ଉଠିଲା ତା ଆଖି ଆଗରେ । ଯଦିଓ ସେ ଗାଁରେ ନୁହେଁ ବରଂ ଆମେରିକାରେ ଏକ ବହୁଦେଶୀୟ କମ୍ପାନି କାର୍ଯ୍ୟାଳୟରେ ବସିଥିଲା, କିନ୍ତୁ ସେହି ସମୟ ତକ କେବଳ ତା ଶରୀର ଥିଲା ସେଇଠି, କିନ୍ତୁ ମନ ଉଡ଼ିଆସିଥିଲା ଗାଁକୁ ।

ସେତେବେଳେ ସେ ତୃତୀୟ ଶ୍ରେଣୀରେ ପଢୁଥାଏ । ଶ୍ରେଣୀରେ ପ୍ରଥମ ହେଉଥାଏ ଶିବାଶିଷ । ଆଉ ଯିଏ ଦ୍ୱିତୀୟ ହେଉଥାଏ, ତା ୟା ଭିତରେ ଆକାଶ ପାତାଳ ଫରକ୍ । କହିବାକୁ ଗଲେ ଶିବାଶିଷ ଯଦି ଶହେରୁ ୯୫ ମାର୍କ ରଖି ପ୍ରଥମ ସ୍ଥାନରେ ରହୁଥିଲା, ତା ହେଲେ ୪୦ ନମ୍ବର ଜୁଟୁଥିଲା ଦ୍ୱିତୀୟ ସ୍ଥାନରେ ରହୁଥିବା ପିଲା ଭାଗରେ । ତେଣୁ ପାଠପଢ଼ା ମାମଲାରେ କେହି କେବେ ତାକୁ ଚାଲେଞ୍ଜ୍ କରୁନଥିଲେ ସ୍କୁଲରେ । ଶିକ୍ଷକମାନଙ୍କ ପ୍ରିୟ ଥିଲା ଶିବାଶିଷ । ତେବେ ଶ୍ରେଣୀର ସବୁଠୁ ଖରାପ ପଢୁଥିବା ତଥା ଅନ୍ୟମାନଙ୍କଠୁ ଅଧିକ ଦୁଷ୍ଟ ଥିବା ଧରଣୀଧର ଥିଲା ତାର ସବୁଠୁ ଭଲ ସାଙ୍ଗ । ଦୁହେଁ ଏକାଠି ବନ୍ଧ ବିଲ ବାଡ଼ ଚାରିଆଡ଼େ ବୁଲି ଆସନ୍ତି । କେବେ କେବେ ବହୁ ସମୟ ଧରି ଗାଁ ପୋଖରୀରେ ଡେଇଁବା ଅଭିଯୋଗରେ ଉଭୟେ ଅନେକ ଥରେ ସାରଙ୍କଠାରୁ ନିର୍ଧୁମ୍ ମାଡ଼ ଖାଇଛନ୍ତି । ହେଲେ ଶିବାଶିଷ ଭଲ ପଢୁଥିବାରୁ, ଏହିଭଳି ବଦମାସି ପାଇଁ ତାକୁ ଧରଣୀଧର ଅପେକ୍ଷା ଅଧିକ ମାଡ଼ ଖାଇବାକୁ ହୁଏ । କିନ୍ତୁ ସେ କେବେ କାନ୍ଦେନି। ହେଲେ ଧରଣୀଧର ଏହାର ପୁରା ଓଲଟା । ସାରଙ୍କ ବେତ ଉଠିଥିବ କି ନାହିଁ ସେ ଚିରିଚିରା ରଡ଼ି ଛାଡ଼ିବା ଆରମ୍ଭ କରିଦିଏ । ବେଳେ ବେଳେ ତାର ଏତେ ଜୋରରେ କାନ୍ଦିବା ଦେଖି, ସ୍କୁଲ ପାଖରେ ଥିବା ତାଙ୍କ ଘରୁ ତା ବାପା ରଘୁନାଥ ଧାଇଁ ଆସନ୍ତି ସ୍କୁଲକୁ । ସ୍କୁଲ ଶିକ୍ଷକଙ୍କ ସହିତ ଝଗଡ଼ା କରନ୍ତି। ଏହାସହ ନିଜ ପିଲାକୁ ଅନ୍ୟମାନଙ୍କ ବଦଳରେ ସବୁବେଳେ ଶିବାଶିଷ ସହିତ ତୁଳନା କରନ୍ତି ।

ଧରଣୀଧର ଭଲ ପଢ଼େନି ବୋଲି ତା ବାପା ଶିକ୍ଷକଙ୍କୁ ଦାୟୀ କରନ୍ତି । ଅଭିଯୋଗ ସହିତ ପଚାରନ୍ତି, ଶିବାଶିଷକୁ କଣ ତା ବାପା ମାଆ ଭାତ ଡାଲି ଖୁଆଇ ପାଠ ପଢ଼ଉଛନ୍ତି, ଆଉ ମୁଁ ମୋ ପୁଅକୁ କୁଣ୍ଡା ଖୁଆଇ ପାଠ ପଢ଼ଉଛି? ସବୁବେଳେ ଶିବାଶିଷ କାହିଁକି ଶ୍ରେଣୀରେ ପ୍ରଥମ ହେଉଛି ? ମୋ ପୁଅ କଣ ପାଇଁ ପ୍ରଥମ ହେଉନି ? ଏହି କଥାରେ କେବେ କେମିତି ଶିକ୍ଷକ ବିରକ୍ତି ପ୍ରକାଶ କରନ୍ତି ତ, ଆଉ କେତେବେଳେ ହସିଦେଇ କଥାକୁ ଏଡ଼ାଇ ଦେବାକୁ ଚାହାନ୍ତି ।

ଦିନେ ସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ ଚାଲିଥାଏ । କଥା ଥିଲା, ଏହି ଉତ୍ସବରେ ଯିଏ ବି ଭଲ ପ୍ରଦର୍ଶନ କରି ମନୋନୀତ ହେବ, ତାକୁ ଜିଲ୍ଲାସ୍ତରୀୟ ଗ୍ରାମାଞ୍ଚଳ କ୍ରୀଡ଼ାରେ ଭାଗନେବା ଲାଗି ଚୟନ କରାଯିବ । ଏହିତକ କଥା ଶୁଣିଦେଲା ପରେ ସେଦିନ ପୂରା ସ୍କୁଲ ସମୟ ତକ ସ୍କୁଲ ପାଖରେ ଆସି ଠିଆ ହୋଇ ରହିଲେ ରଘୁନାଥ । ଆରମ୍ଭ ହେଲା କୁସ୍ତି ପ୍ରତିଯୋଗିତା । ତା ପୁଣି ଶିବାଶିଷ ଆଉ ଧରଣୀଧର ମଧ୍ୟରେ । ସ୍କୁଲର ସବୁ ପିଲା, ଶିକ୍ଷକଙ୍କ ସମେତ ଗାଁର କିଛି ଲୋକ ବି ସେହି ପ୍ରତିଯୋଗିତା ଦେଖୁଥାନ୍ତି । ଆଉ ଦେଖୁଥାନ୍ତି ଧରଣୀଧରର ବାପା ରଘୁନାଥ। ହୁଇସିଲ୍ ବାଜିବା କ୍ଷଣି ହଠାତ୍ ଧରଣୀଧରକୁ ମାଡ଼ି ବସିଲା ଶିବାଶିଷ । ଧରଣୀଧର କେତେ ଚେଷ୍ଟା କଲେ ବି ଆଉ ଉଠି ପାରୁନଥାଏ । ବାରମ୍ବାର ଶିବାଶିଷଠୁ ମାତ୍ ଖାଇବା ପରେ ଶେଷରେ ଶିକ୍ଷକ ଶିବାଶିଷକୁ ହିଁ ବିଜୟୀ ଘୋଷଣା କରିଦେଲେ । ଏହି ଘଟଣାକୁ ନେଇ ଧରଣୀଧର ମନରେ କୌଣସି  ଦ୍ୱନ୍ଦ୍ୱ ନଥିଲା । ପୂର୍ବବତ୍ ଶିବାଶିଷ ଓ ଧରଣୀଧର ପରସ୍ପରକୁ କୁଣ୍ଢାଇ ଧରି ସେହି ମୁହୂର୍ତ୍ତର ମଜାନେଉଥିଲେ । ଏପଟେ କିନ୍ତୁ ଅତ୍ୟନ୍ତ ରାଗରେ ରକ୍ତ ଚାଉଳ ଚୋବାଉଥାନ୍ତି ରଘୁନାଥ । ସିଧା ଯାଇ ସମ୍ପୃକ୍ତ ଶିକ୍ଷକଙ୍କୁ ପଚାରିଦେଲେ, ଆଜ୍ଞା .. ଆପଣଙ୍କ ଆଖି ଆଗରେ ମୋ ପୁଅ ଏତେ ଭଲ ଖେଳିଲା, ଅଥଚ ଆପଣଙ୍କ ଆଖି ଦେଖିପାରିଲାନି? ଆପଣ ଖେଳ ପଡ଼ିଆରେ ବି ପାତରଅନ୍ତର (ପକ୍ଷପାତିତା) କରିଦେଲେ ? ତେବେ ସେଇଠି କୌଣସି ଶିକ୍ଷକ ବା ପ୍ରଧାନଶିକ୍ଷକ ଏ ସମ୍ପର୍କରେ ରଘୁନାଥଙ୍କ ଅଭିଯୋଗକୁ ସ୍ୱୀକାର କରିଲେ ନାହିଁ । ତା ପରେ ସ୍କୁଲ ଘଣ୍ଟି ବାଜିଗଲା ।  ପିଲାଏ ଯେ ଯାହା ବାଟରେ ଘରକୁ ଗଲେ ।

କିଛି ସମୟ ପରେ ଶିବାଶିଷର ଦୁଆର ଆଗରେ ଠିଆ ହୋଇଥାନ୍ତି ରଘୁନାଥ ଏବଂ ଧରଣୀଧର । ଅତି କର୍କଷ ସ୍ୱରରେ ମନରେ ଯେତେ ଯାହା ଆସିଲା ଗାଳି ଦେଇ ଚାଲିଲେ ରଘୁନାଥ । ବାହାର ପଟେ କଣ ଏମିତି ପାଟିତୁଣ୍ଡ ଶୁଭୁଛି ବୋଲି ଭାବି ଘର ଭିତରୁ ବାହାରକୁ ଆସି ଦେଖିଲା ଶିବାଶିଷର ବଡ଼ ଭାଇ ଦୁର୍ଗାଶିଷ, ଦୁଆର ମୁହଁରେ ରଘୁନାଥଙ୍କ ତାଣ୍ଡବ । ଗୋଟିଏ ପଟେ ନୀରିହ ମଣିଷଟେ ଭଳି ଠିଆ ହୋଇଥାଏ ଧରଣୀଧର । ଏପଟେ ଦୁଆର ମୁହଁରେ ନାଟକ ଦେଖି ଛୁ ମାରିଥାଏ ଶିବାଶିଷ । କାଳେ ଘରେ କେହି ଜାଣିଲେ ଉତ୍ତମ ମଧ୍ୟମ ହେବ, ସେହି ଭୟରେ କେଉଁଠି ଏକ ସ୍ଥାନରେ ଲୁଚିଥିଲା ସେ । ଏତିକି ବେଳେ ରଘୁନାଥ କହିଲେ, “ଆଜି ଫୈସଲା ହୋଇଯିବା ଦରକାର । ମୁଁ ମୋ ପୁଅକୁ ଛାଡ଼ିଦେଲି, ତୁ ତୋ ଭାଇକୁ ଛାଡ଼ି ଦେ । ଉଭୟେ ମୋ ସାମ୍ନାରେ ଲଢନ୍ତୁ । ଯାହାର ବି ପିଲା ମରିଗଲେ ଗଲା । ମୋ ପୁଅ ମଲେ ଗଲା, ନହେଲେ ତୋ ଭାଇ ମଲେ ଗଲା । ଆଉ ଯଦି ହାତ ଗୋଡ଼ ବି ଭାଙ୍ଗିଗଲା, ସେଥିରେ କିଛି ଯାଏ ଆସେ ନାହିଁ ।” ଏତକ କଥା ଶୁଣିଦେଇ, ବଡ଼ ଜୋରରେ ହସିଦେଲା ଦୁର୍ଗାଶିଷ । କହିଲା, “ଦାଦା .. ତମେ ଏତେ ବୟସ୍କ ହୋଇ ଏମିତି କେମିତି କହିପାରୁଛ? ଏମାନେ ପିଲା ଲୋକ । ଉଭୟେ ପରସ୍ପରର ସାଙ୍ଗ । ଯଦି ସାଙ୍ଗ ହେବା ଭିତରେ କେବେ କେମିତି ମାଡ଼ ଲାଗିଲେ ବା ଗଣ୍ଡଗୋଳ କରିଦେଲେ, ସେଇଟା ସେମାନଙ୍କ ଭିତରର କଥା । ସେମାନେ ନିଜ ସମସ୍ୟା ନିଜେ ସୁଧାରିବେ । ସେମାନଙ୍କୁ ସୁଧାରିବା ପରିବର୍ତ୍ତେ, ପରସ୍ପର ଭିତରେ ଗଣ୍ଡଗୋଳ ଲଗାଇ ପରୀକ୍ଷା ନେବାକୁ ଚାହୁଁଛ? ଏଇଟା ଠିକ୍ କଥା ନୁହେଁ । ତମେ କଣ ଚାଲେଞ୍ଜ୍ ଦେଉଛ .. ମୁଁ ତମକୁ ଚାଲେଞ୍ଜ୍ ଦେଉଛି । ଉଭୟଙ୍କ ଭିତରେ ଗଣ୍ଡଗୋଳ ନାହିଁ, ବରଂ ପ୍ରତିଯୋଗିତା କରାଯାଉ । ଆଉ ମାସକ ପରେ ବାର୍ଷିକ ପରୀକ୍ଷା । ଯଦି କୌଣସି ଗୋଟିଏ ବି ବିଷୟରେ ଶିବାଶିଷଠାରୁ ଧରଣୀଧର ଏକ ନମ୍ବର ଅଧିକ ରଖି ପାରିବ, ତାହେଲେ ମୁଁ ତାର ପାଠପଢ଼ା ବନ୍ଦ କରିଦେବି । ଆଉ ଜୀବନ ତମାମ୍ ସେ ଗାଈ ଜଗିବ । କଣ ମୋ କଥାରେ ରାଜି?”

ରଘୁନାଥଙ୍କ ଏଭଳି କାମ ପାଇଁ ଶିବାଶିଷ ଏବଂ ଧରଣୀଧର ଭିତରେ ସବୁଦିନ ପାଇଁ ଶତ୍ରୁତା ମୁଣ୍ଡ ଟେକିଥିଲା । ସେମାନେ ଉଚ୍ଚ ଶ୍ରେଣୀକୁ ଯିବା ପରେ ଅଲଗା ଅଲଗା ସ୍କୁଲକୁ ଚାଲିଗଲେ । ଶିବାଶିଷ ଅଧିକ ପାଠ ପଢ଼ିବା ପାଇଁ ଗାଁ ଛାଡ଼ିଛି ଯେ, ବାହାରେ ବାହାରେ ହିଁ ତା କର୍ମମୟ ଜୀବନ ଚାଲିଛି । ଏପଟେ କିନ୍ତୁ ନବମ ଶ୍ରେଣୀରେ ଫେଲ୍ ହୋଇ ଘରେ ବସିଯାଇଥିଲା ଧରଣୀଧର । ତେବେ ଜୀବନ ତମାମ୍ ନିଜ ପିଲା ଭିତରେ ହୀନମନ୍ୟତା ଭରି ଦେଇଥିବା ରଘୁନାଥ କେବେ ଭାବିନଥିଲେ ଯେ, ଦିନେ ସେ ପୁଅ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବ । ବିଲରେ କାମ କଲାବେଳେ ରଘୁନାଥ ଗୁଜୁଗୁଜୁ ହେବାରୁ ହଠାତ୍ ରାଗିଯାଇ ହାତରେ ଥିବା ପାଞ୍ଚଣରେ ଦି ପାହାର ପିଟିଦେଲା ଧରଣୀଧର । ପୁଅର ପାଞ୍ଚଣ ପାହାରରେ ବାପାଙ୍କ ମୁଣ୍ଡ ଫାଟି ରକ୍ତ ବୋହିଲା । ମାତ୍ର ଦୁଇ ମିନିଟ୍ ଭିତରେ ବିଲରେ ହିଁ ଅଚେତ୍ ହୋଇପଡ଼ିଲେ ରଘୁନାଥ । ଆଖପାଖର ଲୋକମାନେ ଆସି ଚେତା କରାଇଲେ ଏବଂ ଡାକ୍ତରଖାନାକୁ ନେଇକି ଗଲେ ରଘୁନାଥଙ୍କୁ । ତେବେ ରାଗୀ ରଘୁନାଥ କି କମ୍ ଲୋକ? ସେ ଡାକ୍ତରଖାନାରୁ ଫେରିବା ପରେ ନିଜ ପୁଅ ଧରଣୀଧର ନାଁରେ ଥାନାରେ ଦେଲେ ଏତଲା । ଗିରଫ ହେଲା ଧରଣୀଧର ଏବଂ ଛଅ ମାସ ପାଇଁ ରହିଲା ଜେଲରେ । ଜେଲରୁ ଫେରିବା ପରେ ଆଉ ବାପା ପୁଅ ଭିତରେ କଥାବାର୍ତ୍ତା ନାହିଁ । କିଛି ସୁବିଧା ଅସୁବିଧାରେ ବି ପରସ୍ପରକୁ ପଚାରନ୍ତିନି ଉଭୟେ । ଏ ସବୁ ଖବର ଅଛି ଶିବାଶିଷ ପାଖରେ । କିନ୍ତୁ ସେ ଏ ବିଷୟରେ କେବେ ବି କାହା ସହ ଚର୍ଚ୍ଚା କରିନି ।

ଅନେକ ଦିନ ପରେ ଗାଁକୁ ଫେରିଛି ଶିବାଶିଷ । ବ୍ୟାଗଟିଏ କାନ୍ଧରେ ପକାଇ ଚାଲି ଚାଲି ଗାଁ ଭିତରକୁ ପଶିଲା ବେଳକୁ ଗାଁ ମୁଣ୍ଡରେ ଥିବା ତାର ସେହି ପିଲାଦିନର ସ୍କୁଲ ସାମ୍ନା ଗଛ ତଳ ମଣ୍ଡପ ଉପରେ ବସିଥାନ୍ତି ରଘୁନାଥ । ଆଉ ଟିକିଏ ଦୂରରେ ଅନ୍ୟ କିଛି ଲୋକଙ୍କ ସାଙ୍ଗରେ କଥା ହେଉଥାଏ ଧରଣୀଧର । ଏତେ ଦିନ ପରେ ଗାଁକୁ ଫେରିଛି ଯେତେବେଳେ, ବାଟରେ ଯିଏ ବି ବୟସ୍କ ଗୁରୁଜନ ନଜରରେ ପଡୁଥିଲେ, ସମସ୍ତଙ୍କୁ ଜୁହାର ହେଉଥିଲା ଶିବାଶିଷ । ତେଣୁ ରଘୁନାଥଙ୍କ ପାଖକୁ ଯାଇ ତାଙ୍କୁ ବି ଜୁହାର ହେଲା । ହେଲେ ଶିବାଶିଷକୁ କିଛି କହିପାରୁନଥାନ୍ତି ସେ । କେବଳ ତା ମୁହଁକୁ ବାଲୁବାଲୁ ହୋଇ ଅନାଇ ଦେଇ ପୁଣି ମୁଣ୍ଡ ପୋତିଦେଲେ ରଘୁନାଥ ।

ଏତିକି ବେଳେ ଦୂରରୁ ଏ ସବୁ ଦେଖୁଥିବା ଧରଣୀଧର ଦୌଡ଼ି ଆସିଲା ଶିବାଶିଷ ପାଖକୁ । ଆଉ ତାକୁ ଅପ୍ରତ୍ୟାଶିତ ଭାବେ ଖୁବ୍ ଜୋରରେ କୁଣ୍ଢାଇ ଧରିଲା । ଏହି ମୁହୂର୍ତ୍ତରେ ଶିବାଶିଷକୁ ଲାଗୁଥିଲା ଯେମିତି ତାକୁ ଅଲିମ୍ପିକ୍ସରେ ଏଇ ସଙ୍ଗେ ସଙ୍ଗେ ସ୍ୱର୍ଣ୍ଣ ପଦକ ମିଳିଛି । ହେଲେ ଧରଣୀଧର କିନ୍ତୁ ନିଜ ବାପାଙ୍କ ଆଡ଼କୁ ଦେଖାଇ କହିଲା, “ତୁ ଏତେ ଶୀଘ୍ର କେମିତି ସବୁ କଥାକୁ ଭୁଲିଯାଉଛୁ ଶିବାଶିଷ । ତୋର ମନେ ନାହିଁ, ଏହି ଲୋକଟି ହିଁ ଆମ ପିଲାଦିନରୁ ଆମ ସମ୍ପର୍କରେ ବିଷ ମଞ୍ଜି ପୋତିଛି । ସେଥିପାଇଁ ତିରିଶ ବର୍ଷ ହେଲା ଆମେ ପରସ୍ପରର ମୁହଁ ଚାହିଁ ନାହାନ୍ତି । ଅଥଚ, ତୁ ଏ ଲୋକଟାକୁ ଜୁହାର ହେଉଛୁ?” ଧରଣୀଧରର ଏତକ କଥା ଶୁଣି ଖୁବ୍ ଜୋରରେ ହସିଦେଲା ଶିବାଶିଷ । କହିଲା, “ଆରେ ତୁ ଆଜି ଯାଏଁ ତୋ ବାପାଙ୍କୁ ବୁଝିପାରିଲୁନି । ସେ ତତେ ଆବଶ୍ୟକତାଠୁ ଅଧିକ ଭଲ ପାଉଥିଲେ ବୋଲି, ତୋର କୌଣସି ବିଫଳତାକୁ ଗ୍ରହଣ କରିପାରୁନଥିଲେ । ପ୍ରତିଯୋଗିତାର ଦୌଡ଼ରେ ତତେ ସବୁବେଳେ ଆଗରେ ଦେଖିବାକୁ ଚାହୁଁଥିଲେ ସେ । ଖେଳକୁଦରେ ହାରିବା ଜିତିବା ତ ଲେଖାଅଛି । କିନ୍ତୁ ସେ ତୋତେ କେବେ ହାରିବା ଦେଖିବାକୁ ଚାହୁଁନଥିଲେ । ସେଥିପାଇଁ ତୋ ସମର୍ଥନରେ ସେ ଅନ୍ଧ ଭାବେ ଭୁଲ୍ କାମ ବି କରିଦେଉଥିଲେ । ତେଣୁ ଏଥିରେ ତାଙ୍କର ବା କି ଦୋଷ? ପୁଅ ମୋହରେ ସେ ଏଭଳି କରୁଥିଲେ । ସେଥିପାଇଁ ତାଙ୍କ ଉପରେ ତୁ ରାଗିବା ବା ତାଙ୍କୁ ଅସମ୍ମାନିତ କରିବାର କଣ କିଛି ମାନେ ଅଛି? ସେ ତୋ ବାପା । ତୋର କେବେ ଅମଙ୍ଗଳ ପାଞ୍ଚି ନାହାନ୍ତି ସେ ।” ଏତକ କଥା ଶୁଣିବା ପରେ, ବାପାଙ୍କ ସାମ୍ନାରେ ମୁଣ୍ଡ ନୁଆଁଇ କ୍ଷମା ମାଗିବା ଭଙ୍ଗିରେ ଠିଆ ହୋଇଥାଏ ଧରଣୀଧର । ରଘୁନାଥଙ୍କୁ ମନେ ହେଉଥିଲା, ସତେ ଯେମିତି ଅନେକ ଦିନରୁ ହଜେଇ ଦେଇଥିବା ପୁଅକୁ ସେ ଫେରି ପାଇଛନ୍ତି । ଏଥିପାଇଁ ସେ ଶିବାଶିଷକୁ କୃତଜ୍ଞତା ଜଣାଇବାକୁ ଚାହୁଁଥିଲେ ବି ଆତ୍ମଗ୍ଳାନିର ବୋଝ ତାଙ୍କ ଉପରେ ଏତେ ଲଦି ହୋଇଯାଇଥିଲା ଯେ, ସେ ମୁହଁ ଉଠାଇ ତା ମୁହଁକୁ ଅନାଇ ପାରୁନଥିଲେ ।

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ଫୋନ୍- ୯୯୩୭୨୫୨୪୬