କବିତା : ମାଟିର ମହକ

ବନଜା ପ୍ରଧାନ

ବୀର ପ୍ରସବିନୀ ଏଇ ମାଟି
ଆଉ ତା ମହକ
ପ୍ରାଣେ ପ୍ରାଣେ ଭରିଛ
ସେ ଅଜଣା ପୁଲକ।

ବୀର ସନ୍ତାନର କୀର୍ତ୍ତିରାଜି
କୋଣେ ଅନୁକୋଣେ
ହିଂସାରେ ଅହିଂସାର ସନ୍ଥ
ପ୍ରାଣବଳି ଦିଏ
କଣ୍ଠୁ ତାର ‘ହେ ରାମ’ ଝରୁଥାଏ।

ପ୍ରତି କଣିକାରେ ଅଜଣା ପୁଲକ।
ଧର୍ମ ତରାଜୁର ଭାରି ପାଇଁ
ସମୟ ବି କୁରୁକ୍ଷେତ୍ରେ
ତ୍ରସ୍ତ କିଛି କ୍ଷଣ ପାଇଁ।
ବ୍ୟଥା ଆଉ ବେଦନାର
ପରିଶେଷେ

ମୃତ୍ୟୁ ବି ଶଙ୍କିଯାଏ
ଶରଶଯ୍ୟା ପାଶେ।
ଧର୍ମର ଜୟକାର କରି
ଇଚ୍ଛା ମୃତ୍ୟୁ ନିଏ ସେ ଆବୋରି।

ରକ୍ତହୋରି ଖେଳେ
ଚଣ୍ଡାଶୋକ ଦୟାର ତଟରେ
ଧର୍ମାଶୋକ ହୋଇ ପୁଣି
ଶାନ୍ତି ରେଣୁ ବୁଣି ପାରେ
ସାରା ସଂସାରରେ।

ଏ ମାଟିର ଭିକ୍ଷୁକ ସନ୍ନ୍ୟାସ
ବଦଳାଇ ପାରେ ପରା
ଜୀବନର ଇତିହାସ।
ଭଗତ ଉଦ୍ଦାମ ପୁଣି ଖୁଦିରାମ
ଆଉ ବାଜିଆର ଗୁଣ
ପୁଲୱାମା ମାଟିରେ
ବୀର ସନ୍ତାନର ବଳିଦାନ।

ଆକୁମାରୀ ହିମାଚଳ
ଗଗନେ ପବନେ
ବୀରପୁତ୍ର ବୀର ଗାଥା
ପ୍ରତି ପ୍ରାଣେ ପ୍ରାଣେ।
ଇତିହାସ ସାକ୍ଷୀ
ବୀରପ୍ରସୁ ଏଇ ମାଟି
ଦେବଭୂମି ଏଇ ମାଟି
ଆଉ ତା କୋଳେ
ସହିଦର ଚିତାଭସ୍ମ
ଶାନ୍ତି ଲଭେ ମହୋଦଧି ଜଳେ।

କୀର୍ତ୍ତିରେ ତା ଉଷା ରାଣୀ
ଅରୁଣିମା ବୁଣେ
ବିଶ୍ଵ ଦରବାର ଏଣୁ
ଏ ମାଟିକୁ ତୀର୍ଥଭୂମି ମଣେ।

ଆଇ ଆର୍ ସି ଭିଲେଜ୍
ଭୂବନେଶ୍ୱର