Latest Odisha News

BREAKING NEWS

ସମର୍ପିତ କଳାପ୍ରାଣ : ପଟ୍ଟଚିତ୍ର ଶିଳ୍ପୀ ନରହରି ଭୋଇ

କଳା ଓ କାରିଗରୀକୁ ନେଇ ପ୍ରିୟରଂଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା କଳା କାରିଗରୀ

ସୁଲଳିତ କଣ୍ଠରେ ଗାନ ଚାଲିଥିବ ଗୀତଗୋବିନ୍ଦର ଗୋଟିଏ ପରେ ଗୋଟିଏ ଶ୍ଳୋକ, ଏପଟେ ଶିଳ୍ପୀଙ୍କ ତୂଳୀ ଛୁଆଁରେ ଜୀବନ୍ୟାସ ପାଇ ଚିତ୍ରପଟ୍ଟି ଉପରେ ଉଙ୍କିମାରୁଥିବେ ଆମ ପୁରାଣ ପୃଷ୍ଠାର ଏକ ପରେ ଏକ ଚରିତ୍ର । ସମଗ୍ର ପରିବେଶ ଯେମିତି ପ୍ରଭୁମୟ । ସରଳିଆ ମଣିଷର ନିରଳଷ ଜୀବନ । ସବୁବେଳେ ହସହସ ତାଙ୍କ ମୁହଁରୁ ବାହରୁଥିବା ଶବ୍ଦରେ କି ଯାଦୁ ଥାଏ କେଜାଣି ପରକୁ ବି ଆପଣାର କରିନିଏ । ସେହିପରି ଜଣେ ନିଆରା ସାଧକ ହେଉଛନ୍ତି ବାଲିପାଟଣା ଗଣ୍ଡିଲୋ ଗାଁର ବରିଷ୍ଠ ପଟ୍ଟଚିତ୍ର ଶିଳ୍ପୀଗୁରୁ ନରହରି ଭୋଇ । ଏକାଧିକ ପ୍ରତିଭାର ଅଧିକାରୀ ଶ୍ରୀ ଭୋଇ ଏକାଧରରେ ଜଣେ ପାରଂପରିକ ଚିତ୍ରକର, ନୃତ୍ୟଶିଳ୍ପୀ ଓ ସୁଗାୟକ ମଧ୍ୟ ।

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାର ନିକଟବର୍ତ୍ତୀ ନିପଟ ମଫସଲ ଗାଁ ଗଣ୍ଡିଲୋ । ଏହି ଗାଁର ଏକ ଗରିବ ପରିବାରରେ ପିତା ଧୋବେଇ ଭୋଇ ଓ ମାତାସୀତା ଦେବୀ ଙ୍କ ଠାରୁ ୧୯୫୩ ମସିହାରେ ନରହରି ଭୋଇ ଙ୍କ ଜନ୍ମ । ପିଲାଟି ବେଳୁ ସେ ବହୁ ଅଭାବ ଅନାଟନର ସମ୍ମୁଖୀନ ହୋଇ ଆସିଛନ୍ତି । ଫଳରେ ପ୍ରାଥମିକ ଶିକ୍ଷା ପରେ ସେ ସ୍କୁଲ ଛାଡି ପରିବାରର ଗୁଜୁରାଣ ମେଣ୍ଟାଇବାରେ ଲାଗି ପଡିଥିଲେ । ପିଲାଟି ବେଳେ ତାଙ୍କର ଅନ୍ତର୍ନିହିତ ପ୍ରତିଭାକୁ ଦେଖି ପଟ୍ଟଚିତ୍ର ଗୁରୁ ଗୋକୁଳବିହାରୀ ପଟ୍ଟନାୟକତାଙ୍କୁ ଆଦରି ନେଇଥିଲେ । ପାଖରେ ରଖି ପଟ୍ଟଚିତ୍ର ଶିକ୍ଷା ଦେଇଥିଲେ । ୮ବର୍ଷ ଧରି ତାଲିମ ନେବା ପରେ ଶ୍ରୀ ଭୋଇ ଓଡିଶା ସରକାରଙ୍କ ଖଦି ଓ ଗ୍ରାମୋଦ୍ୟୋଗ ବିଭାଗ ଦ୍ୱାରା ପରିଚାଳିତ ଦୁଇବର୍ଷିଆ ପଟ୍ଟଚିତ୍ର ହସ୍ତକଳାର ତାଲିମ ନେଇଥିଲେ । ପରେ ନିଜ ଅଞ୍ଚଳରେ ରହିଗୁରୁ ପ୍ରଦୀପ ସେନାପତିଙ୍କଠାରୁ ଏ ବାବଦରେ ଅଧିକ ଶିକ୍ଷାଗ୍ରହଣ କରିଥିଲେ । ଜନ୍ମମାଟି ମୋହ, ପିତାମାତା ସ୍ନେହ ଓ ଆର୍ଥିକ ପରିସ୍ଥିତି ତାଙ୍କୁ ବାହାରକୁ ଯିବାକୁ ସୁଯୋଗ ଦେଇନଥିଲା ସତ ହେଲେ ପଙ୍କରୁ ପଦ୍ମ ଫୁଟିଲା ପରି ସେ ଉଭା ହୋଇଥିଲେ । ରାଜ୍ୟ ତଥା ରାଜ୍ୟ ବହାରେ ପଟ୍ଟଚିତ୍ର ଆଙ୍କି ନରହରି ବେଶ୍ ନାଁ କମାଇ ପାରିଛନ୍ତି । ଆଉଏବେ ଏକ ଭଡାଘରେ ବିନା ପାରିଶ୍ରମିକରେ ନିଜ ଅଞ୍ଚଳର ପିଲାଙ୍କୁ ପଟ୍ଟଚିତ୍ର ଶିକ୍ଷା ଦେଉଛନ୍ତି ।

ଗୀତଗୋବିନ୍ଦର ରଚୟିତା ଜୟଦେବ ହେଉଛନ୍ତି, ଗୁରୁଶ୍ରୀ ନରହରି ଭୋଇଙ୍କର ଆଦର୍ଶ । ପ୍ରଭୁ ଜଗନ୍ନାଥ ହେଉଛନ୍ତି ତାଙ୍କର ଇଷ୍ଟ ଦେବ । ଜୟଦେବଙ୍କ ଗୀତା ଗୋବିନ୍ଦର ଗୋଟିଏ ପଙକ୍ତି ଶୁଣିଲେ ତାଙ୍କ ଲେଖନୀ ଚଳଚଞ୍ଚଳ ହୋଇଉଠେ । ଖାଲି ସେତିକି ନୁହେଁ, ରାମାୟଣ, ମହାଭାରତର ଗୀତିକଥା ଶୁଣିବା ପରେସେ ପଟ୍ଟଚିତ୍ର ଆଙ୍କିବା ଆରମ୍ଭକରନ୍ତି । ଏଥିରୁ ସେ ଆଙ୍କି ଚାଲନ୍ତି ଦଶାବତାର, ଶ୍ରୀକୃଷ୍ଣ ରାମଲୀଳା, ବସନ୍ତରାସ, ଶ୍ରୀକୃଷ୍ଣଙ୍କ ବସ୍ତ୍ରହରଣ, କାଳୀୟ ଦନନ, ନାଗାର୍ଜୁନ ବେଶ, ସୁନାବେଶ, ରାଜାରାଜେଶ୍ୱର ବେଶ ଆଦି ଅନେକଚିତ୍ର । ତାଙ୍କ ଅଙ୍କିତ ପଟ୍ଟଚିତ୍ର ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ କର୍ମଶାଳା ଓ ଅନୁଷ୍ଠାନରେସ୍ଥାନ ପାଇ ଉଚ୍ଚ ପ୍ରଶଂସିତ ବି ହୋଇଛି । କିଛି ବର୍ଷ ତଳେ ସେ ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍‌ଙ୍କ ଗାଁରେ ଦୁଇସପ୍ତାହ ଧରି ଅନୁଷ୍ଠିତ ପଟ୍ଟଚିତ୍ର କର୍ମଶାଳାରେ ଭାଗ ନେଇ ସମସ୍ତଙ୍କ ପ୍ରଶଂସାର ପାତ୍ରହୋଇ ପାରିଥିଲେ । ଏତେ ସବୁ ସତ୍ତ୍ୱେ ସେ କେବେ ନିଜକୁ ବଡ ବୋଲି ଗର୍ବ କରିନାହାଁନ୍ତି । ଆଜିବି ନିଜ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ପଟ୍ଟଚିତ୍ର ଶିକ୍ଷାଦେଇ ଏହି ନିଆରା କଳାକୁ ବଞ୍ଚାଇ ରଖିବାର ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ତାଙ୍କଠାରୁ ଶିକ୍ଷାପ୍ରାପ୍ତ ଅନେକ ଛାତ୍ରଛାତ୍ରୀ ଆଜି ବହୁ ପ୍ରତିଷ୍ଠିତ ଅନୁଷ୍ଠାନରେ କାମ କରୁଛନ୍ତି ।

ଶିଳ୍ପୀ ନରହରି ନିଜ ଜୀବଦଶା ମଧ୍ୟରେ କେବେ ବି ପୁରସ୍କାର ଓ ସମ୍ମାନ ପ୍ରତି ଲାଳାୟିତ ହୋଇ ନାହାନ୍ତି, ବରଂ ତାଙ୍କର ଶିଷ୍ୟ ଓ ଶିଷ୍ୟାଗଣ କିପରି ସୁନାମ ଅର୍ଜନ କରିବେ ସେଥିପାଇଁ ତାଙ୍କର ଉଦ୍ୟମ ବେଶ ପ୍ରଂଶସନୀୟ । ତାଙ୍କର ପ୍ରିୟଛାତ୍ର ଦ୍ୱିଜବର ଦାସ ଗତ ୨୦୧୨- ୧୩ ମସିହା ପାଇଁ ପଟ୍ଟଚିତ୍ରରେ ନ୍ୟାସନାଲ ମେରିଟ ପୁରସ୍କାର ପାଇଥିବାରୁ ବେଶ ଖୁସି ବ୍ୟକ୍ତ କରନ୍ତି ନରହରି । ଓଡିଶାର କଳା, ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ସରକାର ଆପ୍ରାଣ ଉଦ୍ୟମ କରୁଥିବା ଡିଣ୍ଡିମ ପିଟୁଛନ୍ତି । ହେଲେ ଏପରି ଏକ ପୁରାତନ କଳାକୁ ବଞ୍ଚାଇ ରଖିଥିବା ବରିଷ୍ଠ ଶିଳ୍ପୀଙ୍କୁ ସରକାର ଅଣଦେଖା କରୁଥିବାରୁ ଶିଳ୍ପୀ ନରହରିଙ୍କ ମନରେ ଅନେକ କ୍ଷୋଭ । ଗତ ୨୦୧୫ ମସିହା ପାଇଁ ରାଜ୍ୟ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ପାଇଁ କାର୍ଯ୍ୟ କରୁଥିବା ଓଡିଶା ଶିଳ୍ପୀ ମହାସଂଘ ପଟ୍ଟଚିତ୍ର ଶିଳ୍ପୀ ନରହରି ଶିଳ୍ପୀଶ୍ରୀ ସମ୍ମାନରେ ସମ୍ମାନିତ କରିଛି ।

ସଂପାଦକ,ଓଡିଶା ଶିଳ୍ପୀ ମହାସଂଘ, ମୋ- ୯୩୩୮୪୬୪୭୧୯

Leave A Reply

Your email address will not be published.