ଦୁର୍ଗା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ଗୋବିନ୍ଦ ବଲ୍ଲଭ ବାବୁ ଚାକିରିରୁ ଅବସର ନେବାର ପ୍ରାୟ ବାର ବର୍ଷ ହୋଇଗଲାଣି । ଏହାରି ଭିତରେ ଜୀବନ ତମାମ ସମ୍ପୂର୍ଣ୍ଣ ସକ୍ରିୟ ଓ ଚଳଚଞ୍ଚଳ ଥିବା ଗୋବିନ୍ଦ ବଲ୍ଲଭ, ଏବେ କେତେବର୍ଷ ହେଲା ଟିକିଏ ମାନ୍ଦା ହୋଇଯାଇଛନ୍ତି । ମୋଟା ମୋଟି କହିବାକୁ ଗଲେ, ସେ ମାନସିକ ସ୍ତରରେ ଜଣେ ଉଡ଼ନ୍ତା ପକ୍ଷୀ । ତାଙ୍କ ମନ ସବୁବେଳେ କହୁଥାଏ, ଦୁନିଆର କୋଣ ଅନୁକୋଣ ବୁଲି ଲୋକମାନଙ୍କ ସହିତ ଭେଟିବା, ସେମାନଙ୍କ ସମ୍ପର୍କରେ ଜାଣିବା ଏବଂ ସେମାନଙ୍କ ସୁଖଦୁଃଖରେ ସମଭାଗୀ ହେବା । ଏମିତି ଏକ ଆଦର୍ଶକୁ ନେଇ ବଞ୍ଚିଛନ୍ତି ସେ । ସାମ୍ନାରେ ଥିବା ଲୋକଟି ଯଦି ଦୁଃଖୀ, ତା’ହେଲେ ଗୋବିନ୍ଦ ବଲ୍ଲଭ ଯେତେ ଖୁସିରେ ଥାଆନ୍ତୁ ନା କାହିଁକି, ସେ ସଙ୍ଗେ ସଙ୍ଗେ ଦୁଃଖୀ ହୋଇ ଯାଆନ୍ତି । ଅନ୍ୟର କଷ୍ଟ ଦେଖିଲେ ସହି ପାରନ୍ତି ନାହିଁ । ତେଣୁ ସବୁବେଳେ ଯତ୍ପରୋନାସ୍ତି ସେ ଚେଷ୍ଟା କରନ୍ତି, କେମିତି ଅସୁବିଧାରେ ଥିବା ଲୋକଟି ପାଖରେ ପହଞ୍ଚିବେ ଏବଂ ତାକୁ ସାହାଯ୍ୟ ସହଯୋଗ କରିବେ । ସେଥିରେ ହିଁ ତାଙ୍କୁ ସ୍ୱର୍ଗୀୟ ଆନନ୍ଦ ମିଳେ ।

କିଛି ଦିନ ତଳେ ଗୋବିନ୍ଦ ବଲ୍ଲଭ ହଠାତ୍ ଅସୁସ୍ଥ ହୋଇ ଯାଇଥିଲେ । କିନ୍ତୁ ତାଙ୍କ ଅସୁସ୍ଥତା ସମ୍ପର୍କରେ କାହା ପାଖରେ ଖବର ନଥିଲା । କାରଣ ଯେତେ ଅସୁବିଧାରେ ଥିଲେ ବି, ସେ କେବେ ନିଜେ ମୁହଁ ଖୋଲି କିଛି କହନ୍ତି ନାହିଁ । ପୂରା ଦୁନିଆର ସୁଖ ଶାନ୍ତି କଥା ଚିନ୍ତା କରୁଥିବା ମଣିଷଟା, ନିଜ ବେଳକୁ କଥା ଆସିଲେ ସମ୍ପୂର୍ଣ୍ଣ ବେଖିଆଲ ମନୋଭାବ । ପୁଅମାନେ ଘରଠୁ ଢେର ଦୂରରେ ରହୁଛନ୍ତି ନିଜ ଜୀବନ ଜୀବିକା ଯୋଗାଡ଼ ପାଇଁ । ତେଣୁ ଅତ୍ୟାବଶ୍ୟକ ସମୟରେ ବି ସେମାନେ ବାପା ମାଆଙ୍କ ପାଖରେ ହାଜର ହୋଇ ପାରୁନାହାନ୍ତି । ଏମିତି ସ୍ଥଳେ ଗୋବିନ୍ଦ ବଲ୍ଲଭଙ୍କୁ ନେଇ ଡାକ୍ତରଖାନାରେ ପହଞ୍ଚିଲେ ତାଙ୍କ ଝିଅ ଦୁର୍ଗା ।

ମେଡିକାଲ କଲେଜର ମେଡିସିନ୍ ବିଭାଗରେ ପହଞ୍ଚିବା କ୍ଷଣି ବହିର୍ବିଭାଗରେ ଥିବା ଦୁଇ ଜଣ ଡାକ୍ତର ଚିକିତ୍ସା କରିବା ପୂର୍ବରୁ ପ୍ରଥମେ ଆସି ଦୁର୍ଗାଙ୍କୁ ପାଦଛୁଇଁ ମୁଣ୍ଡିଆ ମାରିଲେ । ତା ପରେ ଦୁର୍ଗା ନିଜ ବାପାଙ୍କୁ ନେଇ ଆସିଥିବା କଥା ଶୁଣିବା ପରେ, ଗୋବିନ୍ଦ ବଲ୍ଲଭଙ୍କୁ ବି ଜୁହାର ହେଲେ ଉଭୟ ଯୁବ ଡାକ୍ତର । ତା ପରେ ଦୁର୍ଗାଙ୍କୁ ଆଉ କିଛି କରିବାକୁ ପଡ଼ିନି । ତାଙ୍କର ଦୁଇ ଜୁନିଅର ସେହି ଯୁବ ଡାକ୍ତର ଦୁଇଜଣ ଗୋବିନ୍ଦ ବଲ୍ଲଭଙ୍କ ସମସ୍ତ ଯତ୍ନ ଅତ୍ୟନ୍ତ ନିଷ୍ଠାର ସହିତ ନେଲେ ।

ଏ ସବୁ ଦୃଶ୍ୟ ଦେଖିଲା ପରେ ନିଜକୁ ନିଜେ ବିଶ୍ୱାସ କରି ପାରୁନଥାନ୍ତି ଗୋବିନ୍ଦ ବଲ୍ଲଭ । ଉତ୍କଣ୍ଠାର ସହିତ ସେ ଉଭୟଙ୍କୁ ପଚାରି ଦେଲେ, ବାବୁ .. ଆପଣମାନେ ମୋ ଦୁର୍ଗାକୁ କେମିତି ଜାଣିଲେ ? ଉଭୟ ଡାକ୍ତର ହସି ହସି ଉତ୍ତର ଦେଲେ, ସେ ଆମର ଅପା । ଆମ ସ୍କୁଲ ସିନିଅର । ଆମଠୁ ଦଶ ବର୍ଷ ସିନିଅର । ଆମ ସ୍କୁଲର ପୂରାତନ ଛାତ୍ର ସଂସଦର ସେ ଜଣେ ସକ୍ରିୟ ସଦସ୍ୟା । ଖାଲି ସେତିକି ନୁହେଁ, ଆମ ସ୍କୁଲରୁ ପାସ୍ ହେଉଥିବା ଅତ୍ୟନ୍ତ ଗରିବ ପିଲାମାନଙ୍କ ଉଚ୍ଚତର ଶିକ୍ଷାରେ ଅପାଙ୍କ ଭଳି ଅନ୍ୟ ସିନିଅରମାନେ ଢେର ସହଯୋଗ କରୁଛନ୍ତି । ଗୋବିନ୍ଦ ବଲ୍ଲଭ ବାବୁ ଖୁସି ହୋଇଗଲେ । କହିଲେ, ହଉ ହଉ ବାବା .. ବହୁତ ଖୁସି ଲାଗିଲା । ଈଶ୍ୱର ଆପଣମାନଙ୍କ ମଙ୍ଗଳ କରନ୍ତୁ । ପରାମର୍ଶ ଅନୁସାରେ ଗୋବିନ୍ଦବଲ୍ଲଭଙ୍କୁ ମଝିରେ ମଝିରେ ନିଜ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ ଯିବାକୁ ପଡ଼ିବ । ଠିକ୍ ଅଛି ଏଥିରେ ଅସୁବିଧା କଣ ? ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଦେଲେ ଭଲ ।

ଝିଅ ସହିତ ପୁଣି ଘରକୁ ଫେରୁଥାନ୍ତି ଗୋବିନ୍ଦ ବଲ୍ଲଭ । ବାଟରେ ଝିଅ ଯାହା କହିଲେ ବି ସେଥିପ୍ରତି ତାଙ୍କ ନଜର ନାହିଁ । ତାଙ୍କ ମୁଣ୍ଡରେ କେବଳ ଗୋଟିଏ କଥା କାମ କରୁଛି । ଡାକ୍ତରଖାନାରେ ତାଙ୍କୁ ଆଜି ମିଳିଥିବା ସ୍ୱତନ୍ତ୍ର ସୁବିଧା ତାଙ୍କ ଭଳି ଜଣେ ଗାଁଲୋକ ପାଇଁ କଣ ପ୍ରକୃତରେ ସମ୍ଭବ ? ନା .. କଦାପି ନୁହେଁ ବରଂ ଏହା ସମ୍ଭବ ହୋଇପାରିଛି ତାଙ୍କ ଝିଅ ଦୁର୍ଗା ପାଇଁ । ଦୁର୍ଗା ହେଉଛି ଗୋବିନ୍ଦ ବଲ୍ଲଭଙ୍କ ଗାଁର ପ୍ରଥମ ସ୍ନାତକ, ସ୍ନାତକୋତ୍ତର ସବୁକିଛି । ପାଖାପାଖି ପଚିଶ ବର୍ଷ ତଳେ ଯେତେବେଳେ ଦୁର୍ଗା ମାଟ୍ରିକ୍ ପାସ୍ କଲା, ସେତେବେଳେ ଗାଁର ପ୍ରାୟ ଅଧିକାଂଶ ଲୋକ ଖୁସି ହୋଇଥିଲେ। ଗାଁରେ ହାଇସ୍କୁଲ ସୁବିଧା ନଥିବା ସତ୍ତ୍ୱେ ଗୋବିନ୍ଦ ବଲ୍ଲଭ ନିଜ ଝିଅକୁ ବାହାରେ ରଖି ପାଠ ପଢ଼ାଇଥିବାରୁ ସମସ୍ତେ ଆନନ୍ଦିତ ଥିଲେ ।

ଏତିକି ବେଳେ ଗାଁର ଦୁଇ ଜଣ ବୟୋଜ୍ୟେଷ୍ଠ ବ୍ୟକ୍ତି ଗୋବିନ୍ଦବଲ୍ଲଭଙ୍କୁ ଗୋଟିଏ କୋଣକୁ ଡାକି କହିଲେ, ଝିଅ ତ ପର ଘରକୁ ଯିବ । ମାଟ୍ରିକ୍ ତ ପାସ୍ କରିଗଲା । ତାକୁ ଆଉ ଆଗକୁ ପଢ଼େଇବା କଣ ନିହାତି ଦରକାର ? ଦେଖନ୍ତୁ .. ଝିଅ ଅଧିକରୁ ଅଧିକ ପାଠ ପଢ଼ି ବାପାର ଅର୍ଥଶ୍ରାଦ୍ଧ କରିବା ବ୍ୟତୀତ ଆଉ କିଛି କରିପାରିବ? ଶେଷରେ ପାଠ ସବୁ ସାରି ହାଣ୍ଡି ଚୁଲି ଧରିବା ବ୍ୟତୀତ ଆଉ କିଛି ନାହିଁ ।

ଏଭଳି କଥା ଶୁଣିବା ପରେ ଗୋବିନ୍ଦବଲ୍ଲଭ ରୋକଠୋକ୍ ଜବାବ ଦେଲେ ଯେ, ମୋ ଦୁର୍ଗା ପଢ଼ିବ । ଅଲବତ୍ ପଢ଼ିବ । ତେଣିକି ଏଥିପାଇଁ ମୋତେ ଓ ମୋ ପରିବାରକୁ ଯାହା ବି ମୂଲ୍ୟ ଦେବାକୁ ପଡ଼େ, ସେଥିପାଇଁ ମୁଁ ପ୍ରସ୍ତୁତ ଅଛି । ଗୋବିନ୍ଦବଲ୍ଲଭ ଗାଁ ଲୋକଙ୍କ ଏହି କଥାକୁ ନିଜ ସ୍ତ୍ରୀ ଓ ବୁଢ଼ୀ ମାଆକୁ ଶୁଣାଇ ଦେଲେ । ତେବେ ତାଙ୍କ ସ୍ତ୍ରୀ କିଛି କହିବା ପୂର୍ବରୁ ବୁଢ଼ୀ ମାଆ କହିଲେ, ମୁଁ ବଞ୍ଚିଥିବା ଯାଏଁ ଦୁର୍ଗାର ପାଠପଢ଼ା କେହି ବନ୍ଦ କରିପାରିବେ ନାହିଁ । ସତକୁ ସତ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଡିଗ୍ରୀରେ ଦୁର୍ଗା ସ୍ୱର୍ଣ୍ଣ ପଦକ ହାସଲ କଲାବେଳେ ସେଦିନ ସବୁଠୁ ଅଧିକ ଖୁସି ହୋଇଥିଲେ ତାର ଜେଜେମା । ପ୍ରଗତିଶୀଳ ଚିନ୍ତାଧାରାର ନିରକ୍ଷର ଜେଜେମା କେବଳ ଗୋଟିଏ କଥା କହୁଥିଲେ, ମୋ ପାଇଁ ପାଠପଢ଼ାର ସୁବିଧା ନଥିଲା । ସେଥିପାଇଁ ମୁଁ ପାଠ ପଢ଼ି ପାରିନଥିଲି । କିନ୍ତୁ ମୁଁ ମୂର୍ଖ ନୁହେଁ । ହୁଏତ ମୁଁ ନିରକ୍ଷର ହୋଇପାରେ । ତେଣୁ ମୁଁ ଚାହିଁବି ଯେ ଏ ଗାଁରେ ଜନ୍ମ ନେଉଥିବା ସବୁ ଝିଅ ନିଶ୍ଚୟ ପାଠ ପଢ଼ନ୍ତୁ । ସେମାନେ ପଢ଼ିଲେ ହିଁ ଦୁନିଆକୁ ସାମ୍ନା କରିପାରିବେ ।

ଦୁର୍ଗା ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଏବେ ଜଣେ ସରକାରୀ ଅଧିକାରୀ । ଅନେକ ଘାତ ପ୍ରତିଘାତ ସାଙ୍ଗକୁ ବିଭିନ୍ନ କ୍ଷେତ୍ରରୁ ଅସହଯୋଗ ଓ ପ୍ରତିକୂଳ ପରିସ୍ଥିତିରେ ଦୁର୍ଗ ଭଳି ସୁଦୃଢ଼ ହୋଇଛି ଦୁର୍ଗାର ମାନସିକ ବଳ । ସତକୁ ସତ ଏବଂ ମିଛକୁ ମିଛ ବୋଲି କହିବାରେ କେବେ କୁଣ୍ଠାବୋଧ କରିନି ସେ । ସେଥିପାଇଁ ଅଧିକାଂଶ ସମୟରେ ତାକୁ ଗାତ୍ରଦାହର ଶିକାର ହେବାକୁ ପଡ଼ିଛି । ତଥାପି ନିଜ କାମଠୁ କେବେ ଦୂରେଇ ଯାଇନି ସେ । ଦୁର୍ଗାକୁ ଦେଖି ଏବେ ଗାଁର ଅନ୍ୟ ଝିଅମାନେ ବି ପାଠ ପଢ଼ିଲେଣି ଏବଂ କଲେଜ ତଥା ୟୁନିଭରସିଟି ଯାଏଁ ଗଲେଣି । ଖାଲି ସେତିକି ନୁହେଁ, ପାଠ ପଢ଼ା ସରିବା ପରେ ନିଜେ ନିଜର କର୍ମସଂସ୍ଥାନ ପାଇଁ ବି ପ୍ରୟାସ ଜାରି ରଖିଛନ୍ତି । ଏକଦା ଦୁର୍ଗାର ପାଠ ପଢ଼ା ବନ୍ଦ କରିବା ପାଇଁ ପରାମର୍ଶ ଦେଉଥିବା ଗାଁ ଭଦ୍ରଲୋକ, ଏବେ ନିଜ ଝିଅକୁ ପାଠ ପଢ଼ିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି।

ଏ ସବୁ କଥା କୌଣସି ଏକ ପୁରୁଣା ଚଳଚ୍ଚିତ୍ରର ଦୃଶ୍ୟ ଭଳି ନାଚି ଯାଉଥିଲା ଗୋବିନ୍ଦ ବଲ୍ଲଭଙ୍କ ଆଖି ସାମ୍ନାରେ । ଏତେ କଥା ଭାବୁ ଭାବୁ କେତେବେଳେ ସେ ଘରେ ପହଞ୍ଚି ଯାଇଥିଲେ, ସେ କଥା ଜଣାପଡ଼ିଲାନି। ଘରେ ବାପାଙ୍କୁ ଛାଡ଼ିଦେଇ ପୁଣି ଥରେ ଅଫିସ୍ କାମରେ ଫେରିଯାଇଥିଲା ଦୁର୍ଗା । ଏତିକି ବେଳେ ଏଇ କିଛି ବର୍ଷ ହେଲା ଦେବୀଙ୍କ ମୃଣ୍ମୟୀ ପ୍ରତିମା ପ୍ରତିଷ୍ଠା କରି ପୂଜା ଆୟୋଜନ କରୁଥିବା ଗାଁର ପିଲାମାନେ ଆସିଥିଲେ ଗୋବିନ୍ଦବଲ୍ଲଭଙ୍କୁ ଡାକି ନେବା ପାଇଁ। ପୂଜା ମଣ୍ଡପ ପାଖରେ ସବୁଦିନ ସନ୍ଧ୍ୟାରେ ଚାଲିଛି ଶାସ୍ତ୍ରଚର୍ଚ୍ଚା । ଆଜି ଗୋବିନ୍ଦବଲ୍ଲଭ ଏହି ଅବସରରେ କିଛି କହିବେ ।

ଦେବୀ ଓ ମାତୃଶକ୍ତି ଉପରେ ଅନେକ ସମୟ କହିବା ପରେ, ଶେଷରେ ଗୋବିନ୍ଦବଲ୍ଲଭ କହିଲେ, ଆମର ସବୁ ପୂଜା, ଆରାଧନା, ହୋମ, ଯଜ୍ଞ ସବୁକିଛି ନିଷ୍ଫଳ ହୋଇଯିବ, ଯଦି ଆମେ ଆମ ଝିଅମାନଙ୍କୁ ଦେବୀ ଦୁର୍ଗାଙ୍କ ଭଳି ସଶକ୍ତ କରିପାରିବା ନାହିଁ । ଯଦି ସେମାନଙ୍କ ସ୍ୱପ୍ନରେ ପର ଲଗାଇ ସେମାନଙ୍କୁ ଉଡ଼ିବାରେ ସହାୟକ ହୋଇପାରିବା ନାହିଁ, ତାହେଲେ ଆମର ଏ ସବୁ ଆୟୋଜନ ନିଷ୍ପଳ ହୋଇଯିବ ।

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ.
ଫୋନ୍- ୯୯୩୭୨୫୨୪୬୪