Latest Odisha News

BREAKING NEWS

ସତର୍କତାକୁ ଆହୁରି କଡ଼ାକଡ଼ି କରାଯିବ, ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ: ଇସିଆଇ

ଭୁବନେଶ୍ୱର: ନିର୍ବାଚନ ଆଦର୍ଶ ଆଚରଣ ବିଧି (ଏମସିସି) ଲାଗୁ ହେବାର ଏକ ମାସ ପୂରଣ ହୋଇଛି । ଏହି କ୍ରମରେ ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଏମସିସି ଲାଗୁ ହେବାର ପ୍ରଥମ ଏକ ମାସ ମଧ୍ୟରେ ଗ୍ରହଣ ଯାଇଥିବା ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନର କିଛି ବିବରଣୀ ସାର୍ବଜନୀନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ଆୟୋଜନରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାର ବ୍ୟାପକ ଉଦ୍ଦେଶ୍ୟ ନେଇ ତଥ୍ୟ ପ୍ରଦାନ କରିବା ଲାଗି ଏପରି ନିଷ୍ପତ୍ତି ନିଆଯାଇଛି ।

ଆଦର୍ଶ ଆଚରଣ ବିଧି ଲାଗୁ ହେବାର ଏକ ମାସ ପୂରିଥିବା ବେଳେ ଭାରତୀୟ ନିର୍ବାଚନ ଆୟୋଗ ରାଜନୈତିକ ଦଳଗୁଡ଼ିକର ଏହି ଏମସିସି ପାଳନକୁ ନେଇ ବ୍ୟାପକ ଭାବେ ସନ୍ତୁଷ୍ଟ ଅଛନ୍ତି ଏବଂ ବିଭିନ୍ନ ଦଳ ଓ ପ୍ରାର୍ଥୀଙ୍କ ପ୍ରଚାର ମୁଖ୍ୟତଃ ବିଶୃଙ୍ଖଳାମୁକ୍ତ ରହିଛି। ଏଥିସହିତ କେତେକ ବିଶୃଙ୍ଖଳିତ ଘଟଣା ଉପରେ କଡ଼ା ନଜର ରଖିବା ସହ କିଛି ନିର୍ଦ୍ଦିଷ୍ଟ ପ୍ରାର୍ଥୀ, ନେତା ଓ କାର୍ଯ୍ୟକଳାପ ଉପରେ ପୂର୍ବାପେକ୍ଷା ଅଧିକ ନଜର ରଖିବାକୁ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ମହିଳାଙ୍କ ବିରୋଧରେ ଅପମାନଜନକ ଓ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଦଳର ନେତାମାନଙ୍କୁ ନୋଟିସ୍ ଜାରି କରି ଆୟୋଗ ମହିଳାଙ୍କ ସମ୍ମାନ ଓ ଗାରିମା ପ୍ରସଙ୍ଗରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଦଳୀୟ ନେତା ଓ ପ୍ରଚାରକମାନେ ଯେପରି ଏଭଳି ଅପମାନଜନକ ଓ ସମ୍ମାନହାନି କରିବା ଭଳି ମନ୍ତବ୍ୟ ନ ଦିଅନ୍ତି ସେଥିପାଇଁ ଆୟୋଗ ଦଳୀୟ ମୁଖ୍ୟ/ସଭାପତିଙ୍କୁ ଉତ୍ତରଦାୟୀ କରିବା ଦିଗରେ ଏକ ପାଦ ଆଗେଇଛନ୍ତି । ଏଥିପୂର୍ବରୁ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ରାଜୀବ କୁମାର ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଏମସିସି ପ୍ରବର୍ତ୍ତନ ଉତ୍ତରଦାୟିତ୍ୱ, ସ୍ୱଚ୍ଛତା ଏବଂ ଦୃଢ଼ତା ଅନୁରୂପ ରହିଛି।

ଅପରାଧିକ ତଦନ୍ତକୁ ଆଧାର କରି ସକ୍ରିୟ ବିଚାର ଏବଂ ଅଦାଲତଙ୍କ ଆଦେଶ ଅଧୀନରେ ଥିବା ରାଜନୈତିକ ବ୍ୟକ୍ତି ସମ୍ପୃକ୍ତ ଥିବା ସକ୍ରିୟ ପରିସ୍ଥିତିରେ ସାମ୍ବିଧାନିକ ଜ୍ଞାନ ଆଧାରରେ ପରିଚାଳିତ ହୋଇ ଆୟୋଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗୋଟିଏ ପଟେ ଆୟୋଗ ସବୁ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ପାଇଁ ସମାନ ସୁଯୋଗ ସୁନିଶ୍ଚିତ କରିବା ସହ ସେମାନଙ୍କ ପ୍ରଚାର ଅଭିଯାନର ସ୍ୱାଧୀନତାକୁ ସୁରକ୍ଷା ଦେଇଛନ୍ତି ଅନ୍ୟପଟେ ଆୟୋଗ ଏପରି କୌଣସି ପଦକ୍ଷେପ ନେଇନାହାନ୍ତି ଯାହା ଆଇନଗତ ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବ କିମ୍ବା ଅତିକ୍ରମ କରୁଥିବ । ଆଦର୍ଶ ସଂହିତା ଲାଗୁ କରିବାରେ ଆୟୋଗ ନିଜ ଦାୟିତ୍ୱ, ଆଇନଗତ ପରିସର, ସଂସ୍ଥାଗତ ଜ୍ଞାନ, ସମାନତା ଏବଂ କାରବାରରେ ସ୍ୱଚ୍ଛତା ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ଥିତି ଏବଂ ପ୍ରଭାବ ନିର୍ବିଶେଷରେ ଏବଂ ରାଜନୈତିକ ସଂପୃକ୍ତି ନିର୍ବିଶେଷରେ ପରିଚାଳିତ ହୋଇଛନ୍ତି ।

୨୦୨୪ ମାର୍ଚ୍ଚ ୧୬ ତାରିଖରେ ଲୋକସଭା ସାଧାରଣ ନିର୍ବାଚନ ଘୋଷଣା ପରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା। ସେବେଠାରୁ ନିର୍ବାଚନ ଆୟୋଗ ଯେପରି ସମାନ ସୁଯୋଗରେ ବାଧା ସୃଷ୍ଟି ନ ହୁଏ ଏବଂ ପ୍ରଚାରରେ ଆକ୍ଷେପ ପ୍ରତିଆକ୍ଷେପ ଗ୍ରହଣୀୟ ସ୍ତର ଠାରୁ ତଳକୁ ଖସି ନଯାଏ ସେଥିପାଇଁ ତ୍ୱରିତ ଓ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ଏକ ମାସ ମଧ୍ୟରେ ୭ଟି ରାଜନୈତିକ ଦଳର ୧୬ ପ୍ରତିନିଧି ଦଳ ଆୟୋଗଙ୍କୁ ଭେଟି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଓ ଆନୁସଙ୍ଗିକ ପ୍ରସଙ୍ଗରେ ଅଭିଯୋଗ କରିଛନ୍ତି। ରାଜ୍ୟ ସ୍ତରରେ ଅନେକ ରାଜନୈତିକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ଅଭିଯୋଗ ଦାଖଲ କରିଛନ୍ତି।

ବିଭିନ୍ନ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ନିର୍ବାଚନ ଆୟୋଗଙ୍କ ସ୍ତରରେ ଏବଂ ବିଭିନ୍ନ ରାଜ୍ୟରେ ପାଖାପାଖି ୨୦୦ଟି ଅଭିଯୋଗ ଦାଖଲ କରିଛନ୍ତି । ସେଥିମଧ୍ୟରୁ ୧୬୯ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୌଣସି ପ୍ରକାର ନିୟମର ଉଲ୍ଲଂଘନ ନେଇ ନାଗରିକଙ୍କ ଦ୍ୱାରା ଅଭିଯୋଗ କରିବା ଲାଗି ଆୟୋଗଙ୍କ ସି ଭିଜିଲ୍ ପୋର୍ଟାଲରେ ସମୁଦାୟ ୨,୬୮,୦୮୦ଟି ଅଭିଯୋଗ ଦାଖଲ କରାଯାଇଛି। ସେଥିମଧ୍ୟରୁ ୨,୬୭,୭୬୨ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ୯୨% ମାମଲା ହାରାହାରି ୧୦୦ ମିନିଟ୍ ରୁ କମ୍ ସମୟ ମଧ୍ୟରେ ସମାଧାନ ହୋଇଛି। ସି ଭିଜିଲ୍ ର କାର୍ଯ୍ୟକାରିତା କାରଣରୁ ବେଆଇନ ହୋର୍ଡିଂ, ସମ୍ପତ୍ତି ବିରୂପୀକରଣ, ନିର୍ଦ୍ଧାରିତ ସମୟଠାରୁ ଅଧିକ ପ୍ରଚାର, ଅନୁମୋଦିତ ସମୟଠାରୁ ଅତିରିକ୍ତ ସମୟରେ ଗାଡ଼ି ମୁତୟନରେ ଯଥେଷ୍ଟ ହ୍ରାସ ଘଟିଛି।

 

Leave A Reply

Your email address will not be published.