Latest Odisha News

BREAKING NEWS

ପାଲା ଜଗତର ଅନନ୍ୟ ପ୍ରତିଭା; ଗାୟକ ରତ୍ନାକର ବନମାଳି ପତି

ଭୁବନେଶ୍ବର: ନିଆରା ଶୈଳୀରେ ପାଲା ଗାୟନ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଗାୟକ ବନମାଳୀ ପତି ।

ପାଲା ଜଗତରେ ଯେଉଁ କେତେଜଣ ଗାୟକ ସୁମଧୁର କଣ୍ଠରେ ପାଲା ଗାୟନ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥାନ୍ତି ସେମାନଙ୍କ ମଧ୍ୟରେ ବନମାଳି ପତି ଅନ୍ୟତମ ।

୧୯୫୧ ମସିହା ଅକ୍ଟୋବର ୨୪ ତାରିଖରେ ଜଗତସିଂହପୁର ଜିଲ୍ଲା ଝିଙ୍କରଡିହ ଗ୍ରାମରେ ବନମାଳି ପତି ଜନ୍ମଗ୍ରହଣ କରିଥିଲେ । ବାପା ପ୍ରହଲ୍ଲାଦ ପତି ଏବଂ ମାଆ ଫକିରି ଦେବୀ । ୫ ଭାଇ ଓ ଜଣେ ଭଉଣୀଙ୍କ ମଧ୍ୟ ତୃତୀୟ ହେଉଛନ୍ତି ବନମାଳି।

ପିଲା ଦିନରୁ ସଙ୍ଗୀତ ଓ ସାହିତ୍ୟ ପ୍ରତି ରହିଥିଲା ରୁଚି । ନିଜ ଗ୍ରାମରେ ପ୍ରାଥମିକ ଶିକ୍ଷା ସମାପ୍ତ ପରେ ଜଗତସିଂହପୁର ସ୍ଥିତ ଶ୍ରୀକୃଷ୍ଣ ଏକାଡେମୀରେ ହାଇସ୍କୁଲ ଶିକ୍ଷା ଗ୍ରହଣ କଲେ ।

ଏଠାରେ ପଢୁଥିବା ସମୟରେ ସେ ନିଜେ ପାଲା ଗାଇବାକୁ ସ୍ଥିର କଲେ । ଏଥିରେ ତାଙ୍କୁ ପ୍ରେରଣା ଦେଇଥିଲେ ବିଦ୍ୟାଳୟର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ସୁରପ୍ରସାଦ ମହାପାତ୍ର । ଶ୍ରୀକୃଷ୍ଣ ଏକାଡେମୀରେ ଅଷ୍ଟମ ଶ୍ରେଣୀ ଯାଏଁ ପଢିବା ପରେ ସେ ଜଗତସିଂହପୁୁର ସଂସ୍କୃତ ଟୋଲରେ ତିନି ବର୍ଷ ପ୍ରଥମା ପଢିଥିଲେ ।

ଏହାପରେ କନ୍ତାର ସ୍ଥିତ ଅନନ୍ତ ସଂସ୍କୃତ ବିଦ୍ୟାପୀଠରେ ଶାସ୍ତ୍ରୀ ପଢିବାକୁ ଗଲେ । ସେଠାରେ ପାଠ ପଢା ସମୟରେ ସେ ବିଧିବଦ୍ଧ ଭାବେ ପାଲା ଗାଇବାକୁ ସ୍ଥିର କଲେ ।

ଶ୍ରୀକୃଷ୍ଣ ଏକାଡେମୀର ପ୍ରଧାନଶିକ୍ଷକ ତଥା ସୁସାହିତ୍ୟିକ ସୁରପ୍ରସାଦ ମହାପାତ୍ର ହେଲେ ବନମାଳି ପତିଙ୍କର ପ୍ରଥମ ଗୁରୁ । ସେ ନିଜେ ଜଣେ ଗାୟକ ହୋଇନଥିଲେ ମଧ୍ୟ ପାଲା କ୍ଷେତ୍ରରେ ତାଙ୍କର ବହୁ ଅଭିଜ୍ଞତା ରହିଥିଲା ।

ମାତ୍ର ୧୬ ବର୍ଷ ବୟସରେ ସୁରପ୍ରସାଦଙ୍କଠାରୁ ଚାମର ଗ୍ରହଣ କରିବା ସହ ପାଲା ଗାଇବା ଆରମ୍ଭ କଲେ ବନମାଳି ପତି । ପରର୍ବୀ ସମୟରେ ବିଶିଷ୍ଟ ଗାୟକ ନିଶାକର ଷଡଙ୍ଗୀ ଏବଂ ବୈଷ୍ଣବ ପ୍ରଧାନଙ୍କୁ ମଧ୍ୟ ସେ ଗୁରୁରୂପେ ଗ୍ରହଣ କରିଥିଲେ ।

ପ୍ରଥମେ ଗ୍ରାମଦେବତୀଙ୍କ ପୀଠରେ ବନମାଳି ପତି ପାଲା ପରିବେଷଣ କରିଥିଲେ । ସେହିବର୍ଷ ସେ ବାଦୀପାଲାରେ ମଧ୍ୟ ଅବତୀର୍ଣ୍ଣ ହୋଇଥିଲେ । ନାଉଗାଁ ବ୍ଲକ ଅନ୍ତର୍ଗତ ମୁଣ୍ଡାଳ ଖଇରାଗଡରେ ଗାୟକ ବଳରାମ ଚଇନିଙ୍କ ସହ ହୋଇଥିଲା ପ୍ରଥମ ବାଦୀପାଲା ।

ଏହାପରଠାରୁ ଆଉ ସେ ପଛକୁ ଫେରିନାହାଁନ୍ତି । ଉଭୟ ଓଡିଆ ଏବଂ ସଂସ୍କୃତ ସାହିତ୍ୟରେ ଦକ୍ଷ ବନମାଳି ପତି । ସୁମଧୁର ସ୍ୱର ହେଉଛି ତାଙ୍କର ସବୁଠାରୁ ବଡ ସମ୍ବଳ ।

ବୋଧହୁଏ ପାଲା ରାଜ୍ୟରେ ତାଙ୍କଭଳି ସୁମଧୁର କଣ୍ଠସ୍ୱର ବହୁତ କମ୍ ଗାୟକଙ୍କଠାରେ ରହିଛି । ପୁରାତନ ରାଗ, ରାଗିଣୀ, ଚାନ୍ଦ, ଚଉପଦୀ ଗାଇ ସେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦିଅନ୍ତି ।

ପାଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବନମାଳି ପତି ରାଜ୍ୟର କୋଣଅନୁକୋଣର ବହୁ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ଓ ସମ୍ମାନିତ ହୋଇଛନ୍ତି ।

ବିଶିଷ୍ଟ ବାଗ୍ମୀ ଗୌରୀକୁମାର ବ୍ରହ୍ମାଙ୍କ ଉପସ୍ଥିତିରେ ପୁରୀ ଦୋଳବେଦୀ ପାଲା ମରେ ତାଙ୍କୁ ଗାୟକ ରତ୍ନାକର ଉପାଧି ପ୍ରଧାନ କରାଯାଇଥିଲା ।

Leave A Reply

Your email address will not be published.