କୁନ୍ତଳା କୁମାରୀ ସାବତ

କୁନ୍ତଳା କୁମାରୀ ସାବତ

(୧୯୦୧-୧୯୩୭)
କ୍ଷେତ୍ର: ଭାଷା-ସାହିତ୍ୟ (ପ୍ରଥମ ଔପନ୍ୟାସିକା)

ଜଣେ କବି ଭାବେ ସର୍ବତ୍ର ସୁପରିଚିତା କୁନ୍ତଳା କୁମାରୀ ସାବତ ଓଡ଼ିଆ ଭାଷାର ପ୍ରଥମ ଔପନ୍ୟାସିକାର ଗୌରବ ମଧ୍ୟ ଦାବି କରନ୍ତି । ତାଙ୍କ ପୂର୍ବରୁ କୌଣସି ଓଡ଼ିଆ ଲେଖିକା ଉପନ୍ୟାସରେ ହାତ ଦେଇନଥିଲେ । ଓଡ଼ିଆ ସମେତ ହିନ୍ଦୀ ଓ ଇଂରାଜୀରେ ମଧ୍ୟ କବିତା ଲେଖିଥିବା କୁନ୍ତଳା କୁମାରୀ ୧୯୦୧ ମସିହା ଫେବୃଆରୀ ୮ ତାରିଖରେ ଜଗଦଲପୁରଠାରେ ଜନ୍ମଗ୍ରହଣ କରିଥିଲେ । ଶୈଶବ ଓ କୈଶୋର ତାଙ୍କର କଟିଥିଲା ବର୍ମାର ଅଣଓଡ଼ିଆ ପରିବେଶରେ । ତେଣୁ ସେ ଆରମ୍ଭରୁ ହିନ୍ଦୀ ଭାଷା ସହିତ ପରିଚିତ ହେଲେ । ତେବେ ଘରୋଇ ଉଦ୍ୟମରେ ‘ମଧୁ ବର୍ଣ୍ଣବୋଧ’, ‘ଶିଶୁପାଠ’, ‘ସାହିତ୍ୟ କୁସୁମ’, ‘ସାହିତ୍ୟ ତରଙ୍ଗ’ ଆଦିର ସହାୟତାରେ ସେ ଓଡ଼ିଆ ଶିଖିଲେ । ପରେ ଓଡ଼ିଶା ଫେରି କଟକର ରେଭେନ୍‍ସା ଗାର୍ଲସ୍‍ ହାଇସ୍କୁଲ୍ରେ ପାଠ ପଢ଼ିଲେ । ନବମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବାପରେ ଗାର୍ଲସ୍‍ ସ୍କୁଲ୍‍ ଛାଡ଼ି ମେଡିକାଲ୍‍ ସ୍କୁଲରେ ନାମ ଲେଖାଇଲେ । ୧୯୨୧ରେ କୁନ୍ତଳାକୁମାରୀ ବିହାର ଓ ଓଡ଼ିଶାର ମେଡିକାଲ ବୋର୍ଡ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ପ୍ରଥମ ହୋଇଥିଲେ । ଏଥିପାଇଁ ସେ ୧୬ଟି ରୌପ୍ୟ ଓ ସ୍ୱର୍ଣ୍ଣପଦକ ପାଇଥିଲେ । ସେ ସରକାରୀ ଚାକିରିରେ ଯୋଗ ନଦେଇ ସ୍ୱାଧୀନ ଭାବେ ଚିକିତ୍ସା କରିବାକୁ ସ୍ଥିରକଲେ । ତାଙ୍କର ଗୁରୁ କୈଳାସଚନ୍ଦ୍ରଙ୍କ ପ୍ରତି ସେ ଅନୁରାଗୀ ଥିଲେ ଓ ତାଙ୍କୁ ନେଇ କବିତା ଲେଖିବା ଆରମ୍ଭ କରିଥିଲେ । କ୍ରମେ କୈଳାସଙ୍କ ସହାୟତାରେ ତାଙ୍କର ‘ତାରା ପ୍ରତି’ ଶୀର୍ଷକ ଏକ କବିତା ‘ଉତ୍କଳ ସାହିତ୍ୟ’ରେ ପ୍ରକାଶ ପାଇଲା । ପରେପରେ ‘ଶେଫାଳି ପ୍ରତି’, ‘କମଳ ପ୍ରତି’ ଆଦି ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ ହେଲା । ସେ କୈଳାସଙ୍କୁ ବିବାହ କରିବାକୁ ଚାହିଁ ଖ୍ରୀଷ୍ଟିଆନ୍‍ ଧର୍ମ ଛାଡ଼ି ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ । ମାତ୍ର ବିବାହ ସମ୍ଭବ ହେଲାନାହିଁ । ପୁନଶ୍ଚ ସେ ଦିଲ୍ଲୀ ଯାଇ ସେଠାରେ ଆର୍ଯ୍ୟସମାଜର ଅନ୍ତର୍ଭୁକ୍ତ ହୋଇ ବିବାହ ପାଇଁ ଅନୁମତି ପାଇଲେ । ମାତ୍ର କୈଳାସ ଧରାଛୁଆଁ ନଦେବାରୁ ସେ ଡ. ବ୍ରହ୍ମଚାରୀଙ୍କୁ ବିବାହ କରିଥିଲେ । ଦିଲ୍ଲୀରେ ସେ ଚିକିତ୍ସା କ୍ଷେତ୍ରରେ ଖୁବ୍‍ ନାମ କମାଇବା ସହ ସାହିତ୍ୟ ରଚନାରେ ବ୍ରତୀ ହେଲେ । ତାଙ୍କ କବିତାର ପ୍ରଶଂସା କରି ପୁରୀର ମହିଳାବନ୍ଧୁ ସମିତି ତାଙ୍କୁ ‘ଉତ୍କଳ ଭାରତୀ’ ଉପାଧି ଦେଇଥିଲେ । ସ୍ୱଳ୍ପ ଜୀବନକାଳ ମଧ୍ୟରେ ସେ ଅନେକ କାବ୍ୟ କବିତା ରଚନା କରି ଯଶସ୍ୱୀ ହୋଇଥିଲେ । କେବଳ କବିତା ନୁହେଁ, ଭ୍ରାନ୍ତି, ନଅତୁଣ୍ଡୀ, କାଳୀ ବୋହୂ, ପରଶମଣି, ରଘୁ ଅରକ୍ଷିତ ଆଦି ଅନେକ ସଫଳ ଉପନ୍ୟାସର ମଧ୍ୟ ଥିଲେ ସ୍ରଷ୍ଟା । ୧୯୩୭ରେ ଏକ ପୁତ୍ରସନ୍ତାନ ଜନ୍ମଦେବା ପରେପରେ ସେ ଚିରଦିନ ପାଇଁ ଆଖି ବୁଜିଥିଲେ ।

ଆଲେଖ୍ୟ © ସରୋଜ ବଳ