Latest Odisha News

ସ୍ନେହଲତାର ଶେଷ ଚିଠି

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ସ୍ନେହଲତା ସାମନ୍ତରାୟ। ନାଁଟା ହିଁ ଯଥେଷ୍ଟ ବ୍ୟକ୍ତିତ୍ୱକୁ ପରିଚିତ କରାଇବା ପାଇଁ। ହଁ.. ସ୍ନେହଲତା ପ୍ରକୃତରେ ଜୀବନତମାମ ନିଜ ନାଁକୁ ଚରିତାର୍ଥ କରି ଆସିଛି। ବାଟରେ ଚାଲିଯାଉଥିବା ମଣିଷର ପେଟକଥା ଜାଣିପାରେ ସେ। ସେଥିପାଇଁ କୌଣସି ଦୁଃଖୀରଙ୍କୀ ମଣିଷଙ୍କୁ ଦେଖିଲେ ତା ଦେହ ସହେନି। ସେ ସେଇମାନଙ୍କୁ ଡାକିଆଣି ଖାଇବାକୁ ଦିଏ। ବଡ଼ଘରର ଝିଅ ସିଏ। ସେଥିପାଇଁ ତା ପିଲାଦିନରୁ ତାକୁ କେବେ କିଛି ଅଭାବ ଅସୁବିଧା ନଥିଲା। ଯେଉଁ ସମୟରେ ଦିଅଁପୁର ଗାଁରେ କୌଣସି ପୁଅ ପାଠ ପଢ଼ିବାକୁ ସାହସ କରିପାରୁନଥିଲା, ସେତେବେଳେ ତା ବାପା ତାକୁ ଗାଁ ଅବଧାନଙ୍କ ପାଖରେ ବସାଇ ପାଠ ପଢ଼ାଇଥିଲେ। ଖାଲି ପାଠ ପଢ଼ିନଥିଲା ସେ, ପ୍ରକୃତରେ ପାଠର ମୂଲ୍ୟ ବୁଝିଥିଲା। ସେଥିପାଇଁ ଯେତେବେଳେ ବାହା ହୋଇ ଶାଶୂଘରକୁ ଆସିଲା, ସେତେବେଳେ ସାଙ୍ଗରେ ନେଇ ଆସିଥିଲା ତାର ବହିପତ୍ର। ଚାଟଶାଳୀ ପାଠରେ ସେ ପଢ଼ି ଜାଣିଥିଲା ରାମାୟଣ, ମହାଭାରତ, କୋଇଲି କେଶବ, ପ୍ରଣୟବଲ୍ଲରୀ, ଛାନ୍ଦ ରତ୍ନାକର, କିଶୋର ଚନ୍ଦ୍ରାନନ ଚମ୍ପୂ, ଲାବଣ୍ୟବତୀ, ବୈଦେହୀଶ ବିଳାସଠୁ ନେଇ ମୃଗୁଣୀ ସ୍ତୁତି ଆଉ ଲକ୍ଷ୍ମୀପୁରାଣ ଯାଏଁ ସବୁ କିଛି।

ଶାଶୂଘର ବି ଭଲ ମିଳିଥିଲା ସ୍ନେହଲତାକୁ। ସ୍ୱାମୀ ବୋଲି ତା ହାତ ଯିଏ ଧରିଥିଲେ, ସେ ଥିଲେ ଜଣେ ନିର୍ମାୟା ମଣିଷ। ଜୀବନ ତମାମ କେବେ କାହା ସହିତ କଳିତକରାଳ କରିନାହାନ୍ତି। କାହାକୁ ବାଧିଲା ଭଳି କଥା ପଦଟିଏ କହିନାହାନ୍ତି। ବରଂ ଅନ୍ୟମାନେ ତାଙ୍କ ଏହି ନିରୀହ ପଣର ଫାଇଦା ନେଇଛନ୍ତି। କିନ୍ତୁ ଯେତେ ଯାହା ହୋଇଗଲେ ବି, ସେ କେବେ କାହା ସହିତ ମୁହଁଶୁଖା ହୋଇନାହାନ୍ତି। ସ୍ନେହଲତାର ଶଶୂର ଜଣେ ପ୍ରତିପତ୍ତିସମ୍ପନ୍ନ ମଣିଷ। ପୂରା ଗାଁଟା ତାଙ୍କର କହିଲେ ଚଳେ। ସେ ନିଜ ଜମିରୁ କିଛି କିଛି ଅଂଶ ଦେବା ପରେ ଅନ୍ୟମାନେ ସେଥିରେ ଘର କରି ଗାଁ ତିଆରି କରିଛନ୍ତି। ଦଶ ଦଶଟା ପିଲା ସ୍ନେହଲତାଙ୍କ ଶ୍ୱଶୂରଙ୍କର। ଏତେବଡ଼ ପରିବାରର ବୋହୂ ହୋଇ ଆସିଥିଲା ସ୍ନେହଲତା। ଦିଅର, ଦେଢ଼ଶୂର, ନଣନ୍ଦ, ଜାଆ ସାଙ୍ଗକୁ ଗୋଠେ ପୁତୁରା ଝିଆରୀ, ଭଣଜା ଭାଣିଜୀଙ୍କ ଏ ପରିବାର ତାକୁ ଆରମ୍ଭରୁ ହିଁ ଭଲ ଲାଗୁଥିଲା। କାରଣ, ସେ ବି ଥିଲା ଏମିତି ଏକ ବିଶାଳ ଯୌଥପରିବାରର ଝିଅ। ତେଣୁ ସେ ଜାଣିଥିଲା, ଘରେ ସମସ୍ତଙ୍କ ମନଧରି କେମିତି ଚଳିବାକୁ ହୁଏ। ବୋଧହୁଏ ସେଥିପାଇଁ, ତାକୁ ତା ଶାଶୂ, ଶ୍ୱଶୂରଙ୍କ ସମେତ ଘରର ସମସ୍ତେ ଭଲ ପାଉଥିଲେ। ସେଥିଲା ସମସ୍ତଙ୍କ ପ୍ରିୟ।

ତେବେ ଶାଶୂ ଶ୍ୱଶୂରଙ୍କ ବିୟୋଗ ପରେ ଧୀରେ ଧୀରେ ଭାଙ୍ଗି ଯାଇଥିଲା ସ୍ନେହଲତାର ଯୌଥ ପରିବାର। ଦେଢ଼ଶୂର ଓ ଦିଅରମାନେ ଯେ ଯାହାର ବାଟର ନିଜ ନିଜର ପରିବାର ଅଲଗା କରିଦେଲେ। ନ ଚାହିଁବା ସତ୍ତ୍ୱେ ସ୍ନେହଲତାକୁ ତିଆରି କରିବାକୁ ପଡ଼ିଲା ତାର ଅଲଗା ପରିବାର । ଈଶ୍ୱରଙ୍କ କୃପାରୁ ସ୍ନେହଲତା ଭାଗ୍ୟରେ ମିଳିଲା ଦୁଇଟି ପୁଅ ଆଉ ଦୁଇଟି ଝିଅ। ସେମାନଙ୍କୁ ବି ପାଠ ପଢ଼ାଇଥିଲା ସ୍ନେହଲତା। ସେ ଚାହୁଁଥିଲା ତା ପିଲାମାନେ ବି ଅନ୍ୟର ପେଟପାଟଣା କଥା ବୁଝନ୍ତୁ। ଭଗବାନ ଯାହା ବି କିଛି ଦେଇଛନ୍ତି, ସେଥିରେ ସନ୍ତୁଷ୍ଟ ହେବା ଶିଖନ୍ତୁ। ଅନ୍ୟର ସୁବିଧା ଅସୁବିଧାରେ ଠିଆ ହୁଅନ୍ତୁ ସେମାନେ। ଅନ୍ତତଃ ମଣିଷ ପଣିଆ ବଞ୍ଚି ରହିଥାଉ ତା ପିଲାମାନଙ୍କ ପାଖରେ। ତାର ଏ ଉଦ୍ଦେଶ୍ୟ ପଛରେ ଏକମାତ୍ର କାରଣ ଥିଲା, ଭାଇ ଭାଗ ହେବା ପରେ ବି ସମ୍ପର୍କ ଯେମିତି ଅତୁଟ ରହୁ। ଗୋଟିଏ ବିରାଟ ପରିବାର ଅଲଗା ଅଲଗା ଘରେ କେବଳ ଆବଶ୍ୟକତା ପାଇଁ ସିନା ରହୁଛନ୍ତି, କିନ୍ତୁ ସମସ୍ତେ ତ ସେହି ଗୋଟିଏ ଗଛର ଫଳ ନା। ତେଣୁ ସେମାନେ ଅଲଗା ହୋଇପାରିବେ କେମିତି? କିନ୍ତୁ ବର୍ଷ ପରେ ବର୍ଷ ସ୍ନେହଲତାର ପରିବାର ଉପରେ ତା ଦେଢ଼ଶୂର ଓ ଦିଅରମାନଙ୍କ ପରିବାର ପକ୍ଷରୁ ନିର୍ଯାତନା ଦିଆଯାଇଛି। ଆଉ ତା ପଛରେ ମୂଳ କାରଣ ହେଉଛି, ସ୍ନେହଲତାର ସ୍ୱାମୀଙ୍କ ନିରୀହପଣ। ତଥାପି ସେ କେବେ ଭାଙ୍ଗି ପଡ଼ିନି। ବରଂ ସବୁ ବେଳେ ପୁତୁରା ଝିଆରୀଙ୍କ ସମେତ ଜାଆ ଦେଢ଼ଶୂର ଓ ଦିଅରଙ୍କୁ ବୁଝାସୁଝା କରିଛି। ସେମାନଙ୍କ ସହିତ ଏକମନ ହୋଇ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ରହିବାକୁ ଚାହିଁଛି।

ସ୍ନେହଲତାର ଦୁଇ ଝିଅ ଶାଶୂଘର ଯିବା ପରେ ସେ ଭାବିଥିଲା ସେ ଏଥର ଟିକିଏ ଜଞ୍ଜାଳମୁକ୍ତ ହୋଇଯିବ। କାରଣ ପୁଅ ଦୁଇ ଜଣଙ୍କ ବି ବାହାଘର କରାଇସାରିଛି ସେ। ତେଣୁ ଏଣିକି ତା ପରିବାରକୁ ସମ୍ଭାଳିନେବେ ତା ଦୁଇ ବୋହୂ। କିନ୍ତୁ ବିଡ଼ମ୍ୱନା, ବାହାଘରର ଦୁଇଟା ମାସ ନପୂରୁଣୁ ସ୍ନେହଲତାର ଘର ଭାଙ୍ଗିଗଲା। ମାନେ ତା ଦୁଇ ପୁଅ ପୁଣି ଭାଗବାଣ୍ଟିଲେ ତା ଘରକୁ। ସେ ଅନେକ ନେହୁରା ହୋଇଥିଲା ତା ପୁଅ ବୋହୂଙ୍କୁ। କିନ୍ତୁ କେହି ଶୁଣିନଥିଲେ ତା କଥା। ତାରି ଆଗରେ ତା ଘର ପୁଣି ଭାଙ୍ଗିଯିବାର ଦୁଃଖରେ ନିଜେ ଭାଙ୍ଗିପଡ଼ିଲା ସ୍ନେହଲତା। ସବୁ ଜମିବାଡ଼ି ଘରଦ୍ୱାର ଦୁଇ ଭାଗ ହୋଇଯିବା ପରେ, ଚିନ୍ତା ପଡ଼ିଲା ସ୍ନେହଲତା ଓ ତା ସ୍ୱାମୀ ବର୍ତ୍ତମାନ ରହିବେ କେଉଁଠି?ତେବେ ଏ ପ୍ରଶ୍ନର ଉତ୍ତର ନଥିଲା ତାର ଦୁଇପୁଅଙ୍କ ପାଖରେ। ହେଲେ ଉଭୟ ପୁଅ କଥାବାର୍ତ୍ତା ହୋଇ ସ୍ଥିର କଲେ ଯେ, ଏଣିକି ମାସେ ଲେଖାଏଁ ବାପା ମାଆ ଭାଗ ବାଣ୍ଟି ହୋଇ ଦୁଇ ପୁଅଙ୍କ ପାଖରେ ରହିବେ। କିନ୍ତୁ ଏଥିରେ ରାଜି ନଥିଲା ସ୍ନେହଲତା। ତାର କହିବା କଥା ଥିଲା, ଯେତେଦିନ ଯାଏଁ ତା ହାତଗୋଡ଼ ଚଳୁଥିବ, ସେ ଆତ୍ମନିର୍ଭର ହୋଇ ରହିପାରିବ, ସେତେଦିନ ଯାଏଁ ସେମାନେ କୌଣସି ପୁଅ ପାଖରେ ରହିବେ ନାହିଁ। ତେଣୁ ଘର ପଛପଟକୁ ଛୋଟିଆ ଚାଳିଆଟାଏ ତିଆରି କରି, ତାରି ଭିତରେ ରହିଲେ ସ୍ନେହଲତା ଓ ତାର ସ୍ୱାମୀ। ଏତେବଡ଼ ଯୌଥ ପରିବାରର ଝିଅ, ଏତେ ବିଶାଳ ପରିବାରର ବୋହୂ, ଦିନେ ଏମିତି କୁଡ଼ିଆଟାଏ କରି ତାରି ଭିତରେ ନିଜ ସ୍ୱାମୀଙ୍କୁ ନେଇ ରହିବ, ଏହା ଥିଲା ସ୍ନେହଲତାର କଳ୍ପନା ବାହାରେ।

ଏ ସବୁ ଘାତ ପ୍ରତିଘାତ ଭିତରେ ବି ପ୍ରତିଦିନ ସନ୍ଧ୍ୟାରେ ଘର ଈଶାଣ ଆଗରେ ଦୀପଟିଏ ଜଳାଇ ରାମାୟଣ ପଢୁଥିଲା ସ୍ନେହଲତା। କହୁଥିଲା, ସନ୍ଧ୍ୟାରେ ପୁରାଣ ଟିକିଏ ପଢ଼ିଦେଲେ, ଆଗକୁ ବଢ଼ିବା ପାଇଁ ସବୁ ଶକ୍ତି ମିଳିଯାଉଛି। ସେଥିପାଇଁ ପୁଅବୋହୂଙ୍କ ସଂସାର ଅଲଗା ହେବା ପରେ ବି ପ୍ରାୟ ତିରିଶ ବର୍ଷ କାଳ ସେ ଓ ତା ସ୍ୱାମୀଙ୍କ ସଂସାରକୁ ସେ ଠିକ୍ ଭାବେ ଚଳାଇପାରିଥିଲା। ଏ ସମୟର ଚକ ଏତେ ତୀବ୍ର ବେଗରେ ଗଡ଼ିଚାଲିଥିଲା ଯେ, ସ୍ନେହଲତା ଜାଣି ପାରିଲା ନାହିଁ, କେତେବେଳେ ତା ନାତି ନାତୁଣୀ ବାହା ହୋଇ, ସେମାନଙ୍କ ପିଲାମାନେ ବି ବିବାହ ଯୋଗ୍ୟ ହୋଇସାରିଲେଣି। ସମୟ ସୁଅରେ ସେ ହରାଇବସିଲା ସ୍ୱାମୀଙ୍କୁ। ସାମାନ୍ୟ ରୋଗରେ ପଡ଼ି ଆରପାରିକୁ ଚାଲିଗଲେ ସେ। ଏବେ ତା କଥା ବୁଝିବ କିଏ? ସେହି ଚିନ୍ତାରେ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଲା ସ୍ନେହଲତା। ଏଣିକି ଆଉ ନିଜ କାମ ନିଜେ କରିବା ସମ୍ଭବପର ନଥିଲା ତା ପାଇଁ। ଏପରିକି ନିଜ ପାଇଁ ଦୁଇ ଓଳିର ଖାଇବା ଯୋଗାଡ଼ କରିବା ବି ସବୁଠୁ କାଠିକର ପାଠ ତା ପାଇଁ। ଏଭଳି ସ୍ଥଳେ ସେ ତା ସ୍ୱାଭିମାନକୁ ନେଇ ବଞ୍ଚିବାକୁ ଚାହୁଁଥିଲେ ବି ତା ପାଖରେ କୌଣସି ରାସ୍ତା ନଥିଲା। ସେଥିପାଇଁ ଏତେ ବର୍ଷ ପରେ ପୁଣି ଥରେ ତାକୁ ତା ପୁଅମାନଙ୍କ ପାଖରେ ଭାଗବାଣ୍ଟି ହୋଇ ରହିବାକୁ ପଡୁଛି।

ପଞ୍ଚାନବେ ବର୍ଷୀୟା ସ୍ନେହଲତାର ନାତିନାତୁଣୀମାନେ ବାହା ହୋଇ ସେମାନଙ୍କ ସଂସାର କରିସାରିଲେଣି। ଉଭୟ ପୁଅ ଓ ଝିଅଙ୍କ ପିଲାମାନେ ଯେ ଯାହାର ଦୁନିଆରେ ବ୍ୟସ୍ତ।  ସମସ୍ତେ ଗାଁଠୁ ଦୂରରେ ବିଭିନ୍ନ ସ୍ଥାନରେ କାମ କରୁଛନ୍ତି। କିନ୍ତୁ କାହାରି ପାଖେ ସମୟ ନାହିଁ । ମାସ ମାସ ଧରି ନାତି ନାତୁଣୀ ସବୁ ସ୍ନେହଲତାକୁ ଦେଖିନାହାନ୍ତି। ସେ ବି ସେମାନଙ୍କୁ ଦେଖିନି। ଏବେ କିଛି ଦିନ ହେଲା ଆଉ ବାହାରକୁ ଯାଇ ଚଲାବୁଲା କରିପାରୁନି ସ୍ନେହଲତା। ଦିନ ତମାମ ଘରେ ଶେଯ ଉପରେ ପଡ଼ି ରହୁଛି। ଚାହିଁଲେ ବି ଉଠି ବସି ପୁରାଣ ଟିକିଏ ପଢ଼ିପାରୁନି ସେ। ସେଥିପାଇଁ ସବୁଠୁ ଦୁଃଖ ତାର। ଖାଲି ବସିଥିଲା ବେଳେ ତା ଆଖି ଆଗରେ ନାଚି ଉଠୁଛି, ତା ପିଲାଦିନ, ତା ବାପାଘରେ ତାକୁ କେତେ ଗେଲବସରରେ ବଢ଼ାଇଥିଲେ ତା ବାପା ମାଆ। ସେ କେମିତି ନୂଆବୋହୂ ହୋଇ ଆସିଲା ବେଳେ ତା ସାଙ୍ଗରେ ତା ବାପାଘର ଗାଁର ଗାଁଟାଯାକ ଲୋକ ଆସିଥିଲେ କନ୍ୟାବିଦା ପାଇଁ। ସବୁକଥା ଭିତରେ ତାକୁ ଜଳ ଜଳ ଦେଖାଯାଉଥିଲା ତାର ସବୁଠୁ ପ୍ରିୟ ତା ନାତି ଓ ନାତୁଣୀଙ୍କ ଚେହେରା। ତା ବଡ଼ଝିଅର ବଡ଼ପୁଅ ଓ ବଡ଼ପୁଅର ବଡ଼ପୁଅ ତା ଆଖିର ତାରା। ସେମାନଙ୍କୁ କାଖେଇ କୋଳେଇ ବଡ଼ କରିଥିଲା ସେ। ସେମାନଙ୍କ ସବୁ ଅଳିଅର୍ଦ୍ଦଳି ସହିଥିଲା ସେ। ଖାଲି ସେତିକି ନୁହେଁ, ସେମାନଙ୍କ ବାପାମାଆଙ୍କ ଅପେକ୍ଷା, ସେମାନଙ୍କ ଅଧିକ ଯତ୍ନ ନେଇଥିଲା ସ୍ନେହଲତା।

ଆଜି କାହିଁକି କେଜାଣି ତାକୁ ତା ପୁଅ ଝିଅଙ୍କ ଅପେକ୍ଷା, ତା ନାତିନାତୁଣୀ ଅଧିକ ମନେ ପଡୁଛନ୍ତି। ତାକୁ ମନେ ହେଉଛି, ସତେ ଯେମିତି ତା ଚାରି ପାଖେ ତା ନାତିନାତୁଣୀ ବସି ତାଠୁ କଥା, କାହାଣୀ ସବୁକିଛି ଶୁଣୁଛନ୍ତି। ତାକୁ ଲାଗୁଛି, ତା ନାତି ଦୁଇ ଜଣ ତା କୋଳରେ ଦୁଇପଟୁ ମୁଣ୍ଡ ରଖି ଶୋଇଛନ୍ତି। ଆଉ ସେ ସେମାନଙ୍କ ମୁଣ୍ଡକୁ ଧୀରେ ଧୀରେ ଆଉଁସି ଦେବାରୁ ସେମାନେ ଶୋଇପଡୁଛନ୍ତି। ହଠାତ୍ ବ୍ୟସ୍ତ ବିବ୍ରତ ହୋଇପଡ଼ିଲା ସ୍ନେହଲତା। ତାକୁ ଲାଗିଲା, ଏବେ ହିଁ ସମସ୍ତେ ତା ପାଖକୁ ଆସିବା ଦରକାର। ତାହେଲେ କେମିତି ଡାକିବ ସମସ୍ତଙ୍କୁ ସେ? କେହି ତ ତା ଆଖପାଖରେ ନାହାନ୍ତି। ବଡ଼କଷ୍ଟରେ ଶେଯରୁ ଉଠି ଟେବୁଲ ପାଖକୁ ଗଲା ସ୍ନେହଲତା। କାଗଜ କଲମ ଉଠାଇଲା। ଆରମ୍ଭ କଲା ଚିଠି। ହେଲେ ତାର ହାତ ଏମିତି ଥରୁଥିଲା ଯେ, ତା ହାତରେ କଲମଟା ଠିକ୍ ଭାବରେ ରହୁନଥିଲା। ତଥାପି ସେ କଷ୍ଟେମଷ୍ଟେ ଲେଖିବାରେ ଲାଗିଲା।

ମୋର କୋଟି ସମ୍ପତ୍ତି ପିଲାମାନେ,

ବଡ଼ଠାକୁର ତମମାନଙ୍କୁ ସବୁବେଳେ ଘଣ୍ଟଘୋଡ଼େଇ ରଖନ୍ତୁ। ତମେ ସମସ୍ତେ ଭଲ ପାଠପଢ଼ିଲ, ଗାଁରୁ ବାହାରକୁ ଯାଇ ଚାକିରି ବାକିରି କଲ । ହେଲେ ଗାଁଠୁ ଏତେ ଦୂରକୁ ଚାଲିଗଲ ଯେ, ମତେ ବି ତମେମାନେ ଭୁଲିଗଲ । ମୋର କିନ୍ତୁ ଏଥିପାଇଁ ତିଳେହେଲେ ଦୁଃଖ ନାହିଁ। ତମେ ତମର କାମ ଯଦି ମନଲଗାଇ କରୁଛ, ଆଉ ନିଷ୍ଠାପର ଭାବେ ସଚ୍ଚୋଟତାର ସହିତ କରୁଛ, ତାହେଲେ ମୁଁ ଯେଉଠି ଥିଲେ ବି ଖୁସିରେ ରହିବି । ମୁଁ ତ ଗଛର ଶୁଖିଲା ପତ୍ର । କେତେବେଳେ ଝଡ଼ି ପଡ଼ିବି, ତାର କିଛି ଠିକଣା ନାହିଁ । ହୁଏତ ତମେସବୁ ମୋର ଏ ଚିଠି ପଢ଼ିଲା ବେଳକୁ ମୁଁ ଆଉ ଏ ଦୁନିଆରେ ନଥିବି । ତଥାପି ମୁଁ ମୋ ମନକଥା ଲେଖୁଛି।  

ଏକାନ୍ନବର୍ତ୍ତୀ ପରିବାରର ଝିଅ ଆଉ ବୋହୂ ହୋଇ ବି ମୁଁ ମୋ ପିଲାମାନଙ୍କୁ ଏକାଠି ରଖିପାରିଲି ନାହିଁ, ସେହି ଦୁଃଖ ମୋତେ ବାରମ୍ବାର ଦଂଶନ କରୁଛି। ଉପରକୁ ଗଲା ପରେ ମୁଁ ମୋ ବାପାମାଆ ଆଉ ଶାଶୂ ଶ୍ୱଶୂରଙ୍କୁ କି ଉତ୍ତର ଦେବି, ତାହା ଜାଣିପାରୁନି। ତେଣୁ ଅନ୍ୟମାନଙ୍କୁ ନେଇ ପୁଣି ଏକାଠି ହୋଇ ରହିବା ହୁଏତ ସମ୍ଭବ ନହୋଇପାରେ। କିନ୍ତୁ ମୁଁ ଚାହିଁବି ତୁମେମାନେ ଅନ୍ତତଃ ମୋ ପରେ ଏକାଠି ହୋଇ ରହିବ। ହଁ .. ଟଙ୍କା ପଇସା ସମ୍ପତ୍ତି ତ ଜୀବନରେ ଅନେକ ଆସିବ। କିନ୍ତୁ ସ୍ନେହ ସମ୍ପର୍କ ଆଉ ମଣିଷ ପଣିଆ ଏତେ ସହଜରେ ଆସିବନି। କେତେ ତୀର୍ଥ ଯାଅ, କେତେ ଦିଅଁ ଦେବତାଙ୍କୁ ପୂଜା କର, କେତେ ଶାସ୍ତ୍ର ପଢ଼, କେତେ ଜ୍ଞାନୀ ହୁଅ .. ତାର କିଛି ମାନେ ନାହିଁ, ଯଦି ତମେ ମଣିଷକୁ ମଣିଷ ଭଳି ଦେଖୁନାହଁ। ଅନ୍ୟର ଦୁଃଖରେ ଯଦି ତମ ଆଖି ଓଦା ହେଉନି, ଅନ୍ୟର ଅସମୟରେ ଯଦି ତମେ ଠିଆ ହୋଇପାରୁନ, ତାହେଲେ ତମେ ଏ ସଂସାରକୁ କାହିଁକି ଆସିଲ, ସେ ପ୍ରଶ୍ନର ଉତ୍ତର ଦେବାକୁ ତମେ ସକ୍ଷମ ହେବନି। ସେଥିପାଇଁ ମଣିଷ ଭିତରେ ଥିବା ଦେବତାକୁ ଅନ୍ତତଃ ଟିକିଏ ପୂଜା କରିବ। ମଣିଷକୁ ମଣିଷ ଭଳି ଦେଖିବ।

ମୋ କଥାକୁ କିଛି ଭୁଲ ବୁଝିବନି। ମହାପ୍ରଭୁ ତମର ମଙ୍ଗଳ କରନ୍ତୁ। ରହୁଛି।
ଇତି
ତୁମର ଶୁଭାକାଂକ୍ଷିଣୀ
ସ୍ନେହଲତା

କିଛି ସମୟ ପରେ, ସେହି କୋଠରୀ ଭିତରକୁ ପଶିଆସିଲା ତା ବଡ଼ନାତି। ଦୁଇଦିନ ତଳେ ଜେଜେମା ଅସୁସ୍ଥ ହୋଇଛି ବୋଲି ଶୁଣିବା ପରେ ସଙ୍ଗେ ସଙ୍ଗେ ସେ ଦୌଡ଼ି ଆସିଛି ଗାଁକୁ। ଘରେ ପହଞ୍ଚିବା କ୍ଷଣି, ବ୍ୟାଗଟାକୁ ଫିଙ୍ଗିଦେଇ ସେ ପଶିଯାଇଛି ଜେଜେମାର କୋଠରୀ ଭିତରକୁ। ଏତିକି ବେଳେ ସେ ଦେଖୁଛି, ସାମ୍ନାରେ ଥିବା ଟେବୁଲ ଉପରେ ମୁହଁମାଡ଼ି ଶୋଇ ରହିଛି ଜେଜେମା। ତା ପାଖକୁ ଯାଇ ଦେଖେ ତ, ଜେଜେମା ଆଉ ନାହିଁ। ତା ହାତରେ ସେ କଲମଟା ସେମିତି ହିଁ ଅଛି। ତା ତଳୁ ଚିଠିଟିକୁ ଉଠାଇ ଆଣିଛି ସେ। ପଢ଼ିବା ଆରମ୍ଭ କଲା ତ, ସବା ଉପରେ ଲେଖା ହୋଇଛି, ସ୍ନେହଲତାର ଶେଷ ଚିଠି। …

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି
ମୋହାଲି, ପଞ୍ଜାବ । ପିନ୍- ୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪

Comments are closed, but trackbacks and pingbacks are open.