Latest Odisha News

BREAKING NEWS

ସାହିତ୍ୟ ସାମାଜିକ ସତ୍ୟର ନିଖୁଣ ପ୍ରତିରୂପ : ଲିପିକା ଦାସ

ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରବୀଣ ଶିଳ୍ପୀ ଲିପିକା ଦାସ । ଜୀବନର ଅଭିଜ୍ଞତା ଓ ଅନୁଭବକୁ ସାଉଁଟି, ନିଜସ୍ୱ ଢଙ୍ଗରେ ଉପସ୍ଥାପନ କରିବାରେ ସେ ଖୁବ ପାରଙ୍ଗମ। ଶାଣିତ ଶବ୍ଦର ପ୍ରୟୋଗ ସହ ସାବଲୀଳ ଭାବର ମଧୁରପଣରେ ଅତି ନିଖୁଣ ଭାବରେ ସେ ସଜାଇ ପାରନ୍ତି ତାଙ୍କ ସର୍ଜନାର ଧାରା।

ଲୁହର ରଙ୍ଗ ନଥାଏ , ଅବୁଝା ଚଢ଼େଇର ଡେଣା, ହଂସୀନି, ଋତୁ ଅନାମିକା, ନର୍କର ନକ୍ଷତ୍ର, ପବନ ଚୁପ ଥିଲାବେଳେ, କିଛି ଦ୍ରୋହ ରଫରେ , ରାତିକୁ ଆଉ ପଚାରନା କିଛି ପ୍ରଭୃତି ଅନବଦ୍ୟ ପୁସ୍ତକର ସେ ନିମଗ୍ନ ସ୍ରଷ୍ଟା। ନିଜର ଅନଦବ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ ଅନେକ ଅନୁଷ୍ଠାନ ତଥା ସାହିତ୍ୟ ସଂସଦ ପକ୍ଷରୁ ସମ୍ମାନିତା ଓ ସମ୍ବର୍ଦ୍ଧିତା ।

ଲେଖିକା ଲିପିକା ଦାସଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ‘ଆଳାପ’

ସାହିତ୍ୟ ଓ ଜୀବନ କିପରି ଭାବରେ ପରସ୍ପର ସହ ଜଡ଼ିତ ?

ସାହିତ୍ୟ ସାମାଜିକ ସତ୍ୟର ନିଖୁଣ ପ୍ରତିରୂପ । ବାସ୍ତବତାର କାରୁକାର୍ଯ୍ୟ , ଭାବଗତ ଅନାହତ ଧାରା । ଜୀବନ ଏକ ମୌଳିକ କାହାଣୀ ନଚେତ୍ କବିତା । ଜୀବନକୁ ବାଦ୍ ଦେଇ ସାହିତ୍ୟ ନିରସ । ସାହିତ୍ୟ ନ ଥିଲେ ଜୀବନର ପ୍ରତିଛବି ଦେଖି ହୁଏନା । ଜୀବନ ଜୀଇଁବାର ଧାରାରେ ସଂଶ୍ଳିଷ୍ଟ ଆମ ସାମାଜିକ ଚଳଣୀ, ପ୍ରଥା, ପରମ୍ପରା ସବୁକୁ ହଜାର ହଜାର ବର୍ଷ ଧରି ଗୋଟିଏ ପୀଢ଼ିରୁ ଅନ୍ୟ ପୀଢ଼ି ଯାଏଁ ସାହିତ୍ୟ ହିଁ ବହନ କରିଚାଲିଛି । କେହି ତାଳପତ୍ର ପୋଥି ହେଉ କି ପଥର ଗୁମ୍ଫାର ଖୋଦେଇ ଅକ୍ଷର ରୂପେ ହେଉ, ଯଦି ଲେଖନ କରି ନ ଥାନ୍ତେ, ଆମେ କିପରି ସେ ସମୟରୁ ଏ ସମୟ ଯାଏ ଜୀବନର ଚର୍ଯ୍ୟା ବଖାଣି ପାରିଥାନ୍ତେ ? ଆଜିର ସାହିତ୍ୟ ଆସନ୍ତା କାଲି ଜୀବନର ସେତୁ ନିଶ୍ଚିତ ।

ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା ଆପଣଙ୍କୁ କିପରି ଭାବରେ ଅନୁପ୍ରାଣିତ କରିଥିଲା ?

୧୯୯୮ ମସିହାରେ କାଳାନ୍ତରରେ ମୋର ପ୍ରଥମ କବିତା “ଅରଣ୍ୟ ଅଗ୍ନି “ପ୍ରକାଶିତ ହୋଇଥିଲା । କବିତା ଡାଇରୀରୁ ଯାଇ କୌଣସି ଖବରକାଗଜରେ ଛପା ଅକ୍ଷରରେ ଦେଖି ଏକ ଖୁସି ଖୁସି ଭାବଟେ ଥିଲା । ଯାହା ପରେ ପରେ ସମ୍ବାଦର ସାହିତ୍ୟ ପୃଷ୍ଠା ଏବଂ ପ୍ରଜାତନ୍ତ୍ର ସାପ୍ତାହିକ ପତ୍ରିକା, ସମାଜ ସାହିତ୍ୟ ପୃଷ୍ଠା ସହ ଅନ୍ୟାନ୍ୟ ପତ୍ର ପତ୍ରିକା ପର୍ଯ୍ୟନ୍ତ ମୋ କବିତାମାନଙ୍କୁ ନେବାରେ ଅନୁପ୍ରାଣିତ କରିଥିଲା ।

ନାରୀବାଦୀ ତତ୍ତ୍ବଟି ପରୁଷକୁ ଅତିକ୍ରମ କରିବା ନା ନିଜକୁ ଉନ୍ମୁକ୍ତ କରିବା ନା ପାରମ୍ପାରିକତା ଭାଙ୍ଗି ସମାନ ପ୍ରତିଷ୍ଠା ପାଇବାରେ ଅପେକ୍ଷା ରଖେ ?

ନାରୀବାଦୀ ତତ୍ତ୍ଵ, କେବେବି ପୁରୁଷକୁ ଅତିକ୍ରମଣ ନୁହେଁ କିମ୍ବା ସମାନ ପ୍ରତିଷ୍ଠା ମଧ୍ୟ ନୁହେଁ । ନାରୀ ତ କାଳେ କାଳେ ସ୍ଵୟଂ ସମ୍ପୂର୍ଣ୍ଣା , ସର୍ବଶ୍ରେଷ୍ଠା । ସେ ଅତିକ୍ରମଣ କରିବ କାହାକୁ କିମ୍ବା ସମାନତା ଦାବି କରିବ କାହିଁକି ? ତେବେ ହଁ, କେବଳ ନିଜକୁ ପାରମ୍ପରିକ ବେଡ଼ି ଓ ପଞ୍ଜୁରୀରୁ ମୁକ୍ତ କରିବାକୁ ଚାହେଁ। ଖୋଲା ଆକାଶଟେ ଲୋଡେ , ଯୋଉଠି ସେ ଚାହିଁବ ଡେଣାଭରା ଉଡାଣ । ତା’ର ଇଚ୍ଛା , ସ୍ବପ୍ନ ସବୁ ମନୁଷ୍ୟୋଚିତ । ନିଜ ଚଲାପଥରୁ କଣ୍ଟା ଝଣ୍ଟା ସଫା କରି ନିଜକୁ ଆଗେଇ ନେବାର ପ୍ରତିଶ୍ରୁତି ହିଁ ନାରୀବାଦୀ ସ୍ଵର। ସର୍ବୋପରି ନାରୀ ନିଜ କାନ୍ଧରେ ନିଜ ଛାଇକୁ ମଧ୍ୟ ବୋହି ନେବାର ଦୁଃସାହସ ହିଁ ନାରୀବାଦୀ ତତ୍ତ୍ଵ ।

ବର୍ତ୍ତମାନ ଓଡ଼ିଆ ଭାଷାରେ ଉପନ୍ୟାସର ସଂଖ୍ୟା କମି ଯାଉଛି । ଏଥିପାଇଁ ସମକାଳୀନ ଲେଖକମାନେ କିପରି ଯତ୍ନବାନ ହେବା ଆବଶ୍ୟକ ବୋଲି ଆପଣ ଭାବନ୍ତି ?

ଉପନ୍ୟାସ ପଢ଼ିବା ପାଇଁ ଯେଉଁ ସମୟ ଏବଂ ଏକାଗ୍ରତା ଲୋଡ଼ା ଯାହା ଦଶ ବର୍ଷ କି କୋଡିଏ ବର୍ଷ ପୂର୍ବରୁ ପାଠକ ପାଖରେ ଥିଲା। ଆଜିର ଇଣ୍ଟରନେଟ ଯୁଗରେ ସେସବୁ ନାହିଁ । ଯୁବପୀଢ଼ି ବ୍ୟସ୍ତ ବହୁରାଷ୍ଟ୍ରୀୟ କମ୍ପାନୀ ଚାକିରୀ ଭିତରେ । ଅନ୍ୟମାନେ ତେଲଲୁଣ ସଂସାରର ଦ୍ବାହି ଦେଇ ଏଡାଇ ଯାଉଛନ୍ତି ପାଠକୀୟତାକୁ । ଅଳ୍ପ କିଛି ପାଠକ ପଢିବାରେ ରୁଚି ରଖୁଛନ୍ତି । ସେମାନେ ଟଙ୍କା ବ୍ୟୟ କରି ବହି କିଣି , ପଢ଼ିଲା ପରେ ଯଦି ସନ୍ତୁଷ୍ଟି ନ ପାଉଛନ୍ତି ତେବେ ପସ୍ତଉଛନ୍ତି ଅର୍ଥ ପାଣିରେ ପଡିଲା ବୋଲି କାରଣ ଏବେ ବହିର ବଜାର ମୂଲ୍ୟ ବଢିଲାଣି ।

ଉପନ୍ୟାସ ଲେଖିବା ବି ଏତେ ସହଜ କଥା ନୁହେଁ । ଉପନ୍ୟାସ ଲେଖିବା ପାଇଁ ଯୋଉ ଏକାଗ୍ରତା, ସମୟ ଏବଂ ଚରିତ୍ରମାନଙ୍କୁ ଖୋଜିବାର ନିଷ୍ଠା ବର୍ତ୍ତମାନ ସମୟରେ ଖୁବ୍ କମ୍ ଲେଖକମାନଙ୍କ ପାଖରେ ଅଛି । ଆଉ ଯେଉଁମାନଙ୍କ ପାଖରେ ଏସବୁ ଅଛି ସେଇମାନେ ହିଁ ଆଜିଯାଏ ଉପନ୍ୟାସକୁ ନିଃସର୍ତ୍ତ ବଞ୍ଚେଇ ରଖି ଆସିଛନ୍ତି ।

ଓଡ଼ିଆ ଭାଷା ସାହିତ୍ୟରେ ଲେଖିକାମାନଙ୍କ ପ୍ରଭାବ କିପରି ?

ଓଡ଼ିଆ ଭାଷା ସାହିତ୍ୟରେ ଲେଖିକାମାନଙ୍କର ପ୍ରଭାବ ବେଶ୍ ସୁଦୃଢ । କୁନ୍ତଳା କୁମାରୀ ସାବତ ,ବିଦ୍ୟୁତ ପ୍ରଭା ଦେବୀ , ବୀଣାପାଣି ମହାନ୍ତି, ପ୍ରତିଭା ରାୟ, ଗିରିବାଳା ମହାନ୍ତି ,ବନୋଜ ଦେବୀଙ୍କଠାରୁ ନେଇ ପରବର୍ତ୍ତୀ ସମୟ ଏବଂ ସମକାଳୀନ ଅନେକ ପ୍ରତିଭାମୟୀ ଲେଖିକାଗଣ ଓଡ଼ିଆ ଭାଷା ସାହିତ୍ୟକୁ ବିଭିନ୍ନ ବିଭାଗରେ  ସମୃଦ୍ଧ କରିଛନ୍ତି, ଗାରିମାମୟ କରି ତୋଳି ଧରିଛନ୍ତି ।

ସାରସ୍ୱତ ସାଧନାରେ ସମ୍ମାନ ଓ ସ୍ୱୀକୃତି ଜଣେ ଲେଖକଙ୍କୁ କିପରି ଭାବରେ ପ୍ରଭାବିତ କରେ ? ଏହା ଦ୍ୱାରା ଲେଖକଙ୍କର ଦାୟିତ୍ୱବୋଧ ବଢିଯାଏ କି ?

ସାରସ୍ଵତ ସାଧନାରେ ସମ୍ମାନ ଓ ସ୍ଵୀକୃତି ଜଣେ ଲେଖକଙ୍କୁ ଉତ୍ସାହିତ କରେ ସୃଜନର ଧାରାକୁ ବିସ୍ତୃତ ଗତିପଥ ଦେବା ଲାଗି । ଏହାଦ୍ୱାରା ଲେଖକର ଲେଖକୀୟ ଦାୟିତ୍ୱବୋଧ ନିଶ୍ଚିତ ରୂପେ ବଢିଯାଇଥାଏ । ପାଠକ ଖୋଜେ ସମ୍ମାନିତ ଲେଖକଠାରୁ ଆହୁରି ଅଧିକ ସୂକ୍ଷ୍ମ, ଶାଣିତ, ଗଭୀର ଚେତନା ଲେଖା । ଅନ୍ୟ ଦିଗରେ ଅନେଇ କହିବି ସାରସ୍ବତ ସାଧନାରେ ସମ୍ମାନ, ସ୍ଵୀକୃତି ବିନା ମଧ୍ୟ ଜଣେ ସତ୍ ଏବଂ ନିରଳସ ସାହିତ୍ୟ ସାଧକ ସର୍ଜନାର ଦାୟବଦ୍ଧତାରେ ଥାଏ । ତାହା ହିଁ ଉଚିତ୍ ମାର୍ଗ ।

ଆପଣଙ୍କ ରଚିତ ଏକ କବିତା ସଙ୍କଳନ ‘ନର୍କର ନକ୍ଷତ୍ର’ । ସଙ୍କଳନଟିର ଏପରି ନାମକରଣର ଯଥାର୍ଥତା କ’ଣ ?

“ନର୍କର ନକ୍ଷତ୍ର” କବିତା ସଙ୍କଳନଟିରେ ସ୍ଥାନିତ ହେଇଥିବା କବିତାମାନେ ଗୋଟିଏ ଗୋଟିଏ ନକ୍ଷତ୍ର ଅଥଚ ସେମାନଙ୍କୁ ଭୋଗିବାକୁ ପଡିଛି ଅସହଣି ଯନ୍ତ୍ରଣା ଅହରହ । ବାହାରି ଯିବାକୁ ପଡିଛି ପୃଥିବୀ ପରିକ୍ରମାରେ ଓଠରେ ଝୁଲେଇ ମିଛ ହସର ଅଧା ଜହ୍ନ । ସବୁଠି ଅନ୍ଧାରର ହୋଡିଂ ଓ ପୋଷ୍ଟର । ଯୋଉଠି ଦୀପଟିଏ ଜାଳିବାର ଅକ୍ଷମତା, ସେଇଠି ହିଁ ପରାଜୟ। ନର୍କରେ ଥିଲା ବେଳେ ନକ୍ଷତ୍ର, ଈଶ୍ୱର ବି ଖଣ୍ଡେ ପଥର ନା ପ୍ରାର୍ଥନା, ନା ସ୍ବପ୍ନ !

ଏତେ ବର୍ଷର ସାହିତ୍ୟ ସାଧନା ଭିତରେ ଆପଣଙ୍କ ସର୍ବଶ୍ରେଷ୍ଠ ସୃଷ୍ଟି କ’ଣ ?

ଦୁଇ ଦଶନ୍ଧି ଧରି ସାହିତ୍ୟ ସାଧନାର ପୃଷ୍ଠାରେ ଏଯାବତ ଲେଖାହେଇଥିବା ମୋର ସୃଷ୍ଟିମାନେ ତୁଷ୍ଟି ଦେଇପାରି ନାହାନ୍ତି ମୋତେ ଏବଂ ମୃତ୍ୟୁ ଯାଏ ଲେଖିବାକୁ ଥିବା କବିତା କି କାହାଣୀ ହୁଏତ ମୋ ପାଇଁ ସର୍ବଶ୍ରେଷ୍ଠ ହୋଇ ନ ପାରନ୍ତି । ତାହା ପାଠକଙ୍କ ଦାୟିତ୍ୱରେ ଛାଡିଲି ।

ଜଣେ ଲେଖକର ସାମାଜିକ ଦାୟିତ୍ୱବୋଧ କିପରି ହେବା ଆବଶ୍ୟକ ?

ଲେଖକ ପ୍ରଥମେ ନିଜେ ଜଣେ ସମାଜର ଅଙ୍ଗ । ତେଣୁ ତା’ର ଲେଖକୀୟ ଅନ୍ତଃସ୍ବର ଜୀବନର ମୂଲ୍ୟବୋଧ ଓ ସାମାଜିକ ପ୍ରତିବଦ୍ଧତା ସ୍ବତଃ ବହନ କରିଥାଏ । ଯାହା ଉଚିତ ଏବଂ ଅନୁଚିତର ଉର୍ଦ୍ଧ୍ୱରେ । ଲେଖକର କଲମ ଓ ଶବ୍ଦମାନେ ସମ୍ପୂର୍ଣ୍ଣ ସ୍ଵାଧୀନ ନିଜ ହୃଦୟର ହର୍ଷ, ବିଷାଦର ଦୃଶ୍ୟକୁ ପରିପ୍ରକାଶ କରିବାରେ ।

ଜଣେ ଲେଖିକା ନିଜର ଭାବ ପ୍ରକାଶ କରିବାରେ ସାମାଜିକ ବନ୍ଧନ ବାଧା ସୃଷ୍ଟି କରେ ବୋଲି ଆପଣ ଭାବନ୍ତିକି ?

କିଛି ଲେଖିକାଙ୍କୁ ଜାଣେ, ଯେଉଁମାନଙ୍କୁ ନିଜର ଭାବ ପ୍ରକାଶ କରିବାରେ ସାମାଜିକ ବନ୍ଧନ ବାଧା ସୃଷ୍ଟି କରିଛି । ତସଲିମା ନସରିନଙ୍କୁ ନିଆଯାଉ ,ତାଙ୍କୁ ଘର ପରିବାର ଏପରିକି ଦେଶ ମଧ୍ୟ ଛାଡିବାକୁ ପଡିଛି । ହତ୍ୟାର ଧମକ ଖଣ୍ଡା ପରି ପବନରେ ଝୁଲୁଛି । ଲଳିତାଙ୍କୁ ଜିହ୍ବା ଛେଦି ଖନା ହେବାକୁ ପଡିଛି । କିନ୍ତୁ,  ମୁଁ ଜଣେ ଲେଖିକା ଭାବରେ ନିଜର ଭାବ ପ୍ରକାଶ କରିବାରେ ସାମାଜିକ ବନ୍ଧନର ବାଧା ଭୋଗିନି ସତ, ହେଲେ ମୋ ମନର କଥା ଲେଖିବାକୁ ପର୍ଯ୍ୟାପ୍ତ ସମୟ ଦେଇନି ସାମାଜିକ ବନ୍ଧନ ମୋତେ । ମୋର ପ୍ରଥମ ଦାୟ ଆଜି ପର୍ଯ୍ୟନ୍ତ ରହିଆସିଛି ପରିବାର । ପରେ ନିଜପାଇଁ ମିଳୁଥିବା ସମୟରୁ କିଛି ଚୋରେଇ ନିଅନ୍ତି ଲେଖାମାନେ ।

ସମସାମୟିକ ଲେଖକଙ୍କୁ କି ବାର୍ତ୍ତା ଦେବେ ?

ଏତିକି କହିବି , ଅନ୍ତତଃ ପ୍ରତ୍ୟେକ ପ୍ରତ୍ୟକଙ୍କୁ ପଢନ୍ତୁ । ଅଗ୍ରଜ, ଅନୁଜ, ସମକାଳୀନ ସମସ୍ତେ  ଓଡ଼ିଆ ଭାଷା ସାହିତ୍ୟ ନୂତନ ଦିଗବଳୟ ଦେଖନ୍ତୁ । ବିଶ୍ବ ସାହିତ୍ୟରେ ଅସ୍ତିତ୍ଵ ଜାହିର କରିବାରେ ସମ ସାମୟିକ ଲେଖକଗଣଙ୍କ ଦାୟିତ୍ବ ରହୁ ।

Leave A Reply

Your email address will not be published.