Latest Odisha News

BREAKING NEWS

ଭାଷା ଉପରେ ଦକ୍ଷତା ନ ରହିଲେ ସାହିତ୍ୟ ସର୍ଜନା ସମ୍ଭବ ନୁହେଁ : ସୁଜାତା ମିଶ୍ର

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ସୁଜାତା ମିଶ୍ର । ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ କବିତାର ବିଭବ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ଶାଣିତ ଶବ୍ଦର ପ୍ରୟୋଗ ସହ ସାବଲୀଳ ଭାବର ମଧୁରପଣରେ ଅତି ନିଖୁଣ ଭାବରେ ସେ ସଜାଇ ପାରନ୍ତି ତାଙ୍କ ସର୍ଜନାର ଧାରା । ତାରା ଫୁଟିଲେ କହିବି, ମାଗ୍ନୋଲିଆ ଆଦି ପୁସ୍ତକ ସହିତ ଆହୁରି ଅନେଜ କବିତାର ସେ ସ୍ରଷ୍ଟା।

କବୀ ସୁଜାତା ମିଶ୍ରଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର “ଆଳାପ”

 

ସାହିତ୍ୟ ଜୀବନର ଆରମ୍ଭ କିପରି ହୋଇଥିଲା ?

କବିତା ପ୍ରତି ଆଗ୍ରହ ପିଲା ଦିନରୁ ଥିଲା । କିନ୍ତୁ ୨୦୧୩ ମସିହାରେ ଫେସବୁକରେ କବିତା ପଢ଼ି ଲେଖିଲି। ପ୍ରଥମେ ଇଂରାଜୀରେ ଓ ପରେ ଓଡ଼ିଆରେ ଲେଖିଲି ।

ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା ଆପଣଙ୍କୁ କିପରି ଭାବରେ ଅନୁପ୍ରାଣିତ କରିଥିଲା ?

ପ୍ରଥମ କବିତା ଇଂରାଜୀରେ ଥିଲା ଓ ଏହା ଅଲ୍ ପୋଏଟ୍ରି.କମରେ ବାହାରି ଥିଲା । ବହୁତ ଖୁସି ଲାଗିଥିଲା ଓ ମୁଁ ଯେ ଲେଖିପାରିବି, ଏ ବିଶ୍ୱାସ ଆସିଲା।

ଆପଣ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଲେଖନ୍ତି । ତେବେ ଆତ୍ମତୃପ୍ତି କେଉଁଠି ଅଧିକ ?

କବିତାଟିଏ ଲେଖିସାରିବା ପରେ ନିଜକୁ ବେଶ୍ ହାଲକା ଲାଗେ, ଯେମିତି ଚାରି ଆଡ଼େ ଫୁଲ ଫୁଟିଯାଇଚି; କିନ୍ତୁ ଓଡ଼ିଆରେ ବେଶୀ ଭଲ ଲାଗେ, ହୃଦୟ ନିଗାଡି଼ ଦେବା ପରି ମନେହୁଏ।

ସବୁ ଲେଖକ ଜଣେ ଜଣେ ସମୀକ୍ଷକ । ଆପଣ ନିଜ ରଚନାର ସମୀକ୍ଷା କଲେ, କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?

ହଁ, ମୁଁ ମୋ କବିତାର ପ୍ରଥମ ସମୀକ୍ଷକ। ମୁଁ କବିତାଟିଏ ଠିକ୍ ଭାବେ ଶେଷ କରିପାରେନି। ମୋର ଭାଷା ଉପରେ ଅଧିକ ଦକ୍ଷତା ରହିବା ଦରକାର।

ଓଡ଼ିଶା ବାହାରେ ରହି ଓଡ଼ିଆ ଲେଖିବା ହିସାବରେ ଆପଣ କେବେ ଭାବିଛନ୍ତି କି ଓଡ଼ିଶାରେ ଥିଲେ ଆହୁରି ଅଧିକ ଲେଖି ହୋଇଥାନ୍ତା ।

ଓଡିଶା ବାହାରେ ରହିବାରୁ ମୁଁ ମୋ ରାଜ୍ୟକୁ ସବୁବେଳେ ଝୁରେ । ଭୁବନେଶ୍ୱର ଷ୍ଟେସନ ଷ୍ଟଲରୁ ଓ ବହି ଦୋକାନରୁ ବହି ଓ ପତ୍ରିକା କିଣି ପଢ଼ିଥାଏ। ତେବେ ଓଡ଼ିଶାରେ ଥିଲେ ଏସବୁ ସୁଗମ ହୋଇଥାନ୍ତା।

ପୁରସ୍କାର ଓ ପରିଚିତି ଜଣେ ସାହିତ୍ୟିକଙ୍କୁ କିପରି ପ୍ରୋତ୍ସାହିତ କରେ ?

ପୁରସ୍କାର ଓ ପରିଚିତି ଉତ୍ସାହିତ କରେ, କିନ୍ତୁ ଜରୁରୀ ନୁହେଁ । ମୁଁ ପୁରସ୍କାର ପାଇଁ ଲେଖେନା। କବିତା ଝରିଲେ ଲେଖେ।

ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟମ କେତେ ମାତ୍ରାରେ ସହାୟକ ହୋଇଛି ?

ସାମାଜିକ ଗଣମାଧ୍ୟମ ବେଶ୍ ସାହାଯ୍ୟ କରେ ସାହିତ୍ୟ କରିବା ପାଇଁ ଆଜିର ସମାଜରେ। ବିଶେଷକରି ସାମ୍ପ୍ରତିକ କବିମାନଙ୍କ ଲେଖା ପଢ଼ି ହେଉଛି। ମୋ କ୍ଷେତ୍ରରେ ଫେସବୁକ ନଥିଲେ ମୁଁ ହୁଏତ ଲେଖିନଥାନ୍ତି!

 ଆପଣଙ୍କ କବିତାର ଭାବରେ ଆପଣ  କେତେଦୂର ଅଧିକ ସନ୍ତୁଷ୍ଟ ?

ସାହିତ୍ୟ ଭାବ ବିନା ଭାରି ମନେହୁଏ। କବିତାରେ ଭାବ ହେଲା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅଳଙ୍କାର। ନହେଲେ ଏହା ଶୁଷ୍କ ଲାଗେ।

ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣଙ୍କର ଯୋଜନା କଣ ?

ସାହିତ୍ୟକୁ ନେଇ ଆପାତତଃ କିଛି ଯୋଜନା ନାହିଁ। ମୋର କବିତା ବହି ଓଡ଼ିଆରେ ଓ ଇଂରାଜୀରେ ପ୍ରକାଶିତ। ଆଉ ମଧ୍ୟ ଲେଖିବାର ଇଚ୍ଛା ଅଛି।

ନୂଆ ଲେଖକଙ୍କୁ କି ବାର୍ତ୍ତା ଦେବେ ?

ଆଜିକାଲି ପିଲାମାନେ ଭଲ ଲେଖୁଛନ୍ତି। ସେମାନେ ଅନ୍ୟ ଲେଖକଙ୍କୁ ପଢ଼ନ୍ତୁ। ମୋର ସୁମନାସ ସେମାନଙ୍କ ପାଇଁ !

Comments are closed, but trackbacks and pingbacks are open.