Latest Odisha News

BREAKING NEWS

ସାଧୁ ଚୋର

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ …… 

ନିକଟରେ ଗଙ୍ଗାଧର ବିଶ୍ୱବିଦ୍ୟାଳୟ ହ୍ବାଟସପ ଗ୍ରୁପରେ ଜଣେ ନିଜ ସହ ଘଟିଥିବା ଏକ ଚମତ୍କାରୀ ଅନୁଭୂତିର ବର୍ଣ୍ଣନା କରି ଈଶ୍ୱରଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ । କଥାଟି ଏହିପରି ; ଗତ ଶନିବାର ଦିନ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ସାମନାରୁ ତାଙ୍କର ହେଲମେଟଟି (ସାଇକେଲ ହେଲମେଟ) କିଏ ନେଇ ଯାଇଥିଲେ , ଦୀର୍ଘ ତିନି ଘଣ୍ଟା ଖୋଜା ଖୋଜି କଲାପରେ ମଧ୍ୟ ପାଇ ନଥିଲେ। ଜଗୁଆଳୀ, ତଥା କଲେଜରେ ଅନେକ ସହକର୍ମୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ପଚାରିଲା ପରେବି ତାର ଟେର ମିଳିନଥିଲା। ଲୋକଙ୍କ ନୈତିକ ଅଧପତନ ଓ ନିଜର ଅର୍ଥହାନୀ ବିଷୟରେ ଭାବି ସେ ଅତ୍ୟନ୍ତ ମ୍ରିୟମାଣ ହେଇ ଯାଇଥିଲେ। ହେଲେ ମଙ୍ଗଳବାର ଦିନ ସେ କଲେଜରେ ପହଞ୍ଚୁ ପହଞ୍ଚୁ ଜଗୁଆଳିଟି ତାଙ୍କର ସେହି ହେଲମେଟ ହାତରେ ଧରାଇ ଦେଇ କହିଲା ,”ଆଜ୍ଞା, ଆଜି ଜଣେ ଆସି ଏଇ ହେଲମେଟ ଦେଇ କହିଲେ ମୁଁ ଭୁଲରେ ନେଇ ଯାଇଥିଲି, ଯାହାର ଏଇ ହେଲମେଟ ତାଙ୍କୁ ଦେଇଦେବ।”

ହେଲମେଟଟି ଏପରି ଭାବରେ ଫେରିପାଇବାକୁ ସେ ଭଗବାନଙ୍କ ଚମତ୍କାରିତା ବୋଲି ଗ୍ରହଣ କରି ଅତ୍ୟନ୍ତ ଭାବବିହ୍ଵଳ ହୋଇ ପଡିଥିଲେ। ଘଟଣାଟି ପଢୁ ପଢୁ ବିସ୍ମୃତି ଗର୍ଭରୁ ମୋ ଜୀବନରେ ଘଟିଥିବା ସେହିପରି ଏକ ଚମତ୍କାରୀ ଘଟଣା ଉଙ୍କି ମାରି ଉଠିଲା।

ଘଟଣା ୨୦୦୩ ମସିହା ଜୁଲାଇ ମାସର ତାରିଖଟା ଠିକ ମନେ ପଡ଼ୁନାହିଁ। ଗୁରୁ ପୂର୍ଣ୍ଣିମା ଗୁରୁ-ଆଶ୍ରମ ଋଷିକେଶରେ ପାଳନ କରିବାର ଆଶା ନେଇ ସମ୍ବଲପୁରରୁ ନିଜାମୁଦ୍ଦିନ ଏକ୍ସପ୍ରେସରେ ଚଢ଼ିଲୁ। ସେତେବେଳେ ସମ୍ବଲପୁରରୁ ସିଧା ହରିଦ୍ୱାରକୁ ସିଧା ଟ୍ରେନ ନ ଥିଲା । ପୁରୀ-ନିଜମୁଦ୍ଦିନ ଏକ୍ସପ୍ରେସ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଯଉଥିଲା, ସେଠୁ ପୁଣି ପୁରୁଣା ଦିଲ୍ଲୀ ଷ୍ଟେସନ ଯାଇ ରାତି ଦଶଟାରେ ମୌସରୀ ଏକ୍ସପ୍ରେସ ନେଇ ହରିଦ୍ୱାର ଯିବାକୁ ହେଉଥିଲା। ଦୁର୍ଭାଗ୍ୟ ହେଉ ବା ସୌଭାଗ୍ୟ ହେଉ ସେଥର ଆମ ଦୁଇଜଣଙ୍କୁ ମୌସରୀ ଏକ୍ସପ୍ରେସରେ ନା ଶୀତତାପ ନିୟନ୍ତ୍ରିତ ବଗିରେ ବର୍ଥ ମିଳିଲା, ନା ଗୋଟିଏ କୋଚରେ ମିଳିଲା । ଦ୍ଵିତୀୟ ଶ୍ରେଣୀ ସ୍ଲିପରର ଦୁଇଟି ଅଲଗା ଅଲଗା କୋଚରେ ମୋର ପାଞ୍ଚ ନମ୍ବର ଆଉ ତାଙ୍କର ଆଠ ନମ୍ବର ।

ଆର ଦିନ ପ୍ରାୟ ସାଢ଼େ ତିନିଟା ବେଳକୁ ପୁରୀ ନିଜାମୁଦ୍ଦିନ ଟ୍ରେନଟି ନିଜ଼ମୁଦ୍ଦିନ ଷ୍ଟେସନରେ ଲାଗିଗଲା। ସେଠାରେ କିଛି ସମୟ ବିଶ୍ରାମ ନେବା ପରେ ପ୍ରାୟ ଛଅଟା ବେଳକୁ ଗୋଟିଏ ଅଟୋରିକ୍ସା ନେଇ ଆମେ ପୁରୁଣା ଦିଲ୍ଲୀ ଷ୍ଟେସନକୁ ଆସିଗଲୁ ଓ ସେଠାରେ ପ୍ରତୀକ୍ଷା ଗୃହରେ ଅପେକ୍ଷା କରିବାକୁ ଲାଗିଲୁ ଆମର ନିର୍ଦ୍ଧିଷ୍ଟ ଟ୍ରେନକୁ। ରାତି ନଅଟା ତିରିଶ ବେଳକୁ ମୌସରୀ ଏକ୍ସପ୍ରେସ ଦଶ ନମ୍ବର ପ୍ଲାଟଫୋର୍ମରେ ଲାଗିବ ବୋଲି ଡ଼ାକବାଜି ଯନ୍ତ୍ର ଦ୍ୱାରା ଘୋଷଣା ହେଲା ପରେ ଆମେ ଏକ ନମ୍ବରରୁ ଦଶ ନମ୍ବରକୁ ଗଲୁ। କୁଲିଟି ସୁଟକେଶ ଆଉ ଏଆର-ବେଗ ନେଇ ଆଗେ ଆଗେ ଯାଉଥାଏ। ପୁରୋହିତ ବାବୁ ପାଣି ବେଗ ଧରି ଥାଆନ୍ତି ଓ ମୁଁ ମୋର ପର୍ସ କାନ୍ଧରେ ଝୁଲେଇ ଥାଏ। ଦଶ ନମ୍ବର ପ୍ଲାଟଫର୍ମରେ ବହୁତ ଭିଡ, ପାଦ ପକେଇବାକୁ ବି ଜାଗା ନଥାଏ। ଯାହାହେଉ ଭିଡ଼ କାଟି ଆମେ ପ୍ରଥମେ ପାଞ୍ଚ ନମ୍ବର ବଗି ପାଖରେ ପହଞ୍ଚି ବଗି ଭିତରକୁ ପଶିଲୁ। ଦୁଆର ମୁହଁରେ ଭିଡ଼ ଏତେ ଯେ ସ୍ଲିପର ବଗି ଭିତରକୁ ପଶିବା ପାଇଁ ବି ବେଶ କସରତ କରିବାକୁ ପଡିଲା।

ଯାହାହେଉ ବଗି ଭିତରକୁ ଯାଇ ମୋ ପାଇଁ ନିର୍ଦ୍ଧାରିତ ସିଟ ପାଖକୁ ଗଲୁ। ଭାବିଥିଲୁ ପାଖ ପାଖି ବର୍ଥର ଯୁବକ ସହଯାତ୍ରୀ ଦେଖି ସିଟ ବଦଳ ପାଇଁ ଅନୁରୋଧ କରିବୁ ମାତ୍ର ଦେଖିଲା ବେଳକୁ ନିକଟସ୍ଥ ବର୍ଥ ଗୁଡିକରେ ଆମଠାରୁ ଅଧିକ ବ୍ୟୟସ୍କ ପ୍ରୌଢ ଓ ବୃଦ୍ଧ ଦମ୍ପତି। ଅନନ୍ୟୋପାୟ ହେଇ ନିଜ ନିଜ ବର୍ଥ ରେ ହିଁ ରହିବାକୁ ସ୍ଥିର କଲୁ। ରାତିକ କଥା ତ…… କୁଲି ମୋ ସିଟ ତଳେ ସୁଟକେଶ ଓ ବେଗ ରଖି ନିଜ ପାଉଣା ନେଇ ଚାଲିଗଲେ। ମୋର ଶୋଇବା ସୁବିଧା କରି ଦେଇ ପୁରୋହିତ ବାବୁ ନିଜ ବଗିକୁ ଗଲେ।

ଟ୍ରେନ ଛାଡି ନଥାଏ, ନିଶ୍ଚିନ୍ତରେ ସିଟ ଉପରେ ବସି ମୁଁ ମୋର ପର୍ସକୁ କାନ୍ଧରୁ ଓହ୍ଲେଇ ସିଟ ଉପରେ ରଖିଲି, ପାଣି ବୋତଲରୁ ଅଳ୍ପ ପାଣି ପିଇଲି । ତାପରେ ଅଭ୍ୟାସ ବଶତଃ ପର୍ସ ଉପରେ ହାତ ଦେଲା ବେଳକୁ ଚେନ ମେଲା, ଭିତରେ ହାତ ପୁରେଇ ଦେଖିଲା ବେଳକୁ ତା ଭିତରେ ଥିବା ଛୋଟ ମୁଣିଟି ଗାୟବ, ବଡ ପର୍ସ ଭିତରେ ଦୁଇଟା ବଡ ବଡ ଥାକ, ଆଉ ଗୋଟିଏ ଛୋଟ ଚେନ ଲଗା ଥାକ…ସବୁ ଯାକ ଅଣ୍ଡାଳି ପକେଇଲି ହେଲେ କୁଆଡେ ଯେ ଉଭାନ ହେଇଗଲା ଛୋଟପର୍ସଟି ।ଏକ ନମ୍ବର ପ୍ଲାଟଫର୍ମରୁ ବାହାରିବାର କିଛି ସମୟ ଆଗରୁ ତ ଦେଖିଥିଲି ଥିଲା, କୁଆଡେ ଗଲା,ଆଉ କେଉଁଠି ରଖିଦେଇଛି କି ? ବଗିକୁ ଉଠିଲା ବେଳେ ବୋଧହୁଏ କିଏ ପକେଟମାର କରି ଦେଇଛି!!! ମୋର ମୁଣ୍ଡ କାମ କରୁ ନଥାଏ। । କାରଣ ସେଇ ଛୋଟ ପର୍ସରେ ଘରର ସବୁ ଦରକାରୀ ଚାବିକାଠି, ଗୋଦରେଜ ଆଲମାରୀର ଚାବି,ଫେରନ୍ତା ଟିକେଟ, ଏଟିଏମ କାର୍ଡ, ଓ ମୋର ସୁନାଚେନଟେ ଥାଏ। ଦେହରୁ ଝାଳ ବୋହିଗଲା। କ’ଣ କରିବି କିଛି ବୁଦ୍ଧି ଦିଶୁନଥାଏ। ସେତେବେଳେ ତ ମୋବାଇଲ ନଥାଏ ଯେ ପୁରୋହିତ ବାବୁଙ୍କୁ ଜଣାଇ ଦେବି। ଆଗ ବର୍ଥ ରେ ବସିଥିବା ବୃଦ୍ଧ ଦମ୍ପତିଙ୍କୁ ସାମାନ ଉପରେ ନଜର ରଖିବା ପାଇଁ କହି ଆଠ ନମ୍ବର ବଗିକୁ ଧାଇଁଗଲି ପୁରୋହିତ ବାବୁଙ୍କୁ ପଚାରିବା ପାଇଁ , କାଳେ ସେଇ ଛୋଟ ପର୍ସ ତାଙ୍କ ପାଖରେ ଥିବ । ଜାଣୁଥାଏ, ଅସମ୍ଭବ କଥା ମୋ ପର୍ସ ଭିତରୁ ଛୋଟ ପର୍ସ ମୋତେ ନକହି କାହିଁକି ବା ସେ ନେବେ, ତଥାପି ….!!!!

ଏପଟେ ଗାଡି ଛାଡିବାକୁ ହେଲାଣି, ପୁରୋହିତ ବାବୁ ନାହିଁ କଲାରୁ ମୁଁ ପୁଣି ଦୌଡ଼ିଲି ମୋର ବଗିକୁ। ପୁରୋହିତ ବାବୁଙ୍କ ପରାମର୍ଶ କ୍ରମେ ସବୁ ବେଗ,ବାକ୍ସ ଖୋଲି ଦେଖି ପକେଇଲି କାଳେ ଅନ୍ୟମନସ୍କ ଭାବରେ ଅନ୍ୟ କେଉଁଠି ରଖିଦେଇଥିବି, କିନ୍ତୁ ନିରାଶ ହେଲି। କହିବି କାହାକୁ?

ପାଖ ଲୋକ ମୋର ବ୍ୟସ୍ତତା ଦେଖି , “କୁଛ ହୁଅ କ୍ୟା ?” ବୋଲି ପଚରିଲେ। କ’ଣ ବୋଲି କହିବି?? ବାଧ୍ୟହେଇ, “ନହିଁ କୁଛ ନହିଁ ” ବୋଲି କହିଲି ।

ସେତେବେଳେକୁ ଗାଡ଼ି ଛାଡି ଦେଲାଣି। ମୋତେ ବୁଦ୍ଧି ଦିଶୁ ନଥାଏ। ଏଟିଏମ କାର୍ଡ ବିନା ଋଷିକେଶରେ ପହଞ୍ଚି କେମିତି କରିବୁ ଓ ରିଟର୍ଣ୍ଣ ଟିକଟ ବିନା ଫେରନ୍ତି ଯାତ୍ରା ହେବ କିପରି, ଘରକୁ ଫେରିଲେ କଅଣ ହେବ ସେସବୁ କଥା ନ ଚାହିଁଲେ ବି ମନକୁ ଆସି ଯାଉଥାଏ। ରେଲଗାଡିର ଧକ ଧକ ଆବାଜ ସାଙ୍ଗରେ ତାଳଦେଇ ମୋ ହୃତସ୍ପନ୍ଦନ ବି ବଢି ଯାଉଥାଏ। ଦେହରୁ ଝାଳ ବୋହି ଯାଉଥାଏ। ଗୋଦରେଜ ଅଲମୀରାର ଡୁପ୍ଲିକେଟ ମିଳିବ କେଉଁଠୁ କାରଣ ଅତି ବୁଦ୍ଧିଆ ହେଇ ଆର ଚାବିଟାକୁ ବି ସେଇ ଅଲମୀରା ଭିତରେ ରଖି ଦେଇଥାଏ, ….ଯେତେଯେତେ ଭାବୁଥାଏ ଛାତି ଭିତରଟା ସେତେ ଥରି ଯାଉ ଥାଏ। ମା ସମଲେଶ୍ବରୀ, ମା ପାଟଣେଶ୍ୱରୀ,ମା କୁଶଳେଶ୍ୱରୀ, ଜଗନ୍ନାଥ ମହାପ୍ରଭୁ ,ଦୁର୍ଗା ମାତା, ବାଲିବନ୍ଧା ସୋମନାଥ ବାବା, ବୁଢାରାଜା ମହାଦେବ , ମାନ୍ଧାତା ମାନେଶ୍ୱର ବାବା, ଗୁରୁଦେଵ ଶିବାନନ୍ଦ ,ଗୁରୁଦେବ ଚିଦାନନ୍ଦ ….. ଯେତେ ଯେତେ ଠାକୁରଙ୍କ ନାଁ ମନେ ପଡ଼ିଲା ସମସ୍ତଙ୍କୁ ବିକଳରେ ପ୍ରାର୍ଥନା କରିଗଲି, …. କେମିତି ହେଲେ ସେଇ ଛୋଟ ପର୍ସଟା ମିଳିଯାଉ।

ହଠାତ ମନେ ପଡ଼ିଲା ହନୁମାନ ଚାଲିଶା ପାଠ କଲେ ହଜିଲା ଜିନିଷ ମିଳି ଯାଏ, ଓ ” ସଙ୍କଟକଟେ ମିଟି ସବ ପୀରା । ଜୋ ସୁମିରେ ହନୁମତ ବଲବୀରା ।” ଏଇଠି ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଏଇଟା ମୋର ନିଜର ବ୍ୟକ୍ତିଗତ ବିଶ୍ୱାସ, ମୋ ନିଜ ଜୀବନର ଏକ ସତ୍ୟ ଘଟଣା , କେଉଁ ଏକ ଅନ୍ଧବିଶ୍ୱାସ ବଢ଼େଇବା ଏ ଆଲେଖ୍ୟର ଉଦ୍ଦେଶ୍ୟ ନୁହେଁ।

ସେଇଠୁ ମନେ ମନେ ନିରନ୍ତର ହନୁମାନ ଚାଲିଶା ବୋଲିବାରେ ଲାଗିଗଲି। ବୋଧହୁଏ ଭିତରେ ଭୟ ହେତୁ କି ଷ୍ଟ୍ରେସ ହେତୁ ମୋତେ ବାରମ୍ବାର ଟଏଲେଟକୁ ବି ଯିବାକୁ ଇଚ୍ଛା ହେଉଥାଏ,। ଟିଟି ସି ଆସି ଟିକେଟ କଥା ପଚାରିଦେଇ କେତେବେଳୁ ଗଲେଣି , ଭାଗ୍ୟକୁ ପୁରୋହିତ ବାବୁଙ୍କ ସାର୍ଟ ର ଉପର ପକେଟରେ ସେ ଟିକେଟ ଟି ଥିଲା ନହେଲେ ବଡ ଅସୁବିଧା ଭୋଗିବାକୁ ପଡ଼ିଥାଆନ୍ତା ।ବଗିରେ ସମସ୍ତେ ଶୋଇ ପଡିଲେଣି, ଲାଇଟ ଲିଭା ହେଇ ଗଲାଣି, ମୁଁ ନା ଶୋଇ ପାରୁଥାଏ ନା ପାଞ୍ଚ ମିନିଟ ଭଲରେ ବସି ପାରୁଥାଏ। ଗୁରୁ ଆଶ୍ରମ ଯାଉଛୁ, ଯାହା ହେବ ଦେଖାଯିବ ବୋଲି ମନକୁ ସାନ୍ତ୍ୱନା ଦେଇ ଶୋଇବାର ପ୍ରଚେଷ୍ଟାରେ ଗଡି ପଡୁଥାଏ, ପୁଣି ଉଠି ପଡ଼ୁଥାଏ, ହନୁମାନ ଚାଲିଶା କରୁଥାଏ ,ବାରମ୍ବାର ଟଏଲେଟ ଯାଉଥାଏ।ଏମିତିରେ ପ୍ରାୟ ଦୁଇ ଘଣ୍ଟା ବିତିଗଲା…. କେତେଥର ଯେ ହନୁମାନ ଚାଲିଶା ବୋଲିଥିବି ତାର ହିସାବ ନାହିଁ, କେତେ ଥର ଯେ ବାଥରୁମ ଯାଇ ଥିବି ତାର ବି ହିସାବ ନାହିଁ। କେତେବେଳେ ବାମକଡ ତ କେତେବେଳେ ଡାହାଣ କଡ଼ ଟଏଲେଟ କୁ ଯାଉଥାଏ। ବାରଟା ପରେ ହେବ ମୁଁ ଆଉଥରେ ଟଏଲେଟକୁ ଗଲି , ଉଠିବା ସମୟରେ ମୋର ନଜର ୱ।ସ ବେସିନ ତଳେ ପଡିଗଲା, ଦେଖିଲି ମୋର ସେଇ ଛୋଟ ପର୍ସଟା ପାଇପ ପଛ ପଟେ ରଖା ହେଇଛି। ଅବିଶ୍ୱସନୀୟ !!!!! ଏ କି ଚମତ୍କାର।!! ପ୍ରଥମରେ ତ ବିଶ୍ୱାସ ହେଲାନାହିଁ , ପରେ ବିକଳରେ ତାକୁ ଟାଣି ଆଣି ଚେନ ଖୋଲି ଦେଖେତ ଏଟିଏମ କାର୍ଡ, ରିଟର୍ନ ଟିକେଟ, ଘର ଚାବି,ଅଲମୀରା ଚାବି ସବୁ ଅଛି, କେବଳ ସୁନାଚେନ ଟା ନାହିଁ। ସୁନା ପାଇଁ କ୍ଷଣିକ ଦୁଃଖ ତ ହେଲା ମାତ୍ର ଅତି ଦରକାରୀ ସବୁ ଜିନିଷ ମିଳିଯିବାରୁ ମୁଁ ଅତି ଆନନ୍ଦରେ ହନୁମାନ ବାବା ଓ ସବୁ ଠାକୁରଙ୍କୁ କୃତଜ୍ଞତା ଜଣେଇ ବାହାରକୁ ଆସିଲି। ସେ ପକେଟମାର ଯେ କେତେ ଭଦ୍ରଲୋକ ,କେତେ ସାଧୁ ବୋଲି ତାଙ୍କୁବି ମନେ ମନେ ଧନ୍ୟବାଦ ଦେଲି। ସେ ତ ସୁନାଚେନ ଟା ନେଇ ପର୍ସଟି କୁ ଅନ୍ୟ କେଉଁଠି ବି ଫିଙ୍ଗି ଦେଇ ପରିଥାଆନ୍ତେ..,କେତେ ଦୟାଳୁ ସେହି ପକେଟମାର ଜଣକ ଯେ ନିଜର ଦରକାର ସୁନା ଚେନ ନେଇ, ଠିକ ମୋରି ବଗିର ଟଏଲେଟ ରେ ଅତି ସାବଧାନତା ସହକାରେ ପର୍ସଟି ରଖି ଦେଇଥିଲେ ।

ଗୁରୁ କୃପାରୁ ମୋର ନଜର ବି ଠିକ ସେଇଠି ପଡିଲା, ଦୁଇ ଘଣ୍ଟା ଭିତରେ ଆଉ କେତେଜଣ ସେ ଟଏଲେଟକୁ ଯାଇଥିବେ ଆଉ କାହାରି ନଜରରେ କେମିତି ପଡ଼ିନାହିଁ ! ହନୁମାନଙ୍କ କୃପା…ଗୁରୁ କୃପା। କୃତଜ୍ଞତାରେ ମୁଣ୍ଡ ମୋର ନଇଁ ଯାଉଥାଏ। ଏ ବି ଏକ ଚମତ୍କାର ନୁହେଁ ତ ଆଉ କ’ଣ ? ଆମ ଚତୁର୍ପାର୍ଶ୍ଵରେ ଅହରହ ଏହିପରି ଅନେକ ଚମତ୍କାର ଘଟି ଯାଉଛି ଯାହାକୁ ଆମେ ଅଣଦେଖା କରିଦେଉ। ବର୍ଥରେ ଵସି ଭଗଵାନଙ୍କୁ ଏ ଚମତ୍କାର ପାଇଁ ପ୍ରଣାମ ଜଣେଇ ,ପୁଣି ଥରେ ସେଇ ସାଧୁ ଚୋରଙ୍କୁ ମନମନେ ଧନ୍ୟବାଦ ଦେଲି। ଚାବି ଇତ୍ୟାଦି ପାଇବାର ନିଶ୍ଚିନ୍ତତାରୁ ବୋଧ ହୁଏ ଅଳ୍ପ ସମୟ ଭିତରେ ନିଦ୍ରାଦେବୀ ତାଙ୍କର ଅଭୟ କୋଳର ଆଶ୍ରୟ ଦେଲେ। ସକାଳ ଛଅଟା ରେ ଋଷିକେଶ ପହଞ୍ଚିବା ବେଳକୁ ଉଦୟ ସୂର୍ଯ୍ୟଙ୍କ କୋମଳ କିରଣରେ ଗୁରୁଦେବଙ୍କ କୃପାବାରି ଆମ ଉପରେ ଢାଳି ହେଇ ଯାଉଥିବା ପରି ମନେ ହେଲା।

Leave A Reply

Your email address will not be published.