Latest Odisha News

BREAKING NEWS

ଡାକ୍ତର ହେବା ନୋହିଲା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ

ସର୍ବନିୟନ୍ତାଙ୍କ ରଚିତ ଏହି ଜୀବନ ନାଟକକୁ ଆମ ଦୃଷ୍ଟଭଙ୍ଗୀରେ ଦେଖିଲେ ଅନେକ ଅସଙ୍ଗତି ଜଣାପଡେ। କେବେ ଆଲୋକର ବନ୍ୟା ଭିତରେ ରାସ୍ତା ହଜିଯାଏ ତ କେବେ ଘନଅନ୍ଧକାର ଭିତରେ ଗୋଟିଏ କ୍ଷୀଣ ଅଲୋକ ବର୍ତ୍ତିକା ଦିଗଦର୍ଶନ ଦେଇ ସଠିକ ଠିକଣାରେ ପହଞ୍ଚେଇ ଦିଏ । କେବେକେବେ ଅଯାଚିତ ଭାବରେ ସାହାଯ୍ୟ ଆସି ପହଁଚିଯାଏ ତ କେବେ ନିହାତି ଭାବେ ସାହାଯ୍ୟ ପାଇବା ଜାଗାରୁ କାଣିଚାଏ ବି ସାହାଯ୍ୟ ମିଳେ ନାହିଁ। ।ବାପାଙ୍କ ଜୀବନକୁ ଅନୁଶୀଳନ କଲେ ଏକଥା ଅନୁଭବ କରିହୁଏ।

ଆଗରୁ କହିଛି ,ବଡବାପା ରାଜାଙ୍କ ପଦତ୍ତ ଛାତ୍ରବୃତ୍ତି ପାଇ କାଶୀ ଗଲେ ଜ୍ୟୋତିଷ ବିଦ୍ୟାରେ ପାରଦର୍ଶିତା ଲାଭ କରିବା ପାଇଁ। ଏପଟେ ବାପା ଏକା ଥରକେ ଷଷ୍ଠ ଓ ସପ୍ତମ ପରୀକ୍ଷା ଦେଇ ,ସେଥିରେ ସଫଳତା ଲାଭକରି ପୃଥ୍ୱୀରାଜ ହାଇସ୍କୁଲରେ ଅଷ୍ଟମରେ ନାମ ଲେଖେଇଲେ । ପି.ଆର ହାଇସ୍କୁଲ ୧୯୧୬ ମସିହାରେ ବଲାଙ୍ଗୀର ଠାରେ ସ୍ଥାପିତ ହୋଇ ଅବିଭକ୍ତ ବଲାଙ୍ଗୀର ଜିଲ୍ଲାରେ ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ କରିଥିଲା। । ବାପା ପୃଥ୍ୱୀରାଜ ହାଇସ୍କୁଲରେ ନାମ ସିନା ଲେଖେଇଲେ ହେଲେ ବହି କିଣିବାକୁ ସମର୍ଥ ନଥିଲେ।

ସେତେବେଳେ ଶିକ୍ଷକ ଓ ଛାତ୍ରଙ୍କ ମଧ୍ୟରେ ସମ୍ପର୍କ ଅତି ନିବିଡ ଥିଲା। ସଂସ୍କୃତଟୋଲର ତତ୍କାଳୀନ ପ୍ରଧାନ ଶିକ୍ଷକ ବାଉରିବନ୍ଧୁ ନନ୍ଦଙ୍କ ପରି ଅନେକ ଛାତ୍ରବତ୍ସଳ ଶିକ୍ଷକ ବାପାଙ୍କ ଦୃଢ଼ ଇଚ୍ଛାଶକ୍ତି, କଠିଣ ପରିଶ୍ରମ, ଓ ବିନମ୍ର ବ୍ୟବହାର ଦେଖି ତାଙ୍କୁ ଅତ୍ୟନ୍ତ ସ୍ନେହ କରୁଥିଲେ। ଏଣୁ ବାପା ସଂସ୍କୃତ ଟୋଲ ଛାଡି ଉଚ୍ଚ ଇଂରାଜୀ ସ୍କୁଲରେ ପଢିଲା ପରେ ବି ସେମାନଙ୍କ ସାହାଯ୍ୟ,
ସହାନୁଭୂତି,ପ୍ରୋତ୍ସାହନ ଓ ଦିଗଦର୍ଶନରେ ଊଣା ହୋଇ ନଥିଲା ।

ସେମାନଙ୍କ ସାହଯ୍ୟରେ ମେସରେ ରହି ବାପା ଘରୋଇ ଟିଉସନ କରି ଦୁଇ ପଇସା ରୋଜଗାର କରି ନିଜର ଆବଶ୍ୟକତାର କିଛିଅଂଶ ପୂରଣ କରୁଥିଲେ। ପୁନଶ୍ଚ ବହି ଦୋକାନ କୁ ଯାଇ ବହି କିଣିବା ବାହାନାରେ ଘଣ୍ଟା ଘଣ୍ଟା ଠିଆ ହେଇ ନିର୍ଦ୍ଧାରିତ ବିଷୟବସ୍ତୁ ପଢି ଦିଅନ୍ତି। ବହି ଦୋକାନୀ ଜଣଙ୍କ ଜଣେ ଦୟାଦ୍ର ହୃଦୟ ବ୍ୟକ୍ତି ଥିଲେ । ସେ ଦେଖନ୍ତି ପ୍ରତିଦିନ ପିଲାଟିଏ ଆସି ବହି କିଣିବା ବାହାନାରେ ଠିଆହୋଇ ବହି ପଢିପକାଉଛି। ଦିନେ ସେ ପିଲାଟିକୁ ପାଖକୁ ଡାକି ତା ବିଷୟରେ ପଚାରିଲେ। ପିଲାଟି ପ୍ରଥମ ଡରିଗଲା ହେଲେ ପରେ ସାହସ ସଞ୍ଚୟ କରି ନିଜ ପରିଚୟ ଦେଲା ଓ ବହି କିଣିବାର ଅସାମର୍ଥ୍ୟ ପ୍ରକାଶ କରିବା ରୁ ସେ ତାକୁ ଆଶ୍ୱାସନା ଦେଇ କହିଥିଲେ, “ଡର ନାହିଁ।ମୋ ପାଖରେ କିଛି ପୁରୁଣା ବହି ଅଛି,ତୁମ୍ଭର ଅତି ଆବଶ୍ୟକ ବହି ଗୁଡ଼ିକ ମୁଁ ତୁମକୁ ପୁରା ଦେଇଦେଉଛି। ତୁମେ ନିଅ ପଢ ଓ ଅନ୍ୟ ଯାହା ଦରକାର ଏମିତି ଆସି ପଢୁଥାଅ । ”

ବହିର ସୁବିଧା ଅନେକାଂଶରେ ହେଇଗଲା , ହେଲେ ଅନେକ ସମୟରେ ଲଣ୍ଠନ ଜାଳିବା ନିମନ୍ତେ ତେଲ କିଣିବାକୁ ପଇସା ନଥାଏ , ପଢିବେ କେମିତି ? ତେଣୁ ବାପା ରାସ୍ତା କଡ ବତୀଖୁଣ୍ଟ ତଳେ ଠିଆହୋଇ ପଢ଼ନ୍ତି। ଆଗକାଳରେ ତ ଏମିତିକା ଇଲେକ୍ଟ୍ରିକ ବତୀଖୁଣ୍ଟ ନଥିଲା। ରାସ୍ତା କଡରେ କିଛି କିଛି ଦୂର ଛାଡି ଖୁଣ୍ଟ ସବୁ ପୋତା ହେଇଥାଏ । ତା ଉପରେ କାଚ ଘୋଡଣି ଭିତରେ ଲଣ୍ଠନମାନ ଥାଏ। ସନ୍ଧ୍ୟା ବେଳକୁ ଜଣେ କାନ୍ଧରେ ତେଲଟିଣ ନେଇ ଆସେ ,ପ୍ରତି ଖୁଣ୍ଟ ଉପରେଥିବା ଦୀପରେ ତେଲ ଢାଳେ ଓ ବତୀ ଜଳେଇଦେଇ ଯାଏ।ତେଲ ଥିବା ପର୍ଯ୍ୟନ୍ତ ବତୀଟି ଜଳୁଥାଏ।

ସେସବୁ ଆଜି ଇତିହାସର ଅନ୍ଧକାରର ଗର୍ଭ ରେ ଲୀନ ହୋଇଯାଇଛି। ବାପା ସକାଳେ ଓ ସଞ୍ଜ ଦୁଇବେଳା ଟିଉସନ ପଢେଇବା ଓ ଦିନବେଳା ସ୍କୁଲପାଠ ସାରି ରାତିରେ ସେମିତି ଏକ ବତୀଖୁଣ୍ଟ ତଳେ ପଢ଼ନ୍ତି। କେବେକେବେ ପୂର୍ଣ୍ଣିମୀ ଚନ୍ଦ୍ରର ଉଜ୍ଜ୍ୱଳ କିରଣ ବି ତାଙ୍କୁ ଅକୁଣ୍ଠିତ ଭାବରେ ଆଲୋକ ପ୍ରଦାନ କରି ସାହାଯ୍ୟ କରିଛି। ଏମିତି ଦୁଃଖ କଷ୍ଟ ଭିତରେ ଦଶମ ପାସ କଲା ବେଳକୁ ତାଙ୍କର ବିବାହ ହେଇଗଲା ଗୋଟିଏ ଅପେକ୍ଷାକୃତ ସ୍ୱଚ୍ଛଳ ପରିବାରରେ। ଆଗକୁ ପଢିବାରେ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ଦେଓଗାଁ କୁତୁର୍ଲାର ଦାଶରାଥି ଦାଶ ନିଜର ଏକମାତ୍ର କନ୍ୟାରତ୍ନ ପ୍ରେମଲତାଙ୍କ ବିବାହ ରାମଚନ୍ଦ୍ର ହୋତାଙ୍କ ସହିତ କରିଦେଇଥିଲେ।

ବାପାଙ୍କ ବିବାହରେ ପରୀ କାହାଣୀର ରୋମାଞ୍ଚ ନଥିଲେ ବି କମ ରୋଚକ ନୁହେଁ । ମା ଥିଲେ ତାଙ୍କ ବାପାମାଆଙ୍କ ଏକମାତ୍ର ସନ୍ତାନ । ତାଙ୍କ ବାପା ଦାଶରଥି ଦାଶ ସେସମୟର ମାଟ୍ରିକ । ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଇଥିବା ଯୋଗୁଁ ଦାଶରଥି ଦାଶ ପୋଲିସ ବିଭାଗରେ ଡେ଼ପୁଟି ପାଇଁ ଯୋଗ୍ୟ ବିବେଚିତ ହେଇଥଲେ, ହେଲେ ତାଙ୍କ ବାପା ଜମାରୁ ରାଜି ହେଲେ ନାହିଁ, କହିଲେ, “ଆମର ଏତେ ଜମିବାଡ଼ି ଅଛି ଯେ ବସି ଖାଏଲେ ସରିବ ନାହିଁ । ମୋ ପୁଅ ବ୍ରିଟିଶ ସରକାର ତଲେ ଚାକର ହେବ ?” ତେଣୁ ବାବାଙ୍କର ଇଚ୍ଛାସତ୍ୱେ ପୋଲିସରେ ଚାକିରୀ କରି ପାରିଲେ ନାହିଁ। ହେଲେ ପରେ ଜିଦି କରି ପ୍ରଥମେ ଟ୍ରାନ୍ସପୋର୍ଟ ବିଭାଗ ଓ ପରେ ଡାକ୍ତରଖାନାରେ କିରାଣୀ ଭାବରେ ଯୋଗ ଦେଇଥିଲେ ଓ ଶେଷରେ ହେଡକ୍ଳର୍କ ପଦରୁ ଅବସର ଗ୍ରହଣ କରିଥିଲେ।

ସେ ଆଗରୁ ଗୋଟେ ବାହା ହୋଇଥଲେ କିନ୍ତୁ ତାଙ୍କର ପ୍ରଥମ ପତ୍ନୀ ଶୋଥ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରିବା ପରେ ସେ ଆମ ମାମା (ଆଈ)ବୈଦେହିଙ୍କୁ ବିବାହ କରିଥିଲେ। ପ୍ରଥମ ବିବାହରୁ ତାଙ୍କର କୌଣସି ସନ୍ତାନ ନଥିଲା ।ଦ୍ୱିତୀୟ ପତ୍ନୀଙ୍କ ଗର୍ଭରୁ କେବଳ ଏକ କନ୍ୟାରତ୍ନ ଜନ୍ମଗ୍ରହଣ କରିଥିଲା, ଏଣୁ ସେ ନିଜର ସାନ ଭାଇର ପୁଅକୁ ପୋଷ୍ୟପୁତ୍ର କରିଥିଲେ। ସେହି କନ୍ୟା ପ୍ରେମଲତାକୁ କିନ୍ତୁ ମାତ୍ର ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ପଢେଇ ପଢା ବନ୍ଦ କରିଦେଇଥିଲେ ବାବା। କାରଣ ଷଷ୍ଠ ଶ୍ରେଣୀ ପାଇଁ ମା ପଢ଼ୁଥିବା ପ୍ରାଇମେରୀ ସ୍କୁଲଠାରୁ ଆହୁରି ଗୋଟିଏ କିଲୋମିଟର ଦୂରକୁ ଯିବାକୁ ପଢ଼ିଥାଆନ୍ତା।

ମାଙ୍କ ସମୟରେ ଫକୀର ମୋହନ ସେନାପତିଙ୍କ ରେବତୀ ପରି ସାମାଜିକ ଅବସ୍ଥା ଯଦିଓ ନଥିଲା , କୁଳୀନ ବ୍ରାହ୍ମଣଘର ଝିଅମାନଙ୍କ ବାହାରକୁ ଯିବା ଓ ପାଠ ପଢ଼ିବା ଉପରେ ଏତେ କଟକଣା ନଥିଲା ତଥାପି ବାବା ଝିଅକୁ ମାତ୍ର ପଞ୍ଚମ ଯାଏ ପଢେଇଥିଲେ। ମାଙ୍କୁ ଯେତେବେଳେ ମାତ୍ର ନଅ ବର୍ଷ ତାଙ୍କୁ ବାହା କରିଦେବା ପାଇଁ ମନସ୍ଥ କରଥିଲେ। ସେତେବେଳେ ଅତି ଛୋଟବୟସ ରୁ ଝିଅମାନଙ୍କୁ ବାହାକରି ଦେଉଥିଲେ । ଝିଅଘର ଯୌତୁକ ଦେବାର ପ୍ରଥା ବି ନଥିଲା, ବରଂ ପୁଅଘର ଝିଅକୁ ସୁନାଗହଣା ପିନ୍ଧେଇବାର ପ୍ରଥା ଥିଲା। କେତେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ମଧ୍ୟ ହେଉଥିଲା। ଅଜା,ଯାହାଙ୍କୁ ଆମେ ବାବା ବୋଲି ଡାକୁଥିଲୁ, ଝିଅକୁ ବାହା ଦେବେ ବୋଲି ଝିଅର ଆଠ ବର୍ଷ ବେଳୁ ପାତ୍ର ଟିଏ ଠିକ କରିସାରିଥିଲେ। ପଣ୍ଡା ଘରର ପିଲାଟି। ବାବା ତାକୁ ଝିଅକୁ ବିବାହ ଦେବେବୋଲି ଆଣି ନିଜ ତଦାରଖରେ ପଢେଉଥିଲେ । ପିଲାଟି ସେତେ ଭଲ ପଢୁ ନଥାଏ ଏଣୁ ବାବା ତାକୁ ସବୁବେଳେ ପଢିବା ପାଇଁ ତାଗିଦ କରୁଥାଆନ୍ତି। ଇଛା ପିଲାଟି ପାଠପଢି ତାଙ୍କ ପରି ଚାକିରୀ କରିବ ଓ ଝିଅକୁ ସୁଖରେ ରଖିବ। ସେତେବେଳେ ମାଇନର ପାସ କଲେ ବି ସରକାରୀ ଚାକିରୀ ମିଳିଯାଉଥିଲା। ଦିନେ ପିଲାଟିର ବାପା ବାବାଙ୍କ ଘରକୁ ପୁଅକୁ ଦେଖାକରିବାକୁ ଆସିଥିବା ବେଳେ , ପିଲାଟି ତା ବାପାଙ୍କ ସାଙ୍ଗରେ ବାଡ଼ିଆଡେ କଥାହଉଥାଏ ,” ଏ ବୁଢ଼ା କେବେ ବାହା କରିବ କେଜାଣି , ଦିନରାତି ଖାଲି ପଢ଼ ପଢ କହୁଛି । ପାଠ ନ ପଢିଲେ କଣ ହେବ ,ବୁଢ଼ା ର ତ ଏତେ ସମ୍ପତ୍ତି ଅଛି ଯେ ଖାଇଲେ ବୋହିଲେ ସରିବ ନାହିଁ । ଝିଅକୁ ଅଧା ହେଲେ ତ ଦେବ ?”

ବାବା ସେକଥା ଶୁଣି ଦେଲେ ଓ ତାପରେ ସ୍ଥିର କଲେ ସେପରି ଗଧ ଓ ଲୋଭି ପିଲାକୁ ଝିଅକୁ ଦେବେ ନାହିଁ , ବାହାଘର ଭାଙ୍ଗି ଦେଲେ। ସେ ପିଲାଟି ପରେ ଗୋଟେ କଂସା ଦୋକାନ କରିଥିଲା ବୋଲି ମା ଅନେକଥର କହିବା ଶୁଣିଛି। ମାଙ୍କ ପାଇଁ ନୂତନ ପାତ୍ର ଖୋଜା ଚାଲିଲା।

ସେତେବେଳେ କୁତୁର୍ଲାରେ ପଞ୍ଚଭାଇ (ନାୟକ) ପଡାରେ ଗୋଟେ ବଡ଼ ଚଉତରା ଥାଏ। ଗାଁ ର ବ୍ରାହ୍ମଣମାନଙ୍କର ଦିପହରିଆ ବୈଠକ ସେଇଠି, ସଂସାର ଯାକର ଭଲ ମନ୍ଦ କଥା ପଡେ। ଦିନେ ଦାଶରଥି ଦାଶ ସେଠି ପହଞ୍ଚି ନିଜ ଝିଅର ବାହାଘର କଥା ପକେଇଲେ ଓ କହିଲେ,” ଝିଅ ଲାଗି ଭଲ ପିଲାଟେ ଦେଖ । ଟୁରା (ଅନାଥ) ପିଲା ହେଲେ ବି ଚଳିବ ହେଲେ ପିଲାଟା ଭଲ ପାଠ ପଢ଼ୁଥିବା ଦରକାର। ” କୌଣସି କାରଣ ବଶତଃ ବାପାଙ୍କ ପିଉସା ସେଦିନ କୁତୁର୍ଲା ଯାଇଥିଲେ ଓ ସେଇ ଚଉତାରାରେ ବସିଥିଲେ । ସେ କହିଲେ,”ସତ କହୁଛ ତ ଟୁରା ପିଲାକୁ ଦେବ ? ନିଶ୍ଚେ କରି କହୁଛ ତ ! ଠିକ ସେପରି ପିଲାଟିଏ ଅଛି । ମୋର ପୁତୁରା ହେବ, ଶଲାର ପୁଅ ।ବାପ ନାଇଁ ନ ହେଲେ ପିଲାଟା ପାରିବାର, ନିଜେ ନିଜେ ଚେଷ୍ଟା କରି ଭଲ ପଡୁଛି ।”

ଅଜାଙ୍କ ମନକୁ କଥା ଟା ପାଇଲା। ସେ ପି.ଆର ହାଇସ୍କୁଲକୁ ଯାଇ ଶିକ୍ଷକମାନଙ୍କ ପାଖରୁ ବାପାଙ୍କ ବିଷୟ ରେ ବୁଝାବୁଝି କରି ତାଲିଉଡାର ମାମାଙ୍କୁ ପ୍ରସ୍ତାବ ପଠେଇଲେ ଯେ ସେ ତାଙ୍କର ଏକମାତ୍ର ଝିଅକୁ ତାଙ୍କର ସାନପୁଅକୁ ବିବାହ ଦେବାକୁ ଇଚ୍ଛୁକ, ଆଉ ସେ ଯଦି ଏ ପ୍ରସ୍ତାବରେ ରାଜି ହେବେ, ତେବେ ପିଲାକୁ ଆଗକୁ ପଢ଼ିବାରେ ବି ସାହାଯ୍ୟ କରିବେ । ପରିବାର ଭଲ,ବାପା ସରକାରୀ ଚାକିରିଆ, ଗୋଟିଏ ବୋଲି ଝିଅ, ପୁଣି ପୁଅକୁ ପଢ଼ିବାରେ ସାହାଯ୍ୟ କରିବେ, ୟାଠୁ ବଳି ଭଲ ପ୍ରସ୍ତାବ ଆଉ କଣ ହେଇପାରେ ? ବାପାଙ୍କ ମା ରାଜି ହେଇଗଲେ।ବାପା ବି ଆଗକୁ ପଢିବା କଥା ଶୁଣି ଖୁସି ହୋଇଗଲେ। ଡ଼ାକ୍ତରୀ ପଢ଼ିବାର ସ୍ବପ୍ନ ଦେଖିବାକୁ ଲାଗିଲେ। ଅସୁବିଧା କେବଳ ଗୋଟେ ଥିଲା।ବଡଭାଇର ବାହାଘର ହେଇ ନଥିଲା। ସେବି ଅଳ୍ପ କିଛିଦିନ ଆଗରୁ କାଶୀରୁ ଜ୍ୟୋତିଷି ବିଦ୍ୟା ପଢି ଫେରି ଆସିଥାଆନ୍ତି। ବାବା କହିଲେ ତାଙ୍କ ପାଇଁ ବି ସେ ଝିଅ ଖୋଜି ଦେବେ। ସତକୁସତ ବଡବାପାଙ୍କ ପାଇଁ ମଧ୍ୟ କନିଆଁ ଦେଖା ହୋଇ ଗଲା। ବାପାଙ୍କ ମାଟ୍ରିକ ପରୀକ୍ଷା ପରେ ଚାରି ମାସର ଆଗପଛରେ ଦୁଇ ଭାଇଙ୍କ ବାହାଘର ହେଇଗଲା।

ବିବାହ ସମୟରେ ବାପାଙ୍କୁ ଅଠର ବର୍ଷ ଆଉ ମାଙ୍କୁ ମାତ୍ର ନଅ ,ବିଚରା ସେତେବେଳେ ବିବାହର ଅର୍ଥ ବି ବୋଧେ ଠିକଭାବରେ ବୁଝି ନଥିଲେ। ତାର ଦୁଇ ବର୍ଷ ପରେ ମାଙ୍କୁ ଯେତେବେଳେ ଏଗାର, ପୁଆଣିଘର ହେଲା (ଖଟି ଗଲେ) ବା ଶାଶୁ ଘରକୁ ଆସିଥିଲେ। ବିବାହ ପରେ ମା ସେଇ ଯେଉଁ ଦୁଇ ବର୍ଷ ବାପଘରେ ରହିଲେ ସେବେକାର ସାମାଜିକ ରୀତିନୀତି ଓ ନିଜର ଶକ୍ତି ଅନୁସାରେ,ତାଙ୍କ ଶାଶୁ ତାଙ୍କ ପାଇଁ ପୁରାଉଆଁସ, ନୂଆଖାଇ ଓ କୁଆଁରପୁନେଇ ଆଦି ପାରମ୍ପରିକ ପର୍ବପର୍ବାଣୀ ରେ ଲିଆ ଭୁଗା, ମାଟି କଣ୍ଢେଇ, ଲୁଗାପଟା ଆଦି ଭାର ପଠାଉଥିଲେ । ଆଜିକାଲିକା ପରି ଝିଅ ବାପଘର ଯୌତୁକ ଦେବା ପ୍ରଥା ସେତେବେଳେ ବଲାଙ୍ଗୀର ଅଞ୍ଚଳରେ ସେତେ ପ୍ରଚଳିତ ନଥିଲା। ଥିଲାବାଲା ଘର ଖୁସିରେ ସାଧ୍ୟ ମତେ ଝିଅକୁ ଖଟପଲଙ୍କ, ସୁନାରୁପା ଓ କଂସବାସନ ଆଦି ଦେଉଥିଲେ। ଖଟି ଗଲାବେଳେ ବାବା ମାଙ୍କୁ କାନରେ ସୁନାର କର୍ଣଫୁଲ ସାଙ୍ଗେ ଶିକଲା, ଝଲକା, ବେଣ୍ଟଲା , ନାକ ରେ ନାକ ପୁଟକି, ନଥ ,ବେକକୁ ହରଡ଼ମାଳି, ପତ୍ରିମାଳି ଓ ଦୁଇସୁରିଆ ଗଜବନ ଓ ରୁପାର ଖଗଲା, ହାତ କୁ ରୁପାର କତରିଆ, ବନ୍ଦରିଆ, ଖିଲଚୁଡ଼ି, ଟାଡ, ବାହାସୁତା,ଗୋଡ଼କୁ ପଇଁରି, ପାଇଁଝଲ, ମୁଣ୍ଡକୁ ସୁନାର କାକରା , ରୁପାର ଫୁଲ ଓ ଅଣ୍ଟା ପାଇଁ ଅଣ୍ଟାସୁତା ଆଦି ଦେଇଥିଲେ। ଗୋଟେ ଅଠରହାତି ଗାଢ ଗୋଲାପି ରଙ୍ଗର ଛୋଟଧଡିବାଲା ବରହମପୁରୀ ପାଟବି ପିନ୍ଧେଇ ବିଦା କରିଥିଲେ। ମା ଅନେକ ଦିନ ପର୍ଯ୍ୟନ୍ତ ସେ ଶାଢ଼ୀଟା ସାଇତି ରଖିଥିଲେ, ଅମେବି ଦେଖିଛୁ। ବଡ ଗୋଟେ କାଠ ବାକ୍ସରେ କଂସା ଓ ପିତ୍ତଳର ବାସନକୁସନ ଓ ତା ସାଙ୍ଗରେ ଗୋଟେ ବଡପିତଳ ହଣ୍ଡା ବି ବାବା ଦେଇଥିଲେ। ସେ ଆଉ ଏକକଥା ଯେ ତାଙ୍କ ଭାଇବନ୍ଧୁ କୁଟୁମ୍ବ ତଥା ଗାଁ ଲୋକ ସେତେବେଳେ କହିଥିଲେ , “ଦାଶରଥି ତା ଝିଅକୁ ସବୁ ଦେଇ ଦେବ । ପୁଷିଆଁ ପୁଅ ଦାମଦରର ଲାଗି କିଛି ରଖିବ ନାହିଁ ।”

ଏପଟେ ବାପା ତାଙ୍କ ଶଶୁରଙ୍କ ସହାୟତାରେ ଆଗକୁ ପଢିବାର ସ୍ବପ୍ନରେ ବିହ୍ଵଳ ହେଇ ପଡିଥିଲେ। ଡ଼ାକ୍ତରୀ ପଢିବା ପାଇଁ ତାଙ୍କର ପ୍ରବଳ ଇଚ୍ଛା ଥିଲା। ତାଙ୍କ ସମୟରେ ମାଟ୍ରିକ ପାସ କଲେ ତିନି ବର୍ଷିଆ ଏଲ ଏମ ପି ଡ଼ାକ୍ତରୀ ପାଠ ପଢିବା ପାଇଁ କାଗଜ ଘରକୁ ଆସୁଥିଲା, ବାପାଙ୍କ ପାଇଁ ବି ଆସିଥିଲା ହେଲେ ବାବା କହିଲେ ତିନି ତିନି ବର୍ଷ ସେ ବିବାହିତା ଝିଅକୁ ଘରେ ରଖିପାରିବେ ନାହିଁ କାରଣ ଏ ଭିତରେ ଝିଅ ବଡ଼ ହୋଇଯିବ ଓ ବଢ଼ିଲା ଝିଅକୁ ଘରେ ରଖିଲେ ନର୍କ ଗତି ।

ବାପା ବହୁତ ମନଦୁଃଖ କରିଥିଲେ ବି କିଛି କହି ପାରିନଥିଲେ। ଅଗତ୍ୟାରେ ଶଶୁରଙ୍କ ପରାମର୍ଶରେ ବାପା ବିହାର ପାଟଣା ଯାଇ ତିନିମସିଆ ଟାଇପିଂ, ସର୍ଟହ୍ୟାଣ୍ଡ ଓ ଏକାଉଣ୍ଟଟେନ୍ସି କୋର୍ସ କଲେ। ସେଠାରୁ ଫେରିବା ପରେ ପ୍ରଥମେ ଆକାଉଣ୍ଟଟେଣ୍ଟ ଭାବରେ ଅନୁଗୁଳରେ ସରକାରୀ ଚକିରୀରେ ଯୋଗ ଦେଇଥିଲେ। ନିରବଚ୍ଛିନ୍ନ ଅଧ୍ୟବସାୟ ଓ କଠିନ ପରିଶ୍ରମ ବଳରେ ବାପା ଜୀବନରେ ଅନେକ ଉପରକୁ ଯାଇ ପାରିଥିଲେ । ଭାରତୀୟ ଜାତୀୟ ଖାଦ୍ୟ ନିଗମର କ୍ଷେତ୍ରୀୟ ପ୍ରବନ୍ଧକ ଭାବରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ। ମାତ୍ର ତାଙ୍କର ଡାକ୍ତର ହେବାର ଇଚ୍ଛା ଏତେ ପ୍ରବଳଥିଲା ଯେ ନିଜେ ନହେଇପାରିଲେ ବି ନିଜ ପିଲାମାନଙ୍କ ଭିତରୁ ବି କେହିଜଣେ ଡ଼ାକ୍ତରୀ ପଢୁ ବୋଲି ବହୁତ ଚାହୁଁଥିଲେ ବାପା, ହେଲେ ବିଭିନ୍ନ କାରଣରୁ ଆମେ ବି ତାଙ୍କର ଇଚ୍ଛା ପୂରଣ କରି ପରିଲୁ ନାହିଁ ।ତଥାପି ପ୍ରୋତ୍ସାହନ ଦେଇ ବଡବାପାଙ୍କ ପୁଅ ରାଧେ ଦାଦା (ଡ.ରାଧେଶ୍ୟାମ ହୋତା) ଙ୍କୁ ଡ଼ାକ୍ତରୀ ପଢେଇ ଡାକ୍ତର ହେବାରେ ସମ୍ପୁର୍ଣ୍ଣ ସାହାଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ଆମମାନଙ୍କ ଅପାରଗତାକୁ ଦର୍ଶାଇ ଚିଡ଼େଇବା ପାଇଁ ଯାଇ ତଥା ନିଜର ସ୍ବପ୍ନ ପୂରଣ କ୍ଷେତ୍ରରେ ଆର୍ଥିକ ପ୍ରତିବନ୍ଧକକୁ ମନେପକେଇ ଅନେକ ସମୟରେ ମଜାକରି ବାପା କହୁଥିଲେ, ” ଦାନ୍ତ ଥିଲା ବେଳେ ଚଣା ନାହିଁ କି ଚଣା ବେଳକୁ ଦାନ୍ତ ନାହିଁ ।” ଜୀବନକାଳ ଭିତରେ ବାପା ଅନେକ ସଫଳତା ଲାଭ କରିଥିଲେ ହେଲେ ତାଙ୍କର ସେଇ ଗୋଟିଏ ଅବଶୋଷ ରହିଗଲା ,ଡ଼ାକ୍ତରୀ ପାଠ ପଢ଼ିବାର ଆଶା ଫଳବତୀ ନୋହିଲା.।

Leave A Reply

Your email address will not be published.