Latest Odisha News

BREAKING NEWS

ଗୋବିନ୍ଦଙ୍କ ମୃତ୍ୟୁ ପରେ ମାଳମାଳ ପ୍ରଶ୍ନ, ଉତ୍ତର ଦେବ କିଏ ?

ଭୁବନେଶ୍ଠର: ଦିନେ ମମିତା ମେହେରଙ୍କୁ ହତ୍ୟା କରି ଚର୍ଚ୍ଚାରେ ଥିଲେ ଅଭିଯୁକ୍ତ ଗୋବିନ୍ଦ ସାହୁ । ଏବେ ଆତ୍ମହତ୍ୟା କରି ଚର୍ଚ୍ଚାରେ । ଜେଲ ପରିସରରେ ବେକରେ ଗାମୁଛା ବାନ୍ଧି ଝୁଲି ପଡିଛନ୍ତି ଗୋବିନ୍ଦ ସାହୁ । ଗୋବିନ୍ଦ ସାହୁ ଖାଲି ଦୁନିଆ ଛାଡି ଚାଲି ଯାଇନାହାନ୍ତି, ଛାଡି ଯାଇଛନ୍ତି ଅନେକ ପ୍ରଶ୍ନ । ଏ ସବୁ  ପ୍ରଶ୍ନର ଉତ୍ତର ଥିଲା କେବଳ ଗୋବିନ୍ଦଙ୍କ ପାଖରେ । ହେଲେ ସେ ଚାଲିଗଲା ପରେ କିଏ ଦେବ ତାର ଉତ୍ତର ? କ’ଣ ହେବ ମମିତା ମେହର ହତ୍ୟାକାଣ୍ଡ ତଦନ୍ତ?

ଶୁଣାଣି ପୂର୍ବରୁ କାହିଁକି ଆତ୍ମହତ୍ୟା କଲେ ଗୋବିନ୍ଦ ? ଗତକାଲିର ଶୁଣାଣି ବେଳେ କୋର୍ଟରେ ଖୋଲିଦେଇଥାନ୍ତେ କି ଗୁମର ? ଗୁମର ଖୋଲିଲେ ଫସି ଯାଇଥାନ୍ତେ କି ବଡ ବଡ ନେତା ? ଯଦି ସମସ୍ତଙ୍କ ମୁଖା ଖୋଲିବାର ନିଷ୍ପତ୍ତି ନେଇଥିଲେ ତେବେ କାହିଁକି ଆତ୍ମହତ୍ୟା କଲେ ? ଗୋବିନ୍ଦଙ୍କ ପତ୍ନୀ ବି ସମାନ ପ୍ରଶ୍ନ କରିଛନ୍ତି, ଯଦି ଆତ୍ମହତ୍ୟା କରିବାର ଥିଲା, ଆଗରୁ କଲେ ନାହିଁ କାହିଁକି ?

ସବୁଠାରୁ ବଡ ପ୍ରଶ୍ନ ହେଉଛି, ଆତ୍ମହତ୍ୟା ପୂର୍ବ ରାତିରେ ପତ୍ନୀଙ୍କ ସହ ବେଶ ଭଲରେ କଥାବାର୍ତ୍ତା ହୋଇଥିଲେ ଗୋବିନ୍ଦ । ପତ୍ନୀ, ମା’ ସମସ୍ତଙ୍କ ଦେହ ପା ପଚାରି ବୁଝିଥିଲେ । ପିଲାମାନଙ୍କ କଥା ମଧ୍ୟ ପଚାରିଥିଲେ ।  ସେ ନିର୍ଦ୍ଦୋଷ, ତେଣୁ ଖୁବ ଶୀଘ୍ର ଜେଲରୁ ମୁକୁଳିବେ ବୋଲି ପତ୍ନୀଙ୍କୁ ଆଶ୍ୱାସନା ଦେଇଥିଲେ ।   ସେତିକି ନୁହେଁ, ଆତ୍ମହତ୍ୟା ଦିନ ସକାଳେ ମଧ୍ୟ ତାଙ୍କ ଭଉଣୀ ଜ୍ୱାଇଁଙ୍କ ସହ କଥା ହୋଇଥିଲେ । ପତ୍ନୀ କ‘ଣ ଜାଣି ପାରିଲେନି ସ୍ୱାମୀଙ୍କ ମାନସିକ ଅବସାଦର କଥା ? ଠଉରେଇ ପାରିଲେନି ସ୍ୱାମୀ ଜେଲରେ ଭାଙ୍ଗି ପଡ଼ିଛନ୍ତି ବୋଲି ?  ସେ ଯଦି ଜାଣିଥାନ୍ତେ ହୁଏତ ଦେଖା କରି ତାଙ୍କୁ ଆଶ୍ୱାସନା ଦେଇ ପାରିଥାନ୍ତେ । କିନ୍ତୁ ଏସବୁ କିଛି ହେଲାନି । ସକାଳୁ ସକାଳୁ ଟିଭି ନିଉଜରୁ ସେ ଜାଣିବାକୁ ପାଇଲେ ଗୋବିନ୍ଦ ଆତ୍ମହତ୍ୟା କରିଛନ୍ତି । ସ୍ତବ୍ଧ କରି ଦେଇଥିଲା ଏହି ଘଟଣା । ବିଶ୍ୱାସ କରି ପାରୁନ  ଥିଲେ ପରିବାର ଲୋକେ ।

ସବୁଠାରୁ ବଡ କଥା ହେଉଛି,  ଥାନରୁ ଏ ବିଷୟରେ ତାଙ୍କୁ କିଛି ବି କୁହାଯାଇ ନ ଥିଲା । ଏଠି ପ୍ରଶ୍ନ ଉଠୁଛି, ଗୋବିନ୍ଦ ଆତ୍ମହତ୍ୟା ଖବର କାହିଁକି ପରିବାର ଲୋକଙ୍କୁ ତୁରନ୍ତ ଜଣାଯାଇ ନ ଥିଲା ? ଗୋବିନ୍ଦଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି, ମୃତ୍ୟୁ ସମୟରେ ଗୋବିନ୍ଦଙ୍କ ପକେଟରେ ଥିଲା ଦୁଇ ଫର୍ଦ୍ଦର ସୁଇସାଇଡ ନୋଟ । ହେଲେ ପୋଲିସ ଏ ବିଷୟରେ କିଛି କହୁନି । ଗୋବିନ୍ଦ କ’ଣ ଲେଖିଥିଲେ ଏହି ନୋଟରେ ? ଗୋବିନ୍ଦଙ୍କ ଏହି ସୁଇସାଇଡାଲ ନୋଟ ସାମ୍ନାକୁ ଆଣିବ କି  ପୋଲିସ ? ନା ଚାପି ଦେବ ? ଗୋବିନ୍ଦଙ୍କ ଅପମୃତ୍ୟୁ ଏମିତି ଅନେକ ପ୍ରଶ୍ନକୁ ଅସମାହିତ କରି ରଖି ଦେଇଛି  ।

Leave A Reply

Your email address will not be published.