Latest Odisha News

ଅନୁଭୂତିରେ ଶ୍ରୀଜଗନ୍ନାଥ : ମୌସୁମୀ ଦାସ୍

ଅନନ୍ୟ ଅନୁଭୂତିରେ ଆହେ ଶ୍ରୀଜଗନ୍ନାଥ

ଜଗନ୍ନାଥ!!
ତାଙ୍କୁ କିଏ କେତେ ଭାବରେ ଡାକେ । କିଏ କେତେ ପ୍ରକାରେ ସମ୍ବୋଧନ କରେ । ‘ପ୍ରଭୁ ଜଗନ୍ନାଥ’… ମୋର କିନ୍ତୁ ଏଇ ନାମରେ ସମସ୍ତ ଆସ୍ଥା, ସମସ୍ତ ବିଶ୍ୱାସ । ସେଇ ବିଶ୍ୱାସର ଡୋରିରେ ମନ ବଳାଏ, କେବେ ସତରେ ମହାପ୍ରଭୁଙ୍କୁ ଏଇ ଚର୍ମନୟନରେ ଦର୍ଶନ କରିପାରିବି! ଆକୁଳ ପ୍ରାର୍ଥନା କରେ, ପ୍ରଭୁ, ଦର୍ଶନ ଦିଅ ।

୧୯୮୯ ମସିହା । ମୋତେ ସେତେବେଳେ ସତରବର୍ଷ । +୨କଳାରେ ପଢୁଥାଏ । ବାବା ଥାଆନ୍ତି ଫୁଲବାଣୀଜିଲ୍ଲା ବାଲିଗୁଡ଼ା ସବ୍‌ଡିଭିଜନ୍‌ରେ । ସବ୍‌ଡିଭିଜନାଲ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ । ଡିସେମ୍ବର ମାସରେ ଧାନକଟା ପାଇଁ କଲେଜ ଛୁଟିଥାଏ । କୋର୍ଟକଚେରୀ ବି ଛୁଟିଥାଏ ଦଶଦିନ । ବାବା ଅଚାନକ ପୁରୀ- କୋଣାର୍କ ବୁଲିଯିବା ପାଇଁ ଯୋଜନା କଲେ । ଆଃ…! ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିପାରିବାର ଖୁସିରେ ମୁଁ ଆତ୍ମହରା ହୋଇଉଠିଥାଏ । କିନ୍ତୁ ହଠାତ୍‌, ମୋର ଯିବାକଥାକୁ ବାତିଲ୍ କରିଦିଆଗଲା । କାରଣ, କଲେଜ ଖୋଲିବା ପରେ ପରୀକ୍ଷା ଥିବାରୁ ଛୁଟିରେ ପଢାପଢି କରି ମୋତେ ପ୍ରସ୍ତୁତ ହେବାକୁ ପଡିବ ବୋଲି ବାବା କହିଥିଲେ । ମୋ ମନରୁ ସବୁ ସରାଗ ମଉଳି ଗଲା । ସମସ୍ତେ ଯାଉଛନ୍ତି, ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ, ଅଥଚ ମୁଁ ଯାଇ ପାରିବିନି । ମନକଷ୍ଟ ମନରେ ଚାପି ଜଗନ୍ନାଥଙ୍କୁ ଭାଳି ହେଉଥାଏ ଥରକୁ ଥର ।

ଯିବା ଦିନ ପାଖେଇ ଆସିଲା । ସମସ୍ତେ ନିଜ ନିଜର ପ୍ରସ୍ତୁତି ସାରି ଦେଇଥାନ୍ତି । ମୁଁ ଜଗନ୍ନାଥଙ୍କୁ ସ୍ମରଣ କରୁଥାଏ, ପ୍ରଭୁ, ଏମିତି କିଛି ଚମତ୍କାର ହୋଇଯାଆନ୍ତା କି, ମୋର ମଧ୍ୟ ପୁରୀ ଯିବାକୁ ବାଟ ଫିଟିଯାଆନ୍ତା । ସେଦିନ ସକାଳୁ ବାବା ମୋତେ ହଠାତ୍ ଡାକ ପକେଇ କହିଲେ, “ଝିଅ, ତୁ ବି ପୁରୀ ଯିବୁ, ଶୀଘ୍ର ଲୁଗାପଟା ସଜାଡ଼ି ପକା” । ମୋ ଆଖିରୁ ଧାର ଧାର ହୋଇ ଖୁସିର ଲୁହ ଝରି ଆସିଲା । ହାତରେ ଆଉ ମାତ୍ର ଘtne ଘଣ୍ଟେ ସମୟ । ଠାକୁରଙ୍କୁ ମନେ ମନେ କୃତଜ୍ଞତା ଜଣାଇ ତରବରରେ ଲୁଗାପଟା ସଜଡାସଜଡିରେ ଲାଗିଗଲି ।

ଆମେ ଠିକ ସମୟରେ ବାହାରି ପଡିଲୁ । ଆମ ସହ ଯାଉଥାନ୍ତି ଫୁଲବାଣୀ ସରକାରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଶ୍ରୀ ଲକ୍ଷ୍ମୀନାରାୟଣ ପନାୟକ ସପରିବାର । ତାଙ୍କ ସହଧର୍ମିଣୀ ବାବାଙ୍କର ପିଇସୀ-ଆଈ ହେବେ । ତେଣୁ ମୁଁ ମଧ୍ୟ ସେମାନଙ୍କୁ ଅଜା-ଆଈ ମାନ୍ୟ କରୁଥିଲି । ଅଜା ହଠାତ୍ ବାବାଙ୍କୁ ପ୍ରସ୍ତାବ ଦେଲେ, ଆଗ ଆମେ କୋଣାର୍କ ଯିବା । ସେଠି ଡାକବଙ୍ଗଳାରେ ରାତିଟା ରହି, ସକାଳୁ ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟ ଦେଖିବା । ତାପରେ କୋଣାର୍କ ମନ୍ଦିର ବୁଲାବୁଲି କରି ସାରି, ପୁରୀ ଯିବା” । ତାଙ୍କର ଏହି ପ୍ରସ୍ତାବ ବାବା ଓ ଅନ୍ୟମାନଙ୍କ ଦ୍ୱାରା ତତ୍‌କ୍ଷଣାତ୍ ଗୃହୀତ ହୋଇଗଲା । ଅଥଚ ମୋ ମନ ଦୁଃଖି ହୋଇଗଲା । ମୋର ଇଚ୍ଛାଥିଲା, ପ୍ରଥମେ ପୁରୀ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିସାରିବା ପରେ, ତାପରେ ଆଉ ଯୁଆଡେ ବୁଲିଯିବା । ମାତ୍ର ବଡମାନଙ୍କର ନିଷ୍ପତି ଆଗରେ ମୁଁ ପାଟି ଫିଟେଇ ପାରିଲିନାହିଁ ।

ଗାଡି ଚାଲିଥାଏ, ତା’ ଗତିରେ । ଯେତିକି ଯେତିକି ଦୂରତ୍ୱ କମି କମି ଆସୁଥାଏ, ସେତିକି ସେତିକି ବଢି ବଢି ଯାଉଥାଏ ମନର ଉଦ୍‌ବେଳନ, ସେତିକି ସେତିକି ବଳବତ୍ତର ହେଉଥାଏ ଇଚ୍ଛା ଜଗନ୍ନାଥଙ୍କୁ ଦର୍ଶନ କରିବାର । ମୁଁ ରାସ୍ତାକୁ ଅନେଇ ବସି ତାଙ୍କୁ ହିଁ ଧ୍ୟାନ କରୁଥାଏ । ହଠାତ୍ ଅଜା କହି ଉଠିଲେ, “ଆରେ ଡ୍ରାଇଭର୍‌କୁ କୁହ, ସେ ଆମକୁ ଆଗ ପୁରୀ ନେଇଯାଉ । ଠାକୁର ଦର୍ଶନ ସାରି ବରଂ ଆମେ ତାପରେ କୋଣାର୍କ ଯିବା ।” ଆଃ, କିଏ ଯେମିତି ମୋ କର୍ଣ୍ଣ ଗହ୍ୱରରେ ଅମୃତ ଢାଳିଦେଲା । ଖୁସିରେ ଆତ୍ମହରା ହୋଇ ଉଠିଲି ମୁଁ । ଏହା ତ ମୋ ମହାପ୍ରଭୁଙ୍କ ନିର୍ଦ୍ଦେଶ । ସେ ମୋ ମନକଥାକୁ ଶୁଣି ପାରିଛନ୍ତି ନିଶ୍ଚୟ ।

ପୁରୀରେ ପହଁଞ୍ଚି ମୁଁ ଯେଉଁ ପ୍ରଥମ ରୋମାଞ୍ଚରେ ଶିହରିତ ହୋଇଊଠିଥିଲି, ସେ ଅନୁଭବ ଆଜିଯାଏଁ ସଜୀବ ରହିଛି ମୋ ଭିତରେ । ବଡଦେଉଳରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ, ଗହଗହ ଭିଡଭିତରୁ ତାଙ୍କର ସ୍ମିତ ସ୍ମିତ ହସ… ଆଃ, ସେ ଯେମିତି କହୁଥିଲେ, “ଦେଖିଲୁ ତ ତୋ ଇଚ୍ଛା ପୂରଣ ହେଲା କି ନାଇଁ !” ଭାବର ଅଧୀନ ସେ ଭାବଗ୍ରାହୀ । ବିଭୋର ଦୃଷ୍ଟିରେ ଚାହିଁ ରହିଥିଲି ମୋ ଇଷ୍ଟଦେବଙ୍କୁ, ଲୁହର ଅର୍ଘ୍ୟରେ ସେଦିନ ବନ୍ଦିଥିଲି ତାଙ୍କୁ ।

ଆଉଥରକର ଘଟଣା । ଚାକିରୀ କରିବାପରେ ମୁଁ ଭୁବନେଶ୍ୱରର ବାସିନ୍ଦା ହେଇସାରିଥାଏ । ମୋ ଅଜା ବୈଷ୍ଣବ ଦୀକ୍ଷା ଗ୍ରହଣ କରିବା ପରେ ପୁରୀର ଏକ ମଠରେ ଅବସ୍ଥାନ କରୁଥାଆନ୍ତି । ସେହି ବର୍ଷ ମାମୁଁମାଇଁ ସପରିବାର ମୋତେ ଓ ମୋ ସାନଭଉଣୀକୁ ପୁରୀ ନେଇ କି ଯାଇଥିଲେ ରଥଯାତ୍ରା ସମୟରେ ।

ବାହୁଡା ଯାତ୍ରା ସରି ଯାଇଥାଏ, ବଡଦେଉଳ ଆଗରେ ନନ୍ଦିଘୋଷରେ ଥାଆନ୍ତି, ପ୍ରଭୁ ଜଗନ୍ନାଥ । ସୁନାବେଶ ପରେ ସେଦିନ ଥାଏ ନୀଳାଦ୍ରିବିଜେ । ଅଜାଙ୍କ ମଠରେ ଥିବା ଅତିଥି ଭବନରେ ଜିନିଷପତ୍ର ରଖିଦେଇ, ଆମେ ବାହାରିଗଲୁ ଠାକୁର ଦର୍ଶନ ପାଇଁ । ପ୍ରବଳ ଲୋକ ଗହଳି ଭିତରେ ଭିଡ କାଟି କାଟି ଆମେ ପହିଲୁ ରଥ ପାଖରେ । ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ ଓ ଦ୍ୱୀପ ପ୍ରଜ୍ଜ୍ୱଳନ ପରେ ମୁଁ ଠିଆ ହୋଇରହିଥାଏ ରଥ ଆଗରେ । ତାଙ୍କୁ ଯେତେ ଦେଖିଲେ ବି ମନ ତୋଷ ହେଉ ନଥାଏ ।

କେହି କେହି ରଥ ଉପରକୁ ଚଢି ଠାକୁରଙ୍କୁ ଛୁଇଁ କୃକୃତ୍ୟ କୃତ୍ୟ ହେଇ ଯାଉଥାନ୍ତି । ମନେ ମନେ ମୁଁ ଭାବୁଥାଏ, ମହାପ୍ରଭୁଙ୍କ ସ୍ପର୍ଶ ମୁଁ ବି ଟିକେ ପାଇପାରନ୍ତି କି? ହେଲେ ଏ କଥା କାହାକୁ କହି ପାରୁ ନଥାଏ । କେବଳ ସେଇ ଚକା ଚକା ଆଖି ଦୁଇଟିକୁ ଚାହିଁ ରହିଥାଏ ଲୁହ ଛଳ ଛଳ ଆଖିରେ । ହଠାତ୍‌, ମାମୁଁ ମୋ ହାତଧରି ଭିଡ଼ି ନେଇଗଲେ ଆଗକୁ । ମୋ ଭାବନା କଟିଗଲା, ପଚାରିଲି, “କୁଆଡ଼େ ନେଉଛ ମାମୁଁ ।” କହିଲେ, “କିଛି ପଚାରନି, ତୁ ଆ’ ମୋ ସାଙ୍ଗରେ ଆଗ” । ଏକ୍‌ଦମ ରଥମୁହଁକୁ ନେଇଯାଇ କହିଲେ, “ଚଢି ଯା, ମୁଁ ଧରି ଦେଉଛି ତୋତେ” । ଯନ୍ତ୍ରଚାଳିତ ପରି କେଜାଣି କେମିତି ଚଢିଗଲି ଏତେ ଉଚ୍ଚକୁ ଜାଣିପାରିଲିନି । ପ୍ରଥମେ ବଡଭାଇ ବଳଭଦ୍ର, ତାପରେ ସୁଭଦ୍ରାଙ୍କୁ ସ୍ପର୍ଶ କରି ପ୍ରଣାମ କଲି । ଗୋଟିଏ ସାହସରେ ମାମୁଁଙ୍କ ହାତ ଧରି ଗୋଟେ ପରେ ଗୋଟେ ରଥ ହୋଇ ପହଁଞ୍ଚିଲି ନନ୍ଦିଘୋଷରେ । ସାମ୍ନାରେ ଜଗନ୍ନାଥ ! ଶରୀର ଭିତରେ ବିଦ୍ୟୁତ୍‌ର ତଡିତ୍ ପ୍ରବାହ । ପ୍ରଭୁ! ମୋ ପ୍ରଭୁ! ସତରେ କି ଭାଗ୍ୟ ମୋର! ହେଲେ ସାହାସ ହେଲାନି ଏଇ ପାପୀହାତରେ ଦିବ୍ୟସୁନ୍ଦର ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ପର୍ଶ କରିବାକୁ । କେବଳ ବିହ୍ୱଳ ହୋଇ ଦେଖୁଥାଏ ମହାବାହୁଙ୍କୁ । ଧାର ଧାର ହୋଇ ଲୁହ ବୋହିଯାଉଥାଏ ଦୁଇ ଆଖିରୁ । ଏତିକିବେଳେ ଜଣେ ପଣ୍ଡା କହିଉଠିଲେ, “ଚାହିଁଛୁ କଣ? ସେ କେମିତି ହାତ ବଢେଇଛି ଦେଖି ପାରୁନୁ? ଯା, କୁଣ୍ଢେଇପକା…” କହି ସେ ଏକରକମର ଠେଲିଦେଲେ ମୋତେ ତାଙ୍କ ଆଡ଼କୁ । ନିଜକୁ ସମ୍ଭାଳିବାକୁ ଯାଇ ମୁଁ କୁଣ୍ଢେଇ ଧରିପକେଇଲି ଜଗନ୍ନାଥଙ୍କୁ । ଆଃ, କି ମହ ମହ ମହକ! ଚନ୍ଦନ ନା କସ୍ତୁରୀ ନା ଆଉ କେଉଁ ସ୍ୱର୍ଗୀୟ ସୁବାସ! ସେ ମହକ ବୋଳି ହେଇଗଲା ମୋର ସାରା ଦେହରେ, ସେ ମହକରେ ମାଖିହେଇଗଲା ମୋର ସାରା ମନଅଭ୍ୟନ୍ତର । ମୋ ଲୁହରେ ଭିଜିଗଲା ମହାବାହୁଙ୍କ ଅଙ୍ଗବସ୍ତ୍ର, ମୋ ଭିତରେ ହାବୁକା ହାବୁକା କୋହ । ଧନ୍ୟ ହେଲି ପ୍ରଭୁ ।

ସେ ଅନିର୍ବଚନୀୟ ଆନନ୍ଦ, ସେ ମହାର୍ଘ ସ୍ପର୍ଶ ସଦାସର୍ବଦା ମୋତେ ମନ୍ତ୍ରମୁଗ୍ଧ ଜଡ ଚକିତ କରିଦିଏ । ଥର ଥର ପାଦରେ ରଥରୁ ଓହ୍ଲାଇ ସେଇଠି ସେଇ ବଡଦାଣ୍ଡ ଧୂଳି ଉପରେ ମାମୁଁଙ୍କ ପାଦ ଧରି ମୁଁ ଗଡିଗଲି କୃତଜ୍ଞତାରେ । ମାମୁଁ ହସୁଥାନ୍ତି ଠିକ୍ ଜଗନ୍ନାଥଙ୍କ ପରି ମୁରୁକି ମୁରୁକି ।

ପ୍ରତିବର୍ଷ ଥରେ ଦୁଇଥର ତ ମୁଁ ପୁରୀ ନିଶ୍ଚୟ ଯାଏ । ଯେଉଁଦିନ ମନ ବହୁତ ବେଶୀ ଛଟ୍‌ପଟ୍ ଲାଗେ, ଖୁବ ଇଚ୍ଛାହୁଏ ଦର୍ଶନ ପାଇଁ, ଯେତେ ଯାହା ଅସୁବିଧା ହେଲେ ବି ବାହାରି ପଡେ । ଆଉ ଠାକୁରଙ୍କ ପାଖରେ ପହଁଞ୍ଚିବା ବେଳକୁ ସବୁ ସୁବିଧା ହୋଇଯାଇଥାଏ । ଥରେ ଖରାଛୁଟିରେ ମୋ ସାନଭଉଣୀ ସପରିବାର ଆସିଥାଏ ଦିଲ୍ଲୀରୁ । ସେଠି ହୋଜ୍‌ଖାସ୍ ସ୍ଥିତ ଜଗନ୍ନାଥ ମନ୍ଦିରକୁ ସେ ପ୍ରାୟତଃ ଯାଏ ଦର୍ଶନ କରିବାକୁ । ସେଦିନ ସକାଳୁ ଯୋଜନା କଲୁ, ଦିନ ଦୁଇଟାବେଳକୁ ପୁରୀ ବାହାରିବା । ସେହି ଅନୁସାରେ ମୁଁ ବି ଅଫିସରୁ ଅଧାଦିନର ଛୁଟିନେଇ ଆସିଲି । ଘରେ ପହିଛି କି ନାହିଁ, ଆରମ୍ଭ ହେଇଗଲା ମୂଷଳଧାରାରେ ବର୍ଷା, ଯେମିତି ଏ ବର୍ଷା ଆଉ ଛାଡିବନି । ଡ୍ରାଇଭର ବି ମନା କରିଦେଲା ଏମିତି ବର୍ଷାରେ ଗାଡି ନେଇ ଯିବାକୁ । ସମସ୍ତଙ୍କ ମନ ତ ଦୁଃଖ ହେଇଗଲା, ମାତ୍ର ମୁଁ କହିଲି “ନାଇଁ ଯିବା, ବର୍ଷା ଛାଡିଯିବ ବାଟରେ” । କେହି ରାଜିହେଉ ନଥିଲେ, ମାତ୍ର ମୋ ଜିଦ୍ ଆଗରେ ସମସ୍ତେ ଚୁପ୍ ରହିଲେ । ବର୍ଷାର ପ୍ରକୋପ ଟିକେ କମିବାରୁ ଆମେ ବାହାରି ପଡିଲୁ ସତ, ମାତ୍ର ବାଟ ସାରା ବର୍ଷା ସେମିତି ବଢୁଥାଏ କମୁଥାଏ । ମୋ ଉପରେ ସମସ୍ତେ ବିରକ୍ତ ହେଉଥାନ୍ତି । କିନ୍ତୁ ମୁଁ ଗଭୀର ବିଶ୍ୱାସରେ କହୁଥାଏ, “ଦେଖ, ଆମେ ପୁରୀରେ ପହଁଞ୍ଚିବା ବେଳକୁ ବର୍ଷା ନିଶ୍ଚୟ ଛାଡିଯାଇଥିବ ।” ପୁରୀରେ ପହିଲୁ । ବର୍ଷାର ପ୍ରକୋପ ନଥିଲେ ବି ଝିପି ଝିପି ହେଇ ବର୍ଷୁଥାଏ । ଶ୍ରୀମନ୍ଦିରକୁ ଥିବା ବସରେ ଯାଇ ଓହ୍ଲାଇଲୁ ମନ୍ଦିର ପାଖରେ । ସାନଭଉଣୀର ଟିକିଝିଅକୁ କାଳେ ଥଣ୍ଡା ଧରିଦେବ ବୋଲି ପାଖଦୋକାନରୁ ଗାମୁଛାଟିଏ ଆଣି ତା ମୁଣ୍ଡରେ ଘୋଡେଇଦେଲୁ । ବାଇଶିପାହାଚରେ ପହିଛୁ କି ନାଇଁ ବର୍ଷା ପୂରାପୂରି ବନ୍ଦ । ଏମିତି ପରୀକ୍ଷା କରୁଥାନ୍ତି କି ପ୍ରଭୁ ଭକ୍ତର ଆକୁଳତାକୁ? ସେଦିନ ଦର୍ଶନ ବି ଖୁବ ସୁନ୍ଦର ହେଲା । ମହାପ୍ରଭୁଙ୍କର ମୁଚୁକୁନ୍ଦିଆ ହସ, ମୋହିନେଲା ମନ, ପୋଛିଦେଲା ସବୁ ଅବସାଦ କ୍ଳାନ୍ତିକୁ ।

ଆଉଥରେ ବି ସେଇ ସମାନ ପ୍ରକାରର ଅନୁଭବ । ୩, ଅଗଷ୍ଟ ୨୦୧୨ ମୋର ଜନ୍ମଦିନ; ସକାଳୁ ହିଁ ମନ ଡାକିଲା ଆଜି ଦର୍ଶନ କରିବି ମହାପ୍ରଭୁଙ୍କୁ । ଘରେ କେହି ନଥିଲେ । ବୋଉ ଯାଇଥିଲା ସାନଭଉଣୀ ଘରକୁ । ମୁଁ ମୋର ବନ୍ଧୁଙ୍କୁ ଅନୁରୋଧ କଲି, ସାଙ୍ଗ ହୋଇ ପୁରୀ ଯିବାକୁ । କଥାହେଲା, ଚାରିଟାବେଳକୁ ବାହାରିବା । ଶ୍ରୀଜଗନ୍ନାଥଙ୍କ ସନ୍ଧ୍ୟାଦର୍ଶନ ପରେ କିଛି ସମୟ ସମୁଦ୍ରକୂଳରେ ବୁଲି ଫେରିବା । ହେଲେ ଠିକ୍ ତିନିଟାବେଳକୁ, କାହୁଁଥିଲା କଳାମେଘ ଘୋଟି ଆସି ପୂରା ଆକାଶକୁ ଢାଙ୍କି ପକେଇଲା ଓ ଆରମ୍ଭ ହେଇଗଲା ଭୀଷଣ ବର୍ଷା । ମୁଁ ବୁଝି ପାରୁନଥାଏ, ଠାକୁରେ କାହିଁକି ଏମିତି କରନ୍ତି! ନିଜେ ଡୋର ଲଗେଇଦେଇ ମନରେ ଦର୍ଶନର ଅଭିଳାଷ ଜଗେଇ ଦେଉଛନ୍ତି, ତାପରେ ପରୀକ୍ଷା କରୁଛନ୍ତି । ଠାକୁରଙ୍କୁ ମୁଣ୍ଡିଆ ମାରି ତଥାପି ଆମେ ବାହାରିଲୁ । ରାସ୍ତାସାରା ବର୍ଷା । ଠିକ ବାଟମଙ୍ଗଳା ପାଖରେ ପହିବାବେଳକୁ ସବୁ ସଫା । ମାଆଙ୍କୁ ଦର୍ଶନ ସାରି ବାହାରିବାବେଳକୁ ଆକାଶ ପୂରା ଫର୍ଚ୍ଚା । ମନ ଖୁସି ହେଇଗଲା । ପୁରୀରେ ପହଁଞ୍ଚିଲୁ ।

ଆମପାଇଁ ଯେମିତି ମହାପ୍ରଭୁ ମହାବାହୁ ପ୍ରସାରିତ କରି ଡାକୁଛନ୍ତି, “ଆ, ଚାଲିଆ” । ବର୍ଷା କି କଣ, ସେଦିନ ମନ୍ଦିରରେ ଜମା ଭିଡ଼ ନଥିଲା । ଆଃ, କିସୁନ୍ଦର ଦର୍ଶନ! ଠାକୁରଙ୍କ ଏତେ ନିକଟରୁ ସନ୍ଧ୍ୟା ଆଳତୀ ଦର୍ଶନ, କି ସୌଭାଗ୍ୟ ମୋର! ଧାର ଧାର ଲୁହ ବୋହିଯାଉଥିଲା ଆଖିରୁ । ପ୍ରଭୁ, ତୁମେ ଯେ ପରମ ଦୟାଳୁ । ପ୍ରାୟ ପଇଁଚାଳିଶ ମିନିଟ ରହି ଦର୍ଶନ କଲୁ ଓ ଅବଢା ଖାଇ ଫେରିଥିଲୁ । ମୋ ଜୀବନର ସବୁଠାରୁ ସାର୍ଥକ ଜନ୍ମଦିନ ଥିଲା ସେଇଟା ।

ପ୍ରଭୁଙ୍କ ଡୋରି ନଲାଗିବା ଯାଏଁ , ଦର୍ଶନ ମିଳେନି । ଆଉ ସେ ଡୋରି ହେଲା ଦୃଢ଼ବିଶ୍ୱାସ । ସେଇ ଆକୁଳତା, ସେଇ ବିଶ୍ୱାସକୁ ମନରେ ସ୍ଥିର ରଖି ବିଭୁକୃପା ପାଇଁ ପ୍ରର୍ଥନା କରି ଚାଲିଲେ, ପ୍ରଭୁଙ୍କ ଆଶୀଷ ମିଳିଥାଏ । ତାଙ୍କରି ଇଚ୍ଛାବଳରେ ହିଁ ଏ ଦୁନିଆ ଆତଯାତ, ବ୍ରହ୍ମାଣ୍ଡରୁ କୀଟ ପର୍ଯ୍ୟନ୍ତ ।

ସୂଚନା ଓ ଲୋକସମ୍ପର୍କ ବିଭାଗ, ରାଜୀବ ଭବନ,
ଭୁବନେଶ୍ୱର-୭୫୧୦୦୧

Leave A Reply

Your email address will not be published.