Latest Odisha News

BREAKING NEWS

ଡିଜିଟାଲ୍ ସୂଚନାରୁ ପ୍ରଚୁର ଉପାର୍ଜନ: ଜାଣନ୍ତୁ, ଏହି ଓଡ଼ିଆ ଚାଷୀଙ୍କ ସଫଳତାର କାହାଣୀ !

କେନ୍ଦ୍ରାପଡ଼ା: ଏବେ ହେଉଛି ଡିଜିଟାଲର ଯୁଗ । ଯଦି ଡିଜିଟାଲ୍ ସୂଚନା ମାଧ୍ୟମରେ ସବୁକିଛି ସମ୍ଭବ ହୋଇପାରୁଛି ତେବେ କାହିଁକି ଆମେ ଏହାକୁ ଚାଷକ୍ଷେତ୍ରରେ ଉପଯୋଗ କରିପାରିବା ନାହିଁ? ଏହା ମାଧ୍ୟମରେ ପାଣିପାଗର ପୂର୍ବାନୁମାନ ଜାଣି ଶହଶହ ଚାଷୀ ଉପକୃତ ହୋଇପାରୁଛନ୍ତି, ଏପରିକି ପ୍ରଚୁର ଉପାର୍ଜନ ମଧ୍ୟ କରୁଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନପାଙ୍ଗ ଗ୍ରାମର ଚାଷୀ ହେଲେ ବାବାଜୀ ଚରଣ କାପ (୫୦) ଯିଏକି ସବୁବର୍ଷ ଖରିପ ଋତୁରେ ଧାନଚାଷ କରିଥାଆନ୍ତି । ସେ ମୋବାଇଲ୍ ମାଧ୍ୟମରେ କୃଷିବିତଙ୍କଠାରୁ ଅନେକ ଜ୍ଞାନ ଆହରଣ କରି ତଥା କୃଷି ସଚେତନତା ପରି କେତେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ଆଜି ବାବାଜୀ ଜଣେ ସଫଳ ଚାଷୀ ରୂପେ ପୂର୍ବାପେକ୍ଷା ଅଧିକ ଉପାର୍ଜନ କରିପାରୁଛନ୍ତି ।

“ଆମ ପରିବାର ଦାରିଦ୍ର‌୍ୟର ସୀମାରେଖା ତଳେ ଥିବା ଯୋଗୁଁ ମୋ ପିଲାଦିନ ଖୁବ୍ ଦୁଃଖ ଓ ଯନ୍ତ୍ରଣାରେ କଟିଥିଲା । ମୁଁ ଅଧିକ ପାଠ ପଢିପାରିନଥିବାରୁ ମନପସନ୍ଦର ଚାକିରୀଟିଏ ମଧ୍ୟ କରିପାରିନଥିଲି । ଗୋଟିଏ ଘରୋଇ କମ୍ପାନୀରେ ଚାକିରୀ ପାଇଥିଲେ ମଧ୍ୟ ପାରିବାରିକ ସମସ୍ୟା ହେତୁ କିଛିବର୍ଷ ପରେ ଛାଡ଼ିଦେଲି । ଚାକିରୀ ହରାଇ ନିଜ ଗାଁ’କୁ ଫେରିବା ପରେ ଚାଷବାସରେ ଧ୍ୟାନଦେଲି । ଏହି ଚାଷ ଉପରେ ମୋ ପରିବାରର ସମସ୍ତ ୭ଜଣ ପ୍ରାଣୀ ନିର୍ଭର କରୁଥିଲେ,” ବୋଲି ବାବାଜୀ ଛଳଛଳ ହୋଇ କୁହନ୍ତି ।

“ପ୍ରାୟ ୧୦ ଏକର ଚାଷଜମିରେ ମୁଁ ଚାଷ ଆରମ୍ଭ କଲି । ଅବଶ୍ୟ ୨ ଏକର ଚାଷଜମି ମୋ ନିଜର ଥିବାବେଳେ ଅବଶିଷ୍ଟ ଭାଗରେ ଚାଷ କରୁଥିଲି । ସାଧାରଣତଃ ମୁଁ ସେତେବେଳେ ଧାନ ସହିତ ବିରି ଏବଂ ସିଜିନ୍ ନେଇକି ପରିବା ଚାଷ କରୁଥିଲି । ପରିବା ମଧ୍ୟରେ ବାଇଗଣ, ଲଙ୍କା, ଫୁଲକୋବି, ଆଳୁ ଏପରିକି କପାଚାଷ ମଧ୍ୟ ମୁଁ କରୁଥିଲି,” ବୋଲି ବାବାଜୀ ସ୍ୱୀକାର କରିଛନ୍ତି ।

“ମାତ୍ର, ଏହି ଚାଷରୁ ମୋ ପରିବାର ଭରଣପୋଷଣ କରିବା କଷ୍ଟକର ହୋଇପଡୁଥିଲା । ଦିନେ ରିଲାଏନ୍ସ ଫାଉଣ୍ଡେସନର ଜଣେ ଫିଲ୍ଡ ଷ୍ଟାଫଙ୍କ ସହିତ ଭେଟ ହେବାପରେ ତାଙ୍କରି ପରାମର୍ଶରେ ମୁଁ ଗୋଟିଏ କୃଷି ସଚେତନତାମୂଳକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲି । ଏଥିରେ କିଛି ଅଡ଼ିଓ ପ୍ରୋଗ୍ରାମ ଏବଂ ଚାଷ ସମ୍ପର୍କୀତ କିଛି ଉପାଦେୟ କର୍ମଶାଳାରେ ମୁଁ ଯୋଗଦେଲି । ସେହି ସମୟରେ ମୁଁ ରିଲାଏନ୍ସ ଫାଉଣ୍ଡେସନର ଟୋଲ୍ ଫ୍ରି ନମ୍ବର – ୧୮୦୦ ୪୧୯ ୮୮୦୦ ପାଇଥିଲି । ମୁଁ ଏହି ଟୋଲ୍ ଫ୍ରି ନମ୍ବରରେ ଅନେକ ସମୟରେ ଫାଉଣ୍ଡେସନର କୃଷି ବୈଜ୍ଞାନିକଙ୍କ ଠାରୁ ସଠିକ୍ ପରାମର୍ଶ ପାଇବାକୁ ଲାଗିଲି । ଧିରେ ଧିରେ ମୁଁ ଭଲ ଚାଷ କରିବା ସହିତ ମୋର ଉତ୍ସାହ ଦ୍ୱିଗୁଣିତ ହେବାକୁ ଲାଗିଲା । ଚାଷ ଉପରେ ମୋର ଯେଉଁ ଭରସା ତୁଟି ଯାଇଥିଲା ଏବେ କିନ୍ତୁ ଏହି ରିଲାଏନ୍ସ ଫାଉଣ୍ଡେସନର ପରାମର୍ଶ ମୋତେ ଚାଷରେ ପୂର୍ବାପେକ୍ଷା ଅଧିକ ସାହାଯ୍ୟ କରିଥିଲା । ପୂର୍ବରୁ ଚାଷରେ ଯେଉଁ କ୍ଷତି ସହୁଥିଲି ତାହା ପ୍ରାୟ ନହୋଇ ବରଂ ଅଧିକ ଅମଳ କରିପାରିଲି,” ଏହା କହିଛନ୍ତି ପଟ୍ଟାମୁଣ୍ଡାଇର ସଫଳ ଚାଷୀ ବାବାଜୀ ।

ଏପରିକି ବାବାଜୀ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୫ ପରଠାରୁ ମୁଁ ରିଲାଏନ୍ସ ଫାଉଣ୍ଡେସନ ସହିତ ସମ୍ପର୍କ ସ୍ଥାପନ କରିଥିଲି । ସେବେଠାରୁ କୃଷି ସମ୍ପର୍କିତ ସମସ୍ତ ସମସ୍ୟାର ସମାଧାନ ଏହି ଫାଉଣ୍ଡେସନର କୃଷିବିତ୍ ତଥା କୃଷି ବୈଜ୍ଞାନିକଙ୍କଠାରୁ ଅବଗତ ହୋଇପାରିଥିଲି । ଏପରିକି ଫାଉଣ୍ଡେସନର ପରାମର୍ଶ ଯୋଗୁଁ ହିଁ ଥରେ ଭୟାନକ ବ୍ରାଉନ୍ ପ୍ଲାଣ୍ଟ୍ ହୁପର୍ ଆକ୍ରମଣରୁ ମୋର ସମସ୍ତ ଧାନଚାଷକୁ ରକ୍ଷା କରିଥିଲି । ଖାଲି ସେତିକି ନୁହେଁ ଗାଈ ଓ ବଳଦଙ୍କ ଫାଟୁଆ ରୋଗ ମଧ୍ୟ ଏହି ଫାଉଣ୍ଡେସନ ଦ୍ୱାରା ଚିକିତ୍ସା କରିଥିଲି । ଏବେ ମୁଁ ଛେଳି ଓ ମାଛ ଚାଷ ସମ୍ପର୍କରେ ଜ୍ଞାନ ଆହରଣ କରୁଛି । ଫାଉଣ୍ଡେସନ ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ ପାଇପାରୁଛି । ଫାଉଣ୍ଡେସନର ପରାମର୍ଶ ଯୋଗୁଁ ହିଁ ମୁଁ ପ୍ରାୟ ୨ ଲକ୍ଷ ଟଙ୍କା ବଞ୍ଚାଇ ପାରିଥିଲି । ସବୁବେଳେ ମୁଁ କୃଷି ସମ୍ପର୍କିତ ମୋବାଇଲ୍ ଭଏସ୍ ମେସେଜ୍ ପାଇଥାଏ । ଯାହାକି ଚାଷରେ ମୁଁ ତାହାକୁ ଉପଯୋଗ କରି ବେଶ୍ ଉପକୃତ ହୋଇଥାଏ । ମୁଁ ଏହି ମୋବାଇଲ୍ ଟୋଲ୍ ଫ୍ରି ନମ୍ବରକୁ ପ୍ରାୟ ୪୦୦ ଜଣ ଚାଷୀଙ୍କୁ ପ୍ରଦାନ କରିଛି ଏବଂ ସେମାନେ ମଧ୍ୟ ମୋପରି ଚାଷରେ ଉପକୃତ ହୋଇ ଭଲ ଉପାର୍ଜନ କରିପାରୁଛନ୍ତି ।

ଚାଷରେ ଫସଲ ରକ୍ଷା କରିବା ଲାଗି ତଥା ପ୍ରଚୁର ଅମଳ ଲାଗି ମୁଁ ସଦା ସର୍ବଦା ରିଲାଏନ୍ସ ଫାଉଣ୍ଡେସନର ପରାମର୍ଶ ଗ୍ରହଣ କରିଥାଏ । ମୁଁ ରିଲାଏନ୍ସ ଫାଉଣ୍ଡେସନକୁ ଅଜସ୍ର ଧନ୍ୟବାଦ ଅର୍ପଣ କରୁଛି । ପୂର୍ବାପେକ୍ଷା ଚାଷରେ ପ୍ରଚୁର ଅମଳ ହେଉଥିବା ଯୋଗୁଁ ଅଧିକ ଉପାର୍ଜନ କରିବା ସହିତ ମୁଁ ଏବେ ମୋ ପରିବାରର ଭରଣ ପୋଷଣ ଆରାମରେ କରିପାରୁଛି,” ଏହା କହିଛନ୍ତି ବାବାଜୀ ।

Leave A Reply

Your email address will not be published.