Latest Odisha News

BREAKING NEWS

ସର୍ବଜ୍ଞ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

 

ନନ୍ଦପୁର ଗାଁରେ ଯେଉଁ ସ୍କୁଲଟି ଅଛି, ସେଇଟା ଆଜି କାଲିର ନୁହେଁ। ପାଖାପାଖି ସତୁରୀ ବର୍ଷ ତଳେ କେବଳ ନନ୍ଦପୁର ନୁହେଁ, ଆଖପାଖର ପ୍ରାୟ କୋଡ଼ିଏ ଖଣ୍ଡ ଗାଁର ଲୋକ ଏକାଠି ହୋଇ ନିଷ୍ପତ୍ତି ନେଇଥିଲେ ଏ ସ୍କୁଲ ଖୋଲିବା ପାଇଁ। କାରଣ ସେତେବେଳେ ଏ ସବୁ ଗାଁରେ ସ୍କୁଲ ନଥିଲା। ସେ ସମୟରେ ଏ ସବୁ ଗାଁର ପିଲାଏ ଆସୁଥିଲେ ଏହି ସ୍କୁଲକୁ। କିଏ ଚାଲି ଚାଲି ଆସୁଥିଲା ତ ଆଉ କିଏ ସେ ଗାଁରୁ ପିଲାଙ୍କୁ ନେଇ ଆସୁଥିବା ଶଗଡ଼ ଗାଡ଼ିରେ ବସି। କିନ୍ତୁ, ଲୋକମାନଙ୍କ ଏକମାତ୍ର ଉଦ୍ଦେଶ୍ୟ ଥିଲା ନିଜ ପିଲାମାନଙ୍କୁ ପାଠ ପଢ଼ାଇ ଅନ୍ତତଃ ସ୍ୱାବଲମ୍ବୀ କରାଇବେ। ଏମିତି ହିଁ ଉଦ୍ଦେଶ୍ୟ ନେଇ ତିଆରି ହୋଇଥିବା ସ୍କୁଲରୁ ଏ ଯାଏଁ କେତେ ପିଲା ପାଠ ପଢ଼ି ବାହାରିଲେଣି, ସେମାନଙ୍କ ହିସାବ ନାହିଁ। ଅଧିକାଂଶ ପିଲା ନିଜ ନିଜ ଜୀବନରେ ଢେର ଆଗକୁ ଯାଇଛନ୍ତି। ନିଜକୁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ କରାଇଛନ୍ତି। ସେମାନଙ୍କ ଭିତରୁ କେହି କେହି ତ ଉଚ୍ଚଶିକ୍ଷା ସାରିବା ପରେ ଏହି ସ୍କୁଲରେ ଆସି ଶିକ୍ଷକତା କରିଛନ୍ତି। ପୁଣି ଥରେ ନିଜ ସ୍କୁଲରେ ପଢୁଥିବା ପିଲାଙ୍କୁ ପାଠ ପଢ଼ାଇ ମଣିଷ କରିଛନ୍ତି। ଏହି ସ୍କୁଲରୁ ହିଁ ଅବସର ନେଇଛନ୍ତି।

ନନ୍ଦପୁର ସ୍କୁଲ ଏହାରି ଭିତରେ ଅନେକ ପରିବର୍ତ୍ତନ ଭିତରେ ଗତି କରିଛି। ଗାଁ ଲୋକଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିବା ସ୍କୁଲକୁ ପରବର୍ତ୍ତୀ ସମୟରେ ସରକାର ନିଜ ଅଧୀନକୁ ନେଇଛନ୍ତି। ତା ପରେ ଯଦିଓ ସ୍କୁଲର ଭିତ୍ତିଭୂମି ବଢ଼ିଛି, କିନ୍ତୁ ସେମିତି କିଛି ଆଖିଦୃଶିଆ ପରିବର୍ତ୍ତନ ହୋଇନି। ପାରମ୍ପରିକ ଢାଞ୍ଚା ସେଇଆ ହିଁ ରହିଛି। ଏଇଠି ପାଠ ପଢ଼ି ଏଇଠି ହିଁ ଚାକିରି କରିଥିବା ଅନେକ ଶିକ୍ଷକ ଏଇ ସ୍କୁଲରୁ ବିଦାୟ ନେଲେଣି। ଏପରିକି ସେମାନଙ୍କ ଭିତରୁ ଅନେକ ତ ଏ ଦୁନିଆ ଛାଡ଼ି ଚାଲିଗଲେଣି। ତେବେ କେବେ ବି କାହାଠୁ ସ୍କୁଲ ବିରୋଧରେ କହିବା କେହି ଶୁଣିନି। ତା ଛଡ଼ା, ଏଇଟା ସାଧାରଣ କଥା ଯେ, କିଛି ମଣିଷ ଟିକିଏ ଶିକ୍ଷିତ ହୋଇଗଲେ ବା ଉଚ୍ଚ ଶିକ୍ଷିତ ହୋଇଗଲେ ଆଉ ଇନ୍ଦ୍ରଚନ୍ଦ୍ର ମାନନ୍ତିନି। ସେମାନେ ନିଜକୁ ହିଁ ସର୍ବଜ୍ଞ ବୋଲି ଭାବନ୍ତି। ସେମାନଙ୍କୁ ଲାଗେ, ସେମାନଙ୍କ ବ୍ୟତୀତ ପୃଥିବୀରେ ଆଉ କେହି କିଛି ଜାଣି ନାହାନ୍ତି। ଅଥବା ଅନ୍ୟ ଯେଉଁମାନେ ଯାହା ବି କିଛି ଜାଣିଛନ୍ତି, ତାହା ନଗଣ୍ୟ, ତୁଚ୍ଛ । ସେମାନଙ୍କ ଦକ୍ଷତା ଓ ଧୀଶକ୍ତି ଆଗରେ ଅନ୍ୟମାନଙ୍କ ଅସ୍ତିତ୍ୱ ହିଁ କିଛି ନାହିଁ।

ଏମିତି ହିଁ କିଛି ଆତ୍ମଅଭିମାନରେ ଥିଲେ ଜଗଦୀଶ । ହଁ ଜଗଦୀଶ ମହାପାତ୍ର, ଏବେ ନନ୍ଦପୁର ହାଇସ୍କୁଲର ସହକାରୀ ଶିକ୍ଷକ। ଦିନେ ଏଇ ସ୍କୁଲରେ ପଢୁଥିଲେ। ଏବେ ମାସେ ହେବ ଏଇ ସ୍କୁଲକୁ ଆସିଛନ୍ତି ଶିକ୍ଷକ ହୋଇ। କୋଡ଼ିଏ ବର୍ଷ ତଳେ ସେ ଯେତେବେଳେ ଏଇ ସ୍କୁଲରେ ପଢୁଥିଲେ, ସେତେବେଳେ ତାଙ୍କର ଯେଉଁମାନେ ଶିକ୍ଷକ ଥିଲେ, ସେମାନେ ସମସ୍ତେ ଏଇ ନନ୍ଦପୁର ସ୍କୁଲରୁ ହିଁ ପାଠ ପଢ଼ିଥିଲେ। ଏଇଠି ଶିକ୍ଷକ ହୋଇଥିଲେ। ଆଉ ସ୍କୁଲକୁ ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରତିଷ୍ଠିତ କରାଇବାରେ ସେମାନଙ୍କ ଢେର ଭୂମିକା ଥିଲା। ତେବେ ଗତ ପାଞ୍ଚ ବର୍ଷ ତଳେ ଏଇ ଶିକ୍ଷକମାନେ ଅବସର ନେବା ପରେ, ସ୍କୁଲଟି ବଡ଼ ଦୟନୀୟ ଅବସ୍ଥା ଦେଇ ଗତି କରୁଥିଲା। ଏପରିକି ସ୍କୁଲକୁ ଚଳାଇବା ପାଇଁ ଅଧିକାରୀ ସ୍ତରରେ ବି କୌଣସି ପଦକ୍ଷେପ ନିଆଯାଉନଥିଲା। ନା ସରକାରୀ ଉଦ୍ୟମ ଥିଲା, ନା ସ୍ଥାନୀୟ ଲୋକଙ୍କ ପ୍ରୟାସ। ଯାହା ଫଳରେ ଯେନତେନ ପ୍ରକାରେଣ ସ୍କୁଲ ଚଳାଇବା ପାଇଁ କିଛି ହାତଗଣତି ଠିକା ଶିକ୍ଷକଙ୍କୁ ଦାୟିତ୍ୱ ଦେଇଥିଲା ପ୍ରଶାସନ। ସେମାନେ କେତେ ବେଳେ ଆସିଲେ ଆଉ କେତେବେଳେ ଗଲେ, ତାର ହିସାବ କେହି ରଖିନାହାନ୍ତି। ଓଲଟା ସେଇମାନେ ସ୍କୁଲଟିକୁ ଗୋବରଗଡ଼ିଆରେ ପରିଣତ କରିଦେଲେଣି।

କିନ୍ତୁ କିଛି ଦିନ ତଳେ ବିଦେଶରେ କାମ କରୁଥିବା ତଥା ନନ୍ଦପୁରର ବାସିନ୍ଦା ଭାବେ ନିଜ ଗାଁକୁ ଭଲ ପାଉଥିବା ଜଣେ ଉଚ୍ଚଶିକ୍ଷିତ ବୁଦ୍ଧିଜୀବୀ ଚନ୍ଦ୍ରଚୂଡ଼ ପଟ୍ଟନାୟକ ଯେତେବେଳେ ନିଜ ଗାଁର ଉନ୍ନତି ପାଇଁ ସ୍ୱେଚ୍ଛାକୃତ ଭାବେ ଆସି ଏଇଠି ପ୍ରଧାନଶିକ୍ଷକ ଭାବେ ଯୋଗଦେଲେ, ସେତେବେଳେ ସ୍କୁଲର ସାମାନ୍ୟ ଭାଗ୍ୟୋଦୟ ହେଲା। ବିଗିଡ଼ି ଯାଇଥିବା ବ୍ୟବସ୍ଥାକୁ ସୁଧାରିବାକୁ ଢେର ଚେଷ୍ଟା କରିଛନ୍ତି ସେ। ତାଙ୍କରି ଉଦ୍ୟମରେ ପ୍ରାୟ ବର୍ଷେ ତଳେ ସ୍କୁଲରେ ଯୋଗ ଦେଇଥିଲେ ବନଜା ପାଣିଗ୍ରାହୀ। ସେ ବି ଏହି ସ୍କୁଲର ପୁରାତନ ଛାତ୍ରୀ। ଦୀର୍ଘ ବର୍ଷ ଧରି ରାଜ୍ୟ ବାହାରେ କାମ କରିବା ପରେ ଶେଷରେ ସେ ବି ଫେରିଥିଲେ ଏହି ସ୍କୁଲକୁ। ବନଜା ସ୍କୁଲରେ ଦାୟିତ୍ୱ ନେବା ପରେ, ଶ୍ରେଣୀଗୃହରେ ଶିକ୍ଷାଦାନକୁ ଅଧିକରୁ ଅଧିକ ଶୃଙ୍ଖଳିତ କରିବାକୁ ଚେଷ୍ଟା କରିଛନ୍ତି। ତେବେ ମାସେ ତଳେ ଯେତେବେଳେ ଜଗଦୀଶ ବାବୁ ଏହି ସ୍କୁଲରେ ଯୋଗଦେଲେ, ସେତେବେଳେ ପ୍ରଧାନଶିକ୍ଷକ ନିଜ ବ୍ୟକ୍ତିଗତ କାରଣରୁ ସ୍ୱେଚ୍ଛାକୃତ ଅବସର ନେଇଗଲେ। କାଳ ପଡ଼ିବାକୁ .. କାକ ରଡ଼ିବାକୁ.. ନ୍ୟାୟରେ ପ୍ରଧାନଶିକ୍ଷକ ଯିବା ବେଳକୁ ବନଜାଙ୍କୁ ସ୍କୁଲର ଦାୟିତ୍ୱ ଦେଇଯିବା ଏବଂ ସେ ସମୟରେ ଜଗଦୀଶ ଯୋଗଦେବା ଏକ ବିଚିତ୍ର ପରିସ୍ଥିତ ସୃଷ୍ଟି କଲା।

ବନଜା ଆରମ୍ଭରୁ ହିଁ ଜଗଦୀଶଙ୍କୁ ଯଥୋଚିତ ସମ୍ମାନ ଦେଉଥାନ୍ତି। ଯଦିଓ ଜଗଦୀଶଙ୍କଠାରୁ ବନଜା ପାଠ ପଢ଼ିଲା ବେଳୁ ହିଁ ସିନିଅର ଥିଲେ, କିନ୍ତୁ ସେ ସିନିଅର ଭଳି କେବେ ବ୍ୟବହାର କରିନାହାନ୍ତି। ଏତଦ୍ ଭିନ୍ନ କେବଳ ଜଗଦୀଶ ନୁହନ୍ତି, ତାଙ୍କ ସହିତ ଅନ୍ୟ ତିନି ଜଣ ବି ଏବେ ସ୍କୁଲରେ ଯୋଗ ଦେଇଛନ୍ତି ନୂଆ ଶିକ୍ଷକ ଭାବେ। ସେମାନଙ୍କ ଭିତରୁ ଜଣେ ଜଗଦୀଶଙ୍କଠାରୁ ଢେର ସନିଅର ଏବଂ ଅନ୍ୟମାନେ ଜୁନିଅର। ସୌଭାଗ୍ୟବଶତଃ ଏମାନେ ସମସ୍ତେ ଏହି ନନ୍ଦପୁର ହାଇସ୍କୁଲର ହିଁ ଛାତ୍ର। ତେଣୁ ଆଶା କରାଯାଉଥିଲା ସମସ୍ତଙ୍କ ଭିତରେ ଭଲ ସମନ୍ୱୟ ରହିବ ଏବଂ ସ୍କୁଲର ଶୈକ୍ଷିକ ବାତାବରଣ ଠିକ୍ ହୋଇଯିବ। ଏହାଛଡ଼ା ଏହି ସ୍କୁଲରୁ ହିଁ ପାଠ ପଢ଼ି ଏଇଠି ଶିକ୍ଷକ ହୋଇଥିବାରୁ, ଏମାନେ ସମସ୍ତେ ପିଲାଙ୍କ ବିକାଶ ଦିଗରେ ନିଶ୍ଚିତ ଭାବେ ଉତ୍ସର୍ଗୀକୃତ ଭାବେ କାମ କରିବେ। କିନ୍ତୁ ସେମିତି କିଛି ହେଲାନି। ପ୍ରଥମ ଦିନରୁ ହିଁ ଅନ୍ୟମାନଙ୍କ ଉପରେ ନିଜର ଆଧିପତ୍ୟ ଜାହିର କରିବାକୁ ଚେଷ୍ଟା କଲେ ଜଗଦୀଶ। କାହାରି ସିନିଅରିଟିକୁ ସେ ସ୍ୱୀକାର କରିବାକୁ ନାରାଜ। ଓଲଟା ଅନ୍ୟ ସହକର୍ମୀମାନଙ୍କୁ ହେୟ ମନେ କରିବା ସହିତ, ସେମାନଙ୍କ ପ୍ରତି ଘୃଣା ଏବଂ ଅସୂୟା ଭାବ ରଖିଲେ ସେ। ଯାହା ଫଳରେ ପ୍ରଭାବିତ ହେଲା ସ୍କୁଲର ଶିକ୍ଷାଦାନ ବ୍ୟବସ୍ଥା।

ଜଗଦୀଶ ନିଜ ଇଚ୍ଛା ଅନୁସାରେ ସ୍କୁଲକୁ ଆସନ୍ତି। କେଉଁ ଦିନ ସକାଳ ଏଗାରଟାରେ ସ୍କୁଲ ତ ଆଉ କେଉଁ ଦିନ ଅପରାହଣ ଦୁଇଟାରେ ଆସି ଚାରିଟାରେ ଘରକୁ ଛୁ। କାହାରି କଥା ଶୁଣିବାକୁ ନାରାଜ ସେ। ମାସେ ଭିତରେ ଏ ସବୁ ହାବଭାବ ଦେଖି, ବନଜା ଦିନେ ନିଜ ଅଫିସକୁ ଡକାଇଲେ ଜଗଦୀଶଙ୍କୁ। ପଚାରିଲେ, ତମେ ଅନ୍ତତଃ ଠିକ୍ ସମୟରେ ସ୍କୁଲକୁ ଆସିପାରିଥାନ୍ତ। ଏମିତି ଯଦି ନିଜ ମନଇଚ୍ଛା ସ୍କୁଲକୁ ଆସିବ, ତାହେଲେ ପିଲାଙ୍କ ଉପରେ କି ପ୍ରଭାବ ପଡ଼ିବ? ତା ଛଡ଼ା, ଆଜି ମୁଁ ପ୍ରଧାନ ଶିକ୍ଷୟିତ୍ରୀ ଅଛି, କାଲି ତମେ ସେହି ଦାୟିତ୍ୱ ନେବ, ତାହେଲେ ପିଲାମାନଙ୍କୁ କଣ କହିବ? ନିଜ ଜୁନିଅର ସହକର୍ମୀଙ୍କୁ କି ଜବାବ ଦେବ? ହେଲେ କଥା ଶୁଣିବା ଅବସ୍ଥାରେ ଥିଲେ ସିନା ଶୁଣନ୍ତେ ଜଗଦୀଶ। ତାଙ୍କର ଓଲଟା ଯୁକ୍ତି ଥିଲା, ତମମାନଙ୍କୁ କିଛି ଜଣା ନାହିଁ। ସ୍କୁଲ କେମିତି ପରିଚାଳନା କରାଯିବ, ସେ କଥା ଆମକୁ ପଚାର । ଏଇ ସ୍କୁଲରେ ତ କିଛି ନାହିଁ। ଠିକ୍ ଭାବେ ଗୋଟିଏ କୋଠରୀ ନାହିଁ, ଯେଉଁଠି ଟିକିଏ ଏ.ସି. ଥିବ। ଏତେ ଗରମ ଭିତରେ ମୁଁ କେମିତି ବସିବି ଏହି କ୍ଲାସରେ? ତେଣୁ ମୁଁ ମୋ ଘରେ ଟିକିଏ ଆରମ କରୁଛି, ଯେତେବେଳେ ମୋ ଇଚ୍ଛା ହେଉଛି, ସେତେବେଳେ ଆସୁଛି। ଏଥିରେ ତମର କଣ ଯାଏ ଆସେ? ଏଇ କଥା ଶୁଣିଲା ପରେ ରାଗରେ ନିଆଁଖଣ୍ଡ ହୋଇଗଲେ ବନଜା।

ସମସ୍ତଙ୍କ ସାମ୍ନାରେ ଜଗଦୀଶଙ୍କୁ ରୋକଠୋକ୍ ଶୁଣାଇ ଦେଲେ ସେ। କହିଲେ, ଟିକିଏ ଲାଜ ଲାଗୁନି। ଏଇଠି ଏଇ ସ୍କୁଲରେ ପାଠ ପଢ଼ିକି ଯାଇଥିଲ ତମେ। ଏଇଠୁ ଯାଇ ଯେତେବେଳେ ଏଇଠିକୁ ହିଁ ଫେରିଲ, ସାଙ୍ଗରେ ଏତେ ପ୍ରଶ୍ନବାଚୀ ବି ନେଇକି ଆସିଛ। ତମେ ପଢ଼ିଲା ବେଳେ କେତେ ଜଣ ଶିକ୍ଷକ ଥିଲେ, ଆଉ କେତେ କଣ କରୁଥିଲେ, ତମେ କଣ ଦେଖିନାହଁ ? ତାହେଲେ ଆଜି ତମକୁ ଏଇଠି ଯିଏ ଚାକିରି ଦେଇଛନ୍ତି, ସେ କଣ ଭାବୁଥିବେ କହିଲ? ସେ ନିଜ ଆଖି ଆଗରେ କିଛି ଗୋଟାଏ ଚିନ୍ତା କରି ତମକୁ ଏଇଠି ଏଇ ସ୍କୁଲକୁ ଆଣିଥିବେ। ହେଲେ ତମେ କଲ କଣ? ତମର ଏ ଭଳି ହାବଭାବ ଦେଖିଲା ପରେ ସେଇ ଲୋକଟି ନିଜକୁ ଧିକ୍ ମନେ କରୁଥିବ ନିଶ୍ଚୟ। ଜଗଦୀଶ ..ତମଠୁ ତ ଏମିତି ଆଶା ନଥିଲା। ତମର ସିନିଅର ଭାବେ ମୁଁ ଏତିକି କହିବି ଯେ, ତମେ ଅନ୍ତତଃ ସୁଧୁରିଯାଅ। ନହେଲେ କେଉଁ ଦିନ ଗାଁ ଲୋକେ, ପିଲାମାନେ ଏବଂ ଅନ୍ୟ ଶିକ୍ଷକମାନେ ତମକୁ ଏଇଠି ଉତ୍ତମ ମଧ୍ୟମ ଯେ ନକରିବେ, ସେ କଥା କୁହାଯାଇନପାରେ। ଏଇ ତକ କଥା ଶୁଣିବା ପରେ ରାଗରେ ଫଁ ଫଁ ହୋଇ ଦୌଡ଼ି ଚାଲିଲେ ଜଗଦୀଶ। ଗଲାବେଳେ ସମସ୍ତଙ୍କୁ ଶୁଣେଇଲା ଭଳି କହି କହି ଯାଉଥାନ୍ତି, ଆଃରେ  .. ଜାଣି ନାହାନ୍ତି ମତେ । ଏମିତି କେତେ ଦେଖିଛି। କାହାକୁ କିଛି ଜଣାନାହିଁ। ମତେ ପ୍ରଶ୍ନ କରୁଛନ୍ତି। ସମୟ ଆସୁ। ମୁଁ ଦେଖେଇ ଦେବି, କିଏ ସର୍ବଜ୍ଞ .. ଆଉ କିଏ ମୂର୍ଖ। …

 

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪

 

         

 

 

 

 

Leave A Reply

Your email address will not be published.