Latest Odisha News

ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କୁ ମିଳିବ ଗୋଟିଏ ଦିନ ସ୍ୱତନ୍ତ୍ର ଛୁଟି

ଭୁବନେଶ୍ୱର: ରାଜ୍ୟରେ ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କୁ ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ଏହାସହିତ ନିଜ ହେଡକ୍ୱାର୍ଟର ଠାରୁ ଦୂର ସ୍ଥାନରେ ଭୋଟ୍ ଦେବାକୁ ଯାଉଥିବା ସରକାରୀ କର୍ମଚାରୀଙ୍କୁ ୨ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ମିଳିବ । ଏନେଇ ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ସମସ୍ତ ବିଭାଗୀୟ ସଚିବ ଓ ମୁଖ୍ୟମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।

ସୂଚନା ଅନୁସାରେ, ଯେଉଁ ସରକାରୀ କର୍ମଚାରୀମାନେ ସାଧାରଣ ନିର୍ବାଚନ, ୨୦୨୪ କାର୍ଯ୍ୟରେ ନିୟୋଜିତ ହେବେ, ସେମାନଙ୍କୁ ଡ୍ୟୁଟି ପରେ ଗୋଟିଏ ଦିନ ସ୍ଵତନ୍ତ୍ର ସାମୟିକ ଛୁଟି ଦିଆଯିବ । ସେମାନେ କ୍ୟାଲେଣ୍ଡର ବର୍ଷରେ ପାଉଥିବା ସାମୟିକ ଛୁଟି ବା କାଜୁଆଲ ଲିଭ୍ ଏବଂ ସ୍ବତନ୍ତ୍ର ଛୁଟି ବା ସ୍ପେସାଲ ସିଏଲ ବ୍ୟତୀତ ଏହି ସ୍ବତନ୍ତ୍ର ସାମୟିକ ଛୁଟି ଦିଆଯିବ । ଏନେଇ ସରକାରଙ୍କ ତରଫରୁ ଅନୁମତି ପ୍ରଦାନ କରାଯାଇଛି ।

ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ପତ୍ର ମାଧ୍ୟମରେ ସମସ୍ତ ବିଭାଗ ତଥା ବିଭାଗୀୟ ମୁଖ୍ୟମାନଙ୍କୁ ଜଣାଇଛନ୍ତି । ପ୍ରଶାସନିକ ସୁବିଧାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ କାର୍ଯ୍ୟାଳୟ ମୁଖ୍ୟଙ୍କ ବିଚାର ଓ ନିଷ୍ପତ୍ତି ଆଧାରରେ ଏହି ଛୁଟି ପ୍ରଦାନ କରାଯିବ ।

ସେହିପରି ଯେଉଁ ସରକାରୀ କର୍ମଚାରୀମାନେ ସେମାନଙ୍କ ଅବସ୍ଥାପିତ ମୁଖ୍ୟାଳୟଠାରୁ ଦୂରସ୍ଥାନକୁ ଭୋଟ୍ ଦେବାକୁ ଯିବେ ସେମାନଙ୍କୁ ପୂର୍ବ ନିର୍ବାଚନ ସମୟରେ ସର୍ବାଧ‌ିକ ଦୁଇ ଦିନ ପାଇଁ ସ୍ବତନ୍ତ୍ର ସାମୟିକ ଛୁଟିକୁ ଅନୁମତି ପ୍ରଦାନ କରାଯାଇଛି । ଓଡ଼ିଶାରେ ଆଗାମୀ ମେ’ ୧୩, ୨୦, ୨୫, ଓ ଜୁନ୍ ୧ ରେ ପର୍ଯ୍ୟାୟକ୍ରମେ ମତଦାନ ଅନୁଷ୍ଠିତ ହେଉଥ‌ିବାରୁ ଚଳିତ ସାଧାରଣ ନିର୍ବାଚନ-୨୦୨୪ରେ ମଧ୍ୟ ସମାନ ସୁବିଧା ମିଳିବ ବୋଲି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.