Latest Odisha News

BREAKING NEWS

୩୧ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରକୁ ରଦ୍ଦ କଲେ ହାଇକୋର୍ଟ, ତାଲିକାରୁ ଏହି ଦୁଇ ଫିଲ୍ମକୁ ହଟାଇବାକୁ ନିର୍ଦ୍ଦେଶ

କଟକ: ରାଜ୍ୟ ସରକାରଙ୍କ ଦ୍ୱାରା ୨୦୨୧ ଘୋଷଣା କରାଯାଇଥିବା ୩୧ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୧୯କୁ ରଦ୍ଦ କଲେ ଓଡ଼ିଶା ହାଇକୋର୍ଟ। କାରଣ ଏଥିରେ ଦୁଇଟି ରିମେକ୍ ଚଳଚ୍ଚିତ୍ର ଖୁସୀ ଓ ଗୋଲମାଲ ଲଭ୍‌କୁ ତାଲିକାଭୁକ୍ତ କରାଯାଇଛି। ଯାହା କୌଣସି ବର୍ଗରେ ଏହି ପୁରସ୍କାର ପାଇଁ ଯୋଗ୍ୟ ନୁହେଁ। ତେଣୁ ଏହି ଦୁଇଟି ଫିଲ୍ମକୁ ହଟାଇ ମାସକ ଭିତରେ ପୁନଃ ତାଲିକା ଜାରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫିଲ୍ମ ନିର୍ଦ୍ଦେଶକ ବବି ଇସ୍‌ଲାମଙ୍କ ଆବଦେନର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ୍‌ ଡ. ସଂଜୀବ କୁମାର ପାଣିଗ୍ରାହୀଙ୍କ ଜଣିକିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ମାମଲାରେ ଶୁଣାଣି ବେଳେ ଖଣ୍ଡପୀଠ କହିଥିଲେ “ ଖୁସୀ ଓ ଗୋଲମାଲ ଲଭ୍‌ ଏହି ଦୁଇଟି ଫିଲ୍ମକୁ ନୂଆ ତାଲିକାରେ କୌଣସି ପୁରସ୍କାର ବର୍ଗରେ ବିଚାର କରାଯିବ ନାହିଁ।” ଜାନୁଆରା ୧୧ ତାରିଖରେ ବିଚାରପତି ଏହି ରାୟ ଶୁଣାଇଥିବା ବେଳେ ବୁଧବାର ଏହି ରାୟ ପ୍ରକାଶ ପାଇଛି।

ଖବର ଅନୁସାରେ, ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ୨୦୨୧ ନଭେମ୍ବର ୫ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ କରିଥିଲେ। ଏଥିରେ ଚୟନ କର୍ତ୍ତାମାନେ ଦୁଇଟି ରି-ମେକ୍ ସିନେମାକୁ ପୁରସ୍କାର ବର୍ଗରେ ରଖିଥିଲେ। ଗୋଟିଏ ହେଲା କୋରିଆନ୍ ଫିଲ୍ମ ‘ହୋପ୍’ର ଓଡ଼ିଆ ରି-ମେକ୍ ଖୁସୀ ଫିଲ୍ମ। ଏଥିରେ ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ଶିଶୁ କଳାକାର ଓ ଶ୍ରେଷ୍ଠ ଏଡିଟର ବର୍ଗରେ ଫିଲ୍ମଟି ପୁରସ୍କୃତ ହୋଇଥାନ୍ତା। ସେହିପରି ପଞ୍ଜାବୀ ଫିଲ୍ମ ‘କ୍ୟାରି ଅନ୍ ଜଟ୍ଟା’ର ଓଡ଼ିଆ ରି-ମେକ ଗୋଲ୍‌ମାଲ୍ ଲଭ୍‌କୁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ବର୍ଗରେ ରଖାଯାଇଥିଲା।

ଚୟନକର୍ତ୍ତମାନାଙ୍କର ଏହି ତାଲିକାକୁ ବିରୋଧ କରିଥିଲେ ଓଡ଼ିଆ ସିନେମା ନିର୍ଦ୍ଦେଶକ ବବି ଇସ୍‌ଲାମ। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବର୍ଗରେ ଦୁଇ ରି-ମେକ୍ ସିନେମାକୁ ପୁରସ୍କାର ପାଇଁ ଚୟନ କରିବା ଓଡ଼ିଶା ଷ୍ଟେଟ୍‌ ଫିଲ୍ମ ଆୱାର୍ଡର ନିୟମ ୨୦୧୦ର ଉଲ୍ଲଂଘନ ବୋଲି ଦର୍ଶାଇ ହାଇକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିଥିଲେ।

ଏହି ମାମଲାରେ ଆଜି ଶୁଣାଣି କରି ଜଷ୍ଟିସ୍ ପାଣିଗ୍ରାହୀ କହିଛନ୍ତି ଯେ କୋରିଆନ ଫିଲ୍ମ ହୋପ୍‌ ଓ ପଞ୍ଜାବୀ ଫିଲ୍ମ କ୍ୟାରିଅନ ଜଟ୍ଟାର କାହଣୀ ଓ ସିନ୍‌କୁ ବିବାଦୀୟ ଫିଲ୍ମର କାହାଣୀ ଓ ସିନ ସହ ତୁଳନା କଲେ ଏଥିରେ ତଥ୍ୟ ଓ ସିନରେ ବେଶି ପରିବର୍ତ୍ତନ କରାଯାଇ ନାହିଁ। କାଲି ସ୍କାନରୁ ରକ୍ଷା ପାଇବା ପାଇଁ ଏଥିରେ ସାମାନ୍ୟ କିଛିଟା ପରିବର୍ତ୍ତନ କରାଯାଇଛି। ତେବେ ଅଧିକାଂଶ ସ୍ଥାନରେ ସିନ୍‌ କପି ହୋଇଛି ବୋଲି ବିଚାରପତି କହିଛନ୍ତି।  ତେବେ ଯେଉଁଭଳି ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଏହି ଦୁଇ ବିବାଦୀୟ ସିନେମାକୁ ଚୟନ କରାଗଲା ତାହା ଓଡ଼ିଆ ସିନେମା ଓ କଳାକାରଙ୍କ ପାଇଁ ଏକ ଲଜ୍ଜା ଓ ଚିନ୍ତାଜନକ ବିଷୟ।

ତେବେ ଏ କ୍ଷେତ୍ରରେ ହୋଇଥିବା ଅନିୟମିତତାକୁ ସହଜରେ ରୋକାଯାଇ ପାରିଥାନ୍ତା, ଯଦି ଏଥିରେ ଥିବା ଚନୟକର୍ତ୍ତମାନେ ନିଜର ସ୍ଥାନ ଓ ଗୁରୁଦାୟିତ୍ୱ ପ୍ରତି ଅଧିକ ସତର୍କ ଓ ସଚେତନ ହୋଇଥାନ୍ତେ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ ପାଣିଗ୍ରାହୀ କହିଛନ୍ତି “ଚୟନକର୍ତ୍ତମାନେ ଓଡ଼ିଆ ସିନେମାରେ ଜଣେ ବଡ଼ ବଡ଼ ବ୍ୟକ୍ତିତ୍ୱ। ତାଙ୍କ ପାଖରୁ କେବଳ ନିରେପକ୍ଷତା ଓ ଉଚ୍ଚମାନର ଦୃଷ୍ଟିକୋଣ ଆଶା କରାଯାଇପାରେ। ମୁଁ ଦୃଢ଼ ଭାବେ ବିଶ୍ୱାସ କରେ ଯେ ଚୟନକର୍ତ୍ତାମାନଙ୍କ ଆଭିମୁଖ୍ୟ ଏଭଳି ସୃଜନଶୀଳ କାର୍ଯ୍ୟ ପାଇଁ ସର୍ବଦା ନିରପେକ୍ଷ ଓ ସତ୍ୟନିଷ୍ଠ ରହିବା ଦରକାର। ଯାହା ସିନେମା ଉଦ୍ୟୋଗକୁ ନିତ୍ୟାନ୍ତ ଆବଶ୍ୟକ।”

ସୂଚନା ଥାଉକି, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରକୁ ନେଇ ବିବାଦ ଦେଖାଦେବା ପରେ ଏହି ପୁରସ୍କାରକୁ ଘୁଞ୍ଚାଇ ଦେବାକୁ  ହାଇକୋର୍ଟ ଗତବର୍ଷ ଡିସେମ୍ବର ୧୩ ତାରିଖରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯେ ପର୍ଯ୍ୟନ୍ତ ନିଷ୍ପତ୍ତି ହୋଇ ନାହିଁ ପୁରସ୍କାର ସ୍ଥଗିତ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.