Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ପରମ୍ପରାରେ ପୂଜାପଣ୍ଡା ସେବକଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ଅଛି। ଦୈନିକ ସେବାଠାରୁ ଆରମ୍ଭ କରି ପର୍ବ ପର୍ବାଣୀ, ଯାନୀଯାତ୍ରା ସବୁଥିରେ ସ୍ୱତନ୍ତ୍ର ସେବାର ଅଧିକାର ଥିବା ଏହି ସେବକମାନେ ବଂଶାନୁକ୍ରମିକ ଭାବରେ ସେବା କରିଥାନ୍ତି। କାରଣ ଏମାନେ ଶାଢ଼ୀବନ୍ଧା ବ୍ରlହ୍ମଣ ସେବକ ଅଟନ୍ତି। ନିଜ ପୂର୍ବଜଙ୍କଠାରୁ ସେବାର ସମସ୍ତ ବିଧିବିଧାନ ଶିକ୍ଷା କରିବା ସହ ସଂସ୍କାର କର୍ମ (ବ୍ରତ ଉପନୟନ ) ପରେ ଏହି ସେବାରେ ନିୟୋଜିତ ହୁଅନ୍ତି। ପୂଜାପଣ୍ଡା ସେବକମାନେ ପର୍ବ ପର୍ବାଣୀରେ ମହାପ୍ରଭୁଙ୍କ ବାଡ଼ରେ ମଙ୍ଗଳାରୋପଣ, ବଡ଼ଠାକୁରଙ୍କ ବାଡ଼ରେ ବନ୍ଦାପନା ଓ ମହାପ୍ରଭୁଙ୍କ ବାଡ଼ରେ ସର୍ବାଙ୍ଗ କରନ୍ତି ।
ଚନ୍ଦନ ଯାତ୍ରା ସମୟରେ ୪୨ ଦିନ ଯାକ ଆଲଟ କରନ୍ତି, ଜନ୍ମବିଧି ଦିନରେ ଆଚାର୍ଯ୍ୟ ବରଣ ହୋଇ କାର୍ଯ୍ୟ ସମାପନ କରନ୍ତି। ଅଧିବାସ ସମୟରେ ସଂସ୍କାର କରନ୍ତି। ନେତ୍ରୋତ୍ସବରେ ନୀତି, ଋଷି ପଞ୍ଚମୀ, ଅନନ୍ତବ୍ରତ, ବିନାୟକ ବ୍ରତ ଆଦିରେ ବ୍ରତ କଥା କହନ୍ତି। ମୂଦିରସ୍ତଙ୍କ ଅନୁପସ୍ଥିତିରେ ପ୍ରସାଦ ଲାଗି କରନ୍ତି।
ଦୀପାବଳିରେ ଦୀପ ଦାନ, ମହାଦୀପ ସଂସ୍କାର ଦୈନିକ ବାହାର ଦେଉଳ ଭୋଗ, ଦକ୍ଷିଣୀ ଘର ଭୋଗ, ଲଷ୍ମୀଙ୍କ ଭୋଗ, ତଥା ବେଢାବୁଲା କାର୍ଯ୍ୟ କରନ୍ତି। ଦୋଳ ଚତୁର୍ଦ୍ଦଶୀରେ ମେଣ୍ଢା ପୋଡି ହୋମ, ବାମନ ଜନ୍ମ, ଇନ୍ଦ୍ରପୂଜା ହୋମ ଅନଙ୍ଗ ତ୍ରୟୋଦଶୀ ହୋମ, ରଥରେ, ଚନ୍ଦନ ଘରେ, ଦୋଳ ବେଦୀରେ ଓ ଗୁଣ୍ଡିଚା ଘରେ ଭୋଗ କରନ୍ତି। ପହଣ୍ଡି ବେଳେ ଡୋର ଧରନ୍ତି। ସଂକ୍ରାନ୍ତି ଓ ପ୍ରତିଦିନ ରଥରେ ବଳି ପୂଜା କରନ୍ତି। ତେଣୁ ପ୍ରଭୁଙ୍କର ସେବକଙ୍କ ମଧ୍ୟରେ “ପୂଜା ପଣ୍ଡା” ସେବକ ଙ୍କ ଏକ ନିଆରା ସ୍ଥାନ ଅଛି।

ଆଗାମୀ ଅଧ୍ୟାୟରେ ଜାଣିବା ଆଉ ଜାଣେ ନିଆରା ସେବକଙ୍କ କଥା ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ ର ସମୟ, ଆସନ୍ତୁ ପଢିବା।

“ତୋର ଭକତି ନାହିଁ ଚିତ୍ତେ
ମନକୁ ଜିଣିବି କେମନ୍ତେ ।
ତୋର ସ୍ମରଣେ ଯାର ଦୂର
କି ରୂପେ ତ୍ୟାଗ ତା ସଂସାର ।
ଯେ କିଛି ତୋହର ଚରଣେ
ମୁହିଁ ପୂଛଇ ଦାସ ପଣେ।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.