ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦର ଏକ ଲୌକିକ ନାମ ଅଭଡ଼ା ବୋଲି ଆମେ ଆଲୋଚନା କଲେ। ସେହିପରି ଅନ୍ୟ ଏକ ବିଶେଷ ପ୍ରଚଳିତ ଶବ୍ଦ ହେଲା “ମହାର୍ଦ୍ଧ “। ବିଶେଷ ଭାବରେ ପୁରୀ ସହରରେ ଏହି ଶବ୍ଦର ବହୁଳ ପ୍ରସାର ଦେଖିବାକୁ ମିଳେ। ଶ୍ରୀମହାପ୍ରସାଦକୁ ଭୋଜନ କରିବା ଅର୍ଥରେ ପୁରୀବାସୀ କହିଥାନ୍ତି ଆମେ ମହାର୍ଦ୍ଧ ସେବା କଲୁ । ଠିକ ଅଭଡ଼ା ପରି ଏହି ମହାର୍ଦ୍ଧ ଶବ୍ଦଟି ମଧ୍ୟ ଶ୍ରୀମହାପ୍ରସାଦର ସାମଗ୍ରିକ ବ୍ୟଞ୍ଜନକୁ ବୁଝାଇଥାଏ। ଅବଶ୍ୟ ଏହା ଉଭୟ ଶଙ୍ଖୁଡି (ଅନ୍ନ, ଡାଲି, ବେସର, ମହୁର ପ୍ରଭୃତି )ବା ନିଶଙ୍ଖୁଡି (ଖଜା, ପିଠା, ଖଇ କୋରା ଇତ୍ୟାଦି )ଙ୍କୁ ବୁଝାଇ ଥାଏ। ଏହାର ପରିମାଣ ଛପନ ପଉଟି। କେହି କେହି ଏହା ଷାଠିଏ ପଉଟି ବୋଲି କହିଥାନ୍ତି । ଯଥା :- “ଷାଠିଏ ପଉଟି ଭୋଗରୁ ତୁମର କାଢି ତ ନେଇନି ହରି, କୁହ ତେବେ କେଉଁ ଅପରାଧେ ମୋତେ କଲ ଦlଣ୍ଡର ଭିକାରୀ ।” ସେ ଯାହା ହେଉ ଏତେ ପରିମାଣରେ ଭୋଗ ପ୍ରଚଳନ ହେବାର ସମୟ ବିଷୟରେ ମଧ୍ଯ ଅନେକ ମତ ଦୃଷ୍ଟି ଗୋଚର ହୋଇଥାଏ। ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ମତରେ ପ୍ରଥମେ ୫୫୨ ଖ୍ରୀଷ୍ଟାବ୍ଦରେ ରାଜା ଯଯାତି କେଶରୀ ଏହା ପ୍ରଚଳନ କାରିଥିଲେ। ସେଥିପାଇଁ ତାଙ୍କୁ ଦ୍ଵିତୀୟ ଇନ୍ଦ୍ରଦ୍ୟୁମ୍ନ ଭାବରେ ଅଭିହିତ କାରାଯାଏ। କିନ୍ତୁ ମାଦଳା ପାଞ୍ଜି କହେ ୧୬୨୧ -୧୬୪୭ ମସିହା ଭିତରେ ଯେତେବେଳେ ରାଜା ନରସିଂହ ଦେବ ଗଡ଼ମାଣିତ୍ରିରୁ ବ୍ରହ୍ମଙ୍କୁ ଆଣି ମନ୍ଦିରରେ ପ୍ରବେଶ କରାଇଥିଲେ । ସେତେବେଳେ ଏହି ଶଙ୍ଖୁଡି ଭୋଗର ପ୍ରଚଳନ କରିଥିଲେ। କାହା କାହା ମତରେ ଭୋଗ ବର୍ଦ୍ଦନ ମଠର ଅଧିକାରୀ ଶଙ୍କରଙ୍କ ପରାମର୍ଶ ରେ ରାଜା ଯଯାତିଙ୍କ ଦ୍ୱାରା ହିଁ ଏହି ପରିମାଣର ଭୋଗ ପ୍ରଚଳିତ ହୋଇଥିଲା। ସେ ଯାହା ହେଉ ଆଜି ଏହା କେବଳ ପ୍ରସାଦ ନହୋଇ ମହାପ୍ରସାଦରେ ପରିଣତ ହୋଇଛି । ଆଗାମୀ ଅଧ୍ୟାୟରେ ଏହି ମହାପ୍ରସାଦର ଅନ୍ନ ବ୍ରହ୍ମରେ ପରିଣତ ହେବାର ବିଷୟ ଆଲୋଚନା କରିବା ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ ।
ସମାନ ଜନେ ମିତ୍ର ପଣ
ଏହିଟି ଉତ୍ତମ ଲକ୍ଷଣ ।
କେହି କାହାର ହନ୍ତା ନୋହେ
ପ୍ରାଣୀ ଜୀବନ କାଳ ଦହେ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )