କବିତା : ହିତୈଷୀ

ବିଷ୍ଣୁପ୍ରିୟା କରସୁଧା ପଟ୍ଟନାୟକ

ପଥ ଦୁର୍ଗମ ହେଉ ଅବା ସୁଗମ
ଚାଲିବାକୁ ହୁଏ..
ଚାଲୁ ଚାଲୁ ଭେଟି ହୁଏ,
ସମୟ,ସମ୍ପର୍କର
ଦୋଦୁଲ୍ୟମାନ ସ୍ତୁପକୁ ।
ଚିନ୍ହି ହୁଏ…
ପର ଆପଣାର ଭାବକୁ ,
ପରଖି ହୁଏ…
ସହଯୋଗ ,ଅସହଯୋଗର
ହାତକୁ ।
କିଏ ହାତ ଆଗକୁ ବଢ଼ାଏ  ତ..
କିଏ ନେଇ ଯାଉଥାଏ ପଛକୁ ।
ପଛକୁ ନେଉ ଥିବା ହାତ,
ଆଗକୁ ବଢ଼ାଉ ଥିବା ହାତ
ଦି’ଟା ହିଁ ଲାଗେ ନିଜର,
ହସ ଆଉ ଲୁହ ପରି,
ସତ୍ୟ ଏକ ଜୀବନର ।
ତେବେ, ଭୁଲି ହୁଏନା, ଦେଖି ହୁଏ
ସେଇ ସହଯୋଗର ହାତରେ
ଈଶ୍ୱରରୂପି ଈଶ୍ୱରଙ୍କୁ ।

କିଏ ସାଙ୍ଗ ଦେଲେ ବି ପହଞ୍ଚି ହୁଏ,
ସାଙ୍ଗ ନ ଦେଲେ ବି ପହଞ୍ଚି ହୁଏ,
ଆମ ପାଇଁ ପୂର୍ବ ନିର୍ଦ୍ଧାରିତ..
ସେଇ ସ୍ଥାନକୁ ।

ବାସ,  ସାରା ଜୀବନ ଭୁଲି ହୁଏନା,
ବନ୍ଧୁରୁପି
ଶୁଭାକାଂକ୍ଷୀ ମାନଙ୍କୁ ।
ଭୁଲିହୁଏନା ସେଇ ଦି’ପଦ
ମିଠା ମିଠା  କଥାକୁ,
ଯାହା ବଢ଼େଇ ନିଏ
ଚାରି ପାଦ ଆଗକୁ ।
ଭୁଲି ହୁଏନା ,ସୁଖ ବେଳେ
ସାଥିରେ ଖେଳେଇ ଥିବା
ଧାରେ ହସକୁ …
ଦୁଃଖ ବେଳେ ଝରେଇଥିବା
ଦି’ ଟୋପା ଲୁହକୁ ।

ଆଉ ସେଥିପାଇଁ ବୋଧହୁଏ,
ଜ୍ଞାତ ଆଜ୍ଞାତରେ,
ହୃଦୟ ଆକାଶରେ,
ଆଙ୍କି ଦେଇ ହୁଏ..
ସେଇ ନିଷ୍କପଟ ହୃଦୟର
ଜୀବନ୍ତ ଚିତ୍ରକୁ ।
ଆଉ ବେଳ ଅବେଳରେ
ନଇଁ ଯାଉଥାଏ ମଥା..
ଭେଟି ହୁଏ ନିଜ ଭିତରେ ହିଁ,
ସେଇ ହିତୈଷୀରୂପି…
ଈଶ୍ୱରଙ୍କୁ  ।

ମେଦେନା,ଚାଟିଗୁଡା
ଡାବୁଗାଁ ବ୍ଲକ
ଜିଲ୍ଲା ନବରଙ୍ଗପୁର
୭୬୪୦୭୨
ଓଡ଼ିଶା