ରବି ପଣ୍ଡା
ଆକାଶର ଅଗଣାରୁ ଉଙ୍କି ମାରେ କିଏ ଏ ରୂପସୀ
ରୂପେଲୀ ପଣତ ତାର ଦିଗନ୍ତରୁ ଦିଗନ୍ତକୁ ଛୁଏଁ
ମୁହେଁ ତା’ ଝଲସୁଥାଏ ମାୟାବିନୀ ଝକମକି ହସ
କଥାକୁହା ଆଖିରେ ସେ ଅକୁଣ୍ଠିତ ଆମନ୍ତ୍ରଣ ଦିଏ।
କୃଷ୍ଣଚୂଡ଼ା ଠିଆ ଥାଏ, ଡାଳେଡାଳେ ପେନ୍ଥା ପେନ୍ଥା ଫୁଲ
ଛାତିରେ ଛାତିଏପ୍ରେମ, ହୃଦୟରେ ସ୍ୱଚ୍ଛ ଅନୁରାଗ
ଧରି କହେ, ଦେଖ ରାଣୀ, ତମକୁ ମୁଁ ନେଉଛି ଆବୋରି
ଫୁଲରେ ଫୁଲରେ ଭରି,ଦେବି କେତେ ଅତନ୍ଦ୍ର ସୋହାଗ।
ଫୁଲର ଫାଙ୍କରେ ଚାହିଁ ଲାଜେ କହେ ରୂପସୀ ସୁନ୍ଦରୀ
ସତରେ, ସୁନ୍ଦର ତମେ, ଭଲପାଏ, ଖୁବ୍ ଭଲପାଏ
ଫୁଲ ଭର୍ତ୍ତି ଡାଳକୋଳେ, ଲୋଟିବାକୁ ଚାହୁଁଛି ମୋ ମନ
ହାୟ , ଯାଇପାରୁ ନାହିଁ, ଚାରିପଟେ ବାଦଲ ପ୍ରହରୀ ।
ଜୀବନ ତ ଏଇମିତି, ମିଛ ଆଶା , ସତ ଆଶା ଭଗ୍ନ
ହାତପାହାନ୍ତାରେ ଥାଏ, ଲାଗେ କିନ୍ତୁ ଅପହଞ୍ଚ ସ୍ୱପ୍ନ।
କପିଳ ପ୍ରସାଦ , ଭୁବନେଶ୍ୱର