ସୁଜାତା ମିଶ୍ର
ପ୍ରବାଳ ଦ୍ୱୀପର ରାଣୀ ନୁହେଁ
ମୁଁ ତ…..
ନୁହେଁ
ରୂପା ଜହ୍ନର ହସ…,
ନୁହଁଇ ମୁଁ ବି
ସ୍ବପ୍ନ ବିଭୋର ଗୋଧୂଳି ଲଗନେ
କ୍ଳାନ୍ତ ପକ୍ଷୀର
ଲେଉଟାଣି ଉଚ୍ଛ୍ୱାସ..,
ମୁଁ ଯେ କୁଟୀର ଦୁଆରେ
ସଂଜ ଦୀପାଳିର
ଟୋପାଏ ଆତ୍ମ ବିଶ୍ବାସ…,
ଅବା
କିଛି ଜମିଥିବା ବର୍ଷା ପାଣିରେ
ସବୁଜ ଘାସର ଶୋଷ…,
ନୁହେଁ ଆବର୍ଜନା, ନୁହେଁ ପ୍ରବଞ୍ଚନା,
ନୁହେଁ ବି ନୀଳ-ନୟନା,
ଅପନ୍ତରାର ଅମରୀ ଫୁଲ ମୁଁ..
ନାହିଁ ମୋର ଅବସୋସ…!
ଅଳ୍ପ ଖରାରେ
କୁନି କୁନି ମୋର ସ୍ବପ୍ନ ଶୁଖାଇ
ଗୁଣୁ ଗୁଣୁ ଗୀତ ଗାଏ ,
ଶିଶିର ବିନ୍ଦୁର
ତରଳ ପଲକେ
ପୁଲକ ସାଉଁଟି ନିଏ!
ବିଧାତା ଗଢିଛି
ତନୁକୁ ମୋହର..
ଭାଗ୍ୟ ବି ଲେଖିଛି ସେହି,
ପ୍ରାପ୍ତି ଅପ୍ରାପ୍ତିର ହିସାବ ବୁଝେନା..
ଫୁଟି କି ଝରଇ ମୁହିଁ!
କିଛି ମଧୁରତା, କିଛି ଅବହେଳା,
ଅନାବନା କିଛି ଅଲୋଡ଼ା ପଣର
ଅଦମ୍ୟ ପରିପ୍ରକାଶ…,
ମୁଁ ପାଣିର ରାଇଜେ
ଅମରୀ ଫୁଲର ଫିକାଳିଆ ମୃଦୁ ହସ!