କବିତା : ବିବଶତା

ସୁଜିତ କୁମାର ସତପଥି  

ଯୋଉଠି ଘଡ଼ିଏ ଅଟକି ଯାଏ
ଯାହାକୁ ଅତିକ୍ରମି ଗୋଟେ ନିଶ୍ବାସରେ ଧାଇଁଯାଏ
ତାହା ମୋର ବିବଶତା ନୁହଁ ।

ମୋର ବିବଶତା ଏହା ଯେ
ସଠିକ୍ ଭାବେ ମୁଁ ଚିହ୍ନିପାରିଲିନି ପାଦକୁ
କି ଜାଣିପାରିଲିନି ଯେ
ଏ ରାସ୍ତା କୋଉଠିକୁ ଯାଏ ।

ଚାଲୁ ଚାଲୁ ସେମିତି ଭେଟହୁଏ ଅନେକ ମୁହଁଙ୍କ ସହ
ଜଣା, ଅଜଣା, ଅଧା ଜଣା କେତେକଣ
ସେମାନେ ବି ମୋ ପରି ବିବଶ ଏକା ଥିବେ ବୋଲି
କୌଣସି ପ୍ରତ୍ଯାଭୂତି ନାହିଁ
ଆଉ ଏ କାହାରିର ମନକୁ ପଢିନପାରିବା ହିଁ
ବିବଶତା ମୋର ।

ଏଣେ ତମେ ଅଛ, ମୁଁ ଅଛି
ପରସ୍ପରର ଉପସ୍ଥିତି ଯଦିଓ ଆମର ସଂପର୍କର ମାନେ
ତଥାପି ପରସ୍ପରର ଅନୁପସ୍ଥିତିକୁ ହେତେଇ ନପାରିବା ହିଁ ବିବଶତା ଆମର ।

ବିବଶତା ଦେହର ଗଛରୁ ଝୁଲୁଥିବା
ଏମିତି ଏକ ଫଳ
ଗଛକୁ ବି ଜଣା ନଥାଏ ଯେ
ସେ ଫଳର ବୀଜ କୋଉଠି ?
ଫଳଟି ନିଦା ନା ପୋଳା ?
କଞ୍ଚାସୁଆଦି ନା ପଚାସୁଆଦି ?

ବିବଶତା ନିଜକୁ ହିଁ ନିଜେ ଚିହ୍ନି ନପାରିବାର
ବାହାନା ମାତ୍ର
ବିବଶତା ନିଜକୁ ହିଁ ନିଜେ ଝୁଣି ଖାଇବାର
ବିସମ୍ବାଦ ମାତ୍ର।

ହେଲେ ବିବଶତା କେବେ ବିବଶ ନୁହଁ
ଆମ ଅଜ୍ଞାନତାରେ
ମୁର୍ଖାମୀରେ
ବାହାନାରେ ।