ଗଳ୍ପ : ଶୋଷ

ଲିପ୍ସା ପଟେଲ 

ଏଇ କିଛି ଦିନ ହେଲା ରୁଦ୍ରାଶିଷ ନିଜ ଭିତରେ ଏକ ଅଦ୍ଭୁତ ପ୍ରକାର ଶୋଷକୁ ଅନୁଭବ କରିପାରୁଛି। ତା’ର କାରଣ ଓ ନିରାକରଣ ବିଷୟରେ ସଂପୂର୍ଣ୍ଣ ରୂପେ ଅଜ୍ଞ ସେ ତଥାପି ଦୌଡି ଚାଲିଛି ଜୀବନ ଦୌଡ। ତାକୁ ଲାଗୁଛି ତା’ ଭିତରେ ସମୁଦ୍ରେ ଶୋଷ। ଏଇ ବ୍ୟାକୁଳତା କ’ଣ ପୂର୍ବ ନିର୍ଦ୍ଧାରିତ? ସମସ୍ତଙ୍କ ଭିତରେ କ’ଣ ଏମିତି ଆଲୋଡନ ସୃଷ୍ଟି ହୁଏ? ଏହା କ’ଣ ବୟସ ଅନୁଯାୟୀ ବଢିଚାଲିଥାଏ? କାହାକୁ ପଚାରିବ? ସେ ଚୁପ୍ ଚାପ୍ ଅନ୍ୟମାନଙ୍କୁ ଲକ୍ଷ୍ୟ କରୁଥାଏ। ସମସ୍ତଙ୍କ ସୁଖ ଦୁଃଖ ଶୁଣୁଥାଏ। ନିଜ ଭିତରେ ଥିବା କୁଣ୍ଠାକୁ ଦୂରେଇ ଦେବା ପାଇଁ ବାଟ ଖୋଜୁଥାଏ। ଏଇ ମାଧ୍ୟମରେ ସେ ଅଣ୍ଡାଳି ଚାଲିଥାଏ ସୋସିଆଲ୍ ମିଡିଆରେ ବନ୍ଧୁବର୍ଗଙ୍କୁ, ଖେଳେଇ ଦେଉଥାଏ ଅନେକ ବହିର ପୃଷ୍ଠା ପରେ ପୃଷ୍ଠା, ବଦଳେଇ ଚାଲିଥାଏ ପ୍ଲେ ଲିଷ୍ଟରେ ଗୋଟିଏ ପରେ ଗୋଟିଏ ଗୀତ। କେତେବେଳେ ଗୁଣୁଗୁଣେଇ ଦିଏ ତ କେତେବେଳେ ମୋଟରସାଇକେଲଟା ଧରି ଦ୍ରୁତଗାମୀ ଅଶ୍ବ ପ୍ରାୟ ନିଜ ବେଗକୁ ପରଖିନିଏ। ତଥାପି ଜାରି ରହିଥିଲା ସେଇ ଶୋଷ।

ରୁଦ୍ରାଶିଷ ନିଜ ଭାବପ୍ରବଣତାକୁ ଲୁଚାଇବାକୁ ଯାଇ ମା’ ସହ ରୋଷେଇଘରେ ଶିଖୁଥିଲା ନୂଆ ନୂଆ ରାନ୍ଧଣା। ଭଉଣୀ ସହ ତା’ ପସନ୍ଦର କ୍ରାଇମ୍ ଫାଇଲ୍ ଦେଖି ତାକୁ ହିଁ ଅନେକ କଥା କହି ଡରାଉଥିଲା। ସେଇ ସିରିଏଲ୍ ଦେଖିଲା ବେଳେ ସେ ଅନୁଭବ କରୁଥିଲା ତା’ ଭିତରେ କେବଳ ଶୋଷଟିଏ ନାହିଁ, ଏମିତି ଅନେକ ଲୋକ ଭିନ୍ନ ଭିନ୍ନ ପ୍ରକାରର ଶୋଷରେ ଅତିଷ୍ଠ। ତାକୁ ମେଣ୍ଟାଇବାର ଉଦ୍ୟମ ଭିତରେ କିଏ କିଏ ଆତଙ୍କିତ ତ ଆଉ କିଏ କିଏ ନିଜେ ଆତଙ୍କ ସୃଷ୍ଟି କରୁଛନ୍ତି। ସେ ପୁଣି ନିଜ ଶୋଷ ବିଷୟରେ ଭାବି ବସେ। ତାକୁ କେମିତି ତୃପ୍ତି ମିଳିବ? ଆଖି ବନ୍ଦ କରି ବସିରହେ ଅନେକ ସମୟ। ସେମିତି ମୁଦ୍ରିତ ଚକ୍ଷୁରେ ସେ ନିଜ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରେ, ସେସବୁକୁ ପୂରା କରିବା ପାଇଁ ଅଣ୍ଟା ଭିଡେ, ରାତିର ଗହଳିଆ ଅନ୍ଧାର ଭିତରେ ନିଜ ସ୍ଵପ୍ନ ସହ ମତୁଆଲା ହୁଏ। ତା’ ପରୀକ୍ଷାଗାରରେ ଜାରି ରଖିଥାଏ ତା’ର ପରୀକ୍ଷାନିରୀକ୍ଷା। ମା’ କେତେବେଳୁ ଆଣି ଟେବୁଲ୍ ଉପରେ ରଖିଦେଇଥିବା କ୍ଷୀର ଗ୍ଲାସକୁ ଖାଲି କରିଦେଲେ ସୁଦ୍ଧା ସେ ମେଣ୍ଟାଇ ପାରେନି ତା’ର ତୃଷ୍ଣା।

ସ୍ଵପ୍ନ ଦେଖିବା ମଣିଷର ସହଜାତ ପ୍ରବୃତ୍ତି। ରୁଦ୍ରାଶିଷ ମଧ୍ୟ ସ୍ବପ୍ନ ଦେଖିଛି ସେ ବିଶ୍ଵର ଜଣେ ଖ୍ୟାତନାମା ବୈଜ୍ଞାନିକ ହେବ। ମହତ୍ତ୍ଵାକାଂକ୍ଷୀ ହେବା ତ ଦୋଷ ନୁହେଁ। କିନ୍ତୁ କେମିତି ସେ ତା’ ପରୀକ୍ଷାର ନିର୍ଯ୍ୟାସକୁ ବିଶ୍ଵ ସାମ୍ନାରେ ପ୍ରଦର୍ଶିତ କରିବ? ସେ ପୁଣି ସେଇ ଶୋଷ ସହ ଭାବିଚାଲିଛି ଏଇ ନିବୁଜ କୋଠରୀରେ ଘଟିଚାଲିଥିବା ପରୀକ୍ଷା ନିଶ୍ଚୟ ଏକ ବିଭୀଷିକାର ରୂପ ନେବ। ସାରା ବିଶ୍ଵକୁ ସେ ଦୋହଲାଇଦେବ। ବିଶ୍ଵସମ୍ରାଟର ମୁକୁଟରେ ସେ ଅନେକ ସ୍ଵପ୍ନ ଦେଖୁଛି ଖୋଲା ଆଖିରେ। କେବେ ସେ ଥଣ୍ଡା ପାନୀୟ ଭର୍ତ୍ତି ବୋତଲ ପରି ଝାଳେଇଯାଏ ତ କେବେ ଉଦଜାନ ବେଲୁନ୍ ପରି ହାଲୁକା ହୋଇଚାଲେ। ତଥାପି ସେଇ ଶୋଷ ତା’ ବାଟ ଓଗାଳେ।
ଆଖି ବନ୍ଦ କରି ନୀରବରେ ଆଙ୍କି ଚାଲିଛି ସେଇଦିନର ଚିତ୍ର।

ଯେଉଁ ଦିନ ସମଗ୍ର ବିଶ୍ୱ ଖୋଜିବ କିଏ, କାହିଁକି ଏମିତି କଲା? ଆଉ ଠିକ୍ ସେତିକିବେଳେ ସେ ପୁଣି ଏକ ବ୍ରହ୍ମାସ୍ତ୍ର ପ୍ରୟୋଗ କରିବ। ତାକୁ ନୋବେଲ, ମାଗାସେସେ ନତୁବା ଭାରତରତ୍ନ ପୁରସ୍କାର ମିଳିଯିବା ତ ସୁନିଶ୍ଚିତ ! ନିଜେ ହିଁ ବିଭୀଷିକା ସୃଷ୍ଟି କରି ନିଜେ ହିଁ ସମାଧାନର ସୂତ୍ର ଖୋଜିଦେବ। ବାହାରେ ନିଶବ୍ଦ ଅନ୍ଧାର ଆଉ ରୁଦ୍ରାଶିଷ ଲାଗିପଡିଥିଲା ତା’ ତାଣ୍ଡବର ସର୍ଜନାରେ। ମା’ ସବୁବେଳେ ପଚାରେ ସେ ଏକାନ୍ତରେ କ’ଣ ସବୁ କରୁଛି? ମାତ୍ର ସେ ମା’କୁ ଉତ୍ତର ଫେରାଏନି। ପୁଅ ଖୁବ୍ ମେଧାବୀ ଛାତ୍ର। ନାସାରେ ବୈଜ୍ଞାନିକ ହେବାର ସ୍ଵପ୍ନ ତା’ର ଅସଂପୂର୍ଣ୍ଣ ରହିଗଲା। ଅର୍ଥାଭାବ ଏମିତି ପ୍ରତିବନ୍ଧକ ସାଜେ। ଅର୍ଥ ହିଁ ତ ବେଳେବେଳେ ବଢେଇଦିଏ ଶୋଷ। ଏକଥା ମା, ବାପା ଜାଣନ୍ତି। ଏବେ କିନ୍ତୁ ପୁଅ କେମିକାଲ ଇଞ୍ଜିନିୟରିଂ ସାରି ଚାକିରି ସନ୍ଧାନରେ, ତା’ ଉପରେ ବାପା,ମା ବିଶ୍ୱାସ ରଖିଛନ୍ତି ସେ ନିଶ୍ଚୟ କିଛି ମହାନ୍ କାମ କରିବ।

ଏଇ ଭିତରେ ରୁଦ୍ରାଶିଷ ବାରିପାରୁଛି ଅନେକ ପ୍ରକାରର ଶୋଷକୁ। କେବେ କ୍ଷମତା ପାଇଁ, କେବେ ଅର୍ଥ, କେବେ ଯୌନଜୀବନ ତ କେବେ ନିଜକୁ ଆରାମଦାୟକ ଅସ୍ତିତ୍ୱଟିଏ ଦେବା ପାଇଁ ଶୋଷ। ନିଆଁ ଧାସରେ ପୋଡିଯାଉଥିବା ପତଙ୍ଗ ପ୍ରାୟ ସେ ନିଜ ଭିତରେ ଜଳେ। ସେଥିରୁ ଜାତ ହୁଏ ଆହୁରି ଅଧିକ ତୃଷ୍ଣା। ତାକୁ ମେଣ୍ଟାଇବାର ଚେଷ୍ଟାରେ ସେ ଚାଲିଯାଏ ତା’ର ପରୀକ୍ଷାଗାରକୁ। ନିଜ ଶୋଇବା କୋଠରୀକୁ ଲାଗି ଛୋଟ ବଖରାଟିଏ। ଷ୍ଟୋର୍ ରୁମ୍ କରାଯିବା ଉଦ୍ଦେଶ୍ୟରେ ତୋଳା ଯାଇଥିବା ଏଇ ବଖରାଟି ଏବେ ରୁଦ୍ରାଶିଷକୁ ଦେବ ଏକ ସ୍ଵତନ୍ତ୍ର ପରିଚୟ। ଆଖି ସାମ୍ନାରେ ସେଇ ଏକା ଦୃଶ୍ୟ, ଯଶ, ପ୍ରତିଷ୍ଠା, ନୋବେଲ ପୁରସ୍କାର । ଓଃ! ବାପା ପୁଣି ଦେଖିବା ପାଇଁ ଚାଲି ଆସିବେ। ସବୁ ଗଣ୍ଡଗୋଳ ହୋଇଯିବ।

ନିଜ ଶୋଇବା କୋଠରୀର ଦରଜାଟିକୁ ବନ୍ଦ କରିଦେଇ ସେ ଚାଲିଗଲା ତା’ ରାସାୟନିକ ରାଜ୍ୟକୁ। ଟେଷ୍ଟ ଟ୍ୟୁବ୍, ସ୍ପିରିଟ୍ ବତୀ, କିଛି ରାସାୟନିକ ସାମଗ୍ରୀ ସହ ଜାରି ରଖିଲା ତା’ର ପରୀକ୍ଷା। ହାତରେ ଗ୍ଲୋଭସ୍ ଓ ମୁହଁରେ ମୁଖା ପିନ୍ଧି ସେ ପାଲଟିଯାଏ ଭିନ୍ନ ମଣିଷ। କିଏ କହିବ ସେ ଏଇଠି ନରସଂହାରର ଅସ୍ତ୍ର ଯୋଖୁଛି ! ସେଇ ଛୋଟିଆ ବଖରାରେ କେବଳ ରୁଦ୍ରାଶିଷ, ତା’ର ଜ୍ଞାନ ଓ ଭାବନା। ମସ୍ତିଷ୍କରେ ଅର୍ଜିଥିବା ସେଇ ଜ୍ଞାନ କେବେ ମାନବ ଜାତିର ବିକାଶ କରିପାରେ ତ କେବେ ପୁଣି ଆଣିପାରେ ପ୍ରଳୟ। ଏତେ ବର୍ଷ ସେ ମୋଟା ମୋଟା ବହି, ଲ୍ୟାବ୍, ରାସାୟନିକ ପଦାର୍ଥ, ପ୍ରୋଜେକ୍ଟ, କ୍ୟାରିୟର ମ୍ୟାପିଙ୍ଗ ଭିତରେ ନିଜର ଦୁର୍ମୂଲ୍ୟ ସମୟ ବିତାଇଛି। ଏବେ ନିର୍ଯ୍ୟାସର ଅବସର। ସମଗ୍ର ବିଶ୍ୱ ହେବ ତା’ କଠିନ ପରିଶ୍ରମର ସାକ୍ଷ୍ୟ।

କେତେ ଧୈର୍ଯ୍ୟଚ୍ୟୁତି, କେତେ ବିଫଳତା ପରେ ରୁଦ୍ରାଶିଷ ନିଜକୁ ନିଜେ ବୁଝାଏ। ଆଜି ବିଫଳ ହେଲେ କାଲି ସଫଳ ହେବ। ପୁଣି ଖୋଜେ ନୂଆ ନୂଆ ସୂତ୍ର, ପୁଣି ଆରମ୍ଭ କରେ ପ୍ରକ୍ରିୟା। ଏଇ ରସାୟନ ସାମଗ୍ରୀର ଗନ୍ଧରେ ଏମିତି ସେ ବାନ୍ଧି ହୋଇଛି ଯେ କେବେ କେଉଁ ଝିଅର ହାଲୁକା ପରଫ୍ୟୁମ ଅବା ଗଜରା ତା’ର ଧ୍ୟାନଭଙ୍ଗ କରିପାରିନି। କାହାକୁ ସେ କଥା ଦେଇନି ଆଗାମୀ ସୁନେଲି ଜୀବନର। କେମିତି ବା ଦେବ? ସେ ତ ନିଜେ ଏକ ଆତ୍ମଘାତୀ ବୋମା। ଅନିଶ୍ଚିତ ଏକ ଭବିଷ୍ୟତ ପାଇଁ ତ ବଢିଚାଲିଛି ତା’ର ଶୋଷ। ସେ ଜାଣେ ସେ ଖେଳୁଛି ଜୀବନର ସାପ-ଶିଡି ଖେଳ। ଏତେ ମେଧାବୀ ହୋଇ ମଧ୍ୟ ସେ ଚାଲିପାରିଲାନି ଜୀବନର ସରଳରେଖାରେ, ସବୁବେଳେ ଦାରିଦ୍ର୍ଯ ଓ ଦୁର୍ଭାଗ୍ୟ ତା’ ପାଇଁ ପ୍ରସ୍ତୁତ କରିଦେଲା ଏକ ବନ୍ଧୁର ପଥ। ସେ ପଡିଛି, ଉଠିଛି, କ୍ଷତାକ୍ତ ହୋଇଛି ଆଉ ଏଇ ଉପପାଦ୍ୟରେ ଉପନୀତ ହୋଇଛି।

କାଲି ଯଦି ସେ ନଥିବ, ତେବେ କ’ଣ ସବୁ ଦୋଷ ତା’ର ମା, ବାପା ମୁଣ୍ଡାଇବେ? ପିଲାଟି ଦିନରୁ ଏଇ କଥା ସେ ଶୁଣିଆସିଛି, ଦେଖିଆସିଛି। ଭଲ ନମ୍ବର ରଖି ପାସ୍ କଲେ ବାପାଙ୍କ ଛାତି ଚଉଡା ହୋଇଯାଏ,ସମସ୍ତେ ବାହ୍ ବାହ୍ କହନ୍ତି। କେଉଁଠି ନିଜ ବ୍ୟବହାରରେ ହେଉ ଅବା ସମ୍ଭ୍ରମତାରେ ଝୁଣ୍ଟି ପଡିଲେ, ଶୁଣିବାକୁ ମିଳେ ତୋ ବାପା, ମା କିଛି ଶିଖାଇ ନାହାନ୍ତି। ଆହା! ଜୀବନର ସମୀକରଣକୁ ସହଜ କରିବା ପାଇଁ ତ ସେମାନେ କେତେ ଜଟିଳ ଅଙ୍କ କଷିଚାଲିଛନ୍ତି ତା’ ପାଇଁ। ତାଙ୍କୁ ସେ ବିପଦରେ ପକାଇ ଯାଇପାରିବନି। କ’ଣ କରିବ?

ପରୀକ୍ଷଣର ଶେଷ ପର୍ଯ୍ୟାୟରେ ସେ ଦେଖିବାକୁ ଚାହୁଁଛି ତା’ ବାପା, ମା’ଙ୍କ ପ୍ରତିକ୍ରିୟା। ଟି.ଭିର ନ୍ୟୁଜ୍ ଚ୍ୟାନେଲଠାରୁ ଆରମ୍ଭ କରି ଖବରକାଗଜ ଓ ସାଇପଡିଶାଙ୍କ ଆଶଙ୍କା। ତାଙ୍କ ସହରରେ ଖେଳିଯାଇଛି ବିଷ। ପରିବା ବଜାର, ପାଣି, ପବନରେ ବଢୁଛି ବିଷର ମାତ୍ରା। ଆତଙ୍କିତ ସାରାଟା ସହର। ଦେଖୁ ଦେଖୁ ବ୍ୟାପିଯାଉଛି ଭୟାବହତା ଗୋଟିଏ ସହରରୁ ଆଉ ଏକ ସହରକୁ। କାଲି ସେଇ ବଜାରରୁ କିଣା ଯାଇଥିବା ପରିବାପତ୍ରକୁ ଖାଇବେ ନା ନାଇଁ? ଦୋଦୁଲ୍ୟମାନ ପରିସ୍ଥିତିରେ ଝୁଲୁଛି ସରକାରୀ କଳ। ସମସ୍ତଙ୍କ ମୁଣ୍ଡ ବିନ୍ଧା ବୃଦ୍ଧି ପାଉଛି। କେଉଁଠୁ, କେମିତି, କିଏ ?  ଏସବୁ ପ୍ରଶ୍ନ ସହ ବଢିଚାଲିଛି ସନ୍ଦେହ। ନିଜ ପରୀକ୍ଷଣର ଅଦୃଶ୍ୟ ବୋମା ଫୁଟାଇ ନିର୍ବିକାର ହୋଇ ବସିଛି ରୁଦ୍ରାଶିଷ।

କୁଢ କୁଢ ଶବ, ଅକାଳ ବାର୍ଦ୍ଧକ୍ୟ, ଅନିଶ୍ଚିତତା ଭିତରେ ରୁଦ୍ରାଶିଷର ଶୋଷ ଆହୁରି ବଢିଚାଲିଛି। ଇଏ କ’ଣ ଓଲଟା ପ୍ରତିକ୍ରିୟା ଦେଖାଦେଲା? ଏତେସବୁ ପରେ ତା’ ଶୋଷ ନିୟନ୍ତ୍ରଣ ହୋଇଯିବା କଥା। କିନ୍ତୁ ହୋଇପାରୁ ନାହିଁ। ତା’ ବାପା ଟି.ଭି ସାମ୍ନାରୁ ଉଠୁନାହାନ୍ତି। ବନ୍ଦ କବାଟ, ଝର୍କା ଭିତରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଷୟରେ ଅନଭିଜ୍ଞ ତା’ ମା’ କେତେ ମନ୍ତ୍ର, ଶ୍ଲୋକ ପଢିଚାଲିଛନ୍ତି। ସାରା ବିଶ୍ୱ ପାଇଁ ପ୍ରାର୍ଥନା କରୁଛନ୍ତି। ସେଇ ଅନାମ ବ୍ୟକ୍ତିତ୍ବକୁ ଧିକ୍କାର କରିଚାଲିଛନ୍ତି। ବାପା ଭର୍ତ୍ସନା କଲା ବେଳେ ମା’ ଅଭିଶାପ ଦେଇଚାଲିଥିଲେ। ବାପା, ମା’ଙ୍କ ଆଖିରେ ଘୃଣା ଦେଖି ହାମୁଡେଇ ପଡିଲା ରୁଦ୍ରାଶିଷ। ଏତେ ପରିଶ୍ରମ ତା’ର ଏମିତି ଘୃଣାର କାରଣ ହୋଇଗଲା? ସେ ତ ବିଶ୍ବବିଜୟୀ ସମ୍ରାଟ ହେବା ପାଇଁ ଦିନରାତି ଅକ୍ଲାନ୍ତ ପରିଶ୍ରମ କରିଥିଲା। ତା’ର ଏଇ ପରୀକ୍ଷଣ ପାଇଁ ତା’ ବାପା, ମାଙ୍କୁ ସାରା ବିଶ୍ୱ ଜାଣିପାରିଥାନ୍ତା। ପରିଣାମ କିନ୍ତୁ ଭିନ୍ନ ଦେଖାଯାଉଛି।

ପରଦିନ ସନ୍ଧ୍ୟାରୁ ମା’ ଦେହରେ ନାଲି ନାଲି ଏଲର୍ଜି। ଔଷଧ କାମ ଦେଉନି। ଦେହରେ ତାତି ମଧ୍ୟ ଆସିବସିଲାଣି। ମା’କୁ ପ୍ରତିଷେଧକ ଦ୍ରବ୍ୟଟା ଦେଲେ ପୁଣି ବାପା ପ୍ରଶ୍ନ କରିବେ, ସେ କେମିତି ଜାଣିଲା? ନିଜେ ତ ପରୀକ୍ଷଣ ପୂର୍ବରୁ ସେଇ ଦ୍ରବ୍ୟ ପିଇସାରିଛି। କିନ୍ତୁ ଭଉଣୀ, ବାପା, ମା’ଙ୍କୁ କେଉଁ ଉପାୟରେ ଦେବ? ମା’ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଭଉଣୀ ମୁହଁରେ ନିରାଶାର ଭସା ବାଦଲ। ପ୍ରଶ୍ନିଳ ଚାହାଣିରେ ତା’ପଟେ ଅନାଇଛି, ମା’କୁ କ’ଣ ହୋଇଗଲେ ଆମେ କେମିତି କରିବା? ସେ ତ ବ୍ରହ୍ମାସ୍ତ୍ର ସାଇତି ରଖିଛି ; କିନ୍ତୁ ପ୍ରୟୋଗ କେମିତି କରିବ? ସେ ପାଲଟିଯାଇଛି ଅଭିମନ୍ୟୁ। ଚକ୍ରବ୍ୟୁହ ଭେଦ କରିପାରୁନାହିଁ। ନିସ୍ତବ୍ଧ ରାତିରେ ପ୍ରତିଷେଧକ ଦ୍ରବ୍ୟକୁ ଟେବୁଲ୍ ଉପରେ ଚିଠି ସହ ରଖିଦେଇ କୁଆଡ଼େ ଚାଲିଗଲା ରୁଦ୍ରାଶିଷ। ବାପା ଲଜ୍ଜିତ ହୋଇ ଅଣ୍ଡାଳି ବସୁଥିଲେ ସେଇ ଛୋଟିଆ ଷ୍ଟୋର୍ ରୁମ୍ ଯେଉଁଠି ରୁଦ୍ରାଶିଷ ଆରମ୍ଭ କରିଥିଲା ଏଇ ବିଭୀଷିକା। ମା’ର ନିଶ୍ଵାସ ପ୍ରଶ୍ଵାସ ବନ୍ଦ ହୋଇ ବସୁଛି। ଭଉଣୀ ଗଳାକୁ ଚାପିଧରି ଅଣନିଶ୍ଵାସୀ ହୋଇପଡୁଛି। ବାପା ଏତାଦୃଶ ଦେଖି ମୁଣ୍ଡ ପିଟୁଛନ୍ତି। ପୁଅ ଜନ୍ମର ପାପକୁ ଭୋଗିବା ପାଇଁ ରାସ୍ତା ଖୋଜୁଛନ୍ତି।

ପରୀକ୍ଷାଗାର ଭିତରେ ଅଟ୍ଟହାସ୍ୟ କରୁଛି ଜଣେ ବୈଜ୍ଞାନିକ। ଆନନ୍ଦାଶ୍ରୁ ସହ ବହିଯାଉଛି ବୁନ୍ଦା ବୁନ୍ଦା ଅନୁଶୋଚନା। ଧୀରେ ଧୀରେ ଘରସାରା ବହିଯାଉଛି ରକ୍ତର ଝରଣା। ତା’ ଦେହରେ ରୁଦ୍ରାଶିଷ ଦେଖୁଛି ନିଜ ପିଲାଦିନ, କଅଁଳ ମୁହଁ, ବାପା ଓ ମା’ର ଜୀବନତମାମ ସଂଗ୍ରାମ। ସ୍ଵପ୍ନର ଶେଯରେ ସମାଧି ନେଉ ନେଉ ଶୁଭୁଛି ମା’ର ଡାକ, ଦିନ ଏଗାରଟା ହେଲାଣି। ଆଜି କ’ଣ ଉଠିବୁନି। କାଲି ପରା କେଉଁ କମ୍ପାନୀରେ ତୋର ସାକ୍ଷାତକାର ଅଛି। ଉଠିପଡି ଟିକିଏ ପଢାପଢି କର। ବାପା କହୁଛନ୍ତି, କାଲି ଅଫିସ୍ ଗଲା ବେଳେ ତାକୁ ବାଟରେ ଛାଡିଦେଇଯିବେ। ଭଉଣୀ ହାତରେ ଚା’ କପ୍ ଧରି ସବୁଦିନ ପରି ହସହସ ମୁହଁରେ ସୁପ୍ରଭାତ କହୁଛି।
ରୁଦ୍ରାଶିଷ ତା’ ଚାରିପଟେ ଅନାଇଲା। ଖୋଜିଲା ସେଇ ପରୀକ୍ଷାଗାରକୁ। କିନ୍ତୁ ସେଇ ଷ୍ଟୋର୍ ରୁମରୁ ବାହାରି ଆସୁଥିଲା ଉତ୍କଟ ଗନ୍ଧ। ମୂଷା ନା ଝିଟିପିଟି ମରିଯାଇଥିବ ନିଶ୍ଚୟ ! ସେ ଜାକିଜୁକି ନିଜ ଭିତରେ ହିଁ ରଖିଦେଉଛି ସେଇ ସମୁଦ୍ରେ ଶୋଷକୁ ଓ ପ୍ରସ୍ତୁତ ହେଉଛି ଆଗାମୀ ଦିନ ପାଇଁ।

ଭବାନୀପାଟଣା