ଗଳ୍ପ : ବୋଉକୁ ନେଇ ରଚନା ଟିଏ

ମାନମୟୀ ରଥ 

ଆଦୌ ସରୁ ନଥିବା ଗୋଟିଏ ଲମ୍ବା କାନ୍ଦର ରାତି ହେଉଛି ମୋର ବୋଉ । ଯେତେଥର କଲମ ଧରିଛି ତା’ଲାଗି ସେତେଥର ବସେଇ ଦେଇନି ଗୋଟିଏ କହି ନହେଲା ଭଳି ଅଥୟ ଭାବ କାଗଜ କଲମ ପାଖରେ । ଭାବି ହୁଏ ଏଇଟା ଅସ୍ଥିରତା ନା ବୋଉକୁ ବଖାଣି ନପାରିବାର ବ୍ୟାକୁଳତା ନା ବୋଉମୟତାକୁ ଛୁଇଁ ପାରୁନଥିବା ଗୋଟିଏ ଅସହାୟତା ? ବୋଉକୁ ସବୁଥିରୁ ଛାଣି ଆଣି ଏକୁଟିଆ ଦେଖିଲାବେଳେ ରକ୍ତକ୍ଷରଣ ହୁଏ ମୋ ସୁଖଲୋଭୀ ସ୍ୱାର୍ଥପର ଛାତିର କନ୍ଦି ଅକନ୍ଦିରେ । ଦୁନିଆଁର ପ୍ରାୟ ବୋଉ ଏମିତି କି !! ଯେମିତି ଲିଖନର ସୀମାନ୍ତରେ ଆବଦ୍ଧ ହୋଇ ପାରୁନଥିବା ଏକ ଶରବିଦ୍ଧ ପକ୍ଷୀର ସତ୍ତା ।

ଶୁଣିଛି ମୋ ଜନ୍ମବେଳେ ସଙ୍କଟାପନ୍ନ ଥିଲା ବୋଉର ସ୍ୱାସ୍ଥ୍ୟ । ଆଠମାସର ଅପରିପକ୍ୱ ଶିଶୁ ହୋଇ ଜନ୍ମିଥିବା “ମୁଁ” କୁଆଡେ ଭୟଙ୍କର ରୋଗାକ୍ରାନ୍ତ ଥିଲି । ବୋଉର ପୃଥିବୀରେ ସେତେବେଳକୁ ଆତଯାତ ଛ’ ବର୍ଷର ଭାଇନା ଏବଂ ଅଢେ଼ଇ ବର୍ଷର ନାନୀ । ମୋର ଦେଢ଼ ବର୍ଷ ବୟସ ବେଳକୁ ସାନଭଉଣୀ ଆସି ହାଜର ଆମ ଭାଇଭଉଣୀଙ୍କ ସଂସାରରେ। ଯେତିକି ଦୁଷ୍ଟ ଏବଂ ବିଚକ୍ଷଣ ମୋର ସାନ ଭଉଣୀ ସେତିକି ପରିପକ୍ୱ ଏବଂ ସୁଧାର ମୋର ବଡ଼ ଭଉଣୀ । ଭାଇନା ତ ସହଜରେ ପୁଅ କୋଟାରେ ଆକ୍ତିଆର କରି ନେଇଥିଲା ତା’ ହିସାବର ସୁବିଧା । ମଝିଆଁ ମାନେ ଟିକେ ଅଲଗା ବୋଧହୁଏ ସେହି କାରଣରୁ ନିଜ ଲାଗି ଦୁନିଆ ତିଆରି କରିବାରେ । ପରିବାରରେ ଅସଂଖ୍ୟ ଦାୟିତ୍ୱରେ ଅଣ୍ଟା ସଳଖି ପାରୁନଥିବା ବୋଉକୁ ମୋର ଅଦଉତି ବ୍ୟସ୍ତ ବିବ୍ରତ କରୁଥିଲା । କଥାକଥାକେ ରୁଷିଯିବା ଏବଂ ତାକୁ ନେଇ ବନ୍ଦ ହେଉ ନଥିବା ମୋର କାନ୍ଦ ଏତେ ଅସହ୍ୟ ଏବଂ ବିରକ୍ତିକର ଥିଲା ଯେ ବୋଉ ମୋର ଗୋଟିଏ ବାହୁକୁ ଧରି ଯେତିକି ପାରେ ସେତିକି ଜୋରରେ ଫିଙ୍ଗି ଦେଉଥିଲା ଦୂରକୁ । ବୋଧହୁଏ ସେହି ଟାଣପଣ ଯୋଗୁଁ କରାଟେରେ ଗୋଟେ ଦିଟା ବେଲ୍ଟ ସହଜରେ ଅର୍ଜନ କରିନେଇଥିଲି ମୁଁ । ମୋର ସବୁ ଭାଇ ଭଉଣୀ ବୋଉ ଭଳି ତୋଫା ଗୋରା ହୋଇଥିଲାବେଳେ ମୁଁ କାଳୀ କେମିତି ବୋଲି ପ୍ରଶ୍ନ କଲେ ଜେଜିମା’ କହେ ବୋଉଠାରୁ ନିର୍ଦ୍ଧୁମ ଛେଚା ଖାଇ ଖରାରେ ଆଉଟି ହୋଇ ମୋର ରଙ୍ଗ ସେମିତି ହୋଇଛି କୁଆଡେ । ଏମିତି ବି ଚିଡ଼େଇ ଚିଡ଼େଇ କୁହେ ପୋଖରୀ ଦାଢ଼ରେ ଫିଙ୍ଗି ହୋଇ ପଡ଼ିଥିବା ମୋର କଳା ଶୁଖୁଆ ଭଳି ଚେହେରା ଓ ତହିଁରୁ ନିର୍ଗତ ଅନବରତ ବିକଳ କାନ୍ଦରେ ଅତିଷ୍ଠ ହୋଇ ଜେଜିମା ଉଠେଇ ଆଣିଥିଲା ଅନୁକମ୍ପାରେ ବଡ଼ ହୋଇ ଘରର କାମଦାମ କରିବାରେ ସାହାଯ୍ୟ କରିବି ବୋଲି । ସ୍କୁଲରୁ , ଖେଳ ପଡ଼ିଆରୁ , ବାହାରୁ ମାଡ଼ ଖାଇ କାନ୍ଦ ମୁଣ୍ଡେଇ ଆସୁଥିବା ନାକ କାନ୍ଦୁରୀଟିଏର ଭୂମିକା ସବୁବେଳେ ମୁଁ ନିୟମିତ ନିର୍ବାହ କରୁଥିଲି ଯିଏ ନିଜର ନିର୍ଦୋଷପଣିଆକୁ କେବେ ବି ସାବ୍ୟସ୍ତ କରି ପାରୁନଥିଲା ବୋଉର ଜେରା ସାମ୍ନାରେ । ତାକୁ ନେଇ ବୋଉ ଭାବି ହେଉଥିଲା ସତ କିନ୍ତୁ ରୋଗରେ ସଢି ଯାଉଥିବା ମୋର ଦେହ ଏବଂ ମନ ସହ ସମ୍ପର୍କିତ ହେବାକୁ ତାକୁ ସମୟ କେଉଁ ଅଣ୍ଟୁଥିଲା ? ଅସହ୍ୟ ଶାରୀରିକ ଏବଂ ମାନସିକ ଯନ୍ତ୍ରଣା ବୋଉକୁ ଆମ ଲାଗି ବୋଉ ହେବାକୁ ସୁଯୋଗ ଦେଉ ନଥିଲା ସେତେବେଳେ ।ସେ ତ ନିଗାଡ଼ି ଚାଲିଥିଲା ନିଜକୁ ସାରାଟା ପରିବାରକୁ ସନ୍ତୁଷ୍ଟ କରିବାର ପ୍ରକ୍ରିୟାରେ ।

ଆମେ ଶୋଇଲାବେଳେ ବୋଉ କାମ କରୁଥାଏ । ବାସନ ମାଜୁଥାଏ । ହାଣ୍ଡିଶାଳ ଧୋଉଥାଏ ନହେଲେ ଜେଜେ ମାଆର ଗୋଡ଼ ମୋଡୁଥାଏ । ଆମେ ଉଠିଲାବେଳକୁ ସେ ଗୁହାଳ ପୋଛା , ନଳା ସଫା , ଚୁଲି ଲିପା , ଘର ଓଳା , ଠାକୁର ପୂଜା ପାଇଁ ଫୁଲ ତୋଳା ଭଳି କାମ ସବୁ ସାରି ଠାକୁର ଘରୁ ଦେବୀ ମୂର୍ତ୍ତି ଭଳି ବାହାରୁଥାଏ ଓଦା ଲୁଗାରେ । ସତରେ ବୋଉ ଶୁଏ କେତେବେଳେ ??
ଜେଜେ ବାପାଙ୍କ ଲାଗି ଚୁଡା ଚକଟା , ଜେଜେ ମାଆ ଲାଗି ଚା’ ମୁଢି , ନନାଙ୍କ ଲାଗି ସୁଜି ତିଆରି ଉପମା କି ହାଲୱ। , ଆମ ଲାଗି ପରିବା ଖେଚେଡ଼ି କରିବାରେ ସେ ଲାଗି ପଡିଥାଏ ସକାଳ ପହରୁ । ପରେ ପରେ ଭାତ , ଡାଲି , ସନ୍ତୁଳା , ବାଇଗଣ ଭରତା , ଭଜା କି ଶାଗ ସ୍କୁଲ ସମୟ ପୂର୍ବରୁ । ଦୋ’ ମୁହାଁ ଚୁଲୀ ଲାଗିଥାଏ । ସବୁ କାମ ତୁରନ୍ତ ଏବଂ ବିନା ଶବ୍ଦରେ ହେଉଥାଏ । ବୋଉ ତ ନୁହେଁ ମେସିନ୍ । ତହିଁରେ ନନାଙ୍କର , ବଡ଼ ମାନଙ୍କର ତାତିଲା ଝିଙ୍ଗାସ ଏମିତି ଥାଏ ଯେ ଯେମିତିକି ବୋଉ ଚୁଲୀ ଫୁଙ୍କୁ ଫୁଙ୍କୁ କି ପିଆଜ କାଟୁ କାଟୁ ବୁହାଇ ପାରିବ ପାଣି ଭଳି ଲୁହ ସନ୍ତର୍ପଣରେ ।

ଦେବୀ ପ୍ରତିମା ଭଳି ଅନିନ୍ଦ୍ୟ ସୁନ୍ଦରୀ ବୋଉ ମୋର ପିଲା କନିଆଁରେ ବାହା ହୋଇ ଶାଶୁ ଘରେ ଗୋଡ଼ ଦେଇଥିଲା ବାର ବର୍ଷ ବୟସରେ । ଜେଜି ମାଆ କହେ ରୂପରେ , ଗୁଣରେ , ବାପଘରିଆ ବୈଭବରେ ବୋଉର ସମସ୍କନ୍ଦ କେହି ନଥିଲେ ଆମ ଗାଁ ଇତିହାସରେ । ଅଜା ପ୍ରତିପତ୍ତିଶାଳୀ , ପ୍ରଭାବଶାଳୀ ଥିଲେ । ପାଠପଢ଼ାରେ ଖୁବ୍ ଆଗୁଆ ଥିଲା ବୋଉ । ସବୁବେଳେ ପ୍ରଥମ । ସପ୍ତମ ଶ୍ରେଣୀରେ ଫାଷ୍ଟ ଡିଭିଜନ ପାଇଲା ପରେ ମାମୁଁ ଅଜା ଚାହୁଁଥିଲେ ବୋଉ ପାଠ ପଢୁ । ପରମ୍ପରା ଏବଂ ମୂଲ୍ୟବୋଧରେ ବିଶ୍ୱାସ କରୁଥିବା ଅଜା ବୋଉକୁ ବୋହୂ ବେଶରେ ପଠେଇ ଦେଲେ ଶଗଡରେ ଶାଶୁଘରକୁ ।

ଉପନ୍ୟାସ, ଗଳ୍ପ ପଢିବା , ଶାଢି ଗହଣାରେ ଆଭୂଷିତ ହେବାର କୋମଳ ଏବଂ ନିରୀହ ଆବେଗମାନଙ୍କୁ ବୋଉ ହତ୍ୟା କରୁଥିଲା ଧୀରେ ଧୀରେ ଶାଶୁଘରକୁ ଆସିବାର ପ୍ରଥମ କେଇଟା ଦିନରେ । ଆମର ସମସ୍ତ ଚାହିଁବା ପୂରଣ କରିବା ଲାଗି ଦେବପୁରୁଷ ହୋଇ ଠିଆ ହେଉଥିବା ନନାଙ୍କର ବିଚାର ବୋଉ ପାଇଁ ଏତେ ଆକ୍ରମଣାତ୍ମକ କାହିଁକି ବୁଝି ପାରେନି ମୋର ପିଲାମନ ସେବେ । ବୋଉକୁ ବୋହୂ ହିସାବରେ ଯଥେଷ୍ଟ ଖ୍ୟାତି ମିଳୁଥିଲା ସତ କିନ୍ତୁ ତା’ ଲାଗି କାହାର ଆଚରଣ ସହାନୁଭୂତିଶୀଳ ନଥିଲା । ମୁଁ ତ ଦେଖେ ଗୃହପାଳିତ ପଶୁଙ୍କଠାରୁ ଆହୁରି ଦୁଃସ୍ଥ ଏବଂ କାକୁସ୍ଥ ଥିଲା ବୋଉର ଜୀବନ । କ୍ରମଶଃ ମୋ’ ଭିତରେ ଦାନା ବାନ୍ଧୁଥିଲା ଜିଦ୍ଖୋର ନୈରାଶ୍ୟ , ଦାମ୍ପତ୍ୟ ଜୀବନ ପ୍ରତି ଘୃଣାଭାଵ । ରାଧାକୃଷ୍ଣଙ୍କ ପ୍ରେମ ଉପରେ ଆଧାରିତ ନନାଙ୍କ ଅସଂଖ୍ୟ କବିତାରେ ମୁଁ ଖୋଜିହୁଏ ବୋଉ ପ୍ରତି ନନାଙ୍କର ଅନୁରାଗ । ନନାଙ୍କର ଅସନ୍ତୋଷର ଆଶଙ୍କାରେ ବୋଉ ନିତି ଥରହର ହୁଏ ଏବଂ ସେହି ଭୟରେ ତା’ ଦେଇ ହୋଇ ଯାଉଥିବା କିଛି ଅନିଚ୍ଛାକୃତ ଭୁଲ ଲାଗି ତାର ନିସ୍ତାର ନଥାଏ । ଏତେ ପରେ ବି ନନାଙ୍କର କବିତାଗୁଡିକ ଏତେ ତଲ୍ଲୀନ ହୋଇ ବୋଉ ନନାଙ୍କ ମୁହଁରୁ ଶୁଣେ କେମିତି !! ‘ତଥାସ୍ତୁର ଈଶ୍ୱର’ ବୋଲି ମାନି ନେଇଥିବା ନନାଙ୍କୁ ଆଜିଯାଏଁ ପଚାରି ପାରିଲିନି ବୋଉ ଉପରେ ଭୟଙ୍କର ନିର୍ଭରଶୀଳ ତାଙ୍କର ବ୍ୟକ୍ତିସତ୍ତା ପତିଧର୍ମ ନିର୍ବାହ କରିବାରେ ଏତେ କୃପଣ ଓ ସଙ୍କୁଚିତ କେମିତି ! ଏଇ କେଇ ମାସ ତଳେ ତା’ ଶୁଖିଲା ମୁହଁ ଏବଂ ଲୁହରେ ବ୍ୟଥିତ ହୋଇ ତାକୁ ତଥାକଥିତ ସ୍ୱାଧୀନ ଜୀବନର ଲୋଭ ଦେଖେଇ କହିଲି , “ମୋ ପାଖକୁ କିଛି ଦିନ ପଳେଇ ଆ’ । ନନା ତୋତେ ଝୁରନ୍ତୁ । ତୋର ଗୁରୁତ୍ୱ ବୁଝନ୍ତୁ ।” ବୋଉ ମୋତେ ଏମିତି ଚାହିଁଲା ଯାହାର ଅର୍ଥ ଏଭଳି ଅବାନ୍ତର , ଅପରିଷ୍କାର କଥା ମୋର ତୁଣ୍ଡକୁ ଆସି ପାରିଲା କେମିତି ! ଏମିତି କହି ମୁଁ ନିଜ ସହ ତାକୁ ଜଘନ୍ୟ ପାପରେ ଭାଗୀଦାର କରାଉଛି । ବୋଉ ବିନା ନନାଙ୍କର ଜୀବନ କିଭଳି ହେବ ଭାବି ମୁଁ ଭୟରେ ଆଖି ବୁଜି ଦିଏ ଅନିଶ୍ଚିତ ଆଶଙ୍କାରେ । ଆଜିର ଦିନରେ ନନା ଶୋଇବାର ଯଥେଷ୍ଟ ସମୟ ପରେ ସେ ଶୁଏ ଏବଂ ଯଥେଷ୍ଟ ପୂର୍ବରୁ ଉଠେ । ନନାଙ୍କର ଗୋଡ଼ ଭାଙ୍ଗିଲା ପରଠାରୁ ଛ’ ସାତ ବର୍ଷ ହେଲା ଗାଁ ଦାଣ୍ଡ ଦେଖି ନଥିବା ବୋଉ ଦୋକାନ ବଜାର କରେ । ଔଷଧ କିଣେ । ରୋଷେଇ କରେ । ମିନିଟ କଣ୍ଟା ଏପଟ ସେପଟ ହୋଇଯିବ ସିନା ନନାଙ୍କ ଭୋଜନ ସମୟ ଏପଟ ସେପଟ ହେବନି କି ତାଙ୍କର ଶୃଙ୍ଖଳିତ ଖାଦ୍ୟର ଖସଡ଼ା । ନନାଙ୍କ ପଛରେ ନନାଙ୍କ ପ୍ରତି କିଛି ବି ସମାଲୋଚକୀୟ ମନ୍ତବ୍ୟ ଦେଲେ ବୋଉର ମୁହଁରେ ଦୁଃଖ ଲେସି ହୋଇଯାଏ । ସବୁ ବ୍ରତ ଉପବାସରେ ନନାଙ୍କ ଲାଗି ତାର ନିଷ୍ଠା ବଡ଼ ଦୁର୍ବୋଧ୍ୟ ଲାଗିଲେ ଵି ରହସ୍ୟମୟ ଭାବରେ ଆକର୍ଷିତ କରେ । ବୋଉ କଣ ଅଜାଘରୁ ସ୍ୱାମୀ ନାମକ ବ୍ୟକ୍ତିଟି ପାଇଁ ଏଭଳି ଏକାଗ୍ରତା , ପବିତ୍ରତା , ସମର୍ପିତ ଭାଵ ପ୍ରତିଜ୍ଞା ଭଳି ଧରି ଆସିଥିଲା ? ଆଈ ଏମିତି ତିଆରି କରିଛନ୍ତି ବୋଉକୁ ଭାବି ମୁଁ ଵିସ୍ମିତ ଏବଂ ଆମୋଦିତ ହୁଏ ।

ଆର୍ଥିକ କ୍ଷେତ୍ରରେ ସ୍ୱାଧୀନ ହେବା ପରଠାରୁ ଏଵଂ ବ୍ୟକ୍ତି ସ୍ୱାତନ୍ତ୍ର୍ୟକୁ ସମ୍ମାନର ସହ ମୋ ଜୀବନସାଥୀଙ୍କଠାରୁ ହାସଲ କଲାପରେ ମୁଁ ପୁଅ ହୋଇ ନନାଙ୍କୁ ସହଯୋଗ କରିବାର ସୁଯୋଗ ପାଇଛି। ବୋଉ ଦେଉଥିବା ଆବଶ୍ୟକତାର ତାଲିକାରେ ବୋଉ କିନ୍ତୁ କେବେ ଇ ନଥାଏ । ଆନନ୍ଦ ଜାହିର କରି ପାରେନି । ଟଙ୍କା ଦେଲେ ଖର୍ଚ୍ଚ କରିପାରେନି । ତା’ ଆଶାୟୀ ସୁନ୍ଦର ଆଖିରେ ମୋ ଲାଗି ଛପି ରହିଥାଏ ଅନ୍ଧାର ଭଳି ଭୟ । ତା’ ଆଖିରେ ମୁଁ ମୋ ଭିତରର “ନନା”ଙ୍କୁ ଦେଖିପାରେ ଏବଂ ଗ୍ଲାନିକୁ ଏକପାଖିଆ କରି ମୋ ହିସାବରେ ମାଡିଯିବାକୁ ଚାହେଁ । ବୋଉ ମୋତେ ଅସନ୍ତୁଷ୍ଟ କରିବାକୁ ଚାହେଁନି । ମୋତେ ହରେଇବାକୁ ଚାହୁଁନଥିବା ବୋଉ ସତର୍କ ଭାବରେ ସମ୍ପାଦିତ ମୋ ପାଖରେ ବୋହୂ ଭଳି । ମୁଁ ବୋଉକୁ ପାଇଲି କେତେବେଳେ ? ଉତ୍ତର ବୟସରେ ଅସୁସ୍ଥ ଥାଇ ଵି ସେ ନନାଙ୍କର ସବୁ କାମ ବୁଝୁଛି ମାଆ ଭଳି । ନିଜ କଥା ନୁହେଁ ନନାଙ୍କର ଅସୁବିଧା ତାକୁ ବେଶି ଦେଖାଯାଉଛି । ମୋତେ ସେ ନୁହେଁ ନନା ହିଁ ଅସୁସ୍ଥ ଲାଗୁଛନ୍ତି ଅଧିକ । ସେ ତାର ଅସୁସ୍ଥତାର ପରିସରକୁ ବଢ଼େଇ ଚଢେଇ କହୁନି କି ସେଭଳି ପରିବେଶ ତିଆରି କରୁନି ଯେମିତି ମୁଁ ରହିଯାଇ ପାରିବି କିଛି ଦିନ ତାକୁ ଘରକାମରେ ସହଯୋଗ କରିବା ଲାଗି । ଦୁଃଖୀ ରହେ ବୋଉ କିଛି ନିଷ୍ପତ୍ତିରେ ମୋର । ସେ ଜାଣେ ତାର ଏଇ ମନୋଇ , ଜିଦ୍ଖୋର ଝିଅକୁ । କିଛି ଭାବିଲାବେଳକୁ କିଛି କରି ଦେଖେଇ ସାରିଥିବାର ଅହଂକାରୀ ଝିଅକୁ । ବୋଉର ଯନ୍ତ୍ରଣାକୁ ନେଇ କ୍ରୋଧ , କ୍ଷୋଭ , ଅପମାନ , ଘୃଣା ସ୍ତର ସ୍ତର ହୋଇ ବସି ରହିଛି ମୋର ଅବଚେତନ ସ୍ତରରେ । ଅଥଚ ବୋଉ “ବୋଉ” ହୋଇ ହିଁ ଅଛି ସବୁକାଳେ । ହୁଏତ ବୋଉର ପୁଣ୍ୟରେ ସମୃଦ୍ଧ ତାର ତିନିଝିଅଙ୍କ ଦାମ୍ପତ୍ୟ । ଅନ୍ୟ ଦୁଇ ଭଉଣୀଙ୍କର କଥା କହି ପାରିବିନି କିନ୍ତୁ ବୋଉର ଗୋଟିଏ ବି ଦିନ ମୁଁ ଜୀଇଁ ପାରିନି ଆଜି ଯାଏଁ ନିଷ୍ଠାରେ ମୋର ଶାଶୁଘରେ । ଯଦି କିଛି ହେବାର ଅଛି ଏବଂ ବୋଉ ଚାହୁଁଛି ଅନତିକ୍ରମଣିୟ କିଛି (ମାନେ ସମସ୍ତଙ୍କଠାରୁ ଭିନ୍ନ ଏବଂ ଦୃଢ଼ ଯାହା କରି ବୋଉକୁ ଗୌରବାନ୍ୱିତ କରିହେବ ) ମୁଁ ବୋଉ ହେବାକୁ ହିଁ ଚାହିଁବି ନିଶ୍ଚୟ ଅବଶିଷ୍ଟ ଜୀବନତକ ।

ଅଧ୍ୟକ୍ଷା
ସେଣ୍ଟ ଜାଭିଅର କିଡ୍ସ
ବାଲିପୁଟ , ପୁରୀ ।