ଗପ: ସିଂହପୁରରେ ପାଠପଢ଼ା

ଶ୍ରୀ ନିଶାକର ଦାସ ଜଣେ ଗାନ୍ଧିବାଦୀ ସର୍ବୋଦୟ କର୍ମୀ । ଜନ୍ମ ପରାଧୀନ ଭାରତବର୍ଷର ଅବିଭକ୍ତ କଟକ ଜିଲ୍ଲାର ଏକ ପଲ୍ଲୀଗ୍ରାମ ସିଂହପୁରରେ । ଦାସଙ୍କୁ ମାତ୍ର ପାଞ୍ଚ ବରଷ ହୋଇଥିବା ବେଳେ ହୃଦ୍‌ଘାତରେ ବାପା ପରଲୋକ ଚାଲିଗଲେ । ଦାସେ ନିଜେ ତିନି ଭାଇ । ନିଶାକର ବାବୁ ସବା ସାନ । ପାଠ ପଢ଼ାଇବା ନିମନ୍ତେ ବଡ଼ ଭାଇ (ଦିଜବର ଦାସ) ନିଜର ମଝିଆଁ ଭାଇ (ଭାସ୍କର ଦାସ) ଓ ସାନ ନିଶାକରଙ୍କୁ ଜଣେ ଅବଧାନଙ୍କ ପାଖକୁ ପଠାଇଲେ । ବଡ଼ ନିଜେ ଦାଦାମାନଙ୍କ ଦ୍ୱାରା ଅକ୍ଷର ଜ୍ଞାନ ପ୍ରାପ୍ତ ହୋଇଥିଲେ ଓ କେବଳ ପୋଥି ଓ ଭାଗବତ ଇତ୍ୟାଦି ପଢ଼ିପାରୁଥିଲେ । ମଝିଆଁ ଓ ସାନ ପାଠ ପଢ଼ିଲେ ଅବଧାନଙ୍କ ପାଖରେ । ଅକ୍ଷର ଶିଖିବା ପାଇଁ ନିର୍ଘାତ ମୋଟା ମାଟି ଖଡ଼ିରେ ଭୂଇଁ ଉପରେ ବର୍ଣ୍ଣମାଳାର ଅଭ୍ୟାସ କରିବାକୁ ପଡ଼ୁଥିଲା । ପରେ ଭାଇ ଦୁଇ ଜଣ ଗାଁର ଇସ୍କୁଲରେ ପଢ଼ିବାକୁ ଗଲେ । ସେ ପର‌୍ୟ୍ୟନ୍ତ ପାଣ କଣ୍ଡରା ସାହିର ପିଲାମାନେ ସାଧାରଣତଃ ବିଦ୍ୟାଧ୍ୟୟନ କରୁ ନଥିଲେ ।

ବଡ଼ ଭାଇ ଅବଧାନଙ୍କୁ ତାଙ୍କର ପାଉଣା ଦେଉଥିଲେ । ଦୁଇ ବରଷ ଅବଧାନଙ୍କ ପାଖରେ ପଢ଼ି ଇସ୍କୁଲକୁ ଗଲା ବେଳକୁ ବୟସ ଟିକିଏ ଗଡ଼ି ଯାଇଥିଲା । ସେଠାରେ ପାଠ ପଢ଼ା ମାଗଣା ନଥିଲା । ଇସ୍କୁଲରେ ମଧ୍ୟ ପାଉଣା ଦେବାକୁ ପଡ଼ୁଥିଲା । ଏହା ଛଡ଼ା ବହି, ଖାତା ଇତ୍ୟାଦିର ଖର୍ଚ୍ଚ ମଧ୍ୟ ଥିଲା । ଦାଦା, ମା ଓ ଭାଇ ମାନେ ନିଜ ନିଜ ଆୟରୁ କିଛି କିଛି ଦେବାରୁ ଦୁଇ ଭାଇଙ୍କର ପାଠ ପଢ଼ା ଖର୍ଚ୍ଚ ଉଠୁଥିଲା ।

ନିଶାକର ବାବୁ ପିଲାବେଳେ ବହୁତ ଚଗଲା ଥିଲେ । ମାତ୍ର ଅବଧାନେ ଓ ଇସ୍କୁଲର ମାଷ୍ଟର ମାନେ ଛୁଇଁ କରି ତାଙ୍କୁ ବାଡ଼ଉ ନଥିଲେ, ଜାତିଗତ ଭେଦଭାବ ଓ ଅସ୍ପୃଶ୍ୟତା କାରଣରୁ – କାରଣ ନିଶାକରଙ୍କର ପରିବାର ଥିଲେ ଜାତିରେ ପାଣ ବୈଷ୍ଣବ। ନିଶାକର ବାବୁ ଓ ତାଙ୍କ ପରି ଦଳିତ ଜାତିମାନର ଅନ୍ୟ ପାଠପଢ଼ୁଆ ପିଲାମାନେ ସବର୍ଣ୍ଣ ଶ୍ରେ‌ଣୀର ପିଲାଙ୍କଠାରୁ ଅଲଗା ହୋଇ ବସୁଥିଲେ । ଅବଧାନେ ମାଡ଼ ମାରିଲା ବେଳେ ଦଳିତ ଜାତିର ପିଲାଙ୍କୁ ବେତ ଫିଙ୍ଗି ମାରୁଥିଲେ, ଛୁଇଁଲେ ଜାତି ଚାଲିଯିବ, ସେହି ଭୟରେ । ବେତ ଫିଙ୍ଗିଲା ବେଳେ ତାହା ଦଳିତ ପିଲାଙ୍କ ଜାମାରେ ଲାଗିଗଲେ ସେହିଟି ମାରା ହେଇଯାଏ ଓ ତାହାକୁ ଅଲଗା ରଖିବାକୁ ହୁଏ ।

କିଛି ସବର୍ଣ୍ଣ ଲୋକେ ଦଳିତ ପିଲାଙ୍କର ଛାଇକୁ ମଧ୍ୟ ଡେଇଁକରି ଯାଉଥିଲେ; କାଳେ ମାରା ହୋଇଯିବେ, ସେହି ଭୟରେ । ଛୁଆଁ ଅଛୁଆଁ ଭାବ ସର୍ବବ୍ୟାପୀ ଥିଲା, ଇସ୍କୁଲ ଓ ଗାଁ ଦାଣ୍ଡରେ ତ ଥିଲା – ଯାନିଯାତ୍ରାରେ ମଧ୍ୟ ସେଇ ଏକା ଅବସ୍ଥା । ଦଳିତ ପିଲାଏ ପାଲା ଓ ଯାତ୍ରା ଇତ୍ୟାଦି ଦେଖିବାକୁ ଗଲେ ଦୂରରେ ବସି ଦେଖିବାକୁ ହୁଏ । ନଈ ତୁଠରେ ମଧ୍ୟ ଗାଧୋଇବାରେ ବାରଣ ଥିଲା – ନଦୀର ଉପର ମୁଣ୍ଡରେ ଦଳିତମାନେ ଗାଧୋଇବା ମନା ଥିଲା, ଏହି ଛୁଆଁ ଅଛୁଆଁ ଭେଦଭାବ କାରଣରୁ । ଏହି ମନୋଭାବ ବିଭିନ୍ନ ଦଳିତ ଜାତି ମଧ୍ୟରେ ବି ଥିଲା – ପାଣ ଜାତିର ଲୋକେ କଣ୍ଡରା ଜାତିର ଲୋକଙ୍କୁ ଛୁଉଁ ନଥିଲେ । କଣ୍ଡରା ଜାତିର ଲୋକେ ଗୋଖା ଜାତିର ଲୋକଙ୍କୁ ଛୁଉଁ ନଥିଲେ, ଇତ୍ୟାଦି ।

ସକାଳେ ଭାଇଙ୍କ ସହିତ ଲୁଣ ନଗେଇ ପଖାଳ ଭାତ ଖାଇ ଇସ୍କୁଲୁ ଯାଆନ୍ତି ନିଶାକର । ସେ ପଖାଳରେ ଭାତ କମ ଥାଏ; ତୋରାଣି ଥାଏ ଅଧିକ । ଇସ୍କୁଲରୁ ଅନେକ ସମୟରେ ବଡ଼ ପାସ୍ କହି, ବାହାରକୁ ଯାଇ, ନଈକୁଳରେ ସାଙ୍ଗ ପିଲାମାନଙ୍କ ସହିତ ନିଶାକର ଖେଳନ୍ତି । ହେଲେ ଡର ଥାଏ କାଳେ ଭାଇ ବା ଦଦା ମାନଙ୍କ ହାବୁଡ଼ରେ ପଡ଼ିଯିବେ ବୋଲି । ଚଣା ସମୟରେ ବିଲରୁ ଚଣା ଓପାଡ଼ି ଜଳଖିଆ କାମ ଚଳେ । ସନ୍ଧ୍ୟା ବେଳକୁ ମଝିଆ ଭାଇ ତାଙ୍କର ସିଲଟ ଇତ୍ୟାଦି ନେଇ ଘରକୁ ଆସନ୍ତି । ବେଳେ ବେଳେ ଏଥି ସବୁ ଲାଗି ନିଶାକର ବାବୁ ମାଡ଼ ଗାଳି ମଧ୍ୟ ଖାଆନ୍ତି । ପାଠ ପଢ଼ାରେ ମନ ନ ଦେଇ ଗୀତ ଶିଖିବା, ପାଲା ଦେଖିବା ଇତ୍ୟାଦି କାମରେ ସମୟ ଅତିବାହିତ କରୁଥିଲେ ହେଁ, ସାତ ବର୍ଷ ବୟସରେ ନିଶାକର ବାବୁ ତୃତୀୟ ଶ୍ରେଣୀ ପର‌୍ୟ୍ୟନ୍ତ ଉଠିଯାଇଥିଲେ। ମାତ୍ର ଖାଦ୍ୟ ଓ ଅର୍ଥାଭାବରୁ ଶେଷକୁ ପାଠ ପଢ଼ାରେ ଡୋରି ବନ୍ଧା ହେଲା ।

ବି.ଦ୍ର. – ଏଇ ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା ‘ସମଦୃଷ୍ଟି’ରେ ପ୍ରକାଶିତ ହୋଇଥିଲା । ଆଲେଖ୍ୟଟି ଲେଖିବା ପାଇଁ ଉପାଦାନ ନିଶାକର ଦାସଙ୍କ ଆତ୍ମଜୀବନୀ ‘ଖରସୁଆଁରୁ କୁଲାବିରି’ରୁ ନିଆଯାଇଛି । ବହିଟି ଭୁବନେଶ୍ୱରସ୍ଥ ସଂସ୍ଥା ଶିକ୍ଷାସନ୍ଧାନ ୨୦୦୫ ମସିହାରେ ଛାପିଥିଲେ । ଯେତେ ଦୂର ଅନୁମାନ ଏହା ଓଡ଼ିଆ ଭାଷାର ପ୍ରଥମ ଦଳିତ ଆତ୍ମଜୀବନୀ ।