Latest Odisha News

BREAKING NEWS

ଗଳ୍ପ : ଦୃଶ୍ୟ ଅଦୃଶ୍ୟ

ସ୍ମୃତି ପଟ୍ଟନାୟକ

ସେଦିନ ଥିଲା କାର୍ତ୍ତିକ ପୂର୍ଣ୍ଣିମା। ଏମିତିରେ ତିଥି ଅନୁସାରେ ମୋର ସେଦିନ ସ୍ବନକ୍ଷତ୍ର ଦିବସ । ଆମେ ସକାଳୁ ମହାନଦୀ କୂଳରେ ଡଙ୍ଗା ଭସାଇ କଟକରୁ ବାହାରିଲୁ ପୁରୀ । ବାଟ ମଙ୍ଗଳାଙ୍କ ପାଖରେ ଗାଡ଼ି ରଖି ଦର୍ଶନ କଲୁ। ସେଇଠୁ ପ୍ରବଳ ଜନସମାଗମ ଆରମ୍ଭ ହୋଇଗଲା। ଏତେ ଗହଳି ଯେ କାର୍ ଆଉ ପାଦେ ଆଗକୁ ଯିବା ଅବସ୍ଥାରେ ନଥିଲା। କ’ଣ କରାଯାଇପାରେ ! କେମିତି ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧାମୂର୍ତ୍ତିମାନଙ୍କୁ ଦର୍ଶନ କରିବୁ ! ସେଇଠୁ ଚାଲିକି ଯିବାକୁ ପଡିବ। ଜଣେ ଭଦ୍ର ମହିଳା ମୋ ପାଖରେ ଛିଡ଼ା ହୋଇଥିଲେ କହିଲେ ପୂର୍ବ ଦିନ ବଡ଼ଓଷା ଥିଲା । ଏମିତିରେ ମୁଁ ବଡଓଷା କରେ। ପ୍ରତି ବର୍ଷ କିନ୍ତୁ ସେଥର ଟିକେ ଅଲଗା ଥିଲା। କାରଣ ସେଦିନ ଆମ ଘର ସାମନାରେ ଥିବା ପଡ଼ିଶା ଘରର ଚିନୁ ମାଉସୀଙ୍କ ଦେହ ହଠାତ୍ ବହୁତ ଖରାପ

ହେଇଗଲା। ବ୍ଲଡ୍ ପ୍ରେସର ବହୁତ ଅଧିକ ହୋଇଗଲା। ତାଙ୍କ ପାଖରେ କେହି ନ ଥିଲେ। ଘରେ ସମସ୍ତେ ମନ୍ଦିର ଯାଇଥିଲେ। ମୁଁ ଯାଇଥିଲି ମାଉସୀଙ୍କ ପାଖରୁ ଓଡ଼ିଆ ଭାଗବତ ବହି ଆଣିବା ପାଇଁ । ମାଉସୀଙ୍କୁ ଦେଖି ମୁଁ ବିସ୍ମିତ ହୋଇଗଲି। ସେ କଥା କହିପାରୁ ନଥିଲେ। ଖାଲି ବିକଳ ହୋଇ କାନ୍ଦୁଥିଲେ ହାତ ଯୋଡି ଠାକୁର ଘରେ। ମୁଁ ସାଙ୍ଗେ ସାଙ୍ଗେ ଡ୍ରାଇଭରକୁ ଫୋନ କଲି । ସେ ଆସି ପହଞ୍ଚିଲା ମାଉସୀଙ୍କୁ ନେଇ ଡାକ୍ତରଙ୍କ ପାଖକୁ ଗଲି। ଡାକ୍ତର ଦେଖିଲା ପରେ ଆଡଭାଇସ୍ ଦେଲେ ଯେ ପୁରା ବେଡ୍ ରେଷ୍ଟ୍ ନବାପାଇଁ।।ମେଡିସିନ୍ ସବୁ ଠିକ୍ ସମୟରେ ଖାଇବା ପାଇଁ କହିଲେ ।ମାଉସୀ ମୁଣ୍ଡ ହଲାଇ ଡାକ୍ତରଙ୍କ କଥାରେ ସବୁ ହଁ କହିଲେ ।

ମାଉସୀଙ୍କୁ ନେଇ ଘରେ ଆସି ପହଞ୍ଚିଲା ବେଳକୁ ସନ୍ଧ୍ୟା ଛଅଟା। ମାଉସୀଙ୍କ ପୁଅ, ବୋହୂ, ନାତି ସେ ପର୍ଯ୍ୟନ୍ତ ଫେରି ନଥିଲେ। ସେମାନଙ୍କୁ ଫୋନରେ ମୁଁ ସବୁ କହିଥିଲି। ହେଲେ ସେମାନେ ଯେଉଁ ମନ୍ଦିର ଯାଇଥିଲେ ସେଠାରେ ଭଜନ କୀର୍ତ୍ତନ, ଅଷ୍ଟପ୍ରହରୀ ହେଉଥିଲା। ସେଇଠୁ ଆସିବା ସମ୍ଭବ ହେଲାନି । ମୁଁ ଚିନୁ ମାଉସୀଙ୍କୁ ଆମ ଘରକୁ ନେଇ ଆସିଲି। ମାଉସୀ ଭାରି ଖୁସି ହେଲେ । ସଫା ବେଡସିଟ୍ ବିଛାଇ , ମାଉସୀଙ୍କୁ କହିଲି ବିଶ୍ରାମ ନବା ପାଇଁ।

ମାଉସୀ କହିଲେ ଝିଅ ଲୋ ଆଜି ତୁ ନ ଥିଲେ ମୋର କଣ ହେଇଥାନ୍ତା କିଏ ଜାଣେ ! ମୁଁ କହିଲି ନାଇଁ ମାଉସୀ ସବୁ ସେଇ କାଳିଆ ଠାକୁରଙ୍କ ଇଚ୍ଛା । ଆଜି ମୁଁ ଏ ପର୍ଯ୍ୟନ୍ତ ପାଣି ପିଇନି ହେଲେ ମୋତେ ଟିକେ ବି ଜଣାପଡ଼ୁନି ।ମାଉସୀ କହିଲେ ହଁ ସତ କଥା ସେ ଯାହା ଚାହିଁବ ସେଇ ଅନୁସାରେ ସବୁ ହବ। ମାଉସୀ ତାଙ୍କ ଜୀବନରେ ବିତାଇଥିବା ବହୁ ଦୁଃଖ ସୁଖ କଥା କହିଲେ। ତାଙ୍କ କଥାରେ ଯେମିତି ମୋତେ ଅନୁଭବ ହେଉଥିଲା ପ୍ରତ୍ୟେକ କାର୍ଯ୍ୟ ନିଶ୍ଚୟ ଜଣେ ଅଦୃଶ୍ୟ ଶକ୍ତିଙ୍କ ଦ୍ବାରା ପରିଚାଳିତ ହେଉଛି ସାରା ପୃଥିବୀରେ ।

ମାଉସୀ ସେଦିନ ରାତି ଏଗାରଟା ବେଳକୁ ଗଲେ। ଗଲା ବେଳକୁ କହିଲେ ଝିଅ ମୋର ଭାରି ଇଚ୍ଛା ହଉଛି କାଳିଆର ଅବଢ଼ା ଅନ୍ନ ଟିକେ ପାଇବା ପାଇଁ। କିଏ ଜାଣେ କେତେବେଳେ କ’ଣ ହେବ? ଏଇ ଜୀବନର କ’ଣ କିଛି ଭରସା ଅଛି ।ମାଉସୀଙ୍କ କଥା ମୋ ଦେହରେ ବୋଳି ହୋଇଗଲ। ମିଷ୍ଟର୍ ଙ୍କୁ ସବୁ କଥା କହିଲି। ସେ କହିଲେ ହଉ ହେଲା ଆସନ୍ତା କାଲି ଚାଲ ପୁରୀ ଯିବା।

ମୋ ମନ ଖୁସିରେ ପୁରି ଉଠିଲା। ରାତି ସାରା ଖାଲି ସ୍ବପ୍ନ ଦେଖୁଥିଲି।ବାସ୍ନାମୟ ଲାଗୁଥିଲା ସାରାରାତି। ମନ ଯେମିତି ଉଡ଼ି ବୁଲୁଥିଲା। ତା’ପରେ ମାଆ ବାଟ ମଙ୍ଗଳାଙ୍କ ପାଖରୁ ଏତେ ଭିଡ। ଯାହା ହଉ ଝିଅ ଯାଇ ନଥିଲା ।

ଅତଏବ ଆମେ ଦୁଇ ଜଣ ଯାଇଥିଲୁ । ଆଉ କିଛି ଉପାୟ ନ ଥିଲା। ସେଠି କାର୍ ପାର୍କିଂ କରି ଚାଲି ଚାଲି ମନ୍ଦିର ପାଖକୁ ଯିବାକୁ ବାହାରିଲୁ । ମନ ଭିତରେ ଅନେକ ଆଶା ଓ ଅଭିଳାଷ କେମିତି ସ୍ବଚକ୍ଷୁରେ ଦର୍ଶନ କରିବି ମହାପ୍ରଭୁଙ୍କୁ । କିନ୍ତୁ ଏତେ ବାଟ ସାହାସ ହଉ ନଥାଏ ଚାଲି କି ଯିବା ପାଇଁ। ତଥାପି ମନକୁ ସ୍ଥିର କରି ଚାଲିଲି। କିଛି ବାଟ ଚାଲିଲା ପରେ ମୋ ଗୋଡ଼ ଆଉ ଉଠେଇ ହେଲାନି। ଏପଟେ ଦେହରେ ଜ୍ବର ହଠାତ୍ କୁଆଡୁ ଥିଲା ଚାଲି ଆସିଲା।

ମନଟା ଧିରେ ଧିରେ ଦୁର୍ବଳ ହେଇଯାଉଥିଲା । ବୋଧେ ଆଜି ଆଉ ମହାପ୍ରଭୁମାନଙ୍କୁ ଦର୍ଶନ କରିପାରିବିନି। ଆଖି ଦୁଇଟି ଲୁହରେ ଛଳ ଛଳ । କିନ୍ତୁ ଯେମିତି ଅନୁଭବ ହେଉଥାଏ ମୋ ସାମ୍ନାରେ ଚକାଆଖି ଦୃଶ୍ୟମାନ। ଇଏ କି ଅପୂର୍ବ ରୂପ ଲାବଣ୍ୟ ପ୍ରଭୁ ତୁମ୍ଭର। କାହିଁକି ମୋ ସହ କପଟ କରୁଛ। ମୋତେ ଟିକେ ଟାଣି କରି ନେଇଯାଅନ୍ତନି, ତୁମ ପାଖକୁ। ମୋ ଭାବନା ଭିତରେ ବାଟ ସରିଯାଇଥିଲା। ଆମେ ଦୁହେଁ ଶ୍ରୀମନ୍ଦିର ପାଖରେ ପହଞ୍ଚି ଯାଇଥିଲୁ। ଖୁସିର ସୀମା ନଥିଲା।

ସିଂହ ଦରଜା ପାଖରେ ଛିଡ଼ା ହୋଇ ପତିତପାବନଙ୍କ ଦର୍ଶନ କରୁଛି। ଏଇ ସମୟରେ ଜଣେ ପୋଲିସ୍ ଅଫିସର୍ ପଚାରିଲେ ମ୍ୟାଡାମ୍ ମୋତେ ଚିହ୍ନି ପାରୁଛନ୍ତି? ମୁଁ ଟିକେ ଥତମତ ହୋଇଗଲି, ସତରେ ତାଙ୍କୁ ଚିହ୍ନି ପାରୁ ନ ଥିଲି। ସେ ପଚିଶ /ଛବିଶ ବର୍ଷ ବୟସର ହେବେ ଅତି ବେଶୀରେ । ମୋତେ ଲାଗୁଥିଲା, ମୋର ନୀରବତାକୁ ସୁଦୀର୍ଘ ହବାକୁ ନ ଦେଇ ସେ କହିଲେ ଆପଣଙ୍କର ମନେ ଅଛି ଆପଣ ଆମ କଲେଜକୁ ପ୍ଲସ୍ ଥ୍ରୀ ଫାଇନାଲ୍ ଇଅର୍ ପରୀକ୍ଷାରେ ଏକ୍ସଟରନାଲ ହେଇ ଆସିଥିଲେ। ମୁଁ ଦାରୁବ୍ରହ୍ମ ମହାପାତ୍ର। ଏବେ ମନେ ପଡିଲା ତ ? ମୁଁ ପୁଣି ଟିକେ ଥତମତ ହୋଇ ମୁଣ୍ଡ ହଲେଇ ହଁ କହିଲି । ମ୍ୟାଡାମ୍ ମୋ ସାଙ୍ଗରେ ଆସନ୍ତୁ ରତ୍ନବେଦୀରେ ମହାପ୍ରଭୁଙ୍କ ଦର୍ଶନ କରିବେ। ଏତେ ଭିଡ଼ ଯେ କହିବାର ନାହିଁ। ମୋ ମିଷ୍ଟର୍ କହିଯାଇଥିଲେ ତମେ ପତିତପାବନଙ୍କ ଦର୍ଶନ କରୁଥାଅ ମୁଁ ଟିକେ ବାହାରୁ ସାଙ୍ଗେସାଙ୍ଗେ ଆସୁଛି। ତା’ ପରେ ଯିବା, ମୋର କିନ୍ତୁ କିଛି ମନେ ନ ଥିଲା। ମୁଁ ସେ ପୋଲିସ୍ ଅଫିସରଙ୍କ ପଛେ ପଛେ ଚାଲିଥିଲି। ଜଣେ ନନା ଆସିଲେ କହିଲେ ଚାଲନ୍ତୁ ଭିତରକୁ ନେଇ ଯିବି। ପୋଲିସ ଅଫିସର୍ ଜଣକ କହିଲେ ମ୍ୟାଡାମଙ୍କୁ ଭଲରେ ନେଇ ଦର୍ଶନ କରାଇଦିଅ। ମୁଁ ସେ ନନାଙ୍କ ସାଙ୍ଗରେ ଯାଇ ରତ୍ନ ବେଦୀ ପାଖରେ ସମସ୍ତଙ୍କୁ ଦର୍ଶନ କଲି।।କି ମହାର୍ଘ୍ୟ ମୁହୂର୍ତ୍ତ ! ନିଜକୁ ଭୁଲି ଯାଇଥିଲି । ପ୍ରଭୁ ଜଗନ୍ନାଥଙ୍କର ଗୋଲ୍ ଗୋଲ୍ ଚକାଆଖି ଯୋଡ଼ିକୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଥିଲି। ଆଖିରୁ ଆପେ ଆପେ ଲୁହ ବୋହି ଯାଉଥିଲା । ହଠାତ୍ ଚମକି ପଡିଲି ,ମୋ ପାଖରେ କେହି ନାହାନ୍ତି। ମୁଁ ଏକା ଛିଡା ହୋଇଛି ରତ୍ନ ବେଦୀ ପାଖରେ ପ୍ରଭୁଙ୍କ ସାମ୍ନାରେ। ନନା ମୋ ହାତକୁ ତୁଳସୀ, ଚନ୍ଦନ ଦଉଛନ୍ତି। ଆଳତୀର ମହମହ କର୍ପୁର ବାସ୍ନାରେ ମୁଁ ଶିହରିତ ହେଇ ପଡ଼ୁଥିଲି। କେତେ ସମୟ ପରେ ମୁଁ ଯେମିତି ସମ୍ବିତ ଫେରି ପାଇଲି। ଇଏ କୁଆଡେ ଗଲେ, ହଠାତ୍ ବୁଲି ପଡି ଚାହିଁଲା ବେଳକୁ ସେ ମୋ ପାଖରେ ଛିଡ଼ା ହୋଇଛନ୍ତି। ହସୁଥିଲେ ମୁରୁକି ମୁରୁକି, କହିଲେ ଏବେ ମନ ଖୁସି ତ ମ୍ୟାଡାମଙ୍କର ? ମୁଁ ଆଶ୍ଚର୍ଯ୍ୟ ! ସତେ ତ ମୁଁ କେମିତି ଆସିଲି ? ତାଙ୍କୁ କହିଲି ସବୁ କଥା ଆରେ ମୋତେ ସେଇ ପୋଲିସ୍ ଅଫିସର୍ ଜଣକ ପରିଚୟ ଦେଲା ପରେ ମୁଁ ଆଉ କିଛି ନ ଭାବି ଚାଲି ଆସିଲି। ତା ପରେ ନନାଙ୍କ ସାଙ୍ଗରେ ସିଧା ଆସି ଏଠି ପହଞ୍ଚିଲି।ଆଉ ତମେ ? ମୁଁ ବି ସେମିତି ଆସିଲି। ଚାଲ ଏବେ ଲକ୍ଷ୍ମୀ ମନ୍ଦିରରେ ମାଆଙ୍କୁ ଦର୍ଶନ କରି ଆନନ୍ଦ ବଜାର ଯିବା। ମାଆ ମହାଲକ୍ଷ୍ମୀଙ୍କୁ ଦର୍ଶନ ସାରି ଆନନ୍ଦ ବଜାର ଗଲ। ମୋତେ ଚତୁର୍ଦ୍ଦିଗ ଚକାଆଖିମୟ ଲାଗୁଥାଏ। ଆନନ୍ଦ ବଜାରରେ ଅବଢା ଖାଇଲୁ। କିଛି ପ୍ୟାକ୍ କଲୁ ଘର କୁ ଆଣିବା ପାଇଁ ।

ସମୁଦ୍ର କୂଳରେ ବୁଲିଲା ବେଳେ ମୋର ଜଣେ ଛାତ୍ର ଦେଖାହେଲା, ସିଏ ପୁରୀ ସିଂହ ଦ୍ବାର ପାଖ ଥାନାରେ ଇନଚାର୍ଜ ଅଫିସର୍ ଅଛି ବୋଲି କହିଲା। ମୁଁ ତାକୁ ପଚାରିଲି ତମର ଦାରୁବ୍ରହ୍ମ ମହାପାତ୍ର ବୋଲି ଯେଉଁ ପିଲାଟି ପୋଲିସ୍ ଅଫିସର୍ ଅଛନ୍ତି, ସେ ମୋତେ ନେଇଗଲେ ମନ୍ଦିର ଭିତରକୁ ଏତେ ଭିଡ ଭିତରେ। ସେ କହିଲା ସେଇ ନାଁରେ କେହି ପୋଲିସ୍ ଅଫିସର୍ ନାହାନ୍ତି। ମୁଁ କହିଲି ନିଶ୍ଚୟ ଥିବେ। ତୁ ଜାଣି ନ ଥିବୁ ସେ ନୂଆ ଆସିଛନ୍ତି। ନାଇଁ ମ୍ୟାଡାମ୍ ମୁଁ ପାଞ୍ଚ ବର୍ଷ ହେଲାଣି ଅଛି। କେହି ନୂଆ ଅଫିସର୍ ଏବେ ଆସିନାହାନ୍ତି । ତେବେ କଣ ମୋ ମନର ଭ୍ରମ ଥିଲା। ମନେ ପଡିଯାଉଥିଲା ସେ ଦାରୁବ୍ରହ୍ମର କେତେ ସୁନ୍ଦର ଗୋଲ୍ ଗୋଲ୍ ଆକର୍ଷଣୀୟ ଆଖି ଦୁଇଟି। ଉଜ୍ବଳତାରେ ପରିପୂର୍ଣ୍ଣ। ହେ ପ୍ରଭୁ ସବୁ ତୁମ୍ଭର ମାୟା। ସେଦିନ ଘରେ ପହଞ୍ଚିଲା ବେଳକୁ ରାତି ନଅଟା। ଆଗ ଅବଢ଼ା ନେଇ ଚିନୁ ମାଉସୀଙ୍କ ପାଖକୁ ଗଲି। ଘରେ ସମସ୍ତେ ଥିଲେ । ମାଉସୀ ଖାଇବାକୁ ବସିଥିଲେ। ଭାରି ଖୁସିରେ ଅବଢା ଅନ୍ନ, ମିଠା କାନିକା, ମିଠା ଡାଲି, ବେସର, ଶାଗ, ଖଟା, ସବୁ ଖାଇଲେ। ମୁଁ ବସି ରହିଥିଲି ତାଙ୍କ ପାଖରେ। କହିଲେ ଝିଅ ଆତ୍ମା ମୋର ଶାନ୍ତି ହୋଇଗଲା। ତା ପରେ ତାଙ୍କ ହାତକୁ ଫଟୋ ଟିଏ ଦେଲି,ଆଖି ପାଖକୁ ନେଇ ଦେଖିଲେ, କହିଲେ ଝିଅ କାହା ଛବି ? ମୋତେ କଣ ଦେଖାଯାଉଛି କି

ଭଲକରି। ମାଉସୀ କାଳିଆର ଛବି, ମାଉସୀଙ୍କ ଆଖିରୁ ଦୁଇ ଟୋପା ଲୁହ ଗଡି ପଡିଲା, ଫଟୋ ଉପରେ ।

ଘରକୁ ଫେରିଲା ପରେ, ଠାକୁର ଘରେ ଧୂପବତୀଟିଏ ଜାଳି କିଛି ସମୟ ପ୍ରାଥର୍ନା କଲି। ଏକ ମୋହାଚ୍ଛନ୍ନ ପରିବେଶ ମୋତେ ଯେମିତି ଘେରି ରହିଥାଏ। ବିଛଣାରେ ଶୋଇ ଶୋଇ ଭାବୁଥାଏ ସବୁ କଥା। ହଠାତ୍ ଯେମିତି ଲାଗିଲା ମୋତେ କିଛି ଗୋଟାଏ ଅଦୃଶ୍ୟ ହୋଇଯିବାର। ମୁଁ ଉଠି ବସି ପଡିଲି ବିଛଣାରେ, ତା ପରେ ଡ୍ରଇଁରୁମକୁ ଯାଇ ଲାଇଟ୍ ଜଳାଇଲି, କାନ୍ଥରେ ଟଙ୍ଗା ହୋଇଥିବା ଜଗନ୍ନାଥଙ୍କ ଚାନ୍ଦୁଆଟା ତଳେ ପଡିଯାଇଥିଲା। ତାକୁ ଉଠେଇକି ପୁଣି କାନ୍ଥରେ ଲଗାଇଲି। ହେଲେ ପୁଣି ଥରେ ପଡିଗଲା। ଆଉ ନ ଟଙ୍ଗାଇ ରଖିଦେଲି, ମୋର ଜନ୍ମ ଦିନ ଥିଲା ବୋଲି ବି ମୋ ଝିଅ ଦୁଇ ଜଣ ଖୁବ୍ ସୁନ୍ଦର ପେଣ୍ଟିଂ ଟିଏ କରିଥିଲେ ଜଗନ୍ନାଥଙ୍କର ଖାଲି ଗୋଲ୍ ଗୋଲ୍ ଢଳଢଳ ହେଉଥିବା ଆଖି ଦୁଇଟି। ମୁଁ ସେଥିରେ ନିମଜ୍ଜିତ ହୋଇଯାଇଥିଲି ।ମୋତେ କାଇଁ ଲାଗୁଥିଲା ପୃଥିବୀ ଗୋଲ୍ ବୋଲି ବୋଧେ ଜଗନ୍ନାଥଙ୍କର ଆଖି ଗୋଲ ସୃଷ୍ଟିର ସମସ୍ତ ରହସ୍ୟକୁ ଭେଦିଯାଉଥିବା ଆଖି,ସକଳ ସୌନ୍ଦର୍ଯ୍ୟରେ ଭରପୁର। ଏମିତି ସୋଫା ଉପରେ ବସି ଭାବୁଥିଲି କେତେକେତେ କଥା। ହଠାତ୍ ମୋତେ ବାହାରୁ ଶୁଭିଲା ରାମ୍ ନାମ ସତ୍ୟ ହେ, ହରି ନାମ ସତ୍ୟ ହେ …..

ମୁଁ ଡ୍ରଇଁରୁମର କବାଟ ଓ ଗ୍ରିଲ୍ ଖୋଲି ବାହାରକୁ ପଳାଇ ଆସିଲି।ଭୋଅର ହେବାର ସଙ୍କେତ। ପୁଣି ସେଇ ଶବ୍ଦ ସବୁ । ମୋ ଦେହ ଥରୁଥିଲା,ଉପର ମହଲାରୁ ନନ୍ଦୀ ଭାଇନା ତଳକୁ ଆସିଲେ କହିଲେ ମାଉସୀ ଚାଲିଗଲେ। ମୁଁ ପଚାରିଲି ଭାଇନା କିଏ? ଏଇ ଦାସ ବାବୁଙ୍କ ବୋଉ,ମୋ ଆଖିରେ ବିସ୍ମୟ!!

ମୁଁ କହିଲି ଚିନୁ ମାଉସୀ, ? ଭାଇନା କହିଲେ ହଁ ।ମୁଁ ବସିପଡିଲି ଲଥ୍ କରି ତଳେ, ହୃଦୟରେ କୋହ, ଆଖିରୁ ଲୁହ ବୁନ୍ଦା ଥପ୍ ଥପ୍ ହୋଇ ଝରି ତଳେ ପଡୁଥିଲା ।

ୟୁ ଏନ୍ କଲେଜ୍ ଅଡଶପୁର କଟକ

Leave A Reply

Your email address will not be published.