Latest Odisha News

BREAKING NEWS

ଅନୁବାଦ କବିତା : ବୟସ କଥା କିଏ ପଚାରେ

ମୂଳ ହିନ୍ଦୀ : ଅଟଳ ବିହାରୀ ବାଜପେୟୀ
ଅନୁବାଦ : ସରଳ କୁମାର ଦାସ

ଘରଟା ଯେମିତି ହେଇଥିଲେ ବି …….
ତା’ର ଗୋଟେ କୋଣରେ …. …
ମନଖୋଲା ହସିବା ଲାଗି ଜାଗାଟିଏ ରଖ …

ସୂର୍ଯ୍ୟ ଯେତେ ଦୂରରେ ଥିଲେ ବି…,
ତାଙ୍କୁ ଘରକୁ ଆସିବାକୁ ବାଟ ଦିଅ …,

ବେଳେ ଅଧେ ଛାତରେ ଚଢି …
ତାରା ଅବଶ୍ୟ ଗଣ …
ହେଇ ପାରିଲେ ହାତ ବଢାଇ …
ଜହ୍ନ ଛୁଇଁବାକୁ ଚେଷ୍ଟା କର …

ଲୋକଙ୍କ ସହ ମିଳାମିଶା କରିବାର ଥିଲେ …
ଘର ପାଖରେ ପଡୋଶୀ ନିଶ୍ଚୟ ରଖ …

ଭିଜିବାକୁ ଦିଅ ବର୍ଷାରେ …
ଡିଆଁଡିଇଁ ବି କରିବାକୁ ଦିଅ …
ହେଇ ପାରିଲେ ପିଲାମାନଙ୍କୁ …
କାଗଜ ଡଙ୍ଗାଟିଏ ଭସାଇବାକୁ ଦିଅ …

ଯଦି ଫୁରୁସତ ମିଳେ, ଆଉ ଆକାଶ ଥାଏ ପରିଷ୍କାର …
ତେବେ ଆକାଶରେ ଗୁଡିଟିଏ ଉଡାଅ …
ହେଇ ପାରିଲେ ଗୋଟେ ଅଧେ ପେଞ୍ଚ ବି ମାର …

ଘର ଆଗରେ ଗଛଟିଏ ରଖ …
ସେଥିରେ ବସିଥିବା ପକ୍ଷୀଙ୍କ …
କଥାବାର୍ତ୍ତା ଅବଶ୍ୟ ଶୁଣ …

ଘରଟା ଯେମିତି ହେଇଥିଲେ ବି …
ଘରର ଗୋଟେ କୋଣରେ …. …
ମନଖୋଲା ହସିବା ଲାଗି ଜାଗାଟିଏ ରଖ …

ଯେଉଁ ବାଟ ଦେଇ ଯାଅ ନା କାହିଁକି …
ମଧୁର ଆଲୋଡନଟିଏ ବିଛୁରି ଦିଅ …

ବୟସର ‘ପ୍ରତିଟି ପର୍ଯ୍ୟାୟ’ ଭାରି ମଜାଦାର …
ନିଜ ‘ବୟସ’କୁ ଉପଭୋଗ କର …

ପ୍ରାଣବନ୍ତ ରୁହ ମହାଶୟ …
ଉଦାସ ଏ ମୁହଁ କାହିଁକି …
ସମୟ ତ ବିତି ଯାଉଛି …
ବୟସ କଥା କିଏ ପଚାରେ … !

ନୂଆପଲ୍ଲୀ,
ଭୁବନେଶ୍ଵର -୭୫୧୦୧୨
ମୋ. ୯୪୩୭୦୩୮୦୧୫

Leave A Reply

Your email address will not be published.