Latest Odisha News

ଅନୁବାଦ କବିତା : ଉଲଗ୍ନ ରାଜା

ମୂଳ ବଙ୍ଗଳା : ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ
ଅନୁବାଦ : ସରଳ କୁମାର ଦାସ 

ସମସ୍ତେ ଦେଖୁଛନ୍ତି ଯେ, ରାଜା ଉଲଗ୍ନ, ତଥାପି
ସମସ୍ତେ ହାତତାଳି ମାରୁଛନ୍ତି ।
ସମସ୍ତେ ଚିତ୍କାର କରୁଛନ୍ତି, ସାବାସ, ସାବାସ !
କାହାରି ମନରେ ସଂସ୍କାର, କାହାରି ଭୟ;
କିଏ ବା ନିଜ ବୁଦ୍ଧିକୁ ଅନ୍ୟ ମଣିଷ ପାଖରେ ବନ୍ଧା ପକାଇଛି;
କିଏ ବା ପରାନ୍ନଭୋଜୀ, କିଏ
କୃପାପ୍ରାର୍ଥୀ , ପ୍ରତ୍ୟାଶୀ, ପ୍ରବଞ୍ଚକ;
କିଏ ଭାବୁଛି, ରାଜବସ୍ତ୍ର ସତରେ ଅତୀବ ସୂକ୍ଷ୍ମ, ଆଖିରେ
ପଡୁନି ଯଦିଓ, ତଥାପି ଅଛି,
ଅନ୍ତତଃ ଥିବାଟା କିଛି ଅସମ୍ଭବ ନୁହେଁ ।

ଗପଟା ସମସ୍ତେ ଜାଣନ୍ତି ।
କିନ୍ତୁ ସେଇ ଗପ ଭିତରେ
ଖାଲି ପ୍ରଶସ୍ତିବାକ୍ୟ-ଉଚ୍ଚାରକ କିଛି
ଆପାଦମସ୍ତକ ଭୀରୁ, ଫନ୍ଦିବାଜ ଅଥବା ନିର୍ବୋଧ
ସ୍ତାବକ ନ ଥିଲେ ।
ଗୋଟେ ଶିଶୁ ବି ଥିଲା ।
ସତ୍ୟବାଦୀ, ସରଳ, ସାହସୀ ଗୋଟେ ଶିଶୁ ।

ଓହ୍ଲାଇଛି ଗପର ରାଜା ବାସ୍ତବତାର ପ୍ରକାଶ୍ୟ ରାସ୍ତାରେ ।
ପୁଣି ହାତତାଳି ଶୁଭୁଛି ମୁହୂର୍ମୁହୂ;
ଜମି ଯାଉଛି
ସ୍ତାବକବୃନ୍ଦଙ୍କ ଭିଡ ।
କିନ୍ତୁ ସେଇ ଶିଶୁଟିକୁ ମୁଁ
ଭିଡ ଭିତରେ ଆଜି କେଉଁଠି ବି ଦେଖୁନି ।

ଶିଶୁଟି କୁଆଡେ ଗଲା ? କେହି କଣ କେଉଁଠି ତାକୁ କେଉଁ
ପାହାଡର ଗୋପନ ଗୁହାରେ
ଲୁଚାଇ ରଖିଛି ?
ନା କ’ଣ ସିଏ ପଥର-ଘାସ-ମାଟି ସହ ଖେଳୁ ଖେଳୁ
ଶୋଇ ପଡିଛି
କେଉଁ ଦୂର
ନିର୍ଜନ ନଦୀର ଧାରେ, କିମ୍ୱା କେଉଁ ପ୍ରାନ୍ତରର ଗଛ ଛାଇରେ ?
ଯାଅ, ତାକୁ ଯେମିତି ହେଲେ ବି
ଖୋଜି ଆଣ ।
ସେ ଆସି ଥରେ ଏଇ ଉଲଗ୍ନ ରାଜା ଆଗରେ
ନିର୍ଭୟରେ ଛିଡା ହେଉ ।
ସେ ଆସି ଥରେ ଏଇ ହାତତାଳିର ଊର୍ଦ୍ଧ୍ୱରେ ଗଳା ଫଟାଇ
ପ୍ରଶ୍ନ ପଚାରୁ :
ରାଜା, ତୋର ଲୁଗା କାହିଁ ?

( ବଙ୍ଗଳା ସାହିତ୍ୟର ପ୍ରଖ୍ୟାତ କବି ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ‘ଉଲଙ୍ଗ ରାଜା’ କବିତା ବହିଟି ପ୍ରକାଶ ପାଇଲା ପରେ ତାହା ଏତେ ପାଠକୀୟ ଆଦୃତି ଲାଭ କରିଥିଲା ଯେ ଗୋଟିଏ ବର୍ଷ ଭିତରେ ତାର ୨୦ ,୦୦୦ କପି ବିକ୍ରି ହୋଇ ଯାଇଥିଲା । ସେହି କବିତା ବହି ପାଇଁ ତାଙ୍କୁ ୧୯୭୪ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ମଧ୍ୟ ମିଳିଥିଲା । କବିଙ୍କର ୨୦୧୮ ରେ ନିଧନ ହୋଇ ଯାଇଛି । ତାଙ୍କର ସେହି କବିତାଟିର ଓଡିଆ ଅନୁବାଦ )

୪୮୬ ନୀଳକଣ୍ଠ ନଗର, ନୂଆପଲ୍ଲୀ,
ଭୁବନେଶ୍ଵର -୭୫୧୦୧୨
ମୋ. ୯୪୩୭୦୩୮୦୧୫
saral_das@yahoo.co.in

Leave A Reply

Your email address will not be published.