ଗପ: ଜୋତାଷ୍ଟାଣ୍ଡ

ଅଭିଷେକ ତ୍ରିପାଠୀ                                                               

ମୋର ଏବେ ବି ସେହି ଦିନ ଗୁଡାକ ମନେ ପଡ଼ିଯାଏ, ଯେବେ ବାପା ବହୁତ ଦିନ ଯାଏ କାମରେ ବାହାରେ ରହୁଥିଲେ ଓ ସକାଳୁଆ ସ୍କୁଲ ରୁ ଫେରି, ଘରେ ପଶିବା ଆଗରୁ, ଘର ବାହାରେ ଥିବା ଜୋତାଷ୍ଟାଣ୍ଡ ଉପରକୁ ଆଖି ପଳାଉଥିଲା ସବୁଦିନ । ବୋଧହୁଏ ଆଖି ଖୋଜୁଥିଲା ସେଇ କଳା ଫର୍ମାଲ୍ ଜୋତାହଳକୁ, ହେଲେ ପାଉନଥିଲା ଓ ମନଦୁଃଖ ରେ ମୁହଁଟା ଶୁଖେଇ ଧୀରେ ଧୀରେ ଘର ଭିତରକୁ ଯାଉଥିଲି ।

କିଛି କିଛି ଦିନ, ମିଳିଯାଏ ସେଇ କଳା ଫର୍ମାଲ୍ ଜୋତା ହଳକ ସେଇ ଷ୍ଟାଣ୍ଡରେ ଓ କାହିଁକି କେଜାଣି ଗୋଟେ ଉଲ୍ଲାସ ଖେଳିଯାଏ ମନ ଭିତରେ ସେଇଦିନ ଓ ଗୋଡ ଛାଟି ଜୋତା ଆଉ ହାତ ଛାଟି ସ୍କୁଲ୍ ବ୍ୟାଗ୍ ଫୋପାଡ଼ି ଦିଏ ଦୁଆର ମୁହଁରେ ଓ ଦଉଡ଼ିକି ହସି ହସି ଯାଏ ଘର ଭିତରକୁ ।

ଆଜି ଭି ସେଇ ଜୋତାଷ୍ଟାଣ୍ଡ୍ ତା ଜାଗାରେ ସେମିତି ଅଛି, ଆଉ ତଳ ଥାକରେ ଧୂଳି ଧୂସରିତ ହେଇ ପଡିଛି ସେଇ କଳା ଫର୍ମାଲ୍ ଜୋତା ହଳଟି ଓ ମମି ସେ ଭଙ୍ଗା ଜୋତାଷ୍ଟାଣ୍ଡ । ଜୋତା ହଳକୁ କବାଡି ବାଲାକୁ ବିକିବାକୁ ବହୁତ ଚେଷ୍ଟା କରିଛି, ହେଲେ ସବୁଥର ମୋ ପ୍ରତିରୋଧ ତାକୁ ଅଟକେଇଦେଇଛି ଓ ମନେ ମନେ ହୁଏତ ସେ ପାଗଳ ଭାବୁଥିବ ମତେ, ହେଲେ ସେ କେମିତି ବୁଝିବ ସେ ଯୋତା ଷ୍ଟାଣ୍ଡ୍ ସହ ମୋ ସମ୍ପର୍କ ।

ଏମକେସିଜି, ବ୍ରହ୍ମପୁର