ଗଳ୍ପ: କଳ୍ପବୃକ୍ଷ

✍️ବିମଳା ଶଂକର ଦାଶ

ବାପାଙ୍କ ଅସ୍ୱାଭାବିକ ପରିବର୍ତ୍ତନ ରେ ଖୁବ୍ ବିଚଳିତ ହୋଇ ପଡୁଥିଲା ଆଲିସା ।

ବାପା ତାକୁ କୋଳେଇ ନେଉଥିଲେ, ଦେହରେ ସାବୁନ ରଗଡି ଗାଧୋଇ ଦେଉଥିଲେ, ଟାୱାଲରେ ଓଦା ଦେହକୁ ପୋଛି ଫ୍ରକ୍ ପିନ୍ଧେଇ ଦେଉଥିଲେ । ବାପାଙ୍କ ପେଟ ଉପରେ ଲଦି ନ ହେଲେ ନିଦ ଆସେନା ବୋଲି ଆଲିସାକୁ ବାପା ସରାଗରେ ତାଙ୍କ ଚଉଡା ଛାତି ଉପରେ ଜଡେଇ ଧରି କେତେ ଗପ ଶୁଣାଇ ରାତିରେ ଶୁଆଇ ଦେଉଥିଲେ । ତାକୁ ହାତ ଧରି ବାପା କେତେ ଛକ ବଜାର ବୁଲାଉଥିଲେ ..

ହେଲେ ଆଜି ସେ ସବୁ ସାତ ସପନ ଆଲିସା ପାଇଁ ।

କିଛି ଦିନ ହେଲାଣି ବାପା ଆଉ ଆଗଭଳି ଏସବୁ କରୁ ନାହାନ୍ତି । ସତେ ଯେମିତି ତା’ ସହ ବାପା କଟି ପକେଇ ଦେଇଛନ୍ତି ବିନା ଦୋଷରେ ।

ଆଲିସା ବୁଝି ପାରୁ ନ ଥାଏ ତା’ ଅପରାଧ କ’ଣ ଯେଉଁଥି ପାଇଁ ବାପା ତାକୁ ଏମିତି ଦୂରେଇ ଦେଇଛନ୍ତି । ତା’ ମନରେ ଅନେକ କିଛି ପ୍ରଶ୍ନ ଉଙ୍କି ମାରିବାକୁ ଲାଗିଲା ।

ଅଲଗା ବଖରାରେ ଖଟ ଉପରେ ଏକୁଟିଆ ମୁହଁ ଶୁଖାଇ ପଡି ରହିଲା ଆଲିସା । ସକାଳ ପହରଠୁ ଜଳଖିଆ କି ପାଣି ଟୋପାଏ ଛୁଇଁଲାନି .. ହୁଏତ ଅଭିମାନରେ ..

ଘରକୋଣରେ ଏମିତି ମନମାରି ପଡି ରହିଥିବାର ଦେଖି ବାପା ଧିରେ ଆଲିସା ପାଖକୁ ଯାଇ ପଚାରିଲେ —

“ଆଲିସା.. ତୋର କ’ଣ ହୋଇଛି .. ଚାନ୍ଦ ଉଦିଆ ମୋ ମାଆର ମୁହଁ ଟି ଏମିତି ମଉଳି ଯାଇଛି ଯେ.. କିଏ କିଛି କହିଛନ୍ତି କି …କାହିଁ ମୁଁ ତ ସେମିତି କିଛି କହିନି … ଏମିତି ରୁଷି ବସିବାର କାରଣଟା …

–ଉଁ.. ଉଁ ..ଆଉ ଅଭିନୟ କରନି ବାପା ! ତମେ ଠିକ୍ ଜାଣିଛ ମୋ ରୁଷିବାର କାରଣଟା … ତମେ ବଦଳି ଯାଇଛ ବାପା ..ତମେ ଆଉ ଆଗ ପରି ମୋତେ ଗେହ୍ଲା କରୁନ ..ମୋ ପାଖ ମାଡୁନ ..ତମ ପାଖରେ ଶୋଇବାକୁ ଦେଉ ନାହଁ …ଅଲଗା ବଖରାରେ ମୋତେ ଶୋଇବାକୁ କହି ମୋ ଠୁ ଦୂରେଇ ଯାଉଛ ..! ଛକ ବଜାର ବୁଲାଇ ନେବା ତ ଦୂର କଥା ଘର ବଗିଚାରେ ବି ଆଉ ମୋ ସହ ଖେଳୁ ନାହଁ ।

ଅଭିମାନ କରି ଆଲିସା ତା ମନୋବେଦନା ସବୁ ବଖାଣିବାକୁ ଲାଗିଲା …

–ଓଃ ହୋ !! ତା ହେଲେ ଏଇ କଥା …ଏଇ କଥା ପାଇଁ ଏତେ ରାଗ … ହେଲେ ମାଆ ତୁ ତ ଏବେ ଆଉ କୁନି ଝିଅ ହୋଇ ନାହୁଁ ..ତୁ ପରା କେତେ ବଡ ହୋଇଗଲୁଣି ….

ପାଦକୁ ଧପ୍ ଧପ୍ କରି ବାପାଙ୍କ ପାଖକୁ ଚାଲି ଆସି ଆଲିସା କହିଲା —
କାହିଁ ଭାଇ ଆର‌୍ୟାନ ତ ଏତେ ବଡ ହୋଇଗଲା ଣି ତଥାପି ତାକୁ କୋଳେଇ ନେଉଛ, ବଜାର ବୁଲେଇ ନେଉଛ ..

— ତୋତେ କେମିତି ବୁଝେଇବି ରେ ମାଆ ..ତୁ ପରା ଜଣେ ବଢିଲା ଝିଅ ..ପୁଅ ଓ ଝିଅ ଭିତରେ ଅନେକ ତଫାତ୍ ଥାଏ ..ସେ କଥା ବାପା ହୋଇ ତୋତେ କେମିତି ବୁଝେଇବିରେ ମାଆ …

— ତା’ ହେଲେ ମାମା କାହିଁକି ଭାଇକୁ ତା କୋଳରୁ ଦୂରେଇ ଦେଉ ନାହାନ୍ତି ..ଭାଇ ବି ତ ଏତେ ବଡ ହୋଇଗଲାଣି ..

ଆଲିସାର ଯୁକ୍ତି ରେ ବାପାଜଣଙ୍କ ନିର୍ବାକ୍ ହୋଇଗଲେ କିଛି କ୍ଷଣ ..

ସତକଥା ଦୁନିଆ ଯାହା ଭାବୁ ସନ୍ତାନ ଯେତେ ବଡ ହେଲେ ବି ମାଆ ବାପାଙ୍କ ଆଗରେ ସେ ସବୁବେଳେ ଛୁଆ .. ଛୁଆମାନେ ବାପା କି ମାଆ ଆଗରେ କେବେ ବି ବଢନ୍ତି ନି …

ମନେ ମନେ ଭାବିଲେ ଜଣେ ବାପାର ମନ କଥାକୁ ଏଇ ବୟସରେ ଝିଅଟେ କେମିତି ବା ବୁଝିବ ..ବାପା ତ ଚାହେଁ ଝିଅଟିକୁ ସବୁଦିନ ସ୍ନେହ ଆଦରରେ ନିଜ ପାଖରେ ହିଁ ରଖିବାକୁ..ହେଲେ ଏଇ ତ ସଂସାର ର ନୀତି …ଝିଅ ବଡ ହୋଇ ଗଲେ ହାତ କୁ ଦି’ ହାତ କରିବାକୁ ତ ପଡେ …

କନ୍ୟା ଦାନ କରି ଶରୀର ଠାରୁ ଆତ୍ମାକୁ ଅନ୍ୟ ହାତରେ ସମର୍ପି ଦେଇ ଅକୁହା କୋହରେ ମଲା ଯାଏଁ ଦଗ୍ଧ ହେବାକୁ ପ୍ରତ୍ୟେକ ଝିଅର ବାପ କପାଳରେ ଲେଖା ।

ବାପାଙ୍କ ନିରବତା ଦେଖି ଆଲିସା କହିବାକୁ ଲାଗିଲା –

ବାପା ମୁଁ ଯେତେ ବଡ ହୋଇଗଲେ ବି ତମ ପାଖରେ ସବୁବେଳେ ଛୋଟ …ତମେ ହିଁ ଦିନେ ମୋତେ କହୁଥିଲ ନା , ଝିଅଟେ ପ୍ରତ୍ୟେକ ବାପାଙ୍କ ଆଉ ଏକ ମାଆ .. ତେବେ ମାଆ ପାଖରେ କେହି କେବେ ସଂକୋଚ କରେ କି …

ତମ ଏଇ ସଂକୋଚତା ମୋ ପାଇଁ ଅସହ୍ୟବୋଧ ହେଉଛି ବାପା !!
ଏହା ମୋତେ ଆଉ ଏକ ଭିନ୍ନ ଦୁନିଆ ଆଡକୁ ଟାଣି ନେଇ ଯାଉଛି , ଯେଉଁଠି ମୋତେ ଏକୁଟିଆପଣରେ ଜିଇଁବାକୁ ପଡୁଛି …ତମକୁ ଅହରହ ଝୁରି ଲୁହ ଝରାଇବାକୁ ପଡୁଛି …

— ଆରେ ମାଆ ଝିଅ ଜନମ ତ ପର ଘରକୁ ସବୁବେଳେ ତୋ’ରି ପାଖେ ପାଖେ କ’ଣ ଏଇ ବାପା ରହିଥିବେ..ଦିନେ ନା ଦିନେ ତ ତୋତେ ଏ ଘର ..ଏ ଅଗଣା.. ଏ ଦାଣ୍ଡ ଦୁଆର ସବୁକିଛି ପଛରେ ଛାଡି ଭିନ୍ନ ଏକ ଘରେ ରହିବାକୁ ହିଁ ପଡିବ … ଏଇ ବାପାଙ୍କ ପାଖରୁ ତ କେବେ ଦୂରେଇ ରହିବାକୁ ପଡିବ …

ବାପାଙ୍କ ଏଇ ପଦିଏ କଥାରେ ଆଲିସା ର ଆଖି ଲୁହରେ ଛଳଛଳ ହୋଇଗଲା ।

ଅତି କରୁଣ କଣ୍ଠରେ ସେ କେଉଁଠୁ ପଢିଥିବା ଏକ କାହାଣୀ ବାପାଙ୍କୁ ଶୁଣାଇବାକୁ ଲାଗିଲା —
” ଝିଅଟେ ଥାଏ । ସେ ତା’ ବାପାଙ୍କୁ କହିଲା ଘର ଅଗଣାରେ ଥିବା ବଡ ଫୁଲଗଛଟିକୁ ଉପାଡି ବାଡିରେ ଲଗାଇବାକୁ ଚାହେଁ ।

ବାପା କହିଲେ ଗଛଟି ଏତେବଡ ହୋଇଗଲାଣି, କାହିଁ କେତେ କାଳୁ ସେଇ ମାଟିରେ ବଢିଛି । ତା’ ଚେର ଟାଣ ହୋଇ ମାଟିକୁ ଜାବୁଡି ଧରିଛି । ଏଇନା ଗଛଟିକୁ ଉପାଡି ନୂଆ ଜାଗାରେ ଲଗାଇଲେ ଚେର ନୂଆ ମାଟି ଜାବୁଡି ଧରିପାରିବନି । ଗଛଟି ମରିଯିବ…

ଝିଅଟେ କହିଲା ତା’ ହେଲେ ମୁଁ ବି ତ ଅନେକ ବର୍ଷ ହେଲା ତମ ଅଗଣାରେ ବଢିଛି ..ତମ ସ୍ନେହ ସରାଗର ମାଟିକୁ ଜାବୁଡି ଧରି ଠିଆ ହୋଇଛି ..ତେବେ ମୋତେ ବାହା ଦେଇ ପର ଘରକୁ ବିଦା କରିଦେଲେ ଏ ଗଛ କ’ଣ ନୂଆ ଅଗଣାରେ ତମ ବିନା ବଞ୍ଚିପାରିବ …. ”

ଏଇଠି କାହାଣୀ କୁ ଅଧାରୁ ଅଟକାଇ ଦେଇ ଆଲିସା ପ୍ରଶ୍ନ କଲା —
ଏବେ ଏଇ କଥା ମୁଁ ତୁମକୁ ପଚାରୁଛି ବାପା ..ଅଛି ତମ ପାଖରେ ଏହାର ଉତ୍ତର ???

ଆଲିସାର ମୁଣ୍ଡକୁ ଆଉଁସି ଦେଇ ବାପା ବୁଝେଇବାକୁ ଲାଗିଲେ —

“ମାନୁଛି ତୁ ବି ଏଇ ଅଗଣାରେ ଅତି ଯତ୍ନରେ ବଢିଥିବା ଏକ ଗଛ । ହେଲେ ଏମିତି ସେମିତି ଗଛ ନୁହଁ । ମହାନ କଳ୍ପବୃକ୍ଷଟିଏ । ତୁ ଆଜି ଜଣେ ଝିଅ …ଦିନେ ହେବୁ ନାରୀ …କଳ୍ପବୃକ୍ଷ ପରି ସବୁ ପରିସ୍ଥିତିରେ ଖାପ ଖୁଆଇ ବଞ୍ଚିଯିବାର କଳା ଭଗବାନ ପ୍ରତ୍ୟେକ ନାରୀ କୁ ଦେଇଥା’ ନ୍ତି ! ତା’ ପାଖରେ ଏମିତି ଶକ୍ତି ନିହିତ ଯେ ପରକୁ ବି ଆପଣାର କରି ବଞ୍ଚିବା ଶିଖିଯାଏ … !

ଲାଲ ଟୁକୁ ଟୁକୁ ସାଧବ ବୋହୂ ସାଜି ସବାରୀ ଚଢି ଗଲା ବେଳକୁ ତୋ’ ହୃଦୟରେ ବି ସେତକ ଶକ୍ତି ଭଗବାନ ଦେଇ ସାରିଥିବେ । ଆଉ ମୁଁ ତୋ ପାଇଁ ଖୋଜି ଆଣି ଦେଇଥିବା ଏକ ସୁନ୍ଦର ରାଜକୁମାର କୁ ଦେଖି ତୁ ଏତେ ଖୁସି ହୋଇଯିବୁ ଯେ ସେତେବେଳେ ତୋତେ ଆଉ ଏଇ ବୁଢା ବାପାଙ୍କ କଥା ଜମାରୁ ବି ମନେ ପଡିବନି ।”

ଏକଥା ଶୁଣି ଆଲିସା ମୁହଁରେ ସ୍ମିତ ହାସ୍ୟ ଖେଳିଗଲା । କିଞ୍ଚିତ ଲାଜେଇ ଯାଇ ବାପାଙ୍କୁ କହୁଥାଏ–
ଏମିତି କଥା କହି ଏବେ ଠାରୁ ମୋତେ ଦୂରେଇ ଦିଅନି ବାପା …ଏବେ ବି ମୁଁ ତମ ଅଗଣାର ସେଇ ଟିକି ଗଛଟିଏ …କଳ୍ପବୃକ୍ଷ ହେବାର ସମୟ ଏ ଯାଏଁ ଆସିନି… ଏବେ ତମ ରାଜକୁମାର ତମ ପାଖରେ ହିଁ ଥାଉ …

ଏତକ କହୁଥିବା ବେଳେ ଆଲିସା ଶରୀରରେ ଗୋଟିଏ ଝିଅର ପରଘରୀ ହେବାର ଭୟାତୁର ଛବି ଆଙ୍କି ହୋଇ ଯାଉଥିଲା ଅଦୃଶ୍ୟ ଭାବେ ….

ସେ ଛବିକୁ ଅନୁଭବ କରି ପାରି ବାପାଜଣଙ୍କ ଗଭୀର ଭାବାବେଗରେ ହାତକୁ ଆହୁରି ଦୃଢ କରି ଆଲିସାକୁ କୁଣ୍ଢେଇ ଧରିବାକୁ ଲାଗିଲେ ସ୍ନେହ ଚିତ୍ତରେ ….!!

ଗୋଡିଆବଂଧ (ପଦ୍ମପୁର),ଜିଲ୍ଲା-ରାୟଗଡା ୭୯୭୮୧୭୧୪୩୭