Latest Odisha News

BREAKING NEWS

ଗପ: ଭିଜା ମାଟିର ବାସ୍ନା

ସନ୍ତୋଷ କୁମାର ରଣା

ମେ ମାସର ଉଦୁଉଦିଆ ଖାରବେଳ । ଗ୍ରୀଷ୍ମ ରବି ସତେ କି ଅଗ୍ନିବର୍ଷା କରୁଥିଲେ । ଡମଣା ଛକ ଆଡୁ ମାଡି ଆସୁଥିବା ଖଣ୍ଡିଆଭୂତଠୁ ରକ୍ଷା ପାଇବା ପାଇଁ ପଟିଆ ହାଟର ବିକ୍ରେତା ସବୁ ଆଶ୍ରୟ ନେବା ପାଇଁ ଦୌଡୁଥିଲେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଅସରାଏ ବର୍ଷା ଜୋରରେ ବର୍ଷିଗଲା । କିଛି କ୍ଷଣ ପାଇଁ ରାସ୍ତାଗୁଡାକ ଜନଶୂନ୍ୟ ହୋଇ ଯାଇଥିଲା। ଖାଲି ଶୁଣା ଯାଉଥିଲା ବର୍ଷାର ରିମ୍ ଝିମ୍ ଶବ୍ଦ। ବର୍ଷା ଭୁବନେଶ୍ୱରର ଜନଜୀବନକୁ କିଛି କ୍ଷଣ ପାଇଁ ପଙ୍ଗୁ କରି ଦେଇଥିଲା ସତ; କିନ୍ତୁ ବୃକ୍ଷଲତା, ଜୀବଜନ୍ତୁ ଆଉ ମନୁଷ୍ୟମାନଙ୍କୁ ପ୍ରଚଣ୍ଡ ଗ୍ରୀଷ୍ମର ନିର୍ମମ ଅତ୍ୟାଚାରରୁ ଉପଶମ ଦେଇଥିଲା । ଭିଜ଼ାମାଟିର ବାସ୍ନା ସତେଯେମିତି ମନ୍ତ୍ରମୁଗ୍ଧ କରୁଥିଲା ସମସ୍ତଙ୍କୁ। ବର୍ଷା ଛାଡିବା ସଙ୍ଗେସଙ୍ଗେ ବେପାରୀ ସବୁ ପୁଣି ବେପାରରେ ମାତି ଯାଇଥିଲେ । ପୁଣି ସେ ବଜ଼ାରର କୋଳାହଳ ଶୁଣାଯାଉଥିଲା ।

ଛୁଟିଦିନ ହେଇଥିବାରୁ, ମୁଁ ବର୍ଷାପରର ପରିବେଶକୁ ଉପଭୋଗ କରିବା ପାଇଁ ହାଟ ଆଡେ ଟିକେ ମାଡିଗଲି। ପ୍ରତି ନିଃଶ୍ୱାସରେ ମୁଁ ସେ ଭିଜ଼ାମାଟିର ବାସ୍ନାକୁ ଅନୁଭବ କରୁଥିଲି । କିଛି ବାଟ ଗଲା ପରେ ଆଉ କିଛି ଗଳି ପାର ହେଲା ପରେ ମୁଁ କେତେବେଳେ ହାଟ ମଝିରେ ପସିଗଲିଣି ଜାଣିପାରିନଥାଏ। ସେ ବାସ୍ନା ସତେ ଯେମିତି ମୋତେ ବିମୁଗ୍ଧ କରିଦେଇଥିଲା । ହଠାତ୍ କାହାର ଡାକରେ ପଛକୁ ବୁଲିକି ଦେଖିଲି । ମୋ ସାମ୍ନାରେ ଠିଆହେଇଥିଲେ ଧୋତି ପରିବୃତ ଷାଠିଏ ବର୍ଷର ଜଣେ ବୃଦ୍ଧ ବ୍ୟକ୍ତି । ହାତରେ ଥିଲା କିଛି ଖେଳନା। ତାଙ୍କ ମୁହଁରେ ଥିବା ସେ ଦାରିଦ୍ର‌୍ୟ ଏତେ ସ୍ପଷ୍ଟ ଥିଲା ସତେ ଯେମିତି ଅନ୍ତରୀକ୍ଷରୁ ବି ଦେଖାଯିବ। ତାଙ୍କର ମଇଳା କମିଜ଼ର ରନ୍ଧ୍ରସବୁ ଦାରିଦ୍ର‌୍ୟର ଗାଥା ଗାଉଥିଲା । ଏତିକି ବେଳେ ସେ ମୋତେ ତାଙ୍କ ଖେଳନା କିଣିବାକୁ କହିଲେ।

ସ୍ୱଳ୍ପ ବାର୍ତ୍ତାଳାପ ପରେ ଜାଣିବାକୁ ପାଇଲି କି ଘରେ ତାଙ୍କର ଚିର ରୁଗ୍ଣ ପତ୍ନୀଙ୍କ ବ୍ୟତୀତ ଆଉ କେହି ନାହାନ୍ତି। ଖେଳନା ବିକିକି ଯାହା ରୋଜଗାର କରନ୍ତି ସେଇଥିରେ ପତି ପତ୍ନୀ ଗୁଜୁରାଣ ମେଣ୍ଟାନ୍ତି। ଆଉ ତାଙ୍କ ବାର୍ଦ୍ଧକ୍ୟ କେବଳ ବୋଝ ଉପରେ ନଳିତା ବିଡା ପରି କାମ କରୁଥିଲା। ତାଙ୍କର ସେ ବୃଦ୍ଧ ଆଖିଗୁଡ଼ାକ ସେ ଦୁଃଖକୁ ଲୁଚେଇ ପାରୁନଥିଲା। ମୁଁ ତାଙ୍କ ପାଖରୁ ପ୍ରତ୍ୟେକ କୋଡିଏ ଟଙ୍କା ହିସାବରେ ତିନୋଟି ଖେଳନା କିଣିଲି। ଶହେ ଟଙ୍କିଆ ନୋଟଟେ ତାଙ୍କ ହାତକୁ ବଢ଼େଇଦେଲି ଆଉ ଅନୁରୋଧ କଲି ଖୁଚୁରା ତକ ରଖିବାକୁ। ସେ ମୃଦୁ ପ୍ରତିବାଦ କଲେ। ମୁଁ ପୁଣି ଜିଦ୍ କରିବାରୁ ସେ ଖୁଚୁରା ଗ୍ରହଣ କଲେ। ତାଙ୍କ ମୁହଁରେ ଗୋଟେ ହସ ଖେଳିଗଲା। ମୁଁ ତାଙ୍କ ପାନଖିଆ କଷା ଦାନ୍ତଗୁଡାକ ଦେଖିପାରିଲି। ମୋ ମୁଣ୍ଡରେ ହାତ ରଖି ପ୍ରଭୁ ଜଗନ୍ନାଥ ମଙ୍ଗଳ କରନ୍ତୁ କହି ଭିଡ ଭିତରେ ଉଭାନ୍ ହୋଇଗଲେ।

ଖେଳନାଗୁଡ଼ାକ କଣ କରିବି ବୋଲି ଭାବୁ ଭାବୁ ଘର ଆଡେ ମୁହେଁଇଲି। ବାଟରେ କିଛି ବାସହୀନ ପିଲାଙ୍କୁ ଦେଖିଲି। ବୋଧହୁଏ ଭାଇ ଭଉଣୀ । ମୁଁ ପଚାରିଲିନି। ସେମାନଙ୍କ ଭିତରୁ ଜଣେ ଗୋଟେ ଭଙ୍ଗା ଗଛ ଡାଳରେ ମାଙ୍କଡ ପରି ମୁଣ୍ଡ ତଳକୁ କରି ଝୁଲିଥିଲା। ସେ ଡାଳଟା ବୋଧେ ଏ ଝଡରେ ଭାଙ୍ଗିପଡିଥିଲା। ଅନ୍ୟମାନେ ଖେଳୁଥିଲେ ଆଉ ହସୁଥିଲେ। ମୁଁ ସତର୍କତାର ସହ ସେମାନଙ୍କ ପାଖକୁ ଅଗ୍ରସର ହେଲି । ସେମାନଙ୍କ ହସ ବନ୍ଦ ହେଇଗଲା। କୌତୁକିଆ ଆଖିଗୁଡ଼ାକ ମୋତେ ମୁଣ୍ଡରୁ ପାଦଯାଏଁ ନିରୀକ୍ଷଣ କରୁଥିଲେ। ମୁଁ ସେମାନଙ୍କୁ ଖେଳନାଗୁଡ଼ାକ ବଢ଼େଇଦେଲି। ଏମିତି ଗୋଟେ ସ୍ନେହବୋଳା ହାବଭାବ ସହ ସେମାନେ ବୋଧେ ପରିଚିତ ନଥିଲେ। ଟିକିଏ ଦ୍ୱିଧା ଆଉ ମୋର ଟିକିଏ ମନାଇବା ପରେ ସେମାନେ ଖେଳନାଗୁଡାକ ମୋ ହାତରୁ ଛଡେଇନେଲେ। ସେମାନଙ୍କ ଛୋଟ ଛୋଟ ମୁହଁରେ ଚେନାଏ ହସର ଧାର ଖେଳିଗଲା।

କିନ୍ତୁ ସେଠି ଆଉ ଜଣେ ଲୋକ ସେମାନଙ୍କଠୁ ବି ଅଧିକ ଖୁସି ଥିଲା; ମୁଁ। ମୁଁ ଥରେ ପଇସା ଖର୍ଚ କରିଥିଲି ଆଉ ଦୁଇଥର ଖୁସି କିଣିଥିଲି। ଯେମିତି ସେ ବର୍ଷା ଭୁବନେଶ୍ୱରର ଜୀବଜନ୍ତୁ ଆଉ ତରୁଲତାଙ୍କ ପାଇଁ ଖୁସି ଆଣିଥିଲା, ମୁଁ ସେମିତି କିଛି ଛୁଆ ଆଉ ସେ ବୁଢା ମଉସାଙ୍କ ପାଇଁ ଟିକେ ଖୁସି ଆଣିଥିଲି ।

(ଡାଲାସ, ଟେକ୍ସାସ୍‌)

Leave A Reply

Your email address will not be published.