Latest Odisha News

BREAKING NEWS

କବିତା:ଟିକେ ଡେରିହବ

ବାଦଲ ମହାନ୍ତି

ଟିକେ ଡେରିହବ
କିନ୍ତୁ ପାଇଯିବ ।
କ’ଣ?
କିଛି ଶୂନ୍ୟତା,
ମୁଁ ଥିବା ଯାଏ
ଯାହାକୁ ଆଦୌ ପାଇନଥିଲ!

ଟିକେ ଡ଼େରିହବ
କିନ୍ତୁ ବୁଝିଯିବ ।
କ’ଣ?
ପରସ୍ପରର କିଛି ନିରବତା,
ଯାହାକୁ ତମର
ସଂଚିବାର ଥିଲା!

ଟିକେ ଡ଼େରିହବ
ଖୋଜ, କାଳେ ମିଳିଯିବ ।
କ’ଣ?
ଛାଇ!
ତମର ମୁଁ ଦେଖିପାରେ
ତମକୁ ମୋର
ଏଯାଏଁ ମିଳିଲା ନାହିଁ!

କ’ଣ ଯେ କହୁଛ
କିଛି ବୁଝିହଉନି
ତମ କଥାଗୁଡ଼ା ସବୁବେଳେ
କବିତା କବିତା ।
ଦିନେ ଯାହା ଖୁବ
ଭଲ ଲାଗୁଥିଲା
ଆଜି ଜମା ଭଲ ଲାଗୁନି ନା?
ସତରେ!
ସମୟକୁ ମୋଟେ
ବୁଝି ହୁଏନା ।

ଟିକେ ଡେରିହବ
କିନ୍ତୁ ଦିନେ ନିଶ୍ଚୟ
ଖୋଜିନେବ
କ’ଣ?
ମୋ ବିକଳ୍ପ ।

ଅସମ୍ଭବ!
ହାହାହାହା
ୟେ ଏକ ଏମିତି ଶବ୍ଦ
ନିଜ ଅପେକ୍ଷା ଯା’ର
ନିଜ ବିପରୀତ ଶବ୍ଦ ସହ
ବେଶୀ ଭାବ ।

ଟିକେ ଡେରିହବ
କିନ୍ତୁ ଦିନେ ତମେ ବି ମାନିବ
ଲୋକଟା ଯାହା କହୁଥିଲା
ଏକଦମ୍ ସତ ।

Leave A Reply

Your email address will not be published.