କବିତା : ପ୍ରଭାତ

ମଞ୍ଜୁବାଳା ରଥ 

କ୍ରମେ ନିଶି ଅନ୍ତେ ପୂରୁବ ଆକାଶେ
ଉଦେ ହେଲେ ଦିନକର
ବାରୁଣୀ ସୁନ୍ଦରୀ ନାଲି ପାଟ ପିନ୍ଧି
ସତେ କି ହେଲା ବାହାର।
ଧରାପରେ ପଡି ଶିଶିର ବିନ୍ଦୁଟି
ମୁକ୍ତା ପରି ଝଲସାଏ,
ଶୀତଳ ସମୀର ଶିରି ଶିରି ବହି
ଦେହ ମନ ପୁଲକାଏ।
ପିଢ଼ ପରେ ବସି ଉଚ୍ଚ ସ୍ଵରେ ରାବେ
କା କା କରି କାକ,
ବାଡ଼ି ପଛପଟୁ କୁକ କୁକ ସ୍ଵରେ
ଡାକ ଦେଲାଣି କୁକ୍କୁଟ।
ଚୂତ ଡାଳେ ଧୀରେ କୋକିଳ ସୁନ୍ଦରୀ
ଗାଉଛି ପଞ୍ଚମ ତାନେ,
ଦେବାଳୟ ମଧ୍ୟେ ଶୁଭ ଶଙ୍ଖ ଧ୍ୱନି
ମହକ ଭରେ ମରମେ।
ପ୍ରଭାକରଙ୍କ ର ପ୍ରଭା ପ୍ରକାଶନ୍ତେ
ହୋଇ ଅତି ପ୍ରଭାବିତ,
ପୁଷ୍କରିଣୀ ଜଳେ ପଦ୍ମିନୀ ସୁନ୍ଦରୀ
ହୋଇଲାଣି ବିକଶିତ।
ବନେ ଉପବନେ ପୁଷ୍ପରାଜୀ ରଙ୍ଗେ
ନାଲି ପାଖୁଡାକୁ ଖୋଲି,
ଉଷା ସୁନ୍ଦରୀଙ୍କୁ ସ୍ୱାଗତ କରନ୍ତି
ସୁବାସ ସୌରଭ ମେଲି।
ଅତି ସୁକୁମାରୀ ଗଙ୍ଗଶିଉଳିଟି
ଶରମେ ପଡିଛି ଝଡି,
ନଭେ ତାରା ପନ୍ତି ପରାଏ ବିରାଜେ
ଧରଣୀ ବକ୍ଷ ସଜାଡି।
କଳା ଶାଢ଼ୀ ତେଜି ପ୍ରକୃତି ରାଣୀଟି
ପିନ୍ଧିଚି ରଙ୍ଗିଲା ପାଟ,
ମଙ୍ଗଳ ସଂଗୀତ ଗାଏ କି ପ୍ରଭାତ
ସଭିଙ୍କୁ କରି ଜାଗ୍ରତ।
ଅଙ୍ଗ ଅଳଙ୍କାର ଲାଗନ୍ତେ କାକର
ଶଯ୍ୟା ତେଜି ନାରୀ ଗଣ,
ଘର ଅଗଣାରେ ପବିତ୍ର ଜଳକୁ
ଆନନ୍ଦେ କଲେ ସିଞ୍ଚନ।
ନୂଆ ସକାଳର କଅଁଳ ଖରାକୁ
ପକ୍ଷୀଙ୍କର କୋଳାହଳ,
ଗୀତ ଗାଇ ଗାଇ କୃଷକ ଆନନ୍ଦେ
ବିଲକୁ ନିଅଇ ହଳ।
ନବପ୍ରାଣ ଲଭି ଜାଗି ଉଠିଲେଣି
ଆବାଳ ବୃଦ୍ଧ ବନିତା,
ନବୀନ ପ୍ରଭାତ ନୂଆ ଆଶା ବୁଣେ
ମନେ ଭରେ ନୂଆ ଚିନ୍ତା।
ଗ୍ରାମ୍ୟ ବଧୂଗଣ ଝଅଟ ଝଅଟ
ବାସି ପାଇଟିକୁ ସାରି,
ଗାଧୁଆ ତୁଠରେ ଗପର ପସରା
ଖୁସିରେ ଦିଅନ୍ତି ମେଲି।
ଜୀବନ ଜୀବିକା ନିର୍ବାହ ନିମନ୍ତେ
ଯେଝା ମତେ ଯେଝା ମତେ
ନିଜ ନିଜ ବେଶ ଧରି ବାହାରନ୍ତି
ନିଜ ନିଜ କର୍ମ ପଥେ।
ବାଳ ଶିଶୁ ମାନେ ସାଙ୍ଗ ସାଥି ମେଳେ
ବହି ବସ୍ତାନିକୁ ଧରି,
ହସ ଖୁସି ହୋଇ ବାହାରି ଚାଲନ୍ତି
ଗାଁ ପାଠ ଚାଟଶାଳୀ।
ଦେବ ପୂଜା ନୀତି ସମ୍ପନ୍ନ ନିମନ୍ତେ
ଗୃହର ଗୃହସ୍ଥ ଗଣ,
ଆଧ୍ୟାତ୍ମିକ ଭାବେ ଉପବନେ ପଶି
ତୋଳନ୍ତି ନାନା କୁସୁମ।
ସକାଳ ଆସିଲେ ସଞ୍ଜ ତ ଆସିବ
ଏଇମିତି ଚାଲିଥିବ,
ଵିଧି ଇଛା ମତେ ସକଳେ ଘଟରେ
କିଛି ନୁହେଁ ଏ ମାନବ।

ପୁରୀ