କବିତା : କର୍ଣ୍ଣ ବିକର୍ଣ୍ଣ କୁମ୍ଭକର୍ଣ୍ଣ

ଶିବ ସୁନ୍ଦର

କର୍ଣ୍ଣ

ମୋ ହାତରେ ଥିଲା ବିଜୟ କିନ୍ତୁ ପ୍ରାରମ୍ଭରୁ ପରାଜୟ ଲେଖି ସାରିଥିଲା ଭାଗ୍ୟ
ଗୁରୁଙ୍କ ସୂଚୀରେ ଅଜାତି ତ ଆଜନ୍ମ ଅଯୋଗ୍ୟ
ସାଧିବାକୁ ଲକ୍ଷ.. ଧରିନେଲି ଅଧର୍ମର ମାର୍ଗ
ସେଇଠି ହିଁ ବରିଥିଲି ଶ୍ରାପ ଆଉ ବିଦ୍ୟା ଭୁଲିବାର ଯୋଗ
ଚାହିଁଥିଲେ କଣ ପାଇନଥାନ୍ତି ଆର୍ଯ୍ୟାବର୍ତ୍ତ ?
କିନ୍ତୁ ଅଭିଶାପ ଦେଖେଇଥିଲା ଅଧର୍ମର ପଥ ।

ହେ ଭାଇ ପାର୍ଥ..! ଉଠା ଅସ୍ତ୍ର
ୟେ କ୍ଷଣ ନୁହେଁ ଭାବିବାର
ଜିତିସାରିଛି ହୃଦୟ କୋଟିକୋଟି
ଏବେ ସମୟ ଆସିଛି ଫେରିବାର।

ବିକର୍ଣ୍ଣ

ଡାହାଣପଟେ ଅନ୍ଧ ପିତା ଆଉ ତାଙ୍କ ମୋହଗ୍ରସ୍ଥ ମନୋବାଞ୍ଛା
ବାମପଟେ ଆଖି ବୁଜିଥିବା ମାତା ଆଉ ମାୟାବୀ ମାମୁଁଙ୍କ ମଞ୍ଚା
ସାମ୍ନାରେ ଧର୍ମ ନିର୍ବସ୍ତ୍ର ଆଉ ଧର୍ମରାଜଙ୍କୁ ବନବାସ ସର୍ତ୍ତ
ମୁଁ କରିଥିଲି ପ୍ରତିବାଦ କିନ୍ତୁ ବ୍ୟର୍ଥ
ମାତାପିତାଙ୍କ ଖୁସିରେ ଧରିଥିଲି ଅଧର୍ମର ହାତ, ଲଢ଼ିଥିଲି ମହାଭାରତ

ହେ ଭାଇ ଭୀମ..! ଉଠା ଅସ୍ତ୍ର
ୟେ କ୍ଷଣ ନୁହେଁ ଭାବିବାର
ସାରୁପତ୍ରରୁ ମୋ ଢଳଢଳ ଧର୍ମ
ନିର୍ଦେଶ ଦେଉଛି ଫେର…।

କୁମ୍ଭକର୍ଣ୍ଣ

ମୋ ଭାଇ ରାବଣ
ଅଧା ଅସୁର ଅଧା ବ୍ରାହ୍ମଣ
ତା ଅଧର୍ମ ଭୋଗନ୍ତି ଲଙ୍କା ପ୍ରଜାଗଣ
କହିଥିଲି ଭ୍ରାତାଙ୍କୁ କ୍ଷମାମାଗି ଯୁଦ୍ଧ ସାରିବାକୁ
କିନ୍ତୁ ଯୁଦ୍ଧତ ପୂର୍ବଜନ୍ମ ଶ୍ରାପର ଭିଆଣ
ଯଦି ଦେଶକୁ ପଡ଼ିଛି ବିପଦ
ତେବେ ଫେରେଇନେବିନି ପାଦ
ତୁଟେଇଦେବିନି ମୋର କର୍ତ୍ତବ୍ୟପଣ
ଭାତୃପଣରେ ହିଁ ଭରୁ ରାମାୟଣ ।

ହେ ଭାଇ ବିଭୀଷଣ..! ଉଠା ଅସ୍ତ୍ର.
ୟେ କ୍ଷଣ ନୁହେଁ ଭାବିବାର
ମାସମାସ ଧରି ଶୋଉଥିଲି ମୁଁ
ଏବେ ସମୟ ଆସିଛି ଜାଗିବାର ।

 

ହଁ ଆମେ ତିନିହେଁ ନେଇଛୁ ପକ୍ଷ ଅଧର୍ମର, ଅନ୍ୟାୟର ଆଉ ଅଭିଶାପର
ଆମେ ତିନିହେଁ ପାଳିଛୁ କର୍ତ୍ତବ୍ୟ ଭାଇର, ବନ୍ଧୁର ଆଉ ଶତୃର
କିଏ କହେ ଠିକ୍ କିଏ ବୁଝେ ଭୁଲ୍
ତ କିଏ କୁହେ ଆମେ ଅବୁଝା ଚରିତ୍ର ଶାସ୍ତ୍ରର
କିନ୍ତୁ ସାକ୍ଷୀ କୁହେ
ଏ ଯୋଜନା ସମ୍ପୂର୍ଣ୍ଣ ନିୟତିର।