ଆଖି

ଆଖି

ଉମାକାନ୍ତ ରାଉତ (ଅରୂପ)

ଏବେ ମୋତେ ପଚାରନି
ବଳେ ବୁଝିପାରିବ
କଲମର ସିନ୍ଧୁ ପରି ବିନ୍ଦୁ ମୂନରେ
ମୁଁ ଏ ଯେଉଁ ଆଖି ଆଙ୍କୁଛି
ସେ ଆଖିର ଜୀବନ୍ୟାସ ଦିନ ଦେଖିବ
ସେ ଆଖିର ପୁଅଡୋଳା ସକାଳର ସୂର୍ଯ୍ୟ
ଆଉ ଆକ୍ଷିପତା ଦୂର ଦିଗବଳୟ ।

ଧର୍ମର ଦେବତା ଭଳି
ସେ ଆଖିର ପଲକ ଓ ଜୀବନ୍ୟାସ
ସାବ୍ୟସ୍ତ କରିବ
ଶୋଷାର୍ତ୍ତ ଓ ଶୋଷିତର ନ୍ୟାଯ୍ୟ ଅଧିକାର ।

ସେ ଆଖିରୁ ଝରୁନଥିବ ଲୁହ
ଝରିଲେ ତ ଝରିବ
ଗଙ୍ଗଶିଉଳିର ସ୍ତବକ ।
ଚମକି ଯିବ ତ
ଘୋଟିଯିବ ନାହିଁ ଭୟ
ଲେପିଯିବ ଦିଗ ଦିଗବିଜୟ ।

ଜୀବନ୍ୟାସ ପାଇବାର ଦିନ
ସେ ଆଖି ଖୋଜି ବୁଲିବ
ଦୟାନଦୀ କୂଳର ଚେତନା ନିସ୍ତବ୍ଧ
ଶତ ଶତ ଚଣ୍ଡାଶୋକ ନିସ୍ତାରିବା ପାଇଁ
କେଇଥର ଯୁଦ୍ଧ ଆବଶ୍ୟକ ।
ସେ ଆଖି ଦେଖେଇଦବ
ଧ୍ୱସ୍ତ ବାବ୍ରୀ ମସଜିଦର ଧ୍ୱଂସସ୍ତୁପ ତଳେ
କେମିତି କୋଳାକୋଳି ହେଉଛନ୍ତି
ଆଲ୍ଲାହା ଓ ଈଶ୍ୱର ।

ସେ ଆଖି
ଟେବୁଲ ତଳେ ଚାପିହୋଇ ରହିଥିବା
ଫାଇଲରୁ ଶୁଭୁଥିବା ଆର୍ତ୍ତନାଦକୁ ଆଣି
ଠିଆ କରାଇବ ମଞ୍ଚରେ ……
ଖସେଇଦବ ଅମଲାତନ୍ତ୍ରର କରାଳ ପଞ୍ଝା ।

ଉଦ୍ଧାର କରିବ
ସିଂହାସନର ହାତୀପାହୁଲ ତଳୁ
ପିମ୍ପୁଡି ଭଳି ଚାପିହୋଇ ରହିଥିବା
କ୍ଷୁଧାର୍ତ୍ତ ବାରଶ ଫ ବଢେଇଙ୍କ
ଶୁକୁ ଶୁକୁ ଦେହ ।

ଆଉ ବୁଝେଇଦବ
ସବୁ ମଣିଷମାନେ
କେବେ ଦେବତା ନୁହନ୍ତି
ହେଲେ,ସବୁ ଦେବତାମାନେ
ଅବିକଳ
ମଣିଷପରି ଦିଶନ୍ତି କାହିଁକି …?

——————————

ଶୈଳଶ୍ରୀ ବିହାର, ଭୁବନେଶ୍ୱର, ମୋ-୮୨୪୯୧୦୮୪୫୨, ଇମେଲ୍‌: [email protected]