Latest Odisha News

BREAKING NEWS

ବିଶ୍ୱର ବିଭିନ୍ନ ସ୍କୁଲ ଗୁଡ଼ିକ ସହିତ ସାଇ ଇଣ୍ଟରନ୍ୟାସନାଲର ସମନ୍ୱୟ ସାଂସ୍କୃତିକ ସହଯୋଗୀ ଶିକ୍ଷା

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ଭର୍ଚୁଆଲ୍ ମିଟିଂ ମାଧ୍ୟମରେ ବିଶ୍ୱର ବିଭିନ୍ନ ସ୍କୁଲ ଗୁଡ଼ିକ ସହିତ ସମନ୍ୱୟ ସାଂସ୍କୃତିକ ସହଯୋଗୀ ଶିକ୍ଷା ବିଷୟରେ ଆଲୋଚନା ହୋଇଛି । ଏହି ଭର୍ଚୁଆଲ୍ ମିଟିଂରେ ସାଇ ଇଣ୍ଟରନ୍ୟାସନାଲର ଛାତ୍ରଛାତ୍ରୀଙ୍କ ସମେତ ବିଶ୍ୱର ଅନ୍ୟ କେତେକ ବିଦ୍ୟାଳୟର ଛାତ୍ରଛାତୀ ଓ ଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ ।

ସାଇ ଇଣ୍ଟରନ୍ୟାସନାଲ୍ ଆନ୍ତର୍ଜାତୀୟତାକୁ ନିଜ ପାଠ୍ୟକ୍ରମରେ ସର୍ବଦା ଗୁରୁତ୍ୱ ପ୍ରଦାନ କରିଥାଏ । ପ୍ରଥମତଃ, ଏହି ସ୍କୁଲ ସାରା ବିଶ୍ୱର ବିଭିନ୍ନ ସହଭାଗୀ ସ୍କୁଲ ଗୁଡ଼ିକ ସହିତ ପାରସ୍ପରିକ ବୁଝାମଣାର ସହିତ ବିଭିନ୍ନ ପ୍ରସଙ୍ଗରେ ସମ୍ମାନକୁ ଅଗ୍ରାଧିକାର ଦେଇଥାଏ । ଏଥିସହିତ ଛାତ୍ରଛାତ୍ରୀ ମାନଙ୍କୁ ବିଶ୍ୱସ୍ତରୀୟ ନାଗରିକ ହେବା ଲାଗି ସର୍ବଦା ପ୍ରୋତ୍ସାହିତ କରିବା ସହିତ ଅଗ୍ରାଧିକାର ଦେଇ ଆସିଛି ।

ଏବେ ସାରା ବିଶ୍ୱରେ ଚାଲିଥିବା ଲକ୍‌ଡାଉନ୍ ପରିସ୍ଥିତିରେ ମଧ୍ୟ ଏହି ପ୍ରୟାସ ସ୍କୁଲ୍ ପକ୍ଷରୁ ଜାରି ରହିଛି । ବିଶ୍ୱର କୋଣ ଅନୁକୋଣରେ ରହିଥିବା ରାଉଣ୍ଡ ସ୍କୋୟାର୍ ପାର୍ଟନର୍ ସ୍କୁଲ ଗୁଡ଼ିକର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସହିତ ନିୟମିତ ଭର୍ଚୁଆଲ୍ ମିଟିଂ ମାଧ୍ୟମରେ ପାରସ୍ପରିକ ଆଲୋଚନା ହୋଇପାରୁଛି ।

ଜାପାନର ଟୋକିଓ ଅନ୍ତର୍ଗତ କୋଗାକୁଇନ୍ ୟୁନିଭର୍ସିଟିର ସମସ୍ତ ଜୁନିୟର ଓ ସିନିୟର ହାଇସ୍କୁଲ, ଉଗାଣ୍ଡାର ତାଇବା ଇଣ୍ଟରନ୍ୟାସନାଲ୍ ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସହିତ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ସର୍ବଦା ମିଟିଂ ଜାରି ରହିଛି । ଏପରିକି ଆର୍ମେନିଆର ସିରାକାଟସି ଲାଇସମ୍ ଏହି ପାରସ୍ପରିକ ସହଭାଗୀ ଶିକ୍ଷା ଆରମ୍ଭ ହୋଇଛି । ନିକଟ ଭବିଷ୍ୟତରେ ଇସ୍ରାଏଲ୍ ଏବଂ ଚିଲି ପରି ଦେଶର ବିଦ୍ୟାଳୟ ଗୁଡ଼ିକ ସହିତ ସହଯୋଗ ଲାଗି ଯୋଜନା ଚାଲିଛି ।

ଆର୍ମେନିଆର ସ୍କୁଲ ଗୁଡ଼ିକ ସହିତ ଆୟୋଜିତ ହୋଇଥିବା ମିଟିଂରେ ଆର୍ମେନ ମାର୍ଟିରୋସିଆନ, ଆର୍ମେନିଆରେ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ ଆଶୋତ୍ ଆଲିଖନ୍ୟାନ, ପ୍ରିନସିପାଲ୍ ଟାଟେଭିକ୍ ନାଲବେଣ୍ଡିଆନଙ୍କ ସହିତ ସାଇ ଇଣ୍ଟରନ୍ୟାସନାଲର ପ୍ରତିଷ୍ଠାତା ଡଃ ବିଜୟ କୁମାର ସାହୁ ଯୋଗଦାନ କରିଥିଲେ । ଆୟୋଜିତ ହୋଇଥିବା ଏହି ମିଟିଂରେ ଛାତ୍ରଛାତ୍ରୀମାନେ କୋଭିଡ୍‌-୧୯ କିପରି ଶିକ୍ଷାଦାନ ବ୍ୟବସ୍ଥାକୁ ପରିବର୍ତ୍ତନ କରିଛି, ଅନଲାଇନ୍ କ୍ଲାସ କିପରି ଲାଭଦାୟକ, ଅନଲାଇନ୍ ଶିକ୍ଷାଦାନରେ ଶିକ୍ଷକମାନଙ୍କ ସହିତ ଆଲୋଚନା ସମ୍ପର୍କରେ ଆଲୋଚନା କରିଥିଲେ । ତଥାପି ଏହି ଶିକ୍ଷାଦାନରେ ଛାତ୍ରଛାତ୍ରୀମାନେ ଶିକ୍ଷକମାନଙ୍କ ଉପସ୍ଥିତି ଏବଂ ବନ୍ଧୁମାନଙ୍କୁ କିପରି ହରାଇ ଥାଆନ୍ତି ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ପରିପ୍ରେକ୍ଷୀରେ ଶିକ୍ଷକମାନଙ୍କ ଉତ୍ସର୍ଗୀକୃତ ଶିକ୍ଷାଦାନ ପଦ୍ଧତି, ଧୈର୍ଯ୍ୟ ଏବଂ ଆନ୍ତରିକତାକୁ ଛାତ୍ରଛାତ୍ରୀମାନେ ଭୁରି ଭୁରି ପ୍ରଶଂସା କରିଥିଲେ । ଏହି ଆଲୋଚନରେ ଆର୍ମେନିଆର ଜଣେ ଛାତ୍ରୀ ହେଲେନ୍ ଖାଚିକ୍ୟାନ୍ କହିଥିଲେ ଅନଲାଇନ୍ ଶିକ୍ଷାଦାନ ଉପାଦେୟ ହୋଇଥିଲେ ମଧ୍ୟ ବିଦ୍ୟାଳୟରେ ଆମେ ପ୍ରକୃତ ଜୀବନର ଶିକ୍ଷା ଲାଭ କରିଥାଉ, ଦଳଗତ କାର୍ଯ୍ୟଶୈଳୀ, ବନ୍ଧୁତା ଏବଂ ଧୈର୍ଯ୍ୟ ପରି ଅନେକ ଗୁଣ ଶିଖିଥାଉ ଯାହାକି ଅନଲାଇନରେ ଉପଲବ୍ଧ ହୋଇନଥାଏ ।

ସେହିପରି ଭାବେ ଶ୍ରୀ ମାର୍ଟିରୋସିଆନ ଏନେଇ ନିଜର ମତ ଦେଇ କହିଛନ୍ତି, ବର୍ତ୍ତମାନର ପରିସ୍ଥିତି ନିଶ୍ଚିତ ରୂପେ ଶିକ୍ଷକମାନଙ୍କ ଭୂମିକାକୁ ପରିବର୍ତ୍ତନ କରିବ । ଏହି ଶିକ୍ଷାଦାନ ଯୋଗୁଁ ମାଷ୍ଟର୍ କିପରି ମୋଟିଭେଟରରେ ପରିଣତ ହୋଇଥାନ୍ତି ଏବଂ ଛାତ୍ରଛାତ୍ରୀ ମାନେ କିପରି ନିଜେ ନିଜର ମାର୍ଗଦର୍ଶକ ହୋଇପାରିଥାଆନ୍ତି ତାହାକୁ ପ୍ରାଞ୍ଜଳ ଭାବେ କହିଥିଲେ । ସେହିପରି ଭାବେ ଡଃ ସାହୁ ଏସମ୍ପର୍କରେ ନିଜର ମତ ପ୍ରକାଶ କରି କହିଥିଲେ ଯେ, ଟେକ୍ନୋଲୋଜି କେବେବି ଶିକ୍ଷକଙ୍କ ସ୍ଥାନ ନେଇ ପାରିବ ନାହିଁ । ଛାତ୍ରଛାତ୍ରୀମାନେ ନିଜର ଚରିତ୍ର ଗଠନ ନିମନ୍ତେ ଭାବପ୍ରବଣତା ଆବଶ୍ୟକ କରିଥାଆନ୍ତି । ଏହାବ୍ୟତୀତ, ବହି-ଖାତାରୁ ହିଁ କିପରି ଜ୍ଞାନ ଅର୍ଜନ ହୋଇଥାଏ ସେ ସମ୍ପର୍କରେ ଡଃ ସାହୁ ବିଶଦ ଭାବେ ଆଲୋଚନା କରିଥିଲେ ।

ବିଶ୍ୱର ବିଭିନ୍ନ ଦେଶର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନେକ କାର୍ଯ୍ୟକଳାପ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀମାନେ ‘ଇଟସ ଅଲ୍ ଇନ ଦ ନେମ୍ ’, ରେ ଭାଗ ନେଇ କୋଭିଡ୍‌-୧୯ ସମ୍ପର୍କରେ ନିଜର ନାମର ଆଲଫାବେଟ୍ ସହିତ ମୂଲ୍ୟବାନ ମେସେଜ୍ ଲେଖିଥିଲେ । ପରିଶେଷରେ ଛାତ୍ରଛାତ୍ରୀମାନେ ନିଜ ନିଜର ମାତୃଭାଷାରେ ବିଦାୟ ସମ୍ବୋଧନ କରିବା ସହିତ ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।

Leave A Reply

Your email address will not be published.