Latest Odisha News

BREAKING NEWS

ଶିଶୁ କବିତା : ପରଜାପତି

ତରୁଣ କୁମାର ମିଶ୍ର

ଅତି ଖୁସିରେ ବିଭୋର ହୋଇ
ଟିକି ପରଜାପତି ,
ଫୁଲ ଉପରେ ବସିଛି ଦେଖ
ଦିଅଇ ପରା ହସି ।

ଗାଉଛି ଗୀତ ମନ ଆନନ୍ଦେ
ଫୁଲ ବି ଝୁଲେ ଧୀରେ ,
ଫୁଲ ସାଥିରେ ପରଜାପତି
ଝୁଲଇ ଗଛ ପରେ ।

ଦେହ ତାହାର କେଡ଼େ ସୁନ୍ଦର
ଫୁଲରୁ ଫୁଲ ଉଡ଼ି ,
ଶୋଷଇ ମହୁ ଦେହରୁ ତା’ ର
ଶୁଣ୍ଢକୁ ଦେଇ ମାଡ଼ି ।

ପିଲେ ଚାହାନ୍ତି ଧରିବା ପାଇଁ
ହାତେ ସେ ଜୀବଟିକୁ ,
କିନ୍ତୁ ସିଏତ ଯାଅଇ ଉଡ଼ି
ତରକା ପଣ ହେତୁ ।

ଅତି ନିରୀହ ଜୀବଟି ସିଏ
କ୍ଷତି କରେନି କା’ ର ,
ପରାଗ ସଙ୍ଗମରେ ରହିଛି
ଅବଦାନ ତାହାର ।

ବିଧାତା ତାକୁ ଗଢ଼ିଛି ସିନା
ଏତେ ସୁନ୍ଦର କରି ,
ହେଲେ ତାହାର ପୂରୁବ ରୂପ
ଅଟେ ଲୋମଶ ଭାରି ।

ଜଗତର ସେ କରଇ ହିତ
ଛୋଟିଆ ଜୀବ ହୋଇ ,
ଫୁଲରୁ ଫୁଲ ଉଡ଼ି ସେ ବିଞ୍ଚେ
ପରାଗ ରେଣୁ ନେଇ ।

ଏହିପରି ସେ ପରିବେଶର
ଛୋଟିଆ ମିତ ଟିଏ ,
ଗଛ ବଢ଼ାଏ ଫୁଲ ଫୁଟାଏ
ନିଜେ ବି ହସୁଥାଏ।

ତେଣୁ ପିଲାଏ ପରଜାପତି
ପରି ହୋଇବା ଆମେ ,
ନରଖି ରୋଷ ସଦା ହରଷ
ହେବା ଏ ମର୍ତ୍ତ୍ଯ ଭୂମେ ।

ଖଣ୍ଡଗିରି , ଭୁବନେଶ୍ବର

Leave A Reply

Your email address will not be published.