Latest Odisha News

BREAKING NEWS

ଶିଶୁ କବିତା : ଆ ରେ ବରଷା ଆ

ତରୁଣ କୁମାର ମିଶ୍ର

ଆ’ରେ ବରଷା ଆ ,
ଆ’ରେ ବରଷା ଆ ,
ନିଦାଘ ଦେଇଛି ତତାଇ ଶରୀର
ତୁ ଶୀତଳାଇ ଯାଆ ,
ଝାଞ୍ଜିର ବେଦନା ଯାହା ଅଛି ମନେ
ତାକୁ ଧୋଇଦେଇ ଯାଆ ।
ଆ’ରେ ବରଷା ଆ । (୦)

ଶିରାବଣ ଅଧା ହୋଇଲାଣି ଆସି
ଜମିରେ ବୁଲିନି ହଳ ,
ଏବେ ତୁ ଆସିଛୁ ଖୁସି ଚଷା ପୁଅ
ମନ ତା’ର ଚଞ୍ଚଳ ।
ଝମା ଝମ୍ ତୁହି ଯାଅରେ ବରଷି
ଖୁସି ହେଉ ମାଟି ମାଆ ।
ଆ’ରେ ବରଷା ଆ । ( ୧)

ଦାଣ୍ଡରେ ପାଣିର ସୁଅ ଦେଖି ଗୁଡ଼ୁ
ଖାତାରୁ କାଗଜ ଚିରି ,
ବନାଉଛି ଏବେ କାଗଜ ଡଙ୍ଗା ସେ
ସେଥେ ଭସାଇବ ବୋଲି ।
ତା’ ଡଙ୍ଗା ଭସାକୁ ଦେଖିବା ପାଇଁକି
ନ ରୋକି ବରଷି ଯାଆ ।
ଆ’ରେ ବରଷା ଆ ।(୨)

ଦର୍ଦୂର ରାବନ୍ତି ଘର ପଛପଟେ
ପୋଖରୀ ହୁଡ଼ାରେ ବସି ,
ଝଡ଼ିପୋକ ଦେଖି ପାଟି ଟକ ଟକ
ଡିଅଁନ୍ତି ହୋଇଣ ଖୁସି ।
ଝରକା ସେପାଖେ ବରଷା ନାଚୁଛି
ପୁଲକାଇ ମନ ଆହା ।
ଆ’ରେ ବରଷା ଆ । (୩)

ମୁଣ୍ଡିଆ ପାହାଡ଼ ଦିଶେ ଧୂଆଁଳିଆ
ମେଘ କି ଯାଇଛି ଲାଖି ,
ମୟୂର ନାଚଇ ପୁଚ୍ଛ ଟେକିଦେଇ
କଦମ୍ବ ଦିଅଇ ହସି ।
ଗୋରୁ ଚରୁଛନ୍ତି ନୂଆ ଘାସ ପାଇ
ବହୁଛି ପୂବେଇ ବାଆ ।
ଆ’ରେ ବରଷା ଆ ‘। (୪)

ବସିଛି ମୁଁ ଏବେ ଘର ଭିତରେ ଯେ
ମନ ହୁଏ ଭିଜିବାକୁ ,
ବୟସ ମୋ ନାହିଁ ବରଷାରେ ଭିଜି
ପ୍ରିୟା କୁ ଚୂମା ଦେବାକୁ ।
ତଥାପି ଦେଖଇ ତୋ ଭିତରେ ମୁହିଁ
ଦୁଷ୍ଟାମୀ ପ୍ରିୟାକୁ ଯାହା ।
ଆ’ ରେ ବରଷା ଆ।
ଆ’ ରେ ବରଷା ଆ ।
ଆ’ ରେ ବରଷା ଆ । (୫)

ଖଣ୍ଡଗିରି , ଭୁବନେଶ୍ବର

Leave A Reply

Your email address will not be published.