Latest Odisha News

ପ୍ରତିଷ୍ଠା ଦିବସରେ ‘ପାରାଦୀପ ବନ୍ଦର’ ସମ୍ପର୍କରେ ଜାଣନ୍ତୁ କିଛି ରୋଚକ କଥା…

ପାରାଦୀପ ବନ୍ଦର। ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ ଏକ କୃତ୍ରିମ ବନ୍ଦର । ଏହା ମହାନଦୀ ଓ ବଙ୍ଗୋପସାଗରର ମିଳନସ୍ଥଳୀରେ ଅବସ୍ଥିତ।

ଏହି ବନ୍ଦର ଦେଇ ମୁଖ୍ୟତଃ ଲୌହପଥର ଓ କୋଇଲା ରପ୍ତାନୀ କରାଯାଉଥିଲା ବେଳେ ରାଜ୍ୟରେ ଅବସ୍ଥିତ ଇସ୍ପାତ କାରଖାନା ନିମନ୍ତେ କୋକିଙ୍ଗ କୋଇଲା ତଥା ସାର କାରଖାନା ନିମନ୍ତେ ଫସପେଟ ଆଦି ଆମଦାନୀ କରାଯାଇଥାଏ ।

ଏହାର ଇତିହାସ:

ସ୍ୱାଧୀନତା ପରେ ୧୯୫୬ ମସିହାରେ ଏହି ପାରାଦୀପ ବନ୍ଦରର ଶିଳାନ୍ୟାସ ହୋଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏହି ବନ୍ଦରର ଭିତ୍ତିପ୍ରସ୍ଥର ଜାନୁୟାରୀ ୦୩, ୧୯୬୨ରେ ସ୍ଥାପନ କରିଥିଲେ । ପରବର୍ତ୍ତୀ କିଛି ବର୍ଷ ମଧ୍ୟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଏହି ବନ୍ଦରର ବିକାଶ ହୋଇ ଏହା ଏକ ପ୍ରଧାନ ବନ୍ଦରରେ ପରିଣତ ହୋଇଥିଲା । ବିଗତ କିଛି ବର୍ଷ ମଧ୍ୟରେ ଏଠାରେ ଅନେକ ନୂତନ ଶିଳ୍ପ ସ୍ଥାପିତ ହୋଇଛି ।

ଲୁହାପଥର ବର୍ଥ ନିର୍ମାଣ ଶେଷ ହେବା ପରେ, ୧୫ ମାର୍ଚ୍ଚ ୧୯୬୬ରେ ‘ଆଇଏନଏସ ଇନଭେସ୍ଟିଗେଟର’ ପ୍ରଥମ ଜାହାଜ ଭାବେ ଏଠାରେ ଲାଗିଥିଲା । ବର୍ତ୍ତମାନ ଏହା ଭାରତର ଅନ୍ୟତମ ପ୍ରଧାନ ବନ୍ଦର ଭାବେ ବର୍ଷକୁ ୫୦ ନିୟୁତଠାରୁ ଅଧିକ ମାଲ ପରିବହନ କରୁଛି ।

ଶିଳ୍ପ ଓ ଅର୍ଥନୀତି:

ପାରାଦୀପ ପୂର୍ବ ଭାରତର ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର । ଏଠାରେ ଥିବା ବନ୍ଦର ଦ୍ୱାରା ଅନେକ ପ୍ରକାରର ମାଲ ଆମଦାନୀ ରପ୍ତାନୀ ହୋଇଥାଏ । କଞ୍ଚାମାଲର ଉପଲବ୍ଧି ଯୋଗୁ ଏଠାରେ ଅନେକ ଶିଳ୍ପ ଗଢି ଉଠିଛି । ତନ୍ମଧ୍ୟରେ ପାରାଦୀପ ଫସପେଟସ ଲିମିଟେଡ଼ ଓ ଇଫକୋର ସାର କାରଖାନା, ଇଣ୍ଡିଆନ ଅଏଲଦ୍ୱାରା ନିର୍ମିତ ତୈଳ ବିଶୋଧନାଗାର ପ୍ରମୁଖ ଅଟେ । ଏହି ବନ୍ଦର ମଧ୍ୟ ଦେଇ ଲୁହାପଥର ବିଦେଶକୁ ରପ୍ତାନୀ କରାଯାଇ ଥାଏ ତଥା କୋଇଲା ଓ ଅନ୍ୟାନ୍ୟ କଞ୍ଚାମାଲ ଓ ଭାରୀ କଳ-କବଜା ପ୍ରଭୁତି ଆମଦାନୀ ହୋଇଥାଏ । ଏଠାରେ ଥିବା ମାଛଧରା ବନ୍ଦର ବିଭିନ୍ନ ସାମୁଦ୍ରିକ ଖାଦ୍ୟର ବାଣିଜ୍ୟ ବୃଦ୍ଧି କରିଛି।

ଏହି ବନ୍ଦରରେ ବର୍ତ୍ତମାନ ୨୦ଟି ବର୍ଥ ରହିଛି । ୧୩ ମିଟର ଗଭୀରତା ବିଶିଷ୍ଟ ଏହି ବର୍ଥ ମାନଙ୍କର୍ରେ ୯୦,୦୦୦ ଟନ୍ ପର୍ଯ୍ୟନ୍ତ ଓଜନର ଜାହାଜ ଧାରଣ ପାଇଁ ସକ୍ଷମ ଅଟେ । ସ୍ୱୟଂସକ୍ରିୟ କୋଇଲା ପ୍ଲାଣ୍ଟ ବର୍ଷକୁ ୨୦ ନିୟୁତ ପର୍ଯ୍ୟନ୍ତ ମାଲ ରପ୍ତାନୀ କରିପାରେ । ସମୁଦ୍ର ମଝିରେ ଥିବା ଏସପିଏମ୍ ବର୍ଥ ଅତ୍ୟନ୍ତ ବଡ଼ ଆକାରର ତେଲ ଜାହାଜରୁ ଅସୋଧିତ ତୈଳ ଖାଲି କରାଯାଇ ପାଇପ ଯୋଗେ ଆଇଓସିଏଲ ର ବିଶୋଧନାଗାରକୁ ପଠାଯାଏ ।

ବନ୍ଦରର ନିଜସ୍ୱ ଏକ ରେଳ ଲାଇନ ରହିଛି ଯାହା ୮୨ କିଲୋମିଟର ପରିବ୍ୟାପ୍ତ ।

ଭୌଗୋଳିକ ଅବସ୍ଥିତି:

ଏଠାରେ ଓଡ଼ିଶାର ମହାନଦୀ ବଙ୍ଗୋପସାଗରରେ ମିଶିଅଛି । ୧୯୯୩ ମସିହାରେ ଜିଲ୍ଲା ବିଭାଜନ ପୂର୍ବରୁ ଅବିଭକ୍ତ କଟକ ଜିଲ୍ଲାର ଅଂଶ ଥିବା ଏହି ସହର ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାରେ ରହିଛି । ପାରାଦୀପ ବନ୍ଦର ଏକ ଦୃତଗାମୀ ଜାତୀୟ ରାଜପଥ ଏନଏଚ-୫ ଦ୍ୱାରା ଜାତୀୟ ରାଜପଥ ୧୬ ସହ ସଂଯୁକ୍ତ । କଟକରୁ ମଧ୍ୟ ଏଠାକୁ ସିଧାସଳଖ ରାସ୍ତା ରହିଛି । ବିଭିନ୍ନ ମାଲ ରପ୍ତାନୀ ଓ ଆମଦାନୀ ପାରାଦୀପ ବନ୍ଦର ମଧ୍ୟଦେଇ ହେଉଥିବାରୁ ଉଭୟ ସଡ଼କ ଓ ରେଳପଥର ଗୁରୁତ୍ତ୍ୱ ବୃଦ୍ଧି ପାଇଛି ।

Leave A Reply

Your email address will not be published.