Latest Odisha News

ରାଜ୍ୟ ସ୍ତରୀୟ ଲଉଡ଼ି ଲୋକନୃତ୍ୟ ଶୋଭାଯାତ୍ରା ଓ ନୃତ୍ୟ ଉତ୍ସବ     

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡିଶା ତରଫରୁ ଓଡିଶା ସଙ୍ଗୀତ ନାଟକ ଏକାଡେମୀ  ଆନୁକୂଲ୍ୟରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଭୁବନ ବ୍ଲକର ଜିରାଳ ଗୋଠପଡ଼ିଆରେ ଏକ ବିଶାଳ ଲଉଡ଼ି ଲୋକନୃତ୍ୟ ଶୋଭାଯାତ୍ରା ଓ ରାଜ୍ୟସ୍ତରୀୟ ନୃତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅବନୀ ମିଶ୍ର ଓ ଶ୍ରୀ ଅଶୋକ କୁମାର ସାମଲ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ  ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ   ରଂଜନ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ରାଜ୍ୟ ସ୍ତରୀୟ ଉତ୍ସବରେ ସଙ୍ଗୀତ ନାଟକ ଏକାଡେମୀର ଉପସଭାପତି ମନ୍ମଥ କୁମାର ଶତପଥୀ ଯୋଗ ଦେଇଥିଲେ । ତାଙ୍କ ସହ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ, ଭୁବନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକାଶ କୁମାର ସାହୁ,ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ,ଜିରାଳ ସରପଞ୍ଚ ଉଦୟ ଲେଙ୍କା, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ଲଷ୍ମୀଧର ବେହେରା ପ୍ରମୁଖ ମଧ୍ୟ ଏହି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ରାଜ୍ୟ ସରକାର ଲୁପ୍ତପାୟ ଲୋକକଳାକୁ ଉଜ୍ଜୀବିତ ରଖିବା, ଲୋକକଳାର ପ୍ରଚାର ପ୍ରସାରକୁ  ବ୍ୟାପକ କରିବା ସହ  ଲୋକ କଳାକାରମାନଙ୍କ  ଉନ୍ନତି  ପାଇଁ  ପଦକ୍ଷେପ  ନେଇଛନ୍ତି । ଲଉଡି ଆମର ମୌଳିକ ଲୋକକଳା ହୋଇଥିବାରୁ ଏହି ଲୋକନୃତ୍ୟ ଶିଖିଥିବା ଓ ଶିଖୁଥିବା  କଳାକାରମାନଙ୍କୁ ସମସ୍ତେ ଉତ୍ସାହିତ କରିବାର ଆବଶ୍ୟକତା ରହିଛି  । ରାଜ୍ୟ,ଜିଲ୍ଲା, ଉପଖଣ୍ଡ, ବ୍ଲକ ଓ ପଞ୍ଚାୟତସ୍ତରରେ ଲୋକକଳା ମହୋତ୍ସବ  ଆୟୋଜନ କରାଯାଇ ସରକାରୀ ବିଧି ବ୍ୟବସ୍ଥା ଅନୁସାରେ  ରାଜ୍ୟ ସଂସ୍କୃତି ବିଭାଗ  ସମସ୍ତ ସହଯୋଗ କରିଆସୁଛନ୍ତି ବୋଲି ନିର୍ଦ୍ଦେଶକ ଶ୍ରୀ ଦାସ ପ୍ରକାଶ  କରିଥିଲେ ।

ଏହି କାର୍ଯ୍ୟକ୍ରମରେ  ଢେଙ୍କାନାଳ,  କଟକ ଖୋର୍ଦ୍ଧା  ଅଞ୍ଚଳର ୧୨ଟି ଲଉଡିଦଳ ସହ ଲଉଡି କଳାକାର, ଗୋପାଳ ପରିବାର,ପଞ୍ଚାୟତ ପ୍ରତିନିଧି ଓ ସଂସ୍କୃତିପ୍ରେମୀ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଲଉଡିଖେଳର ଆନନ୍ଦ ନେଇଥିଲେ । ଗୋପାଳମାନେ ଦୋଳବିମାନରେ ରାଧାକୃଷ୍ଣଙ୍କୁ ଶୋଭାଯାତ୍ରାରେ ନେବା ସହ  ବାହୁଙ୍ଗିରେ କଳସ ନେଇ  ଅପୂର୍ବ ନୃତ୍ୟର ତାଳେ ତାଳେ  ଜିରାଳ ଅଞ୍ଚଳ ପରିକ୍ରମା କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ରାଧାକୃଷ୍ଣଲୀଳା ଓ ଶ୍ରୀଜଗନ୍ନାଥ ଚେତନାକୁ ମହାପୁରୁଷ ଅଚ୍ୟୁତାନନ୍ଦ ଗୋସ୍ଵାମୀଙ୍କ ଗୋପାଳ ଓଗାଳ ଗୀତକୁ ନେଇ ଓଡ଼ିଶାର ଗୋପାଳ ସମ୍ପ୍ରଦାୟମାନେ ବର୍ଷ ବର୍ଷ ଧରି ଦୋଳଉତ୍ସଵ ସହ ଦୋଳମେଳଣ,ଭାଗବତ ମେଳଣ,ବିଭିନ୍ନ ପର୍ବପର୍ବାଣୀରେ  ଲଉଡି ଲୋକନୃତ୍ୟ ଓ ରାମତାଳି ପରିବେଷଣ କରିଆସୁଛନ୍ତି ।

Leave A Reply

Your email address will not be published.